Latest Odisha News

BREAKING NEWS

ସନେଟ : ସୁନାରୀ ଅପ୍ସରୀ

ଅନୀତା ପାଣି

ସଜ ସକାଳର କଅଁଳ ଖରାରେ ଗାଇ ମହୁମିଶା ଗୀତ,
ସୁନେଲି ଚାମର ଲହରେଇ ଢାଳୁ ସମୀରେ ବସିଛୁ ମିତ ।
ଖରା ଋତୁଫୁଲ ଫୁଟିଗଲା ପରେ ଆସିଛୁ ହଳଦୀ ଗୋରୀ,
କଞ୍ଚା ହଳଦୀରେ କୁଆଁରୀ କନିଆଁ ପାହାନ୍ତି ଗାଧୁଆ ସାରି ।

ଫୁଲର ତୋରଣ ସଜେଇ ଦେଇଛୁ ଚଲାପଥ ଦୁଇ ଧାରେ,
ସୁନାରୀ ଅପ୍ସରୀ ଡେଣା ହଳେ ଧରି ଉଡୁଛୁ କି ଆକାଶରେ ।
ପ୍ରୀତିର ମହଲ ତୋଳି ସରାଗରେ ଦେଉ ତୁ ମଧୁରେ ହସି,
ଘଡିଏ ଅଟକି ଯାଏ ପାଦ ମୋର ରୂପସୀ କୁହୁକ ଭାଷି ।

ଡହକ ପରାଣେ ଶୀତଳ ପରଶି ପୂଣ୍ୟ ତୁ ଅରଜୁ କେତେ,
ନୟନର ତୃପ୍ତି ଶିହରଣ ଭରେ ପିୟୂଷ ପାଏକି ସତେ ।
ଏତେ ଗହନ ତୋ ରଙ୍ଗର ଚମକ ପାଇଲୁ ସାଧନା ବଳେ,
ଦାଗଟିକେ ତୋର ଅଙ୍ଗରେ ଲାଗିଲେ ମେଘ ବି ଚିନ୍ତାରେ ଭାଳେ ।

ଗହଳ ଫୁଲରେ ଅନୁରାଗ ତୋର ଲୁଚାଇ ହୋଇଛୁ ସଖୀ,
ଖରାର ଖିଆଲ ନ କରି ଆସିଛୁ ପ୍ରିୟତମ ପୃଥି ଦେଖି ।

ସାଉଥ୍ ବଲଣ୍ଡା, ତାଳଚେର

Leave A Reply

Your email address will not be published.