Latest Odisha News

ଗଳ୍ପ : ମୋ ନାନୀ ସୁପର ଓମ୍ୟାନ

ପ୍ରତିମା ଦାସ  

ମୁଁ ଆଜି ଖୁସି, ଅତ୍ୟଧିକ ଖୁସି । ମୋ ନାନୀ ନୀତା ତା’ ଝିଅ କଣ୍ଢେଇ ସହ ଆସିବ। ନାନୀ ସହିତ କଣ୍ଢେଇ, କଣ୍ଢେଇ ସହ କଣ୍ଢେଇର ଖାଇବା , ଅମୁଲ ଡବା ଆସିବ। ତିନିହେଁ ମୋ ପ୍ରିୟ। ଏପରି କୋମଳମତି ବୟସ କଣ ଆଉ ପାଇବାକୁ ଚାହେଁ ଯେ?  କିଛି ଖେଳକୁଦ, ଛୋଟ ଛୋଟ ଖୁସି ଛଡା?

ମନ ହେଉଛି ଡେଇଁ ଡେଇଁ ନାଚନ୍ତି। ଛାତିରେ ,ଚାରିପରସ୍ତିଆ ଓଢଣୀ ପକାଇବା ଦିନଠୁ ଡେଇଁ ଡେଇଁ ଚାଲିଲେ, ଅଖାଡୁଆ ଲାଗୁଛି।ବୋଉ ବି ମୋତେ  ଘୋଡ଼ାର ସ୍ତ୍ରୀଲିଙ୍ଗ  ଘୋଡ଼ି କହି ଗାଳିଦିଏ, ଡେଇଁ ଡେଇଁ ଚାଲିଲେ । ମୋ ମନ ମରି ଯାଏ। ମୋ ଖୁସି ହେବା କମି କମି ଯାଉଥାଏ, ମୋ ଯୁବତୀ ହେବା ସହ, ବୟସ ବଢ଼ିବା ସହ ମୁଁ  ପଢିବାକୁ, ଖୁସି ରହିବାକୁ ଚାହେଁ କେବଳ। ମୁଁ ତରବରୀ ଭାରି। ଦାଣ୍ଡରେ ସାପୁଆ କେଳା, ମାଙ୍କଡ ନାଚ କି ମାଇକି ବାଜିଲେ ତର ସହେନି ମୋତେ ଦାଣ୍ଡକୁ ଦୌଡିବାକୁ,ଦେଖିବାକୁ। ଓଢଣୀ ଖଟରେ, ଅଲଗୁଣିରେ, ଆଲେଣାରେ ଝୁଲୁଥାଏ ତା’ନିଜ ବାଟରେ। ନୁଆ ନୁଆ ଓଢଣୀ ସମ୍ଭାଳିବା ଏତେ ସହଜ ନୁହେଁ।  ସେହି କୋମଳ ବୟସର ସମସ୍ୟା ସମୟରେ ନାନୀ ପାଖରେ ନାହିଁ, ବାହା ହୋଇ ଯାଇଛି। ନାନୀ ଘରକୁ ଆସିଲେ ତେଣୁ ମୁଁ ଅଧିକ ଖୁସିହୁଏ। ତା’ସହ ଏ ସମସ୍ୟା, ସୁଖଦୁଃଖ ବାଣ୍ଟିପାରେ ବୋଲି।ସତେକି ସେ ମୋ ମା !

ନାନୀ ଏବଂ କଣ୍ଢେଇ ଅମୁଲଡବା ସହ ପହଞ୍ଚି ଗଲେ ଘରେ।

ନାନୀ ପ୍ରଥମଥର ଯେବେ ଆସିଥିଲା , କିଲେ ଅମୁଲ ଡବାଟାକୁ ଖୁବ ଶୀଘ୍ର  ବିକଳିଆ ହୋଇ ଖାଇ ଅଧାକେଜି  କରି ଦେଇଥିଲି।ବୋଉର ସିଆଇଡି ଆଖିରେ ପ୍ରଶ୍ନ ଟବଟବ ହେଉଥିଲା। ଏତେ ଜଲ୍ଦି କଣ୍ଢେଇ ଅମୁଲ  ସରିଲା କିପରି । ମୁଁ ଧରା ପଡିଗଲି ଭାବି ସତ ଓଗାଳିବାକୁ ଯାଉଛି, ନାନୀ ବଞ୍ଚେଇ ଦେଇଥିଲା, ସେ ଥରକ। ବୋଉ କଣ୍ଢେଇ ବଡ଼ ହେଉଛି ମାନେ ତା’ପେଟବି ବଡ଼ ହେଉଛି। ମୁଁ  ଅଧିକ  ଗୋଳି କଣ୍ଢେଇକୁ ଦେଉଛି। ତୁ ଖାଲି କହିବୁ କିପରି ସରିଗଲା। ନାନୀ ସବୁବେଳେ ମୋତେ ବଞ୍ଚେଇ ଦିଏ  ନନାଠୁ, ସାଇପଡିଶା ଠୁ। ଆହୁରି ଅନେକ ସମସ୍ୟାଠୁ ,ଯେଉଁ ଗୁଡିକ ଛୁଆ ହିସାବରେ କରି ଦେଇ ଥାଏ, ମୁଁ। ନାନୀ ମୋତେ ଅତି ଭଲପାଏ ବୋଲି କହିବା ଆବଶ୍ୟକ ନାହିଁ। ମୋ ପାଟିରୁ ବାହାରି ପଡେ ନାନୀଲୋ ତୁ କେତେ  ଭଲଲୋ।

କଣ୍ଢେଇକୁ କାଖରେ ଧରି ସାହିରେ,ଘରେ ବୁଲୁଥାଏ। ବୋଉ ଏଥର ସାବଧାନତା ଅବଲମ୍ବନ କରି, ଗମ୍ଭୀରରେ ଅମୁଲ ରଖିଛି ,ତାଲା ପକାଇ।ମୋ କବଳରୁ ଅମୁଲକୁ ରକ୍ଷା କରିବାକୁ। ଚାବିଟି ଅଣ୍ଟାରେ ମାରୁଛି।

ମୋ ଅମୁଲ ଖାଇବା ଆତୁରିଆ ମନକୁ ମୁଁ  ବୁଝାଉଥାଏ, ଏସବୁ ଦି,ଦିନିଆ। ଟିକେ  ସମ୍ଭାଳି ଯା। ଦି’ଦିନ ପରେ,କେବେ ତାଲା ନ ପଡ଼ୁଥିବା ଆମଘରେ ବୋଉ ନିଜେହିଁ ଭୁଲିଯିବ , ଚାବି କେଉଁଠି ରଖିଚି।
ହେ ହେ।
ତା’ପରେ ଗମ୍ଭୀର ଆପେ ଆପେ  ମେଲା ରହିବ। ତୁ ମନ ଭରି ଅମୁଲ ଖାଇବୁ। ହେଲେ ମନ କହୁଥାଏ କେତେ ଅପେକ୍ଷା କିଲୋ, ଦେଖିନୁ କି ନୁଆ ଅମୁଲ ଡବା। ଅମୁଲ ବାସ୍ନା ଆକ୍ରାନ୍ତ କରୁଥାଏ ମୋତେ। ଉଠା ବସା କରୁଥାଏ।

ନାନୀ ଚାବି ଧରି ଆସିଲା ଗମ୍ଭିରିଘରୁ କଣ ନେବାକୁ। ମିତା ଆସିଲୁ ଗମ୍ଭୀରାକୁ ।ନାନୀ ମୋତେ ଡାକି ଧିରେ ପଚାରିଲା,ଅମୁଲ ଖାଇବୁ?

ମୁଁ  କହିଲି ନାନୀଲୋ, ଦେ ବେଗେ ମୋ ପାଟିରେ। ଆଉ ସମ୍ଭାଳ ପାରୁନି।

ଜାଣିଛୁ ନାନୀ ମୁଁ  ତୋ ଭଳି ବାହା ହେବିନି। ପାଠ ପଢି଼ବି ବହୁତ ଆଉ ଚାକିରିଟିଏ ମଧ୍ୟ କରିବି।  ଚାକିରିର ପ୍ରଥମ ଟଙ୍କାରେ ଅମୁଲ ଦି’କେଜି କିଣି ଏକୁଟିଆ ବସି ଖାଇବି, କାହାକୁ ଦେବିନି। ତା’ପରେ ସେ ଚାକିରି ପଇସାରେ ତୋ ପାଇଁ, କଣ୍ଢେଇ ପାଇଁ ସବୁ ଭଲ ଭଲ ଜିନିଷ କିଣିବି। ନାନୀ ହସିଦେଇ ମୋ ମୁଣ୍ଡ ଆଁଉସି ଦିଏ।

ଏ ସମୟରେ ବୋଉ ଡାକଟେ ମାରିଲା, ମିତା ଲୁଗା ସବୁ ଛାତକୁ ନେଇଯା। ନାନୀ ମୋ ମନ ଜାଣି ଦି କଳ ଫୁଲ କରି ଅମୁଲ ଦେଇଛି। ଏଇନା କେତେବେଳେ ଯାଏଁ ଏ ତୃପ୍ତି ରହିବ।

ଅମୁଲକୁ କାଇଦାରେ ଧିରେ ଧିରେ ଢୋକୁଥାଏ। ସେ ମିଠା  ରସକୁ ଅଳ୍ପ ଅଳ୍ପ ତଣ୍ଟି ତଳକୁ ଛାଡୁଥାଏ। ଯେପରି ସେ ରସାଳିଆ ସ୍ବାଦପଣ ଶେଷ ହୋଇ ନ ଯାଏ ଶୀଘ୍ର ।

ଓଦାଲୁଗା ବାଲ୍ଟି ଧରି,ଛାତ ଉପରକୁ ଉଠିଲି,ଲୁଗାପଟା ଶୁଖାଇ ବାକୁ। ମୁଁ  ଅଳସେଇଟା। ଏ ଘର କାମଗୁଡା ମୋତେ ଖୁସି ଦିଏନି କେବେ।

କେମିତି ସଟକଟରେ କାମ କରିବି ଭାବୁଥାଏ ସବୁବେଳେ। ସଟ୍କଟରେ ଖଇଚାକାମ କରି ନିର୍ଧୁମ ଗାଳି ଶୁଣେ ବୋଉଠୁ। ମୁଁ ଗାଳିଖାଇବା ବେଳେ ନାନୀ ବଞ୍ଚାଇବାକୁ ଯାଇକହେ, ତୁ ବୋଉ ଆମ ମିତାକୁ ଚିହ୍ନି ପାରୁନୁ। ସେ କେତେ ବୁଦ୍ଧିଆ ଜାଣିଛୁ? ଦା ,କଟୁରୀ ଯେଉଁ କାମକୁ କରନ୍ତି,ଆମ ମିତା ନଖରେ ଛିଣ୍ଡାଇ ଦେଇ କରିପାରିବ ପରା । ବୋଉ କହେ, ଏତେ ଆଉ ଭଉଣୀ ପଟିଆ ହ… ନା।

ମୁଁ ଆମ କଣ୍ଢେଇ ଲୁଗାତକ ସାଇଜରେ ଶୁଖାଇଦେବା ପରେ, ବାକି ଲୁଗାଗୁଡା ନ ଝାଡି଼ ଶୁଖାଉଥାଏ,ଏପଟେ ମୁଣ୍ଡ ଉପରେ ଜୈଷ୍ଠ ମାସିଆ ଖରା। ପଛରୁ ମୋ ଭିଣୋଇଙ୍କ ଦୁଇହାତ ମୋ କାଖ ତଳେ ଆସି ଲୁଗା ସାଇଜ କରୁଛି। ମିତା ଦେଖ ଲୁଗା ଝାଡୁ଼ନୁ, ଠାଏ ଠାଏ ଓଦା ରହିବ ଯେ ।ଯେଉଁ ଭାଂଗ ଗୁଡିକ ଖୋଲିନୁ,ସେ ଭାଙ୍ଗ ଶୁଖିବନି। ଏମିତି ଛାଣ୍ଟକରି ଶୁଖା,ସେମିତି କ୍ଲିପ ମାରେ।

ଅସହ୍ୟ, ଅସ୍ବାଭାବିକ, ଅଣ-ନିଃଶ୍ୱାସୀ କିଛି ମୋ ପଛପଟେ ବାଜୁଥାଏ। ମୋ କାନରେ  ଭିଣୋଇଙ୍କ ଗରମ ନିଃଶ୍ୱାସ ସହ ଫିସ ଫିସ କିଛିକଥା।ଛିଃ!!ଏ!! ଘୃଣାରେ ମୁଁ ତାଙ୍କ ହାତତଳ ଦେଇ ବାହାରି ଆସିବି ଭାବୁଥାଏ, ନାନୀ ମିତା ମିତା ଡାକି ଉପରକୁ ଆସିଲା। ନାନୀ ପାଟିରେ ଭିଣୋଇ ଦୂରେଇ ଗଲେ।ରକ୍ଷା ମିଳିଗଲା।

ଦୁଇଦିନଧରି ମୁଁ  କାହାକୁ କିଛି କହିପାରିନି। ଇଛା ହେଉଥିଲା ସେ ଭିଣୋଇଙ୍କୁ ଛାତରୁ ଠେଲି ଦେବାକୁ। କିନ୍ତୁ ସେ ମୋ ନାନୀର ସିନ୍ଦୁର, ମୋ ଜୀବନଠୁ ପ୍ରିୟ ଆମ କଣ୍ଢେଇର ବାପା।କଣ୍ଢେଇ ବାପ ଛେଉଣ୍ଡ ହୋଇଯିବ। ମୋ ନାନୀ ଯେ ମୋ ଜୀବନ, ବିଧବା ହୋଇଯିବ,ଅକାଳରେ। ଏପରି ଲୋକକୁ ନାନୀ ଭଲ ପାଇ ପାରୁଥିବ, ପ୍ରଶ୍ନ ଉଠେ ମୋ ମନରେ।

ନାନୀ କହିଲା ମୁହଁ ଶୁଖାଇଛୁ କାହିଁକି , ଅମୁଲ ଖାଇବୁକି।

ନା, ଏବେ ଖାଇବିନି। ସବୁଠୁ ପ୍ରିୟ ଜିନିଷ ବି ପିତାଲାଗେ, ଅବସାଦ ସମୟରେ।

ମୋତେ କିଛି ଭଲ ଲାଗୁନଥିଲା। ମୁଁ ଡରିଯାଇ ଭିଣୋଇଙ୍କୁ  ଦୂରେଇ ଦୂରେଇ ରହୁଥାଏ। ନାନୀ କିପରି ଜାଣିବ,ସେ ଯାହାକୁ ସ୍ବାମୀ ବୋଲି ଭାବିଛି ସେହି ଲୋକଟି ତା’ଛୋଟ ଭଉଣୀଟିକୁ କେଉଁ ଆଖିରେ ଦେଖୁଛି। ମୋ ଜୀବନର ମଧୁରତା, ଏପରି ଅଶ୍ଳୀଳ ବ୍ୟବହାରର ଚାପରେ  ମିଳେଇ ମିଳେଇ ଯାଉଥାଏ।

କୋମଳମତି ଝିଅଗୁଡିକଙ୍କ ଜୀବନର ମିଠାକୁ ପିତା କରିବାକୁ ଏପରି ନଷ୍ଟ ଚରିତ୍ରଗୁଡିକ ସମ୍ପୂର୍ଣ୍ଣ ରୂପେ ଦାୟୀ।

ନାନୀ ମୋ ଆଖିରୁ କିଛି ପଢୁ଼ଥିଲା ବୋଧେ। ମୋତେ ଟାଣିନେଇ  ଅମୁଲ ଚାମଚ ଖୁଆଇଦେଲା। ମୁଁ  ଅଛି ତୁ ବ୍ୟସ୍ତ  ହୁଅନା । ଏତିକିରେ ମୁଁ କାନ୍ଦିବା ଝିଅ ନହୋଇବି ରାହାଧରି କାନ୍ଦିଲି। ନାନୀ ମୋତେ କୋଳକୁ ଆଉଜାଇ ନେଲା। ହେଲେ ନାନୀକୁ ଟିକେ ବି କିଛି କହିଲିନି।ଯେ ସବୁ ବୁଝୁଥିଲା ,ମୋତେ ଗୋଡ଼ରେ ଗୋଡ଼ରେ ସୁରକ୍ଷା ଦେଉଥିଲା ।ତାକୁ କହିବା ଦରକାର ନଥିଲା,ସେ ବହୁତ କିଛି ଜାଣିପାରୁଥିଲା। ମୋ ନାନୀ ଆଉ ଭିଣୋଇ ଭିତରେ କିଛି ନ ହେଉ। ତାଙ୍କ ସୁନାଘର ଚୂନା ନ ହେଉ। ମୋ ବାପା ମା’ଙ୍କ ଇଜ୍ଜତ ବି ଦାଣ୍ଡରେ ନ ପଡୁ।ଏ ଭାବନା ମୋତେ ବ୍ୟସ୍ତ କରୁଥିଲା।

ନାନୀଯିବାକୁ ଦିନେ ଅଛି। ଭିଣୋଇ ନାନୀକୁ ସାଙ୍ଗରେ ନେଇଏଥର ଯିବେ ବୋଲି ଆମଘରେ ଆଜିଯାଏଁ ଅଛନ୍ତି। ବୋଉ ଗୋଡ଼ ତଳେ ଲାଗୁନି, ଜୋଇଁ ଚର୍ଚ୍ଚା କରୁଛି ଖାଲି। ଘର ବୁଡି ପାଣି ଆଣ୍ଠୁଏ,ସେ ସମସ୍ୟା କିଛି ଜାଣି ପାରୁନି, କେମିତିଆ ମା କେଜାଣି!!!

ନାନୀ ସମସ୍ୟାକୁ ବୁଝୁଛି ନିଶ୍ଚେ। ଯଦିଓ ମୁଁ ସଠିକ ଜାଣିପାରୁନି,କଣ ସେ ଠଉରେଇଛି। ମୁଁ ମୋ ନାନୀର ଖୁସି ପାଇଁ ଭିଣୋଇଙ୍କ ଅଶ୍ଳୀଳ ବ୍ୟବହାର ଢୋକିବାକୁ ପ୍ରସ୍ତୁତ,ହେଉଥିଲି। ମନ ଭିତରୁ ନିଜକୁ ଟାଣ କରୁଥିଲି।

ମୁଁ କଥା ପ୍ରଘଟ କରିଦେଲେ, ମୋ ନାନୀର ବାହାରକୁ ଯାହା ଏକ ହସଖୁସିର ସଂସାର ପରି ମନେ ହେଉଛି ଭିତରେ କଣ ମୁଁ ଅନୁମାନ ଲଗାଇ ପାରୁନଥାଏ ଯଦିଓ, ଛାରଖାର ହୋଇଯିବ ନିଶ୍ଚୟ । ମୋ ନାନୀ ଏବଂ କଣ୍ଢେଇ ଠିକ ରୁହନ୍ତୁ, ଏତିକି ଦରକାର ମୋର।

ଜୀବନର କିଛି ସତ୍ୟ ଉନ୍ମୋଚିତ ନ ହେବା ଠିକ।ତେଣୁ ମୁଁ ନିଜକୁ ଚୁପ ରଖୁଥାଏ।

ମୁଁ  ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରୁଥାଏ ଆଉମାତ୍ର ଦିନକର କଥା। ମୁଁ କିପରି ନିଜକୁ ଏହି ଭିଣୋଇ କବଳରୁ ଆଉ ଦିନଟିଏ ବଞ୍ଚେଇ ନେଲେ ଗଲା ।

ଆମ ଗମ୍ଭୀର ଘର ବହୁତ ଅନ୍ଧାର।ସେ ଘର ଅସରପାରେ ଭର୍ତ୍ତି। ଦିନବେଳେ ଅସରପା ସେ ଘରେ କଣ କରୁଥାନ୍ତି କେଜାଣି, ଯେମିତି ଯିଏ ପଶିବ ଖସଖସ ହୋଇ ଲୁଚିବାକୁ ପଳେଇବେ। ସେ ଘର ଏମିତି ଇଆଡୁ଼ ସିଆଡୁ଼  ଜିନିଷରେ ବୋଝେଇ ହୋଇଥାଏ। ତା’ସହ ଏମିତି  ଅସରପାଙ୍କ  ଦୌରାତ୍ମ୍ଯ। ଭୂତିଆ ଭୂତିଆ ଲାଗେ ଗମ୍ଭୀରାର ପରିବେଶ। ଶହେଦଶ ହାତର ଟ୍ରେନଡବା ପରି ଲମ୍ବା ଘର ଆମର । ବୋଉ ବାଡିପଟେ ରାନ୍ଧୁଛି, ଆମ୍ବୁଲ ସରି ଯାଇଛି। ବୋଉ ମୋତେ ପଠାଇଛି ଯା ଆଣିବୁ ଆମ୍ବୁଲ।

ନାନୀ କଣ୍ଢେଇକୁ ଧରି ଗୋଟି ଗୋଟି ଜିନିଷ ରଖୁଛି।

ବୋଉ ବାଡି଼ପଟେ, ବାପା ସ୍କୁଲରେ। ମୁଁ  ଗମ୍ଭୀର ଘରେ ଆମ୍ବୁଲ ପାଇଁ ଆମ୍ବୁଲ ଆଟିକା ଖୋଜୁଛି। ଲାଇନ କଟିଗଲା। ଅନ୍ଧାର ଗମ୍ଭୀରି ଭିତରେ ହଠାତ୍ ମୋ ପଛରେ ଭିଣୋଇ । ମୁଁ ପାଟି କରିବାକୁ ଯାଉଛି, ମୋ ପାଟିକୁ ଚାପି ଦେଇ ଭିଣୋଇ ତାଙ୍କ କଦର୍ଯ୍ୟ କାମ ଆରମ୍ଭ କରିଲେଣି। ମୋ ହାତରେ ରସ ବାସନଟେ  ପଡିଲା। ସେ ବାସନରେ ଗୋଟେ ପାହର ଦେଇ ଭିଣୋଇଙ୍କୁ ମୁକୁଳିବାକୁ ଚେଷ୍ଟା କରି ଛଟପଟ ହେଉଥାଏ। ଭିଣୋଇଙ୍କର ରସ ବାସନ ମାଡରେ କଣ ହେଲାକି ନାହିଁ ମୁଁ ଜାଣିନି, କିନ୍ତୁ ସେ ବାସନ ଚଟାଣରେ ପଡି ଯେଉଁ ଠଣ୍  ଠଣ୍ ଶବ୍ଦ କଲା, ନାନୀକୁ ବୋଧେ କିଛି ଶୁଭିଲା। ସେ ଦୌଡି଼ ଆସିଲା। ନାନୀ ସେ ଘରେ ଟର୍ଚ କେଉଁଠି ରୁହେ ଜାଣିଥିଲା, ବୋଉସହ ମନ ଦେଇ କାମ କରେ ଯେହେତୁ, ସବୁବେଳେ,ଆମ ଘରେ ଥିଲାବେଳେ। ନାନୀ ଯାହା ଯାହା ବ୍ୟବସ୍ଥିତ କରି ଘର ସଜାଡିଛି,ବୋଉ ସେହି ଗୁଳାରେ ଚାଲିଛି। ନାନୀ ଟର୍ଚ୍ଚଟି ତତକ୍ଷଣାତ୍ ପାଇଗଲା। ଟର୍ଚ୍ଚ ମାରି ମୋତେ ତଳେପଡିଥିବା ଦେଖି ଆଗ କବାଟ ଦେଇଦେଲା,ବୋଉକାଳେ ଆସିଯିବ, ଏହି ଗମ୍ଭୀରାକୁ।

ବାପାମା ଯେପରି ତତ୍ପର ରୁହନ୍ତି ପିଲାମାନଙ୍କୁ ଦୁଃଖକଥାରେ କେବେ ଭାଗୀଦାର ନ କରିବାକୁ, ସୁସନ୍ତାନମାନେ ମଧ୍ୟ ଠିକ୍ ସେପରି ଭାବନ୍ତି।

କାଖରେ ଧରିଥିବା କଣ୍ଢେଇକୁ ,ତଳେ  ଶୁଆଇ ଦେଲା  ନାନୀ ଆଉ କହିଲା ନିଅ ମୋ ସାନ ଭଉଣୀ ଯେ ମୋ ଗେହ୍ଲୁ, ମୋ ଛୁଆଭଳି ଯିଏ, ଯାହାର ଜନ୍ମରେ ମୁଁ ଅଧିକ ଖୁସି ହୋଇଥିଲି, ସ୍କୁଲ ନ ଯାଇ ଘଣ୍ଟା ଘଣ୍ଟା ଯାହାକୁ ଜଗି ବସୁଥିଲି, ମୋତେ ଗୋଟିଏ କଣ୍ଢେଇ ମିଳିଯାଇଥିଲା ବୋଲି ଖୁସି ଥିଲି ତା’ସହିତ ଯାହା କରିବାକୁ ଯାଉଛ, ତୁମ ନିଜ ଝିଅ କଣ୍ଢେଇ ସହ ମଧ୍ୟ ସେୟା କର।

ଆଗାଅ। ଆ…ସ।ନାନୀ ସ୍ବର ଖୁବ କଡ଼ା ଲାଗୁଥାଏ।

ଆବାକ୍ ହୋଇ ଭିଣୋଇ ଛିଡା ହୋଇଗଲେ। କଣ ଭାବି ମୋ ଗୋଡ଼, ନାନୀ ଗୋଡ଼ ଧରି ପକାଇଲେ। କଣ୍ଢେଇକୁ ତଳୁ ଉଠାଇ କାଖକରି କହିଲେ,ଏ ପୈଶାଚିକ ଭୁଲପାଇଁ କ୍ଷମା କରିଦିଅ। ଆଉ କେବେ ହେବନି। ନାନୀ ମୁଁ ଧରାଧରି ହୋଇ କାନ୍ଦୁଥିଲୁ।
ନାନୀ  ଆଜି ବି…. ଠିକ ସମୟରେ ମୋତେ  ଭିଣୋଇର ପୈଶାଚିକ କାମନାକୁ ଦୂରେଇ ଦେଲା।

ନାନୀ, ମୁଁ ସିନା  ଦା, କଟୁରୀ ବିନା ନଖରେ  ଛିଣ୍ଡାଇ କାମ କରି ପକାଏ କହୁ ,  ତୁ’ତ ନଖ ନମାରି ବି କାମ କରିଦେଲୁ ଲୋ।

Comments are closed.