Latest Odisha News

ଗଳ୍ପ : ମଲାଜହ୍ନର ମହୋତ୍ସବ

ସାଧନା ପଣ୍ଡା

ରାତିର ତୋଫା ଜହ୍ନକୁ ଚାହିଁ ତା ଭିତରେ ଖୋଜୁଥିଲା ଆଶୋକ, ତା ମନର ମଣିଷକୁ ! ଆଖିରୁ ଥପ ଥପ ବହି ଯାଉଥିଲା ଶ୍ରାବଣର ଧାରା। କାନ୍ଧରେ କାହାର ସ୍ପର୍ଶ ଅନୁଭବ କରି ସେ ପଛକୁ ଚାହିଁଲା। ଘର ଭିତରେ ଅନ୍ଧାର,,,, ସବୁ ଅସଜଡା ଭଳି ଲାଗିଲା ଅଶୋକକୁ । ଟିକିଏ ଅନ୍ୟ ମନସ୍କ ହୋଇଗଲା ସେ । ଚାରିଆଡେ ଚାହିଁଲା ; ଲୁହ ଛଳ ଛଳ ଆଖିରେ, କୋଠରୀ ଭିତରେ ଉପସ୍ଥିତ ଥିବା ସମସ୍ତ ପରିଜନଙ୍କୁ । ଠିକ୍ ଭାବରେ ଚିହ୍ନି ପାରୁନଥିଲେ ବି, ସେ ଚାହୁଁ ଥିଲା । କେହି ଜଣେ ତା’ ହାତ ଧରି ତାକୁ କହିଲା …..ଆଉ ଚିନ୍ତା କରି ଲାଭ କ’ଣ….? ଯାହା ଘଟିବାର କଥା ତାହା ଘଟି ଗଲାଣି….ରଥ ଯାତ୍ରା ଏବେ ଆସୁ କି ନ ଆସୁ; ସେଥିରେ କଛି ଯାଏ ଆସେ ନାହିଁ ।

ଅଶୋକ ଦେହରେ ଏକ ଅଭୂତପୂର୍ବ ଶିହରଣ ଖେଳି ଗଲା । ସେ ଟେଲିଫୋନ ପାଖକୁ ଗଲା ଭାବିଲା । ଏ ଦୁଖଦ ଖବରଟା ତା ସାଙ୍ଗମାନଙ୍କୁ ପ୍ରଥମେ ଜଣାଇବା ଉଚିତ୍ ଭାବି ସେ କିନ୍ତୁ ମନେ ମନେ ବହୁତ ଖୋଜୁ ଥିଲା ଦୀପାକୁ ।

କାହିଁକି କେଜାଣି ସେ ଦୀପାକୁ କିଛି ନଜଣାଇ ,ଏପରି ଅବସ୍ଥାରେ ଛାଡି ବିଦେଶ ଚାଲିଗଲା ! (ତାକୁ ସର୍ପରାଇଢ୍ ଦେବ ଭାବି ମସ୍ତ ବଡ ଭୁଲଟି କଲା) ସେଇ ଅନୁତାପ ଦାବାନଳରେ ନିଜକୁ ଅନେକ୍ ଧିକ୍କାରିଲା….ଭୁଲ୍ ତ କରିଛି; ଦୋଷ ଦେବ ବା କାହାକୁ ? ମାତ୍ର ତା ବିରହ ଦୀପା ଆଦୌ ସହି ପାରିଲାନି । ଆଉ ଶେଷରେ !

ନା … ନା.. କଦାପି କରି ନପାରେ….. ଦୀପା……..

ପ୍ରକୃତିସ୍ଥ ହୋଇ ଟେଲି ଫୋନ୍ ଡାଏରୀ ଖୋଜିଲା । କୁଆଡେ ଗଲା ? ଅନେକ୍ ଖେଳା ଖେଳି କରି ସେଇଟି ଦୀପାର ଗଦିତଳୁ ପାଇଲା । ତା ସହ ମିଳିଲା ଅନେକ୍ ଚିଠି । ନାଁ ଲେଖା ହୋଇଛି ଅଶୋକ୍ ବୋଲି , ମାତ୍ର ଡାକରେ ପକା ଯାଇନାହିଁ ।

ମଝିରେ ମଝିରେ ଦୀପା ତା ପାଖକୁ ଏପରି ଚିଠି ଆଗରୁ ଦିଏ ପାଖରେ ଥିଲା । କିନ୍ତୁ ସେ ଏତେ ଲକ୍ଷ୍ୟ କରେନି ଦୀପାର ଭାବ ପ୍ରବଣତାକୁ. । ଶେଷରେ. ନା, ନା… ଏତେବଡ ପଦକ୍ଷେପ ଦୀପା ନେଇପାରେ ବୋଲି ବିଶ୍ଵାସ କରି ପାରିଲାନି ଅଶୋକ ।

ପାପୁଲିରେ ଲୁହ ପୋଛି ସେ ଭଲ କରି ଚାହିଁଲା ଅଙ୍କା ବଙ୍କା ଅକ୍ଷର ଗୁଡିକୁ । କ’ଣ ଲେଖା ଅଛି ସେଥିରେ ! ପଢିଲା, ତାକୁ ଝାପ୍ସା ଝାପ୍ସା ଦେଖା ଯାଉଥାଏ । ଆକାଶ, ମେଘ , ଝରଣା, ସାଗର, ଶୋରିଷ ଖେତ ,ସୂର୍ଯ୍ୟମୁଖୀ, ଆମ୍ବ ବଉଳ, ନଈସୁଅ, ଚଢେଇ, ଜହ୍ନ ରାତି, କିଆଫୁଲ… ଇତ୍ୟାଦି ଇତ୍ୟାଦି। ଏଇଟା ଦୀପାର ଶେଷ ଚିଠି ଥିଲା ତା’ ପାଇଁ … !

ଲେଖାଥିଲା……

” ତୁମେ ମତେ ବୁଝିଲା ବେଳକୁ ହୁଏତ ……….. ସବୁ ଅବୁଝା ହୋଇ ସାରିଥିବ, ଅଶୋକ ….. ! ପ୍ରେମାତୁର ଅଭିସାର
ଶୀତଳ ହୋଇ ସାରିଥିବ, କହତ ! ଏମିତି କେଉଁ ବେଳ ଅଛି ଯାହା ପାଇଁ ଉଦାସ୍ ଆଖିରେ ସ୍ୱପ୍ନ ନଥିବ ;ତତଲା ଚଇତାଳି ବହୁ ନଥିବ ? ପୁଣି ,ବୟସ ଫଗୁଣରେ ବସନ୍ତ ବାଆ ! ତୁମ ସାଥେ ସାଥୀ ହୋଇଏ ଖରାବେଳ ଟା ସାରା , ତତଲା ରାସ୍ତାରେ ପ୍ରତୀକ୍ଷିତ ପ୍ରେମିକାର ପ୍ରତ୍ୟାକ୍ଷାନ ପରି ଫୁଟୁଥିବ ଛାତିର ଉଷ୍ମତା , ବିରହ ଜ୍ୱାଳା ଜୀବନର ମଧ୍ୟାହ୍ନ ଅମ୍ଳାନ ଅକ୍ଷର ପରି, ମନ ଆକାଶରୁ ଝରୁଥିବ ଅଗ୍ନିର ସ୍ଫୁଲିଙ୍ଗ ।ଉତ୍ତପ୍ତ ଲହୁରୁ ଖୋଜୁଥିବ ଶବ୍ଦ, ଆକାଶର ନୁଖୁରା ବଉଦ ଉହାଡୁ ,ଶୁଭି ଯିବ କୁଆଁ କୁଆଁ ରାବ,ଦେଖୁଥିବ ଉଦାସ୍ଆ ଖିରେ ସ୍ୱପ୍ନ ।ଚାଲୁଥିବ ସାରା ରାତି ଶୂନ୍ୟ-ପଦ ନେଇ ମନ୍ତ୍ର ହୀନ କ୍ରିୟା ପଦ ଭଳି , ଛୁଇଁ ବି ଛୁଇଁ ପାରୁନଥିବ ଲୋଡୁ ଥିବ ମତେ….. ଉତ୍ତପ୍ତ ଲହୁରେ , ଜୀବନ ମରୁରେ ଦିଗନ୍ତ-ବିଲୁପ୍ତ ବହ୍ନିରୁ ଦେଖୁଥିବ ,
ମଲା ଜହ୍ନର ମହୋତ୍ସବ !! ”

×××× ××××× ××××

ଚିଠିରୁ ଆଖି ଉଠାଇ ଅଶୋକ୍
ନଜର ପକାଇଲା ଦୀପା ଉପରେ । ଯାହା ଦେଖିଲା ସେ ନିଜକୁ ବିଶ୍ବାସ କରି ପାରିଲା ନାହିଁ । ତା ପାଦତଳୁ ମାଟି ଖସି ଖସି ଯାଉ ଥାଏ । ଚାହିଁଲା ଦୀପାର ମୁହଁକୁ । ସତେଜ , ସ୍ମିତ ହାସ ଏବେବି ମୁହଁରେ ଲାଖି ରହିଛି । ମଳିନ ହସର ରେଖାଟିଏ ଉଙ୍କି ମାରୁଥିଲା । ସେଇ ହସର ରେଖାଟିଏ ଏଯାଏ ବି ଓଠ ରେ ଅଛି । ଅଥଚ ସେ କିଛି କହୁନାହିଁ…ସେମିତି ଶୋଇ ରହିଛି ।
ଗୋଟିଏ ଶୋକାକୁଳ ପରିବେଶ ଆଛନ୍ନ କରିରଖିଛି ଘର ଭିତରେ । ଏମିତି କ’ଣ ଠକି ଦେଇ ଦୀପା ଚାଲିଯିବ,,,,! ଏମିତି କଣ୍ କିଏ ଯାଏ ?

ଯେଉଁଠିକୁ ଯାଇଛି ଫେରିଆସିବା ତ ସହଜ ନୁହେଁ । ସମ୍ଭାବନାର ସବୁ ବାଟ ବନ୍ଦ ।ବାସ୍ତବିକ୍ ଅଶୋକ୍ ବିସ୍ମିତ ହେଲା । ଦୀପା ଚାଲିଗଲା ପରେ ସୂର୍ଯ୍ୟ ଅସ୍ତ ହୋଇ ନାହିଁ, ଚିରଦିନ ପାଇଁ ନୂଆ ରୂପରେ ,ନୂଆ ଛିଟାରେ,ଅଫୁରନ୍ତ ଶକ୍ତି ସଞ୍ଚୟ କରି ଧିରେ ଧିରେ ଦିଗ୍ବଳୟ ଉପରକୁ ପୁଣି ଉଇଁ ଆସୁଛି ; ପୂର୍ବାଶା ର ଗୀତ ଗାଇ ଗାଇ କେହି ଜଣେ । ସେ ହିଁ ତ’ ସୂର୍ଯ୍ୟ..! ସିନ୍ଦୂରିତ ପୂର୍ବାଶାର ପୂର୍ବ ରାଗ ନେଇ ପୂର୍ବ ଦିଗରେ ସିନ୍ଦୁରିତ ବର୍ଣ୍ଣରେ ଲାଲ୍ ଦିଶୁଛି ପରେ ଗେରୁଆ, ତା’ପରେ ଚିର ସବୁଜ …. !

ସ୍ତବ୍ଧତା କଟିଯିବାର ଅପେକ୍ଷାରେ ଛଳ ଛଳ ଆଖି ଦେଖୁଥିଲା ସ୍ୱପ୍ନର ସ୍ମୃତି ସ୍ତମ୍ଭ ….. ସତେ କି’ ନବୀନ ଆଶା ସଞ୍ଚାର କରି କେହି ଜଣେ ପ୍ରତିଶ୍ରୁତି ଦେଇ ପ୍ରତୀକ୍ଷା କରିଛି ଦୂର ଦିଗ୍‌ବଳୟରେ ନୂତନ ସକାଳର ସୂର୍ଯ୍ୟୋଦୟ ପାଇଁ !

ଭୁବନେଶ୍ବର

Comments are closed.