ଜ୍ଞାନ ରଞ୍ଜନ କର
ମୋହନ ବାବୁ ଜଣେ ବିଚିତ୍ର ବ୍ୟକ୍ତିତ୍ୱ। ଜୀବନରେ ପରୀକ୍ଷଣ ଓ ଅନୁସିଦ୍ଧାନ୍ତରେ ସମୟ କାଟି କାଟି ସେ ଆଜି ଜଣେ ପ୍ରସିଦ୍ଧ ଲେଖକ। ତାଙ୍କ ଲିଖିତ ବହି ଗୁଡିକ ବେଶ ପାଠକୀୟ ସ୍ୱୀକୃତି ଲାଭ କରୁଥିବାରୁ, ତାଙ୍କ ମନରେ ଗର୍ବ ଟିକିଏ ନାହିଁ ।। ହାହା. . କହିଥିଲି ବିଚିତ୍ର ବ୍ୟକ୍ତିତ୍ୱ। ତେବେ ଏଇ ଗର୍ବ ପ୍ରସଙ୍ଗକୁ ନେଇ ତାଙ୍କର ଦିନେ ବିତର୍କ ହେଲା ତାଙ୍କ ବନ୍ଧୁ ତଥା ପ୍ରଶଂସକଙ୍କ ସହ। ସେହି ବ୍ୟକ୍ତିଙ୍କର ପ୍ରଶ୍ନ ଥିଲା “ଆପଣ ଏତେ ଉଚ୍ଚକୋଟୀର ଲେଖକ, ତଥାପି ଆପଣ କୁହନ୍ତି ଆପଣଙ୍କ ମନରେ ଏଥିପାଇଁ ଗର୍ବ ଟିକିଏ ନାହିଁ!! ଏହା ସତ୍ୟ ନା କେବଳ ଲୋକ ଦେଖାଣିଆ। ମନରେ ସିନ୍ଦୁକରେ ଗର୍ବ ଗୁଡା ସାଇତିକି ତାଲା ମାରିନାହାନ୍ତି ତ!!??”
-“ନା, ଭାଇ, ନା.. ମୁଁ ଅବଗତ ମୋ ଲେଖା ଏତେ ବି ମୂଲ୍ୟବାନ ଲୋକଙ୍କ ଦୃଷ୍ଟିରେ ହୋଇନି! ଯେବେ ହୋଇଯିବ ତେବେ ଟିକେ ଗର୍ବ ଆଣିଦେବି”
-“ମୋହନ, ଆପଣ ମିଛ କହୁଛନ୍ତି। ଆପଣଙ୍କ ଲେଖା ପୃଥିବୀରେ କୋହିନୁରଠୁ ବି ଅଧିକ ମୂଲ୍ୟବାନ”
-“ହାହାହା। ଏହା ଆପଣଙ୍କ ଭଲପାଇବା କହୁଛି। ଆପଣ କେବେ ଲେଖକର ଦୁଃଖ ଦେଖିନାହାନ୍ତି। ଦେଖିବେ ଦୁଃଖର ପରୀକ୍ଷଣ ଆଉ ଅନୁସିଦ୍ଧାନ୍ତ?”
-“ନିଶ୍ଚୟ ମୋହନ”
ମୋହନ ବାବୁ ତାଙ୍କ ରଚିତ ଏକ ଗଳ୍ପ ପୁସ୍ତକ ଆଉ ନୂଆ ପାଞ୍ଚ ଟଙ୍କିଆ ମୁଦ୍ରାଟିଏ ନେଇ ଘର ବାହାରକୁ ଆସିଲେ। ଏବଂ ଘର ବାହାରେ ରାସ୍ତା କଡରେ ବହିଟି ଥୋଇଲେ ଏବଂ ତା’ ଉପରେ ପାଞ୍ଚ ଟଙ୍କିଆ ମୁଦ୍ରାଟିଏ ରଖିଲେ। ଏହାପରେ ବନ୍ଧୁଙ୍କ ସହ କିଛି ଦୂରରେ ଠିଆ ହୋଇ ଘଟଣାବଳୀକୁ ପରୀକ୍ଷଣର ରୂପ ଦେବାକୁ ଚେଷ୍ଟା କଲେ। କିଛି ସମୟ ଠିଆ ହବା ପରେ ଦୁହେଁ ଦେଖିଲେ ଜଣେ ସ୍କୁଟି ଚଢାନ୍ତା ଯୁବକ ବହି ଓ ପାଞ୍ଚ ଟଙ୍କାକୁ ହଠାତ ଦେଖି ଅଳ୍ପ ଆଗରେ ଗାଡ଼ିଟି ରଖିଲା। ଗାଡିରୁ ଓହ୍ଲେଇ ଆଗ ପଛ ଦେଖି, ବହିଟିକୁ ସେଇଠି ଛାଡ଼ିଦେଇ ପାଞ୍ଚ ଟଙ୍କିଆ ମୁଦ୍ରାଟି ଉଠାଇ, ପକେଟରେ ପୁରାଇ ଚାଲିଲା।।
ମୋହନ-“ଆପଣଙ୍କ କୋହିନୁର ରାସ୍ତାରେ ରହିଗଲା!!” ହାହାହା.. ଆପଣ ଯାହାର ମୂଲ୍ୟ ନେଇ ଏତେ ଆଶାବାଦି, ତା ପାଇଁ ମୋ ମନରେ ଟିକେ ବି ଗର୍ବ ଏହି କାରଣ ପାଇଁ ନାହିଁ। ଆଜି ଯାଏଁ ମୁଁ ଗୋଟିଏ କଥା ବୁଝିଛି, “ଯେତେବେଳେ ଦେଶରେ ମୁଦ୍ରା ଚୋର ନୁହେଁ, ପୋଥି ଚୋର(ବହି ଚୋର) ଜନ୍ମ ହେବେ, ସେତେବେଳେ ଏ ଦେଶ ବୌଦ୍ଧିକ ପ୍ରଗତିରେ ଅଗ୍ରସର ହେବ।।” ଏମିତି ଚୋରଙ୍କୁ ମୋ ଭଳି ଲେଖକ ଆତୁର ହେଇ ଅପେକ୍ଷା କରିଛନ୍ତି ବନ୍ଧୁ। ଅପେକ୍ଷା କରିଛନ୍ତି।।
କଟକ
Comments are closed.