Latest Odisha News

ଗଳ୍ପ : ଅତୁଟ ବିଶ୍ୱାସ

ଶିବାଶିଷ ପାଢ଼ୀ 

“ସାନ ଆସୁଛି ”
ଫୋନକୁ ମୁଣ୍ଡ ପାଖରେ ରଖି ଦେଇ କହିଲେ ବିଜୟ ।
ଚା ନେଇ ଆସିଥିଲେ ଲଳିତା । ଶୁଣୁ ଶୁଣୁ ଖୁସି ହୋଇ କହିଲେ କହିଲେ “ଯା ହେଉ ” !

ହେଲେ ସେ ଜାଣି ନ ଥିଲେ ତାଙ୍କର” ଯା ହେଉ” କହିବା ଏମିତି ଉତକ୍ଷିପ୍ତ କରିଦେବ ବିଜୟଙ୍କୁ । ସାଙ୍ଗେ ସାଙ୍ଗେ ବିଛଣାରୁ ଉଠି ଠିଆ ହୋଇ ପଡିଲେ ସେ ।କହିଲେ ହଁ ତୁମ ଗେଲ୍ହା ଦିଅର ନା ତୁମକୁ ତ ଭଲ ଲାଗିବ ନିଶ୍ଚୟ ହେଲେ ସେ ତୁମକୁ କି ମୋତେ ଭେଟିବାକୁ ଆସୁନି !
ବଦମାସ ଟା ନା ! ତା ପ୍ରକୃତି ଯିବ କୁଆଡେ ? ମାକୁ ନେବାପାଇଁ ଆସୁଛି !”

ଓହଃ କାହିଁକି କଣ ଏତେଦିନ ପରେ ମା ମନେ ପଡିଲେ? କ’ଣ ହେଲା କି ? ପଚାରିଥିଲେ ଲଳିତା । ଏବେ କିନ୍ତୁ ଲଳିତାଙ୍କ ଚେହେରାରୁ ଉଭାନ ହୋଇ ସାରିଥିଲା ଅର୍ଦ୍ଧାଧିକ ଖୁସି ।

କାମ ଏମିତି ପଡିଛି ବୋଲି ତ ଆସୁଛି ନ ହେଲେ କୁଆଡେ ଆସନ୍ତା ସେ କୁଳାଙ୍ଗାର । ସରିତା ଆଉ ଛୁଆ ମାନଙ୍କୁ କରୋନା ହୋଇଛି । ଏକା ଦହଗଞ୍ଜ ହେଉଛି ତ ମା ଗଲେ ରୋଷେଇବାସ ସମ୍ଭାଳିବ । ବିରକ୍ତ ହୋଇ ବିଜୟ କହିଥିଲେ ।

କାହିଁକି ତାଙ୍କ ଶାଶୁ କୁଆଡେ ଗଲେ କି ଆଉ ତାଙ୍କର ସେ ପ୍ରିୟ ଶାଳୀମାନେ । ସବୁବେଳେ ତ ଘରକୁ ଆବୋରି ବସିଥାନ୍ତି ଏବେ ଆସୁ ନାହାନ୍ତି ? ଏବେ ପ୍ରାୟତଃ ବିରକ୍ତ ହୋଇ କହିଥିଲେ ଲଳିତା ।

“କରୋନା ମାଡି ବସିବ ନା? କେମିତି ଆସିବେ ? ଦେଖ, ମୋ ସହ ତ ବିଶେଷ କଥା ହେବନାହିଁ ସେ ତୁମ ସହ ହେବ । ସଫା ସଫା ମନା କରିଦେବ ତୁମେ ।ହଁ ଆଉ ମାକୁ ବି କହିଦିଅ ସେ ବି ମନା କରିବ । ହଁ ସେ ତ ଏମିତିରେ ବି ଯିବ ନାହିଁ ! ବୟସ ହେଲାଣି ନା ।ଏବେ ତ ତାକୁ ହିଁ ବେଶୀ ଡର !

ଠିକ କହୁଛ ; କହି ଚାଲିଗଲେ ଲଳିତା ।ମୁଁ ମନେ ମନେ କହିଥିଲି “ସେ ଆଜି ଆସୁ !ମୁଁ ଦେଖୁଛି ” କହି ବାଥରୁମକୁ ଚାଲିଗଲେ ବିଜୟ ।

ଲଳିତା ସିଧା ଯାଇଥିଲେ ମାଙ୍କ ପାଖକୁ । ବଗିଚାରେ ପୂଜାପାଇଁ ଫୁଲ ତୋଳୁଥିଲେ ମା ।ସେଇଠି ଯାଇ କହିଦେଇଥିଲେ ସମସ୍ତ କଥା । ଶେଷକୁ କହିଥିଲେ “ତୁମ ବୟସ ହେଲାଣି ମା । ତୁମେ ଜମା ଯିବନାହିଁ । ୟେ ବି ତ ଭାରି ବିରକ୍ତ ହେଉଥିଲେ !
“ହଁ ଏବେ ମା ମନେ ପଡୁଛି ଆଉ ସେତେବେଳେ? ଜାଣି କି କଥାକୁ ଅଧାରେ ରଖି ଚାଲିଯାଇଥିଲେ ଲଳିତା ।

ଫୁଲତୋଳା ପ୍ରାୟ ସରିଯାଇଥିଲା ।ଫୁଲଚାଙ୍ଗୁଡ଼ିକୁ ଧରି ଲଳିତା ଙ୍କ ପଛେ ପଛେ ଘରକୁ ଫେରୁଥିଲେ ସୁରମା ଦେବୀ । ଲଳିତାଙ୍କ ଅଧା କଥା ତାଙ୍କୁ ଫେରାଇ ନେଉଥିଲା ପ୍ରାୟ ବର୍ଷେ ତଳକୁ ।

ନିରାକାର ବାବୁ ଯିବା ପରେ ଦୁଇ ପୁଅ ଛ ଛ ମାସ ପାଇଁ ବାଣ୍ଟି ନେଇଥିଲେ ତାଙ୍କୁ । ଏଇଠି ଛ ମାସ ରହିବା ପରେ ବଡ଼ପୁଅ ନିଜେ ଯାଇକି ଛାଡି ଆସିଥିଲା ତାଙ୍କୁ ବାଲେଶ୍ୱରରେ ।

ନିଜ ଶ୍ୱଶୁରଘର ପାଖରେ ଶଶୁରଙ୍କ ପ୍ରଦତ୍ତ ଜାଗାରେ ଘର କରିଥିବା ସାନ ପୁଅର ଘରକୁ ରହିବା ପାଇଁ ସେଇ ପ୍ରଥମ ଯାଇଥିଲେ ସେ ହେଲେ କେତେଦିନ ଆଉ ରହି ପାରିଲେ ସେ ?

ନିଜ ଘରର ତଳମହଲାରେ ଏକ କୋଠରୀରେ ତାଙ୍କ ପାଇଁ ରହିବା ବ୍ୟବସ୍ଥା କରିଥିଲା ପୁଅ ।ହେଲେ ତାକୁ ଦେଖିବା ବି ସ୍ୱପ୍ନ ପରି ଥିଲା ।ଖାଇବା ବୁଝୁଥିବା ସରିତା ପଚାରୁଥିଲା ମା କେତୋଟି ରୁଟି ଖାଇବ?

ବାସ ଯେତେ କହିଲେ ସେତେ ଚାକରାଣୀ ହାତରେ ପଠାଇ ଦେଉଥିଲା ସରିତା । ମନେ ପଡୁଥିଲା ପୁରୁଣା କଥା ।ଖାଇବାକୁ ବେଶୀ ଭଲ ପାଏ ବୋଲି ସବୁବେଳେ ସାନ ବିନୟ ପାଇଁ ଅଧିକା ଦେଉଥିଲେ ସେ ! ବଡ଼ ବିଜୟ ବିରକ୍ତ ହେଲେ ବୁଝାଇ କହୁଥିଲେ “ତୋର ତ ଭାଇରେ ବାବୁ । ”

ଉପରକୁ ଯିବା ମନା ନ ଥିଲା ହେଲେ ଆଗ୍ରହର ଅଭାବ ଅନୁଭବ କରି ଯାଉ ନ ଥିଲେ ସେ ! ନାତି ସୌରଭ କେବେ କେମିତି ଆସୁଥିଲା ଖଣ୍ଡି ଓଡ଼ିଆରେ କିଛି କିଛି କହୁଥିଲା ସେ ! ଭାରି ମିଠା ଲାଗୁଥିଲା ତା କଥା କିନ୍ତୁ ମାର ଗୋଟିଏ ଡାକରେ ପୁଣି ଚାଲିଯାଉଥିଲା ସେ । ପ୍ରାୟତଃ ସରିତାର ଘର ର କେହି ନା କେହି ଆସୁଥିଲେ ସବୁବେଳେ । ମଉଜ ମସ୍ତି କିଛି କମ ନ ଥିଲା । କିନ୍ତୁ ଉପରକୁ ଯାଇ କି ଅଯଥା ବିରକ୍ତି ହେବା ପାଇଁ ଚାହୁଁ ନ ଥିଲେ ସେ !

ସେମିତି ତ ସେଦିନ ବି ବେଶୀ କିଛି କହି ନ ଥିଲେ ସେ ! ସେଦିନ ଏକାଦଶୀ ଥିଲା ।ସକାଳୁ ସକାଳୁ ପୁଅ ଆଣିଥିଲା ଏକ ବିରାଟ ମାଛ ।”ମାଛ ରାନ୍ଧିବା ଆଗରୁ ମୋ ପାଇଁ ରାନ୍ଧିଦେବୁ ” ବାସ ଏତକ କହିଥିଲେ ସେ ଆଉ ତାର ଉତ୍ତରରେ ସରିତା ଯାହା କହିଥିଲା ସେସବୁ ଶୁଣିବା ବହୁତ କଷ୍ଟ ହୋଇଥିଲା ତାଙ୍କୁ । ସେ ଦେଖିଥିଲେ ବିନୟକୁ । ଚୁପ ଚାପ ଠିଆ ହୋଇଥିଲା ସେ । ତାର ନୀରବତା ହିଁ ବାଧ୍ୟ କରିଥିଲା ସେଇଠୁ ଚୁପଚାପ ଆସି ଗାଁ ବସରେ ବସିବା ପାଇଁ ।

ଚାଲି ଆସିଥିଲେ ସେ ! ବିଜୟକୁ କହିଥିଲେ ” ବାବୁରେ ତୋର ଛ ମାସ ପାଳି ତ ମୋତେ ବରଂ ଦୁଇ ଦିନ ରେ ଦିନେ ଖାଇବାକୁ ଦେବୁ କିନ୍ତୁ ମୁଁ ଆଉ ସେଠିକି ଯିବି ନାହିଁ । ”

ନା ମା, ତୋର ଆଉ କୁଆଡେ ଯିବା ଦରକାର ନାହିଁ ? କହିଥିଲେ ବିଜୟ ଆଉ ଫୋନ କରି ସରିତାକୁ ଭଲ ପାନେ ଦେଇଥିଲେ ଲଳିତା । ସେ ଦିନ ଆଉ ଆଜିର ଦିନ ଫୋନଟାଏ ବି କରି ନ ଥିଲା ବିନୟ ।

ଠିକ ସମୟରେ ଆସିଥିଲା ବିନୟ ! ଭାରି ଦୁଃଖିତ ଆଉ ବ୍ୟସ୍ତ ଜଣା ପଡୁଥିଲା ସେ । ବିଜୟଙ୍କ ଅନୁମାନକୁ ସତ ପ୍ରମାଣିତ କରି ଲଳିତାଙ୍କ ସହ ହିଁ କଥା ହେଉଥିଲା ସେ ! ହେଲେ ବିଜୟ ବି ଛାଡିବା ଲୋକ ନ ଥିଲେ !ତାକୁ ସିଧା ଶୁଣାଇ ଦେଇଥିଲେ ସେ !
କହିଥିଲେ ” ତୁ କଣ ଭାବୁଛୁ ମୁଁ ମୋ ଖୁସି ରେ ଛ ମାସ ପାଇଁ ରାଜି ହୋଇଥିଲି । ମା ,ମୋ ପାଖ ରେ ସବୁଦିନ ରହିବ । ଯା ତୋର ଦରକାର ନାହିଁ ?

ଭାରି ଅସୁବିଧାରେ ଅଛୁ ଭାଇ । ମା ସମ୍ପୂର୍ଣ ସୁରକ୍ଷିତ ରହିବ ମୁଁ ସବୁ ବ୍ୟବସ୍ଥା କରିଛି । ମାତ୍ର ପନ୍ଦର ଦିନ ପାଇଁ ହେଲେ ଯାଉ ନେହୁରା ହେଉଥିଲା ବିନୟ ।

ଦୁଇ ଭାଇଙ୍କ ଯୁକ୍ତିତର୍କ କୁ ବହୁ କଷ୍ଟରେ ସମାଧାନ କରିଥିଲେ ଲଳିତା । ନିଷ୍ପତ୍ତି ହୋଇଥିଲା, ମା ଯିବେ ନାହିଁ ! ହେଲେ ଯାହାଙ୍କ ପାଇଁ ଏତେକଥା ତାଙ୍କର ଦେଖା ନ ଥିଲା।ନିଜ କୋଠରୀରୁ ଏଯାଏଁ ବାହାରି ନ ଥିଲେ ମାଆ ।

ନିରାଶ ହୋଇ ଫେରିବା ପାଇଁ ବାହାରି ଥିଲା ବିନୟ ।ତାକୁ ବଳାଇବା ପାଇଁ ବାହାରକୁ ବାହାରିଥିଲେ ବିଜୟ ଓ ଲଳିତା ।ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଗାଡି ପାଖ ରେ ଠିଆ ହୋଇଥିଲେ ସୁରମା ଦେବୀ । ହାତରେ ତାଙ୍କର ସେ କପଡା ବ୍ୟାଗ ଥିଲା ।ରାଗି ଯାଉଥିଲେ ବିଜୟ ହେଲେ ସେ ବିଜୟର କାନ୍ଧ କୁ ଆଉଁସି କହିଥିଲେ ବାବୁ, ଲୋକ ସବୁଠୁ ନିରାଶ ହେଲେ ମା କୋଳରେ ଆଶ୍ରୟ ନିଏ । ସେ ଜାଣିଥାଏ ଏଇଠି କେବେ ବି ନିରାଶା ମିଳିବ ନାହିଁ ! ସେ ବିଶ୍ୱାସକୁ ମୁଁ ଭାଙ୍ଗିବି କେମିତି? ମୁଁ ପନ୍ଦର ଦିନ ପାଇଁ ଯାଉଛି ବାବୁ ।

ଶାନ୍ତ ପଡି ଯାଇଥିଲେ ବିଜୟ ! ଆଖି କୋଣ ରୁ ଖସି ପଡୁଥିଲା ଦୁଇ ବୁନ୍ଦା ଲୁହ ! କହିଥିଲେ ଠିକ ପନ୍ଦର ଦିନ ପରେ ନ ଆସିଲେ ମୁଁ ପହଞ୍ଚି ଯିବି ମା ! ସେତେବେଳେ ଆଉ କିଛି ଶୁଣିବି ନାହିଁ !

କାରର ପଛ ଦୁଆର ଖୋଲି ଦେଇଥିଲେ ଲଳିତା !ଗାଡି ଷ୍ଟାର୍ଟ କରୁ କରୁ ଆଖି ପୋଛୁଥିଲେ ବିନୟ ।

Comments are closed.