Latest Odisha News

ଗଳ୍ପ : କାର୍ତ୍ତିକ ହବିଷ

ରବି ପଣ୍ଡା 

ବଡ଼ ଓଷାରେ ବଡଦେଉଳକୁ ଆସି ବଡଠାକୁରଙ୍କୁ ଦର୍ଶନ ବେଳେ ଦଳାଚକଟାରେ କେତେକ ବ୍ରୁଦ୍ଧା ହବିଷ୍ୟାଳୀଙ୍କ ମୃତ୍ୟୁ ଖବର ଶୁଣି ଉଚ୍ଛନ୍ନ ହେଇଗଲା ଅକ୍ରୁର। ଘରକୁ ଦୌଡି ଯାଇ ଟିଭିରୁ ସମ୍ବାଦ ଶୁଣିବାକୁ ଖୋଲି ଦେଇଚି ତ ପତ୍ନୀ ହାଉଆ ପାଟିଟେ କଲେ, କ’ଣ ହେଲା? ଇମିତି ନଙ୍ଗଳା ମୁକୁଳା ହେଇ ଟିଭି ଖୋଲୁଚ କିଆଁ?

ପୁରୀ ମନ୍ଦିରରେ ଦଳାଚକଟାରେ କେଇଜଣ ମରି ଯାଇଚନ୍ତି ଆଜି … ଅକ୍ରୁର ଖୁବ୍ କଣ୍ଠାଗ୍ରତ ହେଇ କହିଲା।

ଓହୋ … ମା’ ସରାଗ ବୋହି ପଡିଲା ପରା!! ପଚସ୍ତରୀ, ଅଶୀ ବର୍ଷ ହେଲାଣି ବୁଢୀର, ଫି ବର୍ଷ ପୁରୀରେ ରହି ହବିଷ ପାଳିବାକୁ ମନ! ବର୍ଷକୁ ମଠ ଖର୍ଚ୍ଚ ଦି’ହଜାର ଥୁଆ। ଆଉ ସତରେ ଜଦି ଦଳାଚକଟାରେ ବୁଢୀ ଆଜି ଚାଲି ଯାଇଥିବା, ତା’ତ ତା’ଭାଗ୍ୟର କଥା। ଖୋଦ୍ ଜଗନ୍ନାଥଙ୍କ ଆଗରେ, ଭକ୍ତାଳୁ ଜନତା ଜନାର୍ଦ୍ଦନଙ୍କ ପାଦତଳେ ପ୍ରାଣ ଗଲେତ ନିଶ୍ଚେ ସ୍ୱର୍ଗ ନିବାସ, ତମେ ଏତେ ଛାନିଆଁ ହଉଚ କାହିଁକି?

ଆକ୍ତାମାକ୍ତା ପୁଅ ଗୋଟେ ଘ୍ରୁଣା ପୂର୍ଣ୍ଣ ଦୃଷ୍ଟି ସ୍ତ୍ରୀ ଆଡକୁ ଛାଟିଦେଇ ଟିଭି କି ହାଁ କରି ଚାହିଁଲା। ଦୁର୍ଘଟଣା, ମୃତ୍ୟୁ , ଆଦି ଜଘନ୍ଯ ଘଟଣାକୁ ସମାଚାରର ପ୍ରଥମ ପାଠରୁ ଆରମ୍ଭ କରୁଥିବା “ଇସ୍ ଟିଭି” ମୃତାହତଙ୍କ ବିକଳାଙ୍ଗ ଚିତ୍ର ଦେଖଉଥିଲା।ସେଯାଏ ବି ସେମାନଙ୍କର ପରିଚୟ ମିଳିସାରି ନଥାଏ।

ଅକ୍ରୁର ହାଁ ହାଁ ହେଲା। ୟେ’ ମୋ’ ବୋଉ … ୟେ’ମୋ’ ବୋଉ .. ବୋଲି ଚିତ୍କାର କରି କାନ୍ଦିବାକୁ ଲାଗିଲା।

ରୁହବା’ .. ନଈ ନ ଦେଖୁଣୁ ନଙ୍ଗଳା କାହିଁକି ହଉଚ .?. ସେ ଯୋଉ ବୁଢୀ .. ଇମିତି ମରିବ!! ପତ୍ନୀ ତୋଡ ଦେଖେଇଲା।

ପୁଣି “ଇସ୍ ଟିଭି” ସୂଚନା ଦେଲା, ପାଞ୍ଚଜଣ ଅତ୍ଯନ୍ତ ବୃଦ୍ଧା ହବିଷ୍ୟାଳୀ ମ୍ରୁତ୍ୟୁ ବରଣ କରିଛନ୍ତି। ଚାରିଜଣଙ୍କୁ ଚିହ୍ନଟ କରାଯାଇଛି, ଆଉ ଜଣକର କିଛି ଠିକଣା ମିଳୁନାହିଁ। ତା’ପରେ ସେଇ ମୃତ ବୃଦ୍ଧା ର ଏକ୍ସପୋଜର ଦେଖେଇ ଦିଆଗଲା।

ମୁଣ୍ଡ ସମେତ ମୁହଁ ଉପରେ ବହୁ ଲୋକ ଚଢି ଯାଇଥିବାରୁ ମୁହଁଟା ସଠିକ୍ ଆକ୍ରୁତି ହରେଇ ଦେଇଥିଲା। ତଥାପି, ଅକ୍ରୁର ଯେତେହେଲେ ପୁଅ .., ସେ ଚିହ୍ନି ପାରନ୍ତା ନାଇଁ!!

ସେ ମୋ’ ବୋଉଲୋ କହି ଭୋ’କିନା କାନ୍ଦିବା ଆରମ୍ଭ କରିଛି କି ନାଇଁ ଟିଭି ପୁଣି କହିଲା, ମୁଖ୍ୟମନ୍ତ୍ରୀ ଏ ଦୁଃଖଦ ଘଟଣାରେ ଗଭୀର ମର୍ମାହତ ହେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଦୁଇଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ଆହୁରି ଏକ ଲକ୍ଷ ଦିଆଯିବ ବୋଲି ଗଜପତି ମଧ୍ଯ ସୂଚନା ଦେଇଛନ୍ତି।

ଅକ୍ରୁରର କାନ୍ଦ ହଟାତ୍ ଠପ୍ ହେଇଗଲା ଓ ତା ପାଟି ମେଲା ହେଇ ରହିଲା ଢେର୍ ସମୟ। ସ୍ତ୍ରୀ ତାଳିଟେ ମାରିଦେଇ କହିଲା, ମାଆ ସ୍ୱର୍ଗପ୍ରାପ୍ତି କଲେ ନାହିଁ ଯେ .. ତିନିଲକ୍ଷ ଟଙ୍କା ମଧ୍ଯ ପ୍ରାପ୍ତି କରାଇଦେଲେ … ଆହା କି ପୁଣ୍ଯମୟୀ ! ତମେ ଯାଅ …. ଚଞ୍ଚଳ ପୁରୀ ପଳେଇଲ … !

ଅକ୍ରୁର ଠାଏ କରି ଚଟକଣାଟାଏ କସିଦେଲା ସ୍ତ୍ରୀ ଗାଲରେ … । କହିଲା, ତୁ ‘ କହିଲୁପରା ଯା’ ବୁଢୀ କି କୋଉ ମଠ କି ମନ୍ଦିର ବେଢାରେ ଛାଡିଦେଇ ଆସିବ …. ତାକୁ ତ ଭଲ ଶୁଭୁନାଇଁ କି ଦେଖାଯାଉ ନାଇଁ କି କଥା ବହାରୁ ନାଇଁ ପାଟିରୁ .. ତଥାପି ତାର ହବିଷ ପାଳିବାକୁ ମନ ହକହକ .. । ସେ ସେଇଠି ଥିବ। ସେ ମାଟିରେ ବଞ୍ଚିଲେ ପୁଣ୍ଯ.. ମଲେବି ପୁଣ୍ଯ … ଏବେ ମୁଁ କୋଉ ପ୍ରମାଣ ଦେବି ଯେ ସେ ମୋ ମା’ ବୋଲି .. ଆଁ? ଶଳା … ତୋ’ରି ବୁଦ୍ଧି ରେ ଏବେ ତିନିଲକ୍ଷ ଟଙ୍କା ବାଁଏ ବାଁଏ ଉଡି ଯିବାକୁ ବସିଚି ….

ପତ୍ନୀ ଚାପୁଡ଼ାଟା ଖାଇ ଗାଲ ଆଉଁସୁ ଆଉଁସୁ ଘାଇଲା ବାଘୁଣୀ ପରି ମାଡି ଆସିଲା, ପୁଅ ହେଇଚ … ମା’କୁ ଚିହ୍ନି ପାରିବ ନାଇଁ ! ଧନ୍ଯ ରେ ପୁଅ … ମାଆକୁ ସେଠି ମେହେନ୍ତର ଘୋଷାଡିବ … ତମେ ପୁଅ ହେଇ ମା’ଟାକୁ ସ୍ୱର୍ଗଦ୍ୱାରରେ ସଂସ୍କାର କରିପାରିବ ନାହିଁ? ତମେ ଗଲ … !

ଅକ୍ରୁର ସେଠାରେ ପହଞ୍ଚି ଯେକୌଣସି ମତେ ମାଆକୁ ନିଜର ବୋଲି ପ୍ରମାଣିତ କରାଇ ପାରିଲେ ତିନିଲକ୍ଷ ଟଙ୍କା ହାତ ଚଢି ଯିବାର ନିଶ୍ଚିତ ସମ୍ଭାବନା ଥିଲା। ତେଣୁ ସେ ଟିକେ ଭାବିଲା ଓ କହିଲା, କ’ଣ ହେଲା? ମୋ ମା’ ଚିହ୍ନଟ ହେଇପାରିବ ନାହିଁ?? ଅଲବତ ହବ ….

ତା’ପରେ ଅକ୍ରୁର ଧାଁ ଧାଁ ପୁରୀ ବାହାରି ଗଲା।

ପୁରୀରେ ବୁଢୀ ର ଶବ ପଡିଥାଏ ଥାନା ବାରଣ୍ଡାରେ। ବହୁ ଦାବିଦାର ମଧ୍ଯ ପହଞ୍ଚି ହୋ ହଲ୍କା କରୁଥାନ୍ତି ସେଠାରେ। ଅକ୍ରୁର ତା’ର ଦାବୀ ଉଠେଇଲା।

ଥାନାବାବୁ ପଚାରିଲେ:ତମେ?

:ଅକ୍ରୁର ପାଗଳ
:ପାଗଳ!! ତମେ ପାଗଳ?
:ନା, ପାଗଳ ମୋ ସାଙ୍ଗିଆ..
:ୟେ’ କିଏ?
:ମୋ’ମାଆ …
:ପ୍ରମାଣ କ’ଣ?
:ମା’ ପାଇଁ ପୁଅ ପୁଣି କି ପ୍ରମାଣ ଦେବ? ଆଁ?

ଆଧାର କାର୍ଡ ଦେଖାଅ … ତମର ଆଉ ତମ ମାଆର, ତା’କୁ କୋଉ ମଠରେ ଛାଡି ଥିଲ, କେବେ ଛାଡି ଥିଲ, କେତେ ଟଙ୍କା ମଠରେ ଡିପୋଜିଟ କରିଥିଲ, ତାର ରସିଦ ଦେଖାଅ … ତା’ପରେ ବିଚାର କରାଯିବ…. !

ଅକ୍ରୁର ପାଟି ଅଠା ଅଠା ହେଇଗଲା। କି’ପ୍ରମାଣ ଦବ ସେ!! ଶବକୁ କୁଣ୍ଢେଇ ଖାଲି ଭୋ ଭୋ କାନ୍ଦିଲା ।

ପୁଲିସ ରୋଳରେ ତାକୁ ଢିଅଟିଏ ମାରି କହିଲା, ୟେ:.. ବିନା ପ୍ରମାଣରେ ସେ ଶବକୁ କ’ଣ ଛୁଉଁଚୁ? ଆଁ? ଏଠିତ ତା’ର ଅନେକ ଦାବିଦାର, ୟେ’ ସମସ୍ତିଙ୍କି କ’ଣ ବୁଢୀ ବେଇ ଥିଲା? ହଟ୍ … ହଟ୍ .. ଏଠୁ ..

ଅକ୍ରୁର କହିଲା, ନାଁ … ଇଏ ମୋ ମାଆ … ମୋ ବୋଉ… ତାକୁ ମୁଁ ଜମା ଛାଡିବି ନାଇଁ..

ଅତିରିକ୍ତ ଦାବିଦାରଙ୍କ କୋଳାହଳ ରେ ଅତିଷ୍ଠ ଅସ୍ତବ୍ୟସ୍ତ ପୁଲିସ ବାବୁ ଫାଁଏ କରିଉଠି ହୁକୁମ ଦେଲେ, ଆବେ … କିଏ ଅଛବେ ….ଏ ଶଳାଟାକୁ ନେଇ ଭିତରେ ପୁରେଇଲ … ଶଳା .. ତିନିଲକ୍ଷ ତାଙ୍କ ହଡପ କରିବାକୁ ନାଟକ କରୁଚି … ମୋ ‘ପାଖରେ ଫର୍ଜରି?? ହୁଁ:….

ନିଷ୍କରୁଣ କନେଷ୍ଟବଳ ଦି’ଟା ଅକ୍ରୁର ର ସମସ୍ତ କାକୁତିମିନତିକୁ ଫୁ କରିଦେଇ ତାକୁ ଜେଲ୍ ଭିତରକୁ ଘୋଷାରି ନେଉଥିଲେ … ଆଉ ଅସହାୟ ଅକ୍ରୁର ଭାବୁଥିଲା ,ହାୟ …. ୟେ ‘ସ୍ତ୍ରୀ ଲୋକଙ୍କ କଥାରେ ପରା … !

କିନ୍ତୁ ତା’ର ଏ ତଳିତଳାନ୍ତ ସ୍ଥିତି ଓ ଭାବନାକୁ ହଠାତ ଗୋଟେ ଥଙ୍ଗ ଥଙ୍ଗ ସ୍ୱର ଭାଙ୍ଗି ପକାଉଥିଲା ପଛରୁ ….ତାକୁ ଛାଡି ଦିଅ ବାବୁ … ମୁଁ ‘ତା’ ମାଆ !!

Comments are closed.