Latest Odisha News

ଗଳ୍ପ : ଅଦୃଶ୍ୟ ବୟସ

ଅମ୍ବିକା ସ୍ୱାଇଁ

ଓହୋ,  ଏକ ବଡ଼ ଚିନ୍ତା ଗଲା, ଖୁବ୍ ଦୀର୍ଘ ନିଶ୍ଵାସଟି ପକାଇ ଅଲିଭା ଟେବୁଲ୍ ଉପରେ ଖାତା କଲମ ଥୋଇ ଦେଇ ମନେ ମନେ ଭାବୁଥିଲା ଯାହା ହେଉ, ବର୍ଷକ ତଳୁ ଆରମ୍ଭ କରିଥିବା ଉପନ୍ୟାସଟି ଏହି କିଛି ଦିନର ପରିଶ୍ରମରେ ଆଜି ପୂର୍ଣ୍ଣ ରୂପ ନେଲା । ଖାଲି ଯାହା ସାଜ ସଜା ହୋଇ ସୁନ୍ଦର ପରିପାଟୀରେ ଲୋକ ଲୋଚନକୁ ଆସିବାର ବାକି ରହିଲା । ଯାହା ବି ହେଉ ସେ ପ୍ରକାଶନୀ ସଂସ୍ଥାକୁ ଅଶେଷ ଧନ୍ୟବାଦ ତାଙ୍କର ଦୃଢ଼ ଫର୍ମମାଇସରେ ରାତି ଦିନ ଲାଗି ପଡି ପାଣ୍ଡୁଲିପିଟିକୁ ପ୍ରସ୍ତୁତ କରିଦେଲି । ଏମିତି ଗୁଣୁ, ଗୁଣୁ ହୋଇ କହିଲା ଭିତରେ ବୁଲି ପଡି ଦେଖିଲା ସ୍ବାମୀ ଦୀପକ ଠିଆ ହୋଇ ମୁରୁକି ହସା ଦେଉଛନ୍ତି।

ଅଲିଭା ପଚାରିଲା କଣ୍ ହେଲା ହସୁଛ ଯେ ? ନା ମ କିଛି ନାହିଁ, ତୁମକୁ ଦେଖୁଛି ! ମୋତେ ଦେଖୁଛ ! କଣ୍ ମୁଁ କିଛି ନୂଆ ଦିଶୁଛି କି ?

ଦୀପକ ବାବୁ ଆଉ କିଛି ଉତ୍ତର ନ ଦେଇ ପୁଣି ଟିକେ ମୁରୁକି ହସା ଦେଇ ରୁମ୍ ବାହାରକୁ ଚାଲି ଗଲେ । ଅଲିଭା କିଛି ବୁଝି ପାରିଲାନି, ମନେ ମନେ ଭାବିଲା କଣ ପାଇଁ ଏମିତି ହସୁଛନ୍ତି ! ସେ ମୋନାଲିସା ହସର ରହସ୍ୟ ପରି ୟାଙ୍କର ଏ ହସର ରହସ୍ୟ କଣ ?

ଟିକେ ଭାବିବା ପରେ, ଧଡକିନା ବେଡ୍ ରୁମ୍କୁ ଯାଇ ଡ୍ରେସିଂ ଟେବୁଲ୍ ମିରର ଉପରେ ପଡ଼ିଥିବା ପରଦାକୁ ହଟେଇ ଯେତେବଳେ ତା” ସାମ୍ନାରେ ଠିଆ ହୋଇ ନିଜକୁ ଦେଖିଲା,ଚମକି ପଡ଼ିଲା ଆରେ ଏ କିଏ ?

ଆଗ ଓ ପଛକୁ ବୁଲି ବୁଲି ଦେଖିଲା, ଆରେ କେହି ତ ମୋ ପଛରେ ନାହିଁ । ମିରରରେ କାହା ଛବି ଦିଶୁଛି, ଅଲିଭା ନିଜେ ନିଜକୁ ଚିହ୍ନି ପାରିଲାନି । ତା”ଆଖି ସତେ ଯେମିତି କି ଧୋକା ଖାଇଗଲା । ମିରର କ’ଣ କେବେ ଧୋକା ଦେଇ ପାରେ?

ମିରର ତ ମଣିଷର ଅଦେଖା ବାସ୍ତବ ଛବିକୁ ନିଜ ଆଖି ସାମ୍ନାରେ ପ୍ରତିମ୍ବିବିତ କରେ ।

ବିଶ୍ଵାସ କରିପାରିଲା ନି ସେ କେଇଟା ଦିନରେ ଏମିତି ବଦଳି ଯାଇଛି !

ମହାମାରୀ କରୋନା ଭୂତାଣୁ ଆସି ସାରା ବିଶ୍ଵର ମେରୁଦଣ୍ଡକୁ ଦୋହଲାଇ ଦେଇଛି, ସାରା ବିଶ୍ଵ ବର୍ତ୍ତମାନ ଲକଡାଉନ୍ ।ସେଥିପାଇଁ ଘରୁ ବାହାରି ବାର ନାହିଁ, ଅଫିସ ବି ଛୁଟି । କାହା ଘରକୁ ବନ୍ଧୁ ବାନ୍ଧବ ସାହି ପଡିଶା କେଉଁଠିକୁ ତ ଯିବାର ନାହିଁ ସବୁ ବନ୍ଦ୍ । ଏହି ସମୟରେ ହଠାତ୍ ଏକ ବଡ଼ ପ୍ରକାଶନୀ ସଂସ୍ଥା ଫୋନକଲେ ଅଲିଭାକୁ ,କହିଲେ, ମ୍ୟାଡମ୍ ଯଦି ଆପଣଙ୍କର କିଛି ନୂଆ ବହି କରିବାର ଅଛି ତେବେ ଏହି ସମୟ ରେ ଯଥେଷ୍ଟ ସମୟ ଅଛି ପ୍ରସ୍ତୁତ କରି ନିଅନ୍ତୁ,ବହିଟିଏ ଛାପି ଦେବା ।ଅଲିଭା ଖୁବ୍ ଖୁସି ହୋଇ ଗଲା ଓ ଭାବ ବିହ୍ଵଳିତ ହୋଇ ମନ ଧ୍ୟାନରେ ଲାଗି ପଡ଼ିଲା ତା’କାମରେ ।

ନିଜ ପ୍ରତି ଦୃଷ୍ଟି ଦେବାକୁ ଏକଦମ୍ ଭୁଲିଯାଇଛି, ଦର୍ପଣ ସାମ୍ନାରେ ଠିଆ ହୋଇ ନିଜକୁ ସଜେଇବାର୍ ସମୟ ବି ଇୟେ ନୁହେଁ । ଅଫିସ ତ ଯିବାର ନାହିଁ ସଭା ସମିତିରେ ବି ଯୋଗ ଦେବାର ନାହିଁ, ନିଜକୁ ଅଲିଭା ସଜେଇବ ବା କାହିଁ ! କିଏ ଦେଖୁଛି ଯେ ତାକୁ ?

ଏହି ଫୁରସତ୍ ସମୟରେ ତା’ର ଅଧା ଉପନ୍ୟାସକୁ ପୁରା କରିବା ପାଇଁ ରାତି ଦିନ ଏକାକାର କରିଦେଇଛି । ଆଜି ସ୍ବାମୀଙ୍କ ର ନୀରବ ଉପହାସର ହସ ଦେଖି ଏତେଦିନ ପରେ ସମୟ ମିଳିଛି, ନିଜକୁ ଦର୍ପଣ ଆଗରେ ପରଖି ନେବାକୁ । କିନ୍ତୁ କ’ଣ ବା ପରଖିବ ନିଜକୁ, ସେ ତ ଦର୍ପଣ ଆଗରେ ତାର ପ୍ରତିବିମ୍ବକୁ ଚିହ୍ନି ପାରୁନି ନିଜେ ଧୋବ ଫର ଫର ପାଚିଲା ଚୁଟି, ଅସଜଡ଼ା ଆଇବ୍ରୋ, ଓଠର ଶିଥିଲତା, ମୁହଁରେ ପୂର୍ବ ପରି ଆକର୍ଷଣୀୟ ଔଜ୍ଜଲ୍ୟତା କିଛି ବି ନାହିଁ । ଯେମିତି ୬୦ ବର୍ଷର ବୁଢ଼ୀଟିଏ, ତା”ସାମ୍ନାରେ ଠିଆହୋଇଛି ।

ସେ ତା’ ବାସ୍ତବ ଛବିକୁ ଦେଖି ବ୍ୟସ୍ତ ବିବ୍ରତ ହୋଇ ପଡ଼ିଲା । ଡ୍ରେସିଂ ଟେବୁଲ୍ ଡ୍ରୟର ଖୋଲି ପ୍ରଥମେ ଅଣ୍ଡାଳି ପକାଇଲା, ଚୁଟିକୁ କଲର୍ କରିବା ପାଇଁ ତା ଭିତରେ ଅଛି କି କାଲି ମେହେନ୍ଦିନା ମିଳିଲାନି । କରୋନା ପାଇଁ ଏତେ ଜଲଦି ,ଜଲଦି ସବୁ ବନ୍ଦ୍ ବାନ୍ଦ୍ ହୋଇ ଗଲା ଯେ ଏତେ କଥା ଭାବିବାକୁ ସମୟ କାହିଁ ! ଏ ସବୁ ଆଣି ଘରେ ରଖିବାକୁ । ଘରର ଯାହା ଅତ୍ୟାବଶ୍ୟକ ଜିନିଷ ଟିକେ ଦୀପକ ବାବୁ ବଜାରକୁ ଯାଇ ଧରି ଆସିଲେ, ସେବେ ଠାରୁ ତ ପୁରା ସତର୍କ ସୂଚନା ସମସ୍ତଙ୍କୁ ବାହାରକୁ ଯିବା ମନା । ନିଜେ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷା ଦେବାର ଦାୟିତ୍ଵ ସମସ୍ତଙ୍କର ଏହି ଘଡିସନ୍ଧି ମୁହୂର୍ତ୍ତରେ ।ସାମାଜିକ ଦୂରତା ରକ୍ଷା କରି କରୋନାକୁ ପ୍ରତିହତ କରିବାର ବେଳ ।

ଏ ସମୟରେ ଏସବୁ ଚିନ୍ତା ସହ ଉପନ୍ୟାସର ସୌନ୍ଦର୍ଯ୍ୟି କରଣ ଭିତରେ ବୁଡିରହି ପାଠକଙ୍କୁ ତା’ ଉପନ୍ୟାସ ଭିତରେ ବାନ୍ଧି ରଖିବାର ପଯତ୍ନ ପ୍ରୟାସ ରେ ନିଜ ସୌନ୍ଦର୍ଯ୍ୟ କୁ ଧରି ରଖିବାକୁ ପୁରା ପୁରି ଭୁଲି ଯାଇଛି ଅଲିଭା, ମାସକୁ ଥରେ ବିଉଟି
ପାର୍ଲର ଯାଇ ସଜେଇ ହୋଇ, ନିଜ ସୌନ୍ଦର୍ଯ୍ୟ କୁ ନେଇ ଗର୍ବ କରୁଥିବା ଅଲିଭା ଆଜି ନିଜ ସୌନ୍ଦର୍ଯ୍ୟ ପାଖରେ ହାରି ଯାଇଛି, ତା ଅଦୃଶ୍ୟ ବୟସ ଆଜି ଦର୍ପଣ ସାମ୍ନାରେ ତାକୁ ଦୃଶ୍ୟମାନ ହେଉଛି ।

ପୁଣି ଆଗକୁ ପଛକୁ ଚାହୁଁଛି , ଦର୍ପଣରେ ଦୀପକ ବାବୁଙ୍କର ପ୍ରତିଛବିକୁ ଦେଖି ଅଲିଭା ଚମକି ପଡି ପଛକୁ ଫେରି ଚାହୁଁଛି । ଦୀପକ୍ ବାବୁ ଙ୍କର ପୁଣି ସେହି ନିରବ ପରିହାସର ରହସ୍ୟ ଭରା ମୁଦ୍ରୁ ହସର ଶବ୍ଦ ତରଙ୍ଗରୁ ଯେମିତି ଭାସି ଆସୁଛି ।

ସତରେ ଆଜି ଯଦି ଦୁନିଆରେ ପ୍ରସାଧନ ସାମଗ୍ରୀ କିମ୍ବା ହେୟାର କଲର୍ ନ ବାହାରି ଥାନ୍ତା କି ବିଉଟି ପାଲୋର୍, ସେଲୁନ ନ ଥାନ୍ତା ତେବେ ଆଜିକାର ଆଧୁନିକ ଯୁଗରେ ଷାଠିଏ, ପଞ୍ଚସଠି ବର୍ଷର ବୁଢ଼ା ବୁଢ଼ୀ ବି ତିରିଶ, ଚାଳିଶ ବର୍ଷର ଯୁବକ,ଯୁବତୀ ପରି ତାଙ୍କ ଅଦୃଶ୍ୟ ବୟସ ର ପ୍ରତିବିମ୍ବ ଭିତରେ ଲୁଚକାଳି ଖେଳି ନଥାନ୍ତେ। ହଁ ! କି ନା ! ହଁ, ସେଥିରେ ବି ତୁମେ ଆଉ ମୁଁ…..!

ଭୁବନେଶ୍ୱର

Comments are closed.