ଅନୁବାଦ ଗଳ୍ପ : ଅରଣ୍ୟ ଫସଲ
ଅବିଭକ୍ତ ଭାରତର ରାୱଲପିଣ୍ଡି ସହରରେ ୧୯୩୪ ମସିହାରେ ଜନ୍ମିତ ମହୀନ୍ଦର ସିଂହ ସରନା ଦେଶ ବିଭାଜନ ପରେ ଭାରତକୁ ଦେଶାନ୍ତରୀତ ହୋଇଥିଲେ । ଜଣେ ଆଗଧାଡ଼ିର ପଞ୍ଜାବୀ ଲେଖକ ଭାବେ ସେ ଅନେକ ଉପନ୍ୟାସ, ଗଳ୍ପ ସଂକଳନ ଓ ନାଟକ ରଚନା କରିଛନ୍ତି । ସାହିତ୍ୟ କ୍ଷେତ୍ରକୁ ତାଙ୍କର ବିଶେଷ ଅବଦାନ ନିମନ୍ତେ ୧୯୯୪ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଇଣ୍ଡିଆନ୍ ଆକାଉଣ୍ଟସ ସେବାରେ ଜଣେ ନିଷ୍ଠାପର ଅଧିକାରୀ ଭାବେ ସେ ବହୁବର୍ଷ ଧରି ମୁମ୍ବାଇରେ କାର୍ଯ୍ୟ କରିଥିଲେ । ୨୦୦୧ ମସିହାରେ ତାଙ୍କର ପରଲୋକ ଘଟିଥିଲା ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୪
ମୂଳ ପଞ୍ଜାବୀ: ମହୀନ୍ଦର ସିଂହ ସରନା
ଜଳନ୍ତା ନିଆଁର ଭାଟି ଉପରକୁ ଉହୁଙ୍କିପଡ଼ି ସେଥିରେ ଆଉ କିଛି କୋଲଇା ଭରିଲାବେଳେ ଦୀନାର ଲୁହାପରି କଳାମଚମଚ
ଶରୀରଟା କେମିତି ବ୍ରୋଞ୍ଜ୍ ମୂର୍ତ୍ତିଟିଏ ପରି ଚକମକ କରୁଥିଲା । ଜଣେ ହୃଷ୍ଟପୁଷ୍ଟ ଶ୍ରମିକର ପ୍ରତିମୂର୍ତ୍ତି ଭଳି ଲାଗୁଥିଲା । ତା’ର ପୂରିଲା ପୂରିଲା ମାଂସପେଶୀସବୁ ତାତିଲା ଲୁହା ଉପରେ ଓଜନିଆ ହାତୁଡ଼ିଟାକୁ ବୁଲେଇ ପିଟିଲାବେଳେ ଥରି ଉଠୁଥିଲା । ଏତେ ବଡ଼ ହାତୁଡ଼ିଟା ପିଟିଲାବେଳେ ଭୀଷଣ ଶବ୍ଦ କରୁଥିଲା ଓ ସେଥିରୁ ପ୍ରତିଧ୍ୱନି ସୃଷ୍ଟି ହେଉଥିଲା । ଦୀନାର ସେସବୁ ପ୍ରତି ଆଦୌ ନଜର ନଥିଲା । ସେ ତା’ ନିଜ କାମରେ ସମ୍ପୂର୍ଣ୍ଣ ଭାବରେ ମଜ୍ଜି ରହିଥିଲା । ଅଗଷ୍ଟ ମାସ ଶେଷ ସମୟ । ଉତ୍ତପ୍ତ ସୂର୍ଯ୍ୟଙ୍କ ମଧ୍ୟାହ୍ନ ପିରଣ ଝର୍କାବାଟେ ଆସି ତା’ର ଶାଳ ଭିତରେ ପଡ଼ୁଥିଲା ।
ସେ ସୂର୍ଯ୍ୟକିରଣ ସତେକି ଦୀନା ଦେହରୁ ତା’ ହାଡ଼ ଓ ମାଂସକୁ ଚାଟି ପକାଉଥିଲା । ହଠାତ୍ ସେ କାମ ବନ୍ଦ୍କରି ଆସି ଝର୍କା ବାଟେ ବାହାରକୁ ଉଣ୍ଡିଲା । ସୂର୍ଯ୍ୟ ସେତେବେଳକୁ ଆସି ମୁଣ୍ଡ ଉପରେ ହୋଇ ସାରିଥିଲେ । ତଥାପି ତା’ର ଅଧା କାମ ସେଯାଏ ସରିନଥିଲା । ଭାଟିର ନିଆଁ ଓ ସୂର୍ଯ୍ୟଙ୍କ ଉତ୍ତାପ ମିଶି ସତେ ଯେମିତି ଦୀନାର ଶରୀରକୁ ଜାଳି ପକାଉଥିଲା । ତା’ ଶରୀରର ପ୍ରତିଟି ଲୋମକୂପ ଗୋଟିଏ ଗୋଟିଏ ବଳିତା ଓ ଯେପୌଣସି ମୁହୂର୍ତ୍ତରେ ସେ ବଳିତାସବୁ ନିଆଁ ଧରିପାରେ ଓ ପର ମୁହୂର୍ତ୍ତରେ ଗଡ଼ମାଟିଏ ପରି ପ୍ରଚଣ୍ଡ ବିସ୍ଫୋରଣ ଘଟିପାରେ ।
ହଠାତ୍ ସେ ହାତରେ ଧରିଥିବା ହାତୁଡ଼ିଟିକୁ ତଳେ ଥୋଇଦେଲା ଓ ପୁଣି ଥରେ ଝର୍କା ପାଖକୁ ଯାଇ ପଦାକୁ ଚାହିଁଲା । ବାଁ ପଟେ ହଳ ହୋଇସାରିଥିବା କ୍ଷେତ ଯାହା ବିହନ ବୁଣାଲାଗି ଅପେକ୍ଷାରତ । ସେଇ ବର୍ଷାଭିଜା ଓଦାମାଟିର ବାସ୍ନା ତା’ ମନକୁ ଭାବାବେଗରେ ଭରିଦେଲା । ତା’ର ଇଚ୍ଛା ହେଉଥିଲା ଝର୍କା ବାହାରକୁ ଡେଇଁ ପଡ଼ିବ ଓ ଦୌଡ଼ିଯାଇ ସେ କ୍ଷେତ୍ରରେ ମନଇଚ୍ଛା ବହେ ଗଡ଼ିଯିବ । ତା’ ଶରୀରର ପ୍ରତିଟି ଲୋମକୂପ ସେଇ ଓଦାମାଟିର ଆର୍ଦ୍ରତାକୁ ଶୋଷି ପକାଇବ ।
କ୍ଷେତକୁ ଦୀନା ଖୁବ୍ ଭଲ ପାଏ । ପହ୍ଲା ରୁଆଁ ଓ ଅମଳବେଳେ ତା’ ରକ୍ତ କେମିତି ଉଚ୍ଚାଟିତ ହୋଇଉଠେ । ତା’ ହାତଗୋଡ଼ରେ ଏକ ବିଚିତ୍ର ପ୍ରକାର ଉନ୍ମାଦନା ସେ ଅନୁଭବ କରେ ଯାହା ଉପରେ କାହାରି ନିୟନ୍ତ୍ରଣ ନଥାଏ । ସିଏ ହେଲା ଗାଁ କମାର । ବର୍ଷସାରା ତା’ପାଇଁ ଅବା କୌଳିକ କାମ କେତେ? ତେଣୁ ହାତରେ ବେଶ୍ ସମୟ ବଳିପଡ଼େ । ଦାଆ, ଫସଲ ଅମଳ ଓ ଜହ୍ନଭିଜା ରାତିରେ ଦିଗନ୍ତବିସ୍ତାରୀ ପାକଳ ଆଖୁକ୍ଷେତ ଉପରେ ଢେଉ ଭାଙ୍ଗୁଥିବା ପବନ ତା’ ଆଖି ଆଗରେ ନାଚି ଉଠୁଥିଲା । ସୁବର୍ଣ୍ଣ ପୃଥିବୀର ଡାକ ଏବଂ ପ୍ରକୃତିରାଣୀର ସଙ୍ଗୀତ ତା’ ମନକୁ ଗୋଟାପଣେ ମତୁଆଲା କରିପକାଉଥିଲା । ସେ ଭୁଲି ଯାଇଥିଲା ଯେ ତା ପଛପଟକୁ ଲାଗି ଗୋଟିଏ ଜଳନ୍ତା ଭାଟି ଓ ଗଲା କୋଡ଼ିଏ ଦିନ ଧରି ସିଏ ଆଉ କିଛି ବୋଲି କିଛି କରିନଥିଲା, କେବଳ ପୁଳାଏ ଟାଙ୍ଗିଆ ଓ ବର୍ଚ୍ଛା ତିଆରି କରିଚାଲିଥିଲା । କିପ୍ରକାର ଅଶୁଭ କାଣ୍ଡରେ ସେ ଫସିଯାଇଛି! ନୂଆକରି ଜନ୍ମ ନେଇଥିବା ପାକିସ୍ତାନର ଯୋଦ୍ଧାମାନଙ୍କ ହାତରେ ଅସ୍ତ୍ରଟିଏ ଲେଖାଏଁ ଧରେଇବାର ଦାୟିତ୍ୱ ସତେ ଯେମିତି ସେଇ ମୁଣ୍ଡେଇଚି!
ଆଗରୁ ଅବାସ୍ତବ ଲାଗୁଥିବା କଳ୍ପନାଟି ଏବେ ବାସ୍ତବତାର ରୂପ ଧାରଣ କରିସାରିଛି । କିନ୍ତୁ ସେଇ ବାସ୍ତବତାକୁ ସମ୍ପୂର୍ଣ୍ଣ କରିବାକୁ ହେଲେ ଏ ଭୂଇଁରୁ ସବୁ ହିନ୍ଦୁ ଓ ଶିଖ୍ମାନଙ୍କୁ ପଦା କରିବାକୁ ପଡ଼ିବ । ଆଗରୁ ସେ ଏକଥାକୁ ଭଲଭାବେ ବୁଝିପାରି ନ ଥିଲା । କିନ୍ତୁ ସମସ୍ତେ କେବଳ ସେଇ କଥା ହିଁ କହୁଥିଲେ । ଗାଆଁ ମୁଖିଆଙ୍କଠାରୁ ଆରମ୍ଭ କରି ମସଜିଦ୍ର ଇମାମଙ୍କ ପର୍ଯ୍ୟନ୍ତ ସମସ୍ତେ ସେଇ ଗୋଟିଏ କଥା ଦୋହରାଉଥିଲେ । ଆଉ ଏ ଜିହାଦରେ ବିଜୟ ଲାଭ କରିବାକୁ ହେଲେ ତା’ ଭାଟିର ନିଆଁକୁ ଏମିତି ଜଳେଇ ରଖିବାକୁ ପଡ଼ିବ, ମୃତ୍ୟୁର ଏଇ ଉପକରଣସବୁ ପ୍ରସ୍ତୁତ କରିବାକୁ ହେବ ।
ପୁଣି ଥରେ ଦୀନା ମୁହଁ ବୁଲେଇ ସେଇ ଜଳନ୍ତା ନିଆଁକୁ ଚାହିଁଲା । ତା’ଭିତରେ ପଡ଼ିଥିବା ଲୁହା ଖଣ୍ଡିକ ଜଳନ୍ତା କେଇଲାଠାରୁ ବି ଅଧିକ ଲାଶ୍ ଦିଶୁଥିଲା । ତା’ ମୁଣ୍ଡ ଚକ୍କର କାଟିଲା । ସତେକି ଏକ ତୀକ୍ଷ୍ଣ ଓ ତତଲା ଯନ୍ତ୍ରଣାର ତୀର ତା’ ଭିତରକୁ ପଶିଗଲା – ଭୋକ । ସକାଳ ପହରୁ ସେ ଢୋକେ ପାଣି ସୁଦ୍ଧା ପିଇ ନ ଥିଲା । ଆଉ ଏବେ ତା’ସାଙ୍ଗକୁ ଭୋକର ଅଜଗର ତା’ ପେଟ ଭିତରେ ଭିଡ଼ିମୋଡ଼ି ହୋଇ ଧୀରେ ମୁଣ୍ଡ ଟେକୁଥିଲା । ଶୋଷରେ ତା’ର ଦି’ଓଠ ଶୁଖିଲା କାଠପରି ଦିଶୁଥିଲା ।
ଦୀନା ଡାକ ଛାଡ଼ିଲା – ‘ଆଲେ ବସୀର ମା’! ଜଲଦି ଲୋଟାଏ ପାଣି ଆଣ୍ । ଶୋଷରେ ତଣ୍ଟି ଶୁଖିଯାଉଚି ।’
ତା’ ଡାକ ଶୁଣି ଘର ଭିତରୁ ଚାଳିଶ ପଇଁଚାଳିଶ ବର୍ଷର ସ୍ତ୍ରୀଲୋକଟିଏ ପାଣି ଲୋଟାଏ ଧରି ଆସି ଠିଆହେଲା । ସ୍ତ୍ରୀ ଲୋକଟିର ନାକରେ ସୁନାର କାନଫୁଲଟିଏ ଓ କାନରେ ହଳେ ରୁପା ତିଆରି ରିଙ୍ଗ୍ ଚାଲିଲାବେଳେ ସେ ରିଙ୍ଗ୍ ହଳକ ହଲି ଯାଉଥିଲା । ପାଣି ଲୋଟାଟା ହାତରେ ଧରି ସେ ତା’ର ସ୍ୱାମୀ ଆଡ଼କୁ ଚାହିଁଲା । ଶୋଷରେ ଦୀନା ଗୋଟାପଣେ ସାହାସି ଯାଉଥିଲା । ୟା’ଭିତରେ ସିଏ ଆସି ତାକୁ ତିନିଥର ଖାଇବାପାଇଁ ଡାକି ସାରିଥିଲା । ହେଲେ ନିଜ ସ୍ତ୍ରୀର ଡାକରେ ସେ କିଛି ହେଲେ ଉତ୍ତର ଦେଇ ନ ଥିଲା । ବରଂ ସେମିତି ଖଣ୍ଡିଏ ଖଣ୍ଡିଏ ତତଲା ଲୁହାକୁ ବାଡେଇ ଟାଙ୍ଗିଆ ଓ ବର୍ଚ୍ଛା ତିଆରି କରି ଚାଲିଥିଲା ।
ତା’ହେଲେ ଏବେ ପାଣି ଲୋଡ଼ା ପଡ଼ିଲା କାଇଁକି? ଦୀନାର ପତ୍ନୀ ସାମ୍ନାରେ ହୁତହୁତ୍ ହୋଇ ଜଳୁଥିବା ଭାଟିଆଡ଼େ ଚାହିଁଲା । ତା’ପରେ ଘର ଭିତରେ ଥରେ ଆଖି ବୁଲେଇ ଆଣିଲା । ଘରସାର ଛୋଟ ଛୋଟ ଲୁହା ଟୁକୁଡ଼ା ଓ ସଦ୍ୟ ତିଆରି ହୋଇଥିବା ଟାଙ୍ଗିଆ, ଫାର୍ଶା ଓ ବର୍ଚ୍ଛାସବୁ ଖେଳେଇ ହୋଇ ପଡ଼ିଥିଲା । ସେସବୁ ଦେଖି ସାରିବା ପରେ ସେ ପୁଣି ଥରେ ତା’ ସ୍ୱାମୀ ମୁହଁକୁ ନିରକ୍ଷଣ କଲା ।
କେଇ ଢୋକରେ ସେତେବେଳକୁ ଦୀନା ପାଣି ଲୋଟାଟାଯାକ ତେଣ୍ଡି ସାରିଥିଲା । ଏଥର ସେ କହିଲା- ‘ଆଉ ଲୋଟାଏ ପାଣି ଆଣ୍ । ଭାରି ଶୋଷ କରୁଚି ।’
ଉଁ ଚୁଁ କିଛି ନ କହି ତା’ସ୍ତ୍ରୀ ଆଉ ଲୋଟାଏ ପାଣି ଆଣି ତା’ ହାତକୁ ବଢ଼େଇଦେଇ ସେମିତି ଠିଆ ହୋଇରହିଲା ।
‘ହଁ, ହେଲା ।’ ଦୀନା ପାଣିତକ ପିଇସାରି ଆତ୍ମତୃପ୍ତିରେ କହିଲା ।
ଦୀନା କପାଳ ଓ ଶରୀରର ବାହାରକୁ ଦିଶୁଥିବା ଫୁଲିଲା ଫୁଲିଲା ଶିରାପ୍ରସିରା ସତେଯେମିତି ପାଣି ପିଇବା ପରେ ଶାନ୍ତ ପଡ଼ିଗଲେ । ନିଃଶ୍ୱାସପ୍ରଶ୍ୱାସ ବି ସ୍ୱାଭାବିକ ହେବାରେ ଲାଗିଲା । ସେତିକିବେଳେ ତା’ ଆଖି ସାମ୍ନାରେ ଯେପରି ଛାଇଯିଏ ନାଚିନାଚି ଅତିକ୍ରମ କରିଗଲା! ପାଖରେ ନିଃଶବ୍ଦରେ ଠିଆ ହୋଇଥିବା ନିଜ ପତ୍ନୀକୁ ଦୀନାପ ଚାରିଲା, ‘ମତେ ଏମିତି ଡବଡ଼ବ ଆଖିରେ ଚାହିଁଚୁ କାଇଁକି ? କିଛି କହୁନୁ ? ଆଉ ମୋ’ଠାରୁ ଏମିତି କରଛଡ଼ା ଦେଇ ଠିଆ ହେବାର କାରଣ କ’ଣ? ମତେ କ’ଣ ବେମାରୀ ହେଇଚି ଯେ ତୁ ଦୂରରେ ଠିଆ ହେଇଚୁ?’ ଦୀନା କଥାରେ ତା’ ପତ୍ନୀ କିଛି ଜବାବ ଦେଲାନି । ବରଂ ଘର ଭିତରକୁ ଯାଇ ଥାଳିରେ କିଛି ଖାଦ୍ୟ ଧରି ଲେଉଟି ଆସିଲା । ଏଥର ଦୀନା ଆହୁରି ବଡ଼ ପାଟିରେ ପଚାଳିଲା, ‘ଆଲୋ, ମୁଁ ପରା ତୋତେ ପଚାରୁଚି? ତୁ କଥା ହେଉନୁ କ’ଣ ପାଇଁ? ତୋ ପାଟିରେ କ’ଣ ମଣ୍ଡା ପୂରେଇଚୁ ଯେ ତୁଣ୍ଡ ଖୋଲୁନି? କଥା ତ କହୁନୁ, ଆଉ ମୋ ମୁହଁଟାକୁ ଏମିତି ଆଖି ତରାଟି ବଲବଲ ହୋଇ ଚାହିଁଚୁ କାଇଁକି? ସତେ ଯେମିତି ମୁଁ ସାକ୍ଷାତ ବ୍ରହ୍ମରାକ୍ଷସ?’
‘ଆଲ୍ଲା ରହମ୍ କରନ୍ତୁ । ଏମିତି ଖରାପ କଥା କାହିଁକି କହୁଚ କହିଲ? ମୁଁ କାଇଁକି ସେମିତି ଚାହିଁବି?’ ଦୀନାର ସ୍ତ୍ରୀ ଧୀର ସ୍ୱରରେ ପ୍ରତିବାଦ କଲାଭଳି କହିଲା । ଦୀନା ଆଁ କରି ଆଶ୍ଚର୍ଯ୍ୟ ହୋଇ ନିଜ ପତ୍ନୀ ମୁହଁକୁ ଚାହିଁଲା । ସିଏ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲା ଯେ ଏ ଜୀବନରେ ବସୀରର ମା’ ଆଉ କେବେ ତୁଣ୍ଡ ଖୋଲିବ କି କଥା କହିବ । ଗଲା ଏତେଦିନ ଧରି ସିଏ ତୁନି ପଡ଼ିଯାଇଥିଲା ଯେ କିଛି ବୋଲି କିଛି କହିପାରୁ ନ ଥିଲା । କହିବାକୁ ଚାହିଁ ସୁଦ୍ଧା ତା’ ତୁଣ୍ଡ ଲେଉଟୁନଥିଲା । ନିଜର ସେଇ ଆଶ୍ଚର୍ଯ୍ୟ ଭାବରୁ ମୁକୁଳିବା ପରେ ଦୀନା କହିଲା – ‘ମୁଁ ଜାଣିଚି, ତୁ ମନେ ମନେ କ’ଣ ଭାବୁଚୁ । ହେଲେ ମୁଁ କ’ଣ କରିବି ଭଲା? ତୋ ପୁଅମାନେ କ’ଣ ମତେ ରଖେଇଥୋଇ ଦେବେ? ଏବେ ବସୀର ଧମକେଇଚି- କାଲି ସନ୍ଧ୍ୟାସୁଦ୍ଧା ତା’ର ପଚାଶଟା
ଟାଙ୍ଗିଆ ଦରକାର । ଯଦି ସେତକ ତିଆରି କରି ନରଖିବି, ସେ ମୋ ବେକକୁ ଦି’ଗଡ଼ କରିଦେବ । ମତେ ଭଲ ଭାବେ ଜଣା, ସେମାନଙ୍କ କଥା ଅନୁସାରେ କାମ ନକଲେ ସେମାନେ ମତେ ଜୀବନରେ ମାରିଦେବେ । ମୋ ରକ୍ତ ଜୀଅନ୍ତା ପିଇଯିବେ ।’
‘ସିଏ ତୁମ ପୁଅ ନା ଆଉ କାହା ପୁଅ? ସେମାନେ ତୁମକୁ ଡରିବ?’ ଏମିତିକା କଥା ପଚାରିଲା ବେଳକୁ ବସୀର ମାଆର ମୁଣ୍ଡ ଲାଜରେ ନଇଁ ପଡ଼ୁଥିଲା ।
‘ସେମାନେ କି ପ୍ରକାର ରାକ୍ଷସ ସେକଥା କ’ଣ ତୁ ଜାଣିନୁ? ତୋ ନିଜ ପୁଅମାନଙ୍କୁ କ’ଣ ତୁ ଚିହ୍ନିନୁ? ସେମାନଙ୍କ ଆଗରେ ମୁଁ ଭଲା ଜୁଣ୍ଡ ଖୋଲିପାରିବି? ସେମାନେ ମତେ ଜିଅନ୍ତା ଛାଲି ପକେଇବେ ।’ ଦୀନା ଡରିହରି କହିଲା ।
‘ସେମାନେ ମୋର ବି ପୁଅ ତମେ ତ ଦେଖିଚ ;ସେମାନେ ମତେ ସୁଦ୍ଧା ଗାଳିମନ୍ଦ କରନ୍ତି । ଧମକାନ୍ତି । ହେଲେ ମୁଁ ତ କାଇଁକି ସେମାନଙ୍କ ଲାଗି ଟାଙ୍ଗିଆ, ଫାର୍ଶା ତିଆରି କରୁନି?’ ଏବେ ନିଜ ସ୍ୱରକୁ ଧୀର କରି ସେ ସ୍ୱାମୀକୁ କହିଲା ।
ଦୀନା କହିଲା, ‘ମୁଁ ତ ଖାଲି ଟାଙ୍ଗିଆ ବନଉଚି । ସେମାନଙ୍କ ସାଙ୍ଗରେ ମିଲି ମଣିଷ ମାରିବାକୁ ତ ଯାଉନି ।’
‘ଇଏ ତ ମଣିଷ ମାରିବାଠାରୁ ବି ବଡ଼ ଅପରାଧ । ହତ୍ୟାକାରୀ ତ ଜଣେ ଲୋକକୁ ମାରେ । ନ ହେଲେ ଦି’ଜଣ, ପାଞ୍ଚ ଜଣ କି ପଚାଶ ଜଣଙ୍କୁ । କିନ୍ତୁ ଖଣ୍ଡିଏ ଟାଙ୍ଗିଆରେ ତ ଶହ ଶହ ଲୋକଙ୍କୁ ମରାଯାଇପାରିବ ।’
ଏକଥା ଶୁଣିଲାକ୍ଷଣି ଦୀନାର ମଝିଶିରା ହାଡ଼ ଭିତରେ ଯେମିତି ବିଜୁଳି ଖେଳିଗଲା । ତା’ଛାତି ଥରିଉଠିଲା । ଏଥର ସେ ହୃତ୍କମ୍ପ ତା’ର ସର୍ବାଙ୍ଗକୁ ଗୋଟାପଣେ ଆଚ୍ଛନ୍ନ କରିପକାଇଲା । ସେ ସେଇଠି ଦୀର୍ଘ ସମୟ ଧରି ନିର୍ବାକ୍ ହୋଇ ଠିଆ ହୋଇରହିଲା । ତା’ପରେ ସହସ କୁଳେଇ କହିଲା: ‘ତୁ ଏକଥା ମତେ ତ କହିପାରୁଚୁ । ସେଇ କଥା ତୋ ପୁଅମାନଙ୍କୁ କାହିଁକି ବୁଝାଉନୁ? ସେମାନେ ତ କେଡ଼େ କେଡ଼େ ବୀର, ଫି’ରାତିରେ ଯାଇ ଦି’ ଦି’ଟା ଗାଆଁ ଜାଳିଦେଇ ଆସୁଚନ୍ତି ।’
ଦୀନାର ସ୍ତ୍ରୀ ଦୀର୍ଘଶ୍ୱାସଟିଏ ଛାଡ଼ି ମନଦୁଃଖରେ କହିଲା, ‘ମୋ କଥା କିଏ ଶୁଣୁଚି? ;କାହାକୁ ଭଲା କ’ଣ କହିବି? ସମସ୍ତଙ୍କୁ ତାଙ୍କ ନିଜ କଲାକର୍ମର ଫଳ ଦିନେ ନା ଦିନେ ଭୋଗିବାକୁ ପଡ଼ିବ । ମୁଁ କାଇଁ କହି ଦୋଷୀ ହେବି?’
ଏମିତି କଥାବାର୍ତ୍ତା ହୋଇ ସ୍ୱାମୀ-ସ୍ତ୍ରୀ ଦୁହେଁ ତୁନି ପଡ଼ିଗଲେ ଓ ପରସ୍ପରର ମୁହଁକୁ ଚାହିଁଲେ । ସେ ଚାହାଣୀରେ ଅସହାୟବୋଧ ଥିଲା । ହଠାତ୍ ପତ୍ନୀ କହିଲା: ‘ସେ କଥା ଛାଡ଼ । ତୁମେ ପେଟକୁ ଦାନା ଗଣ୍ଡେ ନେଉନ କାଇଁକି? ଏମିତି ଉପାସ ଭୋକରେ ରହିଲେ କି ଲାଭ?’ ସିଏ ପୁଣି ଥରେ ଖାଦ୍ୟ ଥାଳିଟିକୁ ଦୀନା ଆଗରେ ଆଣି ଥୋଇଲା ।
ଏତିକିବେଳେ କିଏ ବାହାରପଟୁ ଧୀରେ କବାଟ ବାଡେଇଲା । ସେ ଶବ୍ଦ କାନରେ ପଡ଼ିବାମାତ୍ରେ ଦୀନାର ଛାତି ଥରିଉଠିଲା । ସେ ଭୟରେ ବସିବା ଜାଗାରୁ ଉଠିପଡ଼ିଲା । ଇଏ ନିଶ୍ଚେ ବସୀର ହୋଇଥିବ ନ ହେଲେ ତା’ର କେହି ସହଯୋଗୀ । ହଁ, ସେଇମାନେ ତାକୁ ଚେତେଇ ଦେବାକୁ ଆସିଥିବେ । ସେ ଥରିଲା ପାଦରେ କବାଟର ଶିକୁଳିଟିକୁ ଫିଟେଇବା ଆଗରୁ ଥରେ ଘର ଭିତରେ ଆଖି ବୁଲେଇ ଆଣିଲା । ଭାଟିରେ ନିଆଁ ଦାଉ ଦାଉ ହୋଇ ଜଳୁଥିଲା । ସବୁକିଛି ଯଥା ସ୍ଥାନରେ ଥିଲା । ଏଥର ସେ କବାଟ ଫିଟେଇଲା । ବର୍ଷା ଖରାରେ କଳଙ୍କି ଲାଗିଯାଇଥିବା ଜଞ୍ଜିର ଓ କବ୍ଜାଟି କେଁକଟର ଶବ୍ଦକରି ଫିଟିଗଲା ।
ହଠାତ୍ ଚମକି ଉଠି ଦୀନା ପଛକୁ କେଇପାଦ ଘୁଞ୍ôଚଆସିଲା । ତା’ ଭୟାର୍ତ୍ତ ପାଦ ଭାଟିରେ ପଡ଼ ପଡ଼ୁ ଅଳ୍ପକେ ବର୍ତ୍ତିଗଲା । ତା’ ସ୍ତ୍ରୀ ମୁହଁରୁ ତ ସବୁତକ ରକ୍ତ ଶୁଖିଗଲାପରି ଲାଗୁଥିଲା । ତା’ ପାଟିରୁ ଏକ ଚିତ୍କାର ଆପେ ବାହାରି ଆସିଲା । ଦୁଆର ମୁହଁରେ ଠିଆ ହୋଇଥିଲା ଠାକୁଦ୍ୱାରର ସେଇ ବିଧବା ବ୍ରାହ୍ମଣୀ ବୁଢ଼ୀ । ତା’ ମୁହଁରେ ବୋଳି ହୋଇଥିବା ବଟା ହଳଦୀସବୁ ଶୁଖି ଯାଇଥିଲା । ଲାଗୁଥିଲା ସତେକି ଏକ ଜାଲ ଘୋଡ଼େଇ ହେଲାପରି । ମୁଣ୍ଡର କେଶ ଗୋଟାପଣେ କେରାଏ ଝୋଟ ପରି ଧଳା । ସେସବୁ ପବନରେ ଫୁରୁଫୁରୁ ହୋଇ ଉଡ଼ୁଥିଲା । ତାକୁ ଦେଖି ଦୀନା ଓ ତା’ସ୍ତ୍ରୀର ଆଖି ଭୟରେ ଭରିଯାଇଥିଲା ।
ସେମାନେ ଦିହେଁ ବୁଢ଼ୀକୁ ସେମିତି ଆବାକାବା ହୋଇ ଚାହିଁ ରହିଥିଲେ ।
ଶେଷରେ ଦୀନାର ପତ୍ନୀ ସାହସ କୁଳେଇ ପଚାରିଲା, ‘ଆଲୋ ମାଉସୀ, ଆଲୋ ତୁ ବଞ୍ଚିଛୁ ?’
ବୁଢ଼ୀ ଉଁ ଚୁଁ କିଛି ଜବାବ ଦେଲାନି । ଦୀନାର ପତ୍ନୀର ମନେ ପଡ଼ିଗଲା, ବୁଢ଼ୀ କାନକୁ ଶୁଭେନି । ସିଏ କାଲୁଣୀ । ମଲା ପର୍ଯ୍ୟନ୍ତ ସୁଦ୍ଧା ଦୁଃଖ ବୁଢ଼ୀର ପିଛା ଛାଡ଼ୁନି! ଏଥର ସେ ବୁଢ଼ୀର ଆହୁରି ପାଖକୁ ଲାଗିଯାଇ ସେଇ ପ୍ରଶ୍ନକୁ ଦୋହରାଇଲା ।
ବୁଢ଼ୀ ଆଖିର ଚମକକୁ ଲକ୍ଷ୍ୟକରି ଦୀନାର ସ୍ତ୍ରୀ ବୁଝିଗଲା ଯେ ବୁଢ଼ୀ ତା’କଥା ଶୁଣିପାରିଚି । ପର ମୁହୂର୍ତ୍ତରେ ବୁଢ଼ୀ ଜବାବ ଦେଲା, ‘ତୁ କ’ଣ ଦେଖିପାରୁନୁ କିଲୋ, ମୁଁ ତୋ ଆଗରେ ଜିଅନ୍ତା ଠିଆହେଇଚି । ସାତଦିନ ହେଲା ପରା ଜରରେ କତରାଲଗା ହୋଇ କମ୍ପୁଥିଲି ।’
ଦୀନା ଓ ତା’ର ପତ୍ନୀ ଆଶ୍ଚର୍ଯ୍ୟ ହୋଇ ପରସ୍ପରର ମୁହଁକୁ ଚାହାଁଚୁହିଁ ହେଲେ । ଏକଥା ସତ ସିଏ ଜଣେ ବ୍ରାହ୍ମଣର ସ୍ତ୍ରୀ, କୌଣସି ଭୂତପ୍ରେତ ନୁହେଁ । ଯାହା ହେଉ, ବୁଢ଼ୀକୁ ଜର ହୋଇଥିଲା ବୋଲି ଏଭଳି ହାଣକାଟ ଓ ଦଙ୍ଗାରୁ ବିଚାରୀ ବର୍ତ୍ତିଗଲା । ଗାଆଁଟାସାରା ତ ଖାଲି ହୋଇସାରିଛନ୍ତି । ଆଉ ତା’ ବଧୀରପଣ ହିଁ ଗାଁରେ ଘଟୁଥିବା ଦଙ୍ଗାହାଙ୍ଗାମା ଶବ୍ଦକୁ ତା’ କାନରେ ପକେଇ ନ ଥିଲା । ଗଲା ଶୁକ୍ରବାର ଦିନ ରାତିରୁ ଏ ଗାଆଁରେ ହାଣକାଟ, ପୋଡ଼ାଜଳା ଚାଲିଥିଲା ଯେ ଥମିବାର ନାଁ ଧରୁ ନ ଥିଲା । ହେଲେ ବୁଢ଼ୀକୁ ଏଯାଏ ସେକଥା କିଛି ମାଲୁମ ନ ଥିଲା । ସେ ଏକଥା ବି ଜାଣି ନ ଥିଲା ଯେ ତା’ ଗାଆଁ ଏବେ ପାକିସ୍ତାନ ପଟେ । ତାକୁ ଜଣା ନ ଥିଲା ଯେ ପାକିସ୍ତାନ ଆସି ତା’ ଗାଆଁରେ ପହଞ୍ଚି ସାରିଛି! ତାଙ୍କ ଗାଆଁରେ ଆଉ କେହି ହିନ୍ଦୁ କି ଶିଖ୍ ଜୀଅଁନ୍ତା ଲୋକ ନାହାନ୍ତି । ଯେଉଁ କେଇଜଣ ଝିଅବୋହୂ ବଞ୍ôଚଛନ୍ତି, ସେମାନେ ସମସ୍ତେ ଦଙ୍ଗାକାରୀଙ୍କ କବ୍ଜାରେ । ହଠାତ୍ ବୁଢ଼ୀ ତୁଣ୍ଡରୁ ବାହାରି ପଡ଼ିଲା: ‘ଆରେ ଦୀନା, ମୋ ଛେଳିଟା କୁଆଡ଼େ ପଳେଇଚି । ତୁ ଦେଖିଚୁ କିରେ?’
ଦୀନା ମନେ ମନେ ଭାବିଲା – ଘଟଣା ଯାଇ କେଉଁଠି ମାରିଲାଣି । ବୁଢ଼ୀର ଛେଳି ଚିନ୍ତା । ତା’ ଛେଳି କୁଆଡ଼େ ଗଲା ବୋଲି ଅଣ୍ଡାଳି ହେଉଚି । ହାଉଳି ଖାଉଚି । ଏବେଳେ ଦଙ୍ଗାକାରୀମାନେ ଗାଈଗୋରୁଙ୍କୁ ମାରି ଖାଇଯାଉଚନ୍ତି । ବୁଢ଼ୀ ତା’ ଛେଳିକୁ ଖୋଜୁଚି!
ଦୀନାର ଉତ୍ତରକୁ ଅପେକ୍ଷା ନ କରି ବୁଢ଼ୀ ପୁଣି କହିଚାଲିଲା,‘ମୁଁ ଜାଣିପାରୁନି ପୋଡ଼ାମୁହାଁ ଛେଳିଟା କୁଆଡ଼େ ଚାଲିଗଲା! ମୋର ଭାରି ଦକ, ବିଚାରୀଟା ଛୁଆ ଦବ … ମୁଁ ତ ନିଜ କଥା ବୁଝିପାରୁନି । ତାକୁ ଭଲା କୁଆଡ଼େ ଖୋଜିବାକୁ ଯିବି? କେମିତି ଖୋଜି ପାଇବି? ଯଦି ତୋ ନଜରରେ କେଉଁଠି ପଡ଼ିବ, ତୁ ତାକୁ ଧରିଆଣିବୁରେ ଦୀନା । ଭଗବାନ ତୋର ମଙ୍ଗଳ କରିବେ । ତୁ ତ ଜାଣିଚୁ ବିଚାରୀଟା ଜନ୍ମ କରିବ । ଭଗବାନ କରନ୍ତୁ, ବାହାରେ କେଉଁଠି ଜନ୍ମ ନ କରୁ ।’
ଦୀନା ସେମିତି ଗୁଣୁଗୁଣୁ ହୋଇ ସ୍ୱଗତୋକ୍ତ କରିଚାଲିଥିଲା: ‘ଆଲୋ ବୁଢ଼ୀ, ତୋ ଛେଳି ଆଉ ମିଳିବନି । ତାକୁ କିଏ ମାରି ଖାଇ ସାରିବଣି । ଲୁଟତରାଜକାରୀଙ୍କ ପେଟରେ ସିଏ ହଜମ ହୋଇ ସାରିବଣି ।’
ହେଲେ ସେସବୁ କଥା କିଛି ବୁଢ଼ୀ କାନରେ ପଡ଼ୁ ନ ଥିଲା । ସିଏ ବଡ଼ ପାଟିକରି ଆଉ ଥରେ ସେଇ କଥା ଦୋହରାଇବାକୁ ଯାଉଥିଲା । କିନ୍ତୁ ତା’ର ପତ୍ନୀ ଆଖି ଠାରି ତାକୁ ବାରଣ କଲା ।
ବୁଢ଼ୀ ପୁଣି କହିବାକୁ ଆରମ୍ଭ କଲା: ‘ହେଇଟି ଦୀନା, ଇଆଡ଼େ ଚାହାଁ । ଠାକୁରଦ୍ୱାର ଦୁଆରମୁହଁରେ ମୁଁ ଏଇ ଚେନ୍ଟାକୁ ପାଇଲି । ମୁଁ ଜାଣିନି ପୋଡ଼ାମୁହାଁ ଛେଳିଟା କେମିମତି ଚେନ୍ରୁ ଖସି ପଳେଇଲା । ଏଇ ଯେଉଁ ଶିକୁଳିରେ ବନ୍ଧାହୁଏ, ସେଇଟା ଘୋରି ଢିଲା ହେଇଗଲାଣି । ଭାବିଲି ତତେ କହିବି, ସଜାଡ଼ିଦବୁ ।’
କିଛି ସମୟ ଧରି ଦୀନାର ପତ୍ନୀ ବୁଢ଼ୀକୁ କେମିତି ଏକ ବିଚିତ୍ର ଦୃଷ୍ଟିରେ ଚାହିଁ ରହିଥିଲା । ଯେମିତି ବୁଢ଼ୀ ମନେ ମନେ କିଛି ଗୋଟିଏ ଭାବୁଥିଲା ।
ଦୀନାର ସ୍ତ୍ରୀ ତାକୁ ବୁଝେଇଲାଭଳି ସ୍ୱରରେ କହିଲା, ‘ଆଲୋ ମାଉସୀ, ତୁ ଆମ ଘରେ ରହିଯାଉନୁ? ଠାକୁରଦ୍ୱାରରେ କାଇଁକି ତୁଚ୍ଛାଟାରେ ଏକୁଟିଆ ପଡ଼ିଚୁ? ଏଇ ସାଙ୍ଗେ ସାଙ୍ଗେ ପାର ଜରରୁ ଉଠିଚୁ? ତୁ ଆମ ଘରେ ତୋରି ହାତରେ ରାନ୍ଧି ଖାଇବୁ । ତୋ ନିଜ ବାସନକୁସନ ଆଣ୍ । ତୁ ହିନ୍ଦୁ ଲୋକ ନା… । ତୁଳସୀ ଫେରିଆସିଲେ ତୁ ତୋ ଘରକୁ ପୁଣି ଫେରିଯିବୁ ।’
‘ତତେ କହୁଥିଲି ପରା, ସିଏ ଅନ୍ୟ ଗାଆଁକୁ ଯାଇଚି । ରାମ ଶାହାର ଝିଅର ନିର୍ବନ୍ଧ ଲାଗି ସିଏ ନୂଆଛକକୁ ଯାଇଛି । ଆର ମାସ ପ୍ରତିପଦ ଦିନ ପ୍ରୀତୋର ବି ବାହାଘର ହେବ । ମୁଁ ଶାହାକୁ ସିଧା ସିଧା କହିଦେଇଚି, ପ୍ରୀତୋ ବାହାଘରବେଳେ ସିଏ ମତେ ମାଗଣାରେ ଗାଈଟିଏ ଦେବ । ଧନୀ ଲୋକଙ୍କ ଘରେ କ’ଣ ସବୁଦିନ ଏମିତିକା ମେଳା ମଉଚ୍ଛବ ହୁଏ? ଆଉ ଜାଣିଚୁ, ତୁଳସୀର ବି କ୍ଷୀର ଦହି ଦରକାର ।’
ବୁଢ଼ୀର କଥା ଆଡ଼େ ଧ୍ୟାନ ନ ଦେଇ ଦୀନାର ସ୍ତ୍ରୀ ତା’ ସ୍ୱାମୀଆଡ଼େ ଚାହିଁ ରହିଥିଲା । ସିଏ ଅନୁମାନ କରିପାରୁଥିଲା ଯେ ଦୀନା ତାକୁ କିଛି କହିବାକୁ ଚାହୁଁଚି । ତା’ସାଙ୍ଗରେ କିଛି ଆଲୋଚନା କରିବାକୁ ଚାହୁଁଚି । ହେଲେ ସିଏ କିଛି କହିବା ଆଗରୁ ଦୀନା କହିବାକୁ ଲାଗିଲା – ‘ମୁଁ ଜାଣିପାରୁନି, ତୁମେ କ’ଣ ଭାବୁଚ । ତଥାପି ଆମର ସେମିତି କିଛି କରିବା ଦରକାର ନାହିଁ । ମୋର ଅବଶ୍ୟ ଏଥିରେ ଆପତ୍ତି ନାହିଁ । କିନ୍ତୁ ବୁଢ଼ୀକୁ କେଉଁଠି ଲୁଚେଇ ରଖିବା? ତୋ ପୁଅମାନେ ତ ଆସି କେତେବେଳେ ପହଞ୍ଚି ଯିବେ ।
ସେମାନେ ଶୁଙ୍ଘି ଶୁଙ୍ଘି ଘରୁ ମାଛଶୁଖୁଆ ବି ବାହାର କରିଦେବେ । ତୁ ସେମାନଙ୍କଠାରୁ ବୁଢ଼ୀକୁ ଲୁଚେଇ ରଖି ପାରିବୁନି । ସବୁକଥା ସେମାନେ ଜାଣିବେ, ତା’ପରେ ସେମାନେ କ’ଣ କରିବେ ସେକଥା ତ ତୁ ଜାଣିଚୁ ।’
ଦୀନାର ସ୍ତ୍ରୀ ନେହୁରା ହେଲାପରି କହିଲା, ‘ବିଚାରୀ ଦରମଲା ବୁଢ଼ୀଟା! କେଇଟା ଦିନ ପାଇଁ ଯାହା ଆମେ ତାକୁ ଆଶ୍ରା ଦେବା । ତା’ପୁଅ ଫେରିଆସିଲେ ଆମେ ତାକୁ କୁହାବୋଲା କରି ଅନ୍ୟ କେଉଁ ଗାଆଁକୁ ପଠେଇଦେବା ।’
ଦୀନା ଚିହିଁକି ଉଠିଲାପରି ଚିତ୍କାର ଛାଡ଼ି ପଚାରିଲା, ‘କେଉଁ ଗାଆଁକୁ ପଠେଇଦେବୁ ବୋଲି ଭାବିଚୁ? ୟେ ଖଣ୍ଡମଣ୍ଡଳରେ ଏମିତି କେଉଁ ଗାଆ ଅଛି ଯେଉଁଠି ସିଏ ନିରାପଦ ରହିପାରିବ? ଆଉ ତା’ ପୁଅ… ସିଏ ଆଉ ଫେରିବନି । ଏଥର ତାକୁ ଏମିତି ଜାଗାକୁ ପଠେଇ ଦିଆଯାଇଛି, ଯେଉଁଠୁ କେହି କେବେ ଫେରନ୍ତିନି । ନୂଆଛକର ସବୁ ହିନ୍ଦୁଙ୍କୁ ସେମାନେ ହତ୍ୟା କରିଛନ୍ତି । ସେମାନଙ୍କ ଭିତରୁ କେହି ଜଣେ ସୁଦ୍ଧା ବର୍ତ୍ତିପାରିନାହାନ୍ତି ।’
ଦୀନାର ସ୍ତ୍ରୀ ଏକଥା ଶୁଣି ଏକବାରେ ତୁନି ପଡ଼ିଗଲା । ଭୟରେ ନିଜ ପାଟିରେ ତା’ଥରିଲା ଆଙ୍ଗୁଠିକୁ ଚାପି ଧରିଲା । ଧୀର ସ୍ୱରରେ କଥା କହିବାକୁ ସ୍ୱାମୀକୁ ନେହୁରା ହେଲା – ‘ତୁମେ ଟିକେ ଧୀରେ ସ୍ୱରରେ ସେଇ କଥା ପଦକ କହିଲେ ହୁଅନ୍ତାନି? ନା ତୁମେ ଚାହୁଁଚ ସବୁକଥା ବୁଢ଼ୀ ଶୁଣୁ? ତା’ପୁଅ ମରିସାରିଛି ବୋଲି ଜାଣୁ? ତା’ହେଲେ ତୁମ ମନ ଶାନ୍ତ ହେବ?’
‘ଆରେ, ତୁମେ ଦି’ଟା ଗେରସ୍ତ- ଭାରିଜା ମୋ ମୁହଁକୁ ଚାହିଁ କ’ଣ ଫୁସୁରୁଫାସୁରୁ ହେଉଚ କି? ଆରେ ଦୀନା, ତୁ ମୋ ମୁହଁକୁ କାଇଁକି ଚାହୁଁନୁ କିରେ? ମୋର ଏ ଜଞ୍ଜିରର କଢ଼ିଆଟା ସଜାଡ଼ି ଦେବାକୁ ପରା ତତେ କହୁଚି । କେଉଁ ବଡ଼ କାମଟା କହିଲି ଯେ ଏମିତି ମୁହଁ ଫୁଲଉଚୁ?’ ବୁଢ଼ୀ ଅଭିମାନଭରା ସ୍ୱରରେ କହିଲା ।
ଦୀନା ବୁଢ଼ୀର କାନ ପାଖକୁ ମୁହଁ ନେଇ ବଡ଼ ପାଟିରେ କହିଲା, ‘ଯା’, କାଲିକୁ ଆସିବୁ । ମୁଁ ସଜାଡ଼ି ଦେବି । ଆଜି ମୋ ପାଖରେ ତର ନାହିଁ । ଏବେ ତୁ ଘରକୁ ଫେରିଯା’ ।’ ବୁଢ଼ୀ ଏଥର ତା’ ଦି’ହାତକୁ ଆଣ୍ଠୁରେ ଭରାଦେଇ ଉଠୁ ଉଠୁ କହିଲା, ‘ହଉ, ତୋ ଇଚ୍ଛା, ଯାଉଚି । ଯଦି କାଲି ସଜାଡ଼ିଦେବୁ ବୋଲି କହୁଚୁ, ସେଇଆ ହେଲା । କାଲି ପୁଣି ଥରେ ଆସିବି । କିନ୍ତୁ ମୋ ଛେଳିଟାକୁ ଟିକେ ଖୋଜିବୁ । ତତେ କହିଯାଉଚି, ଦେଖିଲା ମାତ୍ରେ ତାକୁ ବାନ୍ଧି ପକେଇବୁ । ପୋଡ଼ାମୁହାଁଟା କୁଆଡେ ଯାଇ ମରିଚି କେଜାଣି!
ଭଗବାନଙ୍କୁ ଜଣା, ମୁଁ ଭଲା ତାକୁ କେଉଁଠି ଖୋଜିବି?’ ଦୀନାର ସ୍ତ୍ରୀ ତାକୁ ଅଟକେଇବା ଆଗରୁ ବୁଢ଼ି ଦାଣ୍ଡକୁ ବାହାରି ଯାଇ ସାରିଥିଲା ।
ଦୀନା ମନେ ମନେ ବିଗିଡ଼ିଯାଇ ଚିନ୍ତା କରୁଥିଲା – ବୁଢ଼ୀଟା ତା’ର କେତେ ସମୟ ଅଯଥାରେ ବରବାଦ କରିଦେଲା! ସତେ ଯେମିତି ତା’ଛାତି ଭିତରୁ କିଛି ଗୋଟିଏ ନିଆଁ ହୁଳା ଉଠୁଥିଲା । ତା’ ଦୃଷ୍ଟିରୁ ବୁଢ଼ୀର ସେ ଧୋବଫରଫର ଝୋଟ ଭଳିଆ ମୁଣ୍ଡ କେଶ କେରାକ ଓ ସେ ପେଜୁଆ ଓ ଜରୁଆ ଆଖି ଦିଓଟି ଲିଭୁନଥିଲା । ସେ ଆଖି ଦିଓଟି ସତେକି ଦୀନାର ମୁଣ୍ଡ ଭିତରେ ଦିଓଟି କଣା କରି ପ୍ରବେଶ କରୁଥିଲା! ସବୁଠୁ ବଡ଼ କଥା ହେଲା ତା’ର ସେଇ ଅଜଣାପଣ ହିଁ ଦୀନାକୁ ଅଧିକ ପୀଡ଼ା ଦେଉଥିଲା । ବାହାର ଦୁନିଆରେ କେତେ କ’ଣ ଘଟିଯାଉଛି ସେ ବିଷୟରେ ବୁଢ଼ୀ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲା ।
ତା’ପୁଅ ତୁଳସୀ ଯେ ଆଉ କେବେ ଫେରିବନାହିଁ, ପ୍ରୀତୋ କେବେ ବାହା ହୋଇପାରିବନି, ପ୍ରୀତୋକୁ ତା’ ବାପର ସବୁ ଧନ ସମ୍ପତ୍ତି ସହିତ ବସୀର ଜୋର ଜବରଦସ୍ତ ଅଟକ ରଖିଛି- ଏସବୁ ଖବର ବୁଢ଼ୀକୁ ଜଣା ନ ଥିଲା । ବସୀର କି ହୀନ କାମ କରି ନ ଥିଲା ସତରେ! କୌଣସି ସ୍ତ୍ରୀ ଲୋକର ଇଜ୍ଜତ ଉପରେ କିଏ କ’ଣ ହାତ ଥାପିପାରେ? ଜଣେ ସ୍ତ୍ରୀ ଲୋକର ଇଜ୍ଜତ ହାନି ଅର୍ଥ ସବୁ ନାରୀ ସମାଜର ସମ୍ମାନହାନି!
ଦୀନା ଆଖି ସାମ୍ନାରେ ଏକ ଭୟଙ୍କର ଦୃଶ୍ୟ ନାଚି ଉଠିଲା । ପ୍ରୀତୋ ତା’ ବାପାର ଶବକୁ ଜାବୁଡ଼ି ଧରି ଚିତ୍କାର ଛାଡ଼ି କାନ୍ଦୁଛି । ବସୀର ତା’ ମୁଣ୍ଡର କେଶକୁ ଭିଡ଼ିଧରି ତାକୁ ଘୋଷାରି ଘୋଷାରି ନେଇଯାଉଛି । ପ୍ରୀତୋ ତା’ ଗୋଡ଼ ଧରି ନେହୁରା ହେଉଛି, ବିକଳରେ ରଡ଼ି ଛାଡ଼ୁଛି, କାନ୍ଦୁଛି । ହେଲେ ବସୀର ତାକୁ ସେମିତି ଘୋଷାରି ଘୋଷାରି ନେଇ ଚାଲିଛି… ହଠାତ୍ ପ୍ରୀତୋ ତୁନି ପଡ଼ିଗଲା ।
କେମିତି ଏକ ଅପ୍ରତ୍ୟାଶିତ ନୀରବତା ବିରାଜମାନ କଲା । ସେ ନୀରବତା ଲାଗୁଥିଲା ଠିକ୍ ବଳି ପଡ଼ିବା ଆଗରୁ ନିରିହ ମେଷଶାବକଟିଏ ଯେମିତି ଡରିହରି ତୁନି ପଡ଼ିଯାଏ! ଆଉ ସିଏ, ବସୀରର ବାପା, ଗୋଟିଏ କଡ଼କୁ ବସି ଏସବୁ ଦୃଶ୍ୟକୁ ଲକ୍ଷ୍ୟ କରି ଚାଲିଥିଲା । ବସୀରକୁ ସେ ବାରଣ କରି ନ ଥିଲା । ତା’କାନ୍ଧକୁ ଭିଡ଼ିଧରି ତାକୁ ଅନ୍ୟ ଆଡ଼କୁ ଟାଣି ନେଇ ନ ଥିଲା । ତାକୁ ଟାଣିନେଇ ତଳେ ଫିଙ୍ଗିଦେଇ ନ ଥିଲା । ଗୋଟିଏ ଝିଅର ଇଜ୍ଜତକୁ ବଞ୍ଚାଇବା ଲାଗି ସେ କିଛି ବୋଲି କିଛି କରି ନ ଥିଲା । ପୁଣି ଥରେ ପ୍ରୀତୋର ସେଇ ଶେତା ଓ ଭୟମିଶା ମୁହଁଟା ଦୀନା ଆଖି ଆଗରେ ନାଚିବାକୁ ଲାଗିଲା । ତା’ କାନରେ ପ୍ରତିଧ୍ୱନିତ ହେଉଥିଲା ପ୍ରୀତୋର ଆକୁଳ କାନ୍ଦଣା । ଏକପ୍ରକାର ହୃତ୍କମ୍ପ ତାକୁ ଗୋଟାପଣେ ଆଚ୍ଛନ୍ନ କରି ରଖିଥିଲା, ଯେମିତି ଏମିତି ଥରି ଥରି ତା’ର ପ୍ରାଣ ଚାଲିଯିବ । ତାକୁ ଲାଗୁଥିଲା, ନିଆଁ ସ୍ବର୍ଶରେ ପଡ଼ି ଜଳନ୍ତା ଅଙ୍ଗାର ଭଳି ଦିଶୁଥିବା ଲାଲ ଟକଟକ ଲୁହାକୁ ହାତରେ ଧରିଲେ ଯେମିତି ସେ ଥରା ବନ୍ଦ୍ ହେବ! ହେଲେ ତା’ ମୁଣ୍ଡ ଭିତରଟା ଏମିତି ଜଳିଲାଭଳି କାହିଁକି ଲାଗୁଛି? ଯେମିତି ଭାଟିର ସବୁ ନିଆଁ ତା’ ମୁଣ୍ଡ ଭିତରେ ପଶି ଯାଇଛି! ଦୀନା ଦି’ହାତରେ ନିଜ ମୁଣ୍ଡକୁ ଭିଡ଼ି ଧରିଲା ଓ ପର ମୁହୂର୍ତ୍ତରେ ଯେମିତି ସବୁ ନିଆଁ ତା’ ଆଞ୍ଜୁଳାକୁ ଚାଲିଆସିଲା ।
ଦୀନାକୁ ଶଳଗୁଥିଲା ସିଏ ଧୀରେ ଧୀରେ ପାଗଳ ହୋଇଯାଉଛି । କିଛି ଗୋଟିଏ ଗୁରୁତର କାଣ୍ଡ ସିଏ କରିବସିବା ଭଳି ଲାଗୁଥିଲା । ସେ ପଳେଇବ, ଏସବୁ କାଣ୍ଡଠାରୁ ଢେର୍ ଦୂରକୁ ପଳେଇଯିବ । ପର ମୁହୂର୍ତ୍ତରେ ଝର୍କା ଖୋଲି ଦୀନା ପଦାକୁ ଡେଇଁପଡ଼ିଲା ।
ଢେର୍ ସମୟ ପର୍ଯ୍ୟନ୍ତ ଦୀନା ସେଇ କ୍ଷେତ ଭିତରେ ମନଇଚ୍ଛା ଘୂରିବୁଲିଲା । ସେତେବେଳକୁ ସନ୍ଧ୍ୟା ଆଗତପ୍ରାୟ । ଦୂର ଦିଗ୍ବଳୟରେ ଯେମିତି କିଏ ସୂର୍ଯ୍ୟଙ୍କୁ ହତ୍ୟା କରିଛି! ଆକାଶସାରା ନିରୀହ ସୂର୍ଯ୍ୟଙ୍କ ରକ୍ତ ଛିଟିକି ପଡ଼ିଛି! ସେ ରକ୍ତ ନଦୀ ଓ ଝରଣାର ପାଣିରେ ମିଶି ତାକୁ ମଧ୍ୟ ରଙ୍ଗିନ କରିପକାଇଛି! ରକ୍ତଛିଟା ପଡ଼ିଥିବା ସେ ଆଖୁକୁ ଆଉ କେହି କ’ଣ ଖାଇବେ? ନା ରକ୍ତରେ ଉପୁଜିଥିବା ତୁଳାର କପଡ଼ାକୁ କେହି ପିନ୍ଧିବେ? ଏଭଳି ଏକ ରକ୍ତାକ୍ତ ଋତୁ ପରେ କ୍ଷେତରୁ କିପ୍ରକାର ଫସଲ ଉପୁଜିବ?
ସେ ରକ୍ତର ଛିଟା ସବୁ କିଛିକୁ ଲାଲ କରି ପକାଇଥିଲା । ଦୀନା ଗଢ଼ିଥିବା ଟାଙ୍ଗିଆରେ ହିଁ ଏଭଳି ରକ୍ତର ହୋଲି ଖେଳାଯାଇଥିଲା । ଏଭଳି ନାରକୀୟ କାଣ୍ଡ ଘଟିଥିଲା । ହାଡ଼ ଓ ମାଂସରେ ଉପୁଜିଥିବା ଏସବୁ ଶଓ୍ୟ ସେଇମାନେ ଖାଇବେ ଯେଉଁମାନେ ସେପରି ସଂହାରଲୀଳାରୁ ବର୍ତ୍ତି ଯାଇଥିଲେ । ସେ ଟାଙ୍ଗିଆ ଚୋଟରୁ ରକ୍ଷା ପାଇଥିଲେ । ଆଉ ଯେଉଁ କେଇଜଣ ବର୍ତ୍ତି ଯାଇଥିଲେ ଏବେ ଦୀନା ସେଇମାନଙ୍କ ସକାଶେ ନୂଆ ନୂଆ ଟାଙ୍ଗିଆ, ଫାର୍ଶା ଓ ବର୍ଚ୍ଛ ବନଉଥିଲା । ଆସନ୍ତାକାଲି ରାତିସୁଦ୍ଧା ସେମାନେ ବି ଦଙ୍ଗାର ଶିକାର ହେବେ ।
ଦୀନା ମନେ ମନେ ଭାବିଲା – ସିଏ ହିଁ ଅସଲ ଅପରାଧୀ । ଅତି ମାତ୍ରାରେ ଅପରାଧୀ । ଗୁରୁତର ଅପରାଧୀ । ତା’ସ୍ତ୍ରୀ ସତ କଥା କହୁଥିଲା । ଅନ୍ତତଃ ପକ୍ଷେ, ଦଙ୍ଗାକାରୀଙ୍କ ହାତରେ ନୂଆ ହାତ ହତିଆର, ମାରଣାସ୍ତ୍ର ନ ବଡ଼ିବା କଥା । ତଥାପି ତା’ ପାପ ଲିଭିବନି । କିନ୍ତୁ ସିଏଭ ଲା ଆଉ କ’ଣ କରିପାରିଥାନ୍ତା? ଏବେ କ୍ଷେତସାରା ଦୀନା ଦୌଡ଼ୁଥିଲା । ଠିକ୍ କାଳିଶୀ ଲାଗିଲା ପରି… ଗାଆଁମୁହାଁ । ମସୀର ଓ ତା’ ସାଥିମାନେ ସେସବୁ ଟାଙ୍ଗିଆ ନେଇଯିବା ଆଗରୁ ତାକୁ ଘରେ ପହଞ୍ଚିବାକୁ ପଡ଼ିବ । ଯେମିତି ହେଲେ… ସେସବୁ ଟାଙ୍ଗିଆକୁ ଦୀନା ଲୁଚାଇ କୂଅରେ ପକେଇଦେବ । ବସୀର କି ତା ସାଥୀମାନେ ଆଉ ଖୋଜି ପାଇବେନି ।
ଦୀନା ଗାଆଁରେ ପହଞ୍ଚିଲା ବେଳକୁ ପୂରାପୂରି ଅନ୍ଧାର ହୋଇ ସାରିଥିଲା । ଆକାଶର ନିଷ୍ପ୍ରଭ ଚନ୍ଦ୍ରକିରଣରେ ଗଳି ଭିତରେ ତା’ ଘରଟା ଆହୁରି ଅସ୍ପଷ୍ଟ ଲାଗୁଥିଲା । ଗଲା କାଲି ରାତିର ବର୍ଷା ଗଳି ରାସ୍ତାକୁ ଗୋଟାପଣେ କାଦୁଆ କରି ପକାଇଥିଲା । ସେଇ କାଦୁଅରେ ପାଦ ଚିପି ଚିପି ଅନ୍ଧାର ଭିତରେ ଦୀନା ତା’ ଘରଆଡ଼େ ଧପାଳିଥିଲା । ହଠାତ୍ ତା’ପାଦ ଥମିଗଲା । ଅଳ୍ପ ଦୂରରୁ କାହାର ଚାପା କଣ୍ଠସ୍ୱର ଶୁଭୁଥିଲା । ବୋଧହୁଏ ତା’ରି ଘରୁ । ସେମାନେ ପହଞ୍ଚି ସାରିଲେଣି ନା କ’ଣ? ବସୀରର ସେ ଛାତିଥରା ହସର ପ୍ରତିଧ୍ୱନି ଦୀନା କାନରେ ବାଜିଲା । ତାଙ୍କରି ଘର ସାମ୍ନା ଦାଣ୍ଡରେ କିଛି ଗୋଟିଏ ଭାରି ଜିନିଷକୁ ଝୁଣ୍ଟି ଦୀନା ସେଇ କାଦୁଅରେ ମୁହଁମାଡ଼ି କଚାଡ଼ି ହୋଇପଡ଼ିଲା । ସେ ଉଠିବାକୁ ଚାହିଁଲା, କିନ୍ତୁ ପାରିଲାନି । କାହାର ବରଫ ପରି ଥଣ୍ଡା ହାତମୁଠା ତା’ ଗୋଡ଼କୁ ଜାବୁଡ଼ି ଧରିଥିଲା । ଦୀନା ହଠାତ୍ ଡରି ଛାନିଆ ହୋଇଗଲା । ତା’ ଛାତି ଥରିଉଠିଲା । ଦେହରୁ ଝାଳଟାଏ ବୋହିଗଲା । ଗୋଟିଏ ହୋସ୍ରେ ସେ ବୁଲିପଡ଼ି କିଏ ତା’ ପାଦକୁ ଜାବୁଡ଼ି ଧରିଛି, ସେକଥା ଜାଣିବାକୁ ଚାହିଁଲା । ଝାପ୍ସା ଜହ୍ନ ଆଲୁଅରେ ତାକୁ କେବଳ ଦିଶିଲା ଏକ ଅସ୍ପଷ୍ଟ ଚେହେରା ଯାହା ମୁଣ୍ଡରେ କେରାଏ ଧୋବ ଫରଫର କେଶ ।
ଦୀନାକୁ ଚିହ୍ନିବାକୁ ବାକି ରହିଲାନି ଯେ ସେ ଚେହେରାଟି କାହାର । ପର ମୁହୂର୍ତ୍ତରେ ଦିଶିଲା – ବୁଢ଼ୀ କପାଳରେ କେହି ଜଣେ ସଦ୍ୟ ଟାଙ୍ଗିଆ ଚୋଟଟିଏ ପକାଇଛି । ଦେହସାରା ରକ୍ତ ଜୁଡ଼ୁବୁଡ଼ୁ । ଧୀରେ ଧୀରେ ଦୀନା ସାମ୍ନାରେ ବୁଢ଼ୀର ମୁହଁ ଆହୁରି ସ୍ପଷ୍ଟ ହେଉଥିଲା । ସେ ଦେଖି ପାରୁଥିଲା- ବୁଢ଼ୀ ଆଖିର ସେ ମୁଦ୍ରାକୁ – ଅଭିଶାପର ମୁଦ୍ରା । ଦୀନା ଚାହିଁଲା ନିଜ ଗୋଡ଼ଆଡ଼େ । ସତେ ଯେମିତି ବୁଢ଼ୀର ହାତମୁଠା ତା’ର ଗୋଡ଼ରେ ଶିକୁଳି ପକାଇ ଦେଇଥିଲା! ଦୀନା ଏକ ଆର୍ତ୍ତ ଚିତ୍କାର ଛାଡ଼ିଲା । ସେ ଚିତ୍କାର ସାରା ଗାଆଁର ନିସ୍ତବ୍ଧତା ଓ ଅନ୍ଧାରକୁ ସତେ ଯେମିତି ଚିରି ବିଦାରି ପକାଇଲା! ପର ମୁହୂର୍ତ୍ତରେ ସେ ସଂଜ୍ଞାହୀନ ହୋଇ ପଡ଼ିଗଲା । ସେଦିନ ରାତିସାରା ଦୀନା ଖଇଫୁଟା ଜରରେ କମ୍ପିଲା । ଖଟଟା ଉପରେ ପଡ଼ି ବାଉଳିଚାଉଲି ହେଲା । ମଝିରେ ମଝିରେ ସେମିତି ଥରେ ଥରେ ଚିତ୍କାର ଛାଡ଼ୁଥିଲା । ଗାଆଁସାରା ଲୋକଙ୍କ କାନରେ ସେ ଚିତ୍କାର ପଡ଼ୁଥିଲା ।
‘ମତେ ମାରନା… ମତେ ଟାଙ୍ଗିଆରେ ହାଣନା… ଏ ହାରଟା ନେଇଯାଅ… ଆରେ ମୋ ଝିଅକୁ ଉଠେଇ ନିଅନାରେ ଅଳପେଇଶାମାନେ! ଆଲୋ ପ୍ରୀତୋ! ତା’ ଇଜ୍ଜତ ଲୁଟନାରେ ରଇଜଲାମାନେ… ମୋ ହାତଗୋଡ଼ କାଇଁକି ବାନ୍ଧୁଚରେ ବାଡ଼ିପଡ଼ାଏ… ତୁମକୁ ଆଲ୍ଲାଙ୍କ ରାଣ! ମନେ ମାରନା… ଟାଙ୍ଗିଆରେ ହାଣନାରେ… ମତେ ମାରନା…!’
-ଠ-ଠ-
ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩
Comments are closed.