Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଛାଡ଼ ମ’ ଦିଅ ଖାଇ

ଛାଡଖାଇ ପର୍ବ ପାଳନ ପରେ
ବଡ ବିଚିତ୍ର ଘଟଣା ଘଟିଥାଏ,
ସହର ବଜାରେ ବୁଲା କୁକୁରଙ୍କ
ସଂଖ୍ୟା ସାଂଘାତିକ ଭାବେ କମିଯାଏ!

ଦେଖିବାକୁ ମିଳନ୍ତିନି ଆକାଶରେ
ଆଉ ସେତେ କାଉ ପାରା ବଣି;
ମିଳୁଥାଏ ଯଥେଷ୍ଟ ମଟନ ଚିକେନ
ଲୋକେ ନିଅନ୍ତି ଆନନ୍ଦେ କିଣି!

ଏଇକଥା ମୁଁ ଯେବେ ପ୍ରିୟ ବାବା
ସାରଦାନନ୍ଦଜୀଙ୍କୁ ଦେଲି କହି;
ବାବା କହିଲେ ସବୁ ଠାକୁରଙ୍କ
ମାୟା, ଛାଡ ମ ଦେବା ଖାଇ !

ଯେଉଁ ଲୋକେ ବଳିପ୍ରଥାକୁ
ଗଳା ଫଟେଇ ବିରୋଧ କରନ୍ତି;
ସେମାନେ ଛାଡଖାଇ ନାଆଁରେ
ପରୋକ୍ଷରେ ପଶୁପକ୍ଷୀ ମାରନ୍ତି !

ଆଗରୁ ବନ୍ଧୁ ଘରକୁ ଆସୁଥିଲେ
ଏବେ ଲେଖନ୍ତି ହାପି ଛାଡଖାଇ;
ଆଗରୁ ଖୁଆଉଥିଲି ଆଇଁଷ ଝୋଳ
ଏବେ ଚଳାଇଦିଏ ଫଟୋ ପଠେଇ !

ବହୁଦିନ ଗୋଲାପ ଗିଫ୍ଟ ଦେଲା ପରେ
ପ୍ରେମିକା ଛାଡଖାଇକୁ ଡେଟ୍ ଦେଲା;
ପ୍ରେମିକ ଖୁସିରେ ଗୋଟେ ମାଛ ଓ
କିଲେ ଚିକେନ ଧରି ପହଞ୍ଚିଲା !

ଭିଜିଲାନ୍ସ ପହଁଚିଲା ଯେବେ ଟଙ୍କା
ଖାଉଥିବା ବାବୁଙ୍କୁ ଧରିବା ପାଇଁ;
ଅଫିସର କହିଲେ କାହିକିଁ ବାନ୍ଧୁଚ
ଜାଣିନ କି ଆଜିପରା ଛାଡଖାଇ!

ନେତାଙ୍କର କୋଲେଷ୍ଟ୍ରଲ ବୃଦ୍ଧି
କାରଣରୁ ସିଏ ଆମିଷ ଝୋଳ ନଖାଇ;
କୁକୁଡା ଛେଳିଫାର୍ମ ସହ ମାଛ ପୋଖରୀ
ଉଦରସ୍ଥ କରି ପାଳିଲେ ଛାଡଖାଇ!!

ଛାଡଖାଇ ବାରମ୍ବାର ଆସୁଥାଏ
ମଣିଷଠି ମଣିଷକୁ ଦେଖାଇବା ପାଇଁ;
ସେ ଦିନ ସେ ପଶୁପକ୍ଷୀ ଖାଇଯାଏ
କାହାକୁ ବି ଦୟା କରେ ନାହିଁ!!!

Leave A Reply

Your email address will not be published.