Latest Odisha News

ଅନୁବାଦ କବିତା : ଯାହା ପଛରେ ପଡ଼ିଲେ କୁକୁର

ମୂଳ ହିନ୍ଦୀ : ଗୀତ ଚତୁର୍ବେଦୀ
ଅନୁବାଦ : ସରଳ କୁମାର ଦାସ

ତା’ ବାଳ ଅବିନ୍ୟସ୍ତ ଥିଲା, ଦାଢି ଝୁଲୁଥିଲା
ଲୁଗା ମଇଳା ଥିଲା, ହାତରେ ଥିଲା ଥଳି …
ତା’ ରୂପର ବର୍ଣ୍ଣନା କେତେ ଥର
କାହାଣୀରେ, କବିତାରେ, ଲେଖାରେ, ଅଫବିଟ ଖବରରେ ହେଇସାରିଛି
ଯାହା ଆଧାରରେ
ସେ ଦୀନ-ହୀନ କିସମର ପାଗଳ ପରି ଲାଗୁଥିଲା
ଆଉ ପଡି ଉଠି ଚାଲୁଥିଲା
ଆଉ ବୋଧେ କାମ ସାରି ଘରକୁ ଫେରୁଥିଲା
ଯେଉଁ ରାସ୍ତାରେ ସେ ଚାଲୁଥିଲା
ସେଠି ଆହୁରି ବି ଲୋକ ଥିଲେ
ବେଗର କ୍ରାନ୍ତି କରୁଥିବା ସ୍କୁଟର, ବାଇକସ୍
ଆଉ ଦ୍ରୁତ ସଙ୍ଗୀତକୁ ବାହାରକୁ ଫିଙ୍ଗି ଚାଲିଥିବା କାରମାନ ଥିଲେ
ଆଗରେ ଉଜ୍ଜ୍ୱଳ ଆଲୋକରେ ସିକ୍ତ ସଞ୍ଚାରକ୍ରାନ୍ତିର ସୋ-ରୁମ ଥିଲା
ପାଖରେ ସୂଚନାକ୍ରାନ୍ତି କରୁଥିବା ଛାଇ ଅନ୍ଧାରରେ ସମ୍ୱାଦପତ୍ର ଭବନ
ତଥାପି ସେହି ରାସ୍ତାରେ କୌଣସି କ୍ରାନ୍ତି ନ ଥିଲା
ଖାଲ ଥିଲା, କାଦୁଅ ଥିଲା, ଗେଟି ଆଉ ବାଲି ଥିଲା
ଏତେ ସବୁ ଜିନିଷ ଥିଲା ହେଲେ କାହାରି ଧ୍ୟାନ

ତା’ ଉପରେ ନ ଥିଲା ଖାଲି ସେଠିକା କୁକୁରମାନଙ୍କୁ ବାଦ ଦେଇ
ସେମାନେ ତାକୁ ଦେଖି କାହିଁକି ଭୁକିଲେ
କାହିଁକି ତାକୁ ବହୁତ ସମୟ ଧରି ଭୁକି ଚାଲିଲେ
କାହିଁକି ଅନେକ ସମୟ ଧରି ଭୁକି ଗୁଡେ ବାଟ ଖେଦି ନେଇଗଲେ
କାହିଁକି ଚୁପଚାପ ନିଜ ରାସ୍ତାରେ ଯାଉଥିବା ଲୋକଟିକୁ ଅସ୍ତବ୍ୟସ୍ତ କରି ଦେଲେ
ଯାହାଠାରେ ସନ୍ଥଙ୍କ ପରି ନିର୍ବଳତା, ଗରିବଙ୍କ ପରି ନିରୀହତା
ଈଶ୍ୱରଙ୍କ ପରି ନିସ୍ପୃହତା ଆଉ ମଦୁଆଙ୍କ ପରି ନମନୀୟତା ଥିଲା
କାହାରି କ୍ଷତି ପହଞ୍ଚାଇବା କ୍ଷମତା ଥିବା ଲୋକଙ୍କ
ଏକାଦଶଟିଏ ତିଆରି କଲେ ଯାହାକୁ
ସବଷ୍ଟିଚ୍ୟୁଟ ଭଳି ରଖିବାକୁ ବି ପସନ୍ଦ କରୁ ନ ଥିବା କେହି
ଏମିତି ଏକ ବେକାରିଆ ଲୋକକୁ କାହିଁକି ଭୁକିଲେ କୁକୁରମାନେ
କୁକୁରମାନଙ୍କ ଭୁକିବା ଅତି ସାଧାରଣ ଘଟଣା
ସେମାନେ କେବେ ବି ଆଉ ଯେ କୌଣସି ମୁହୂର୍ତ୍ତରେ ଭୁକି ପାରନ୍ତି
ଯିଏ ଘରେ ବନ୍ଧା ହେଇଥାଆନ୍ତି ଦି’ ବେଳା ଖାଇବାକୁ ପାଆନ୍ତି
ଆଉ ଯାହାଙ୍କୁ ସଞ୍ଜବେଳେ ଟଟି କରାଇବା ଲାଗି
ରାସ୍ତା ବା ପାର୍କକୁ ବୁଲାଇ ନିଆଯାଏ
ଭୁକି ନିଜ ବିଶ୍ୱସ୍ତତା ଜାହିର କରିବାର ସେମାନଙ୍କ ଅସୁମାରି ଗାଥା ରହିଛି
କିନ୍ତୁ ଯାହାଙ୍କର ମାଲିକ ବୋଲି କେହି ନ ଥାଆନ୍ତି
ସେମାନଙ୍କର ବିଶ୍ୱସ୍ତତା ସହ କି ସମ୍ପର୍କ
ଯିଏ ରାସ୍ତାରେ ହିଁ ପ୍ରତିପାଳିତ ହେଉଥାଆନ୍ତି
ସେହି କୁକୁରମାନେ ଶେଷରେ କ’ଣ ଜାହିର କରିବାକୁ ଭୁକନ୍ତି
ଇଏ ସେମାନଙ୍କର ଗୋଟେ ଖୁସି ନା
ନିଜ ଧୂନରେ ମତ୍ତ କାହାରି ଧୂନ ପ୍ରତି ସେମାନଙ୍କର ଈର୍ଷା
ସେମାନେ କେଉଁ ପୁରୁଣା ରାଗ ଶୁଝାଇବାକୁ ଚାହୁଁଥାଆନ୍ତି ନା
ଲଫଙ୍ଗାଙ୍କ ପରି ଖାଲି ବାତରାମି କରୁଥାଆନ୍ତି
ଏ କଥା ମାନିଲି ମୁଁ ଯେ

ଗୋଟେ ଲୋକ ଭଲ ଲୁଗା ପିନ୍ଧି ନ ପାରେ
ସେ ନିଜ ଦେହକୁ ସଜାଇ ରଖି ନ ପାରେ
ତା’ର ବିଚାରବୁଦ୍ଧି ତାକୁ ବାରମ୍ୱାର ଦଗା ଦେଇ ଥାଇପାରେ
କିନ୍ତୁ ଇଏ ତ ଆଉ ସେ ଭଳି କିଛି ଦୋଷ ନୁହେଁ
ପ୍ରିୟ କୁକୁରମାନେ
ଯେ ତମେମାନେ ତା’ ପଛରେ ପଡିଯିବ
ଆଉ ଭୁକି ଭୁକି ଅନ୍ତରୀକ୍ଷ ଯାଏଁ ଖେଦି ଯିବ
ଶେଷରେ କିଏ ଦିଏ ତମକୁ ଏ ବୁଦ୍ଧି
କାହାକୁ ଭୁକା ଯିବ ଆଉ
କାହା ସହିତ ରଜାପୁଅ ପରି ଶେକ ହ୍ୟାଣ୍ଡ କରାଯିବ
ଯିଏ ନିଜ ଚେହେରାରେ ଏଇ ଦୁନିଆର ସୁନ୍ଦରତାକୁ ବଢାଇ ପାରେନି
ଏମିତିଙ୍କ ସଙ୍ଗେ କେଉଁ ଜନ୍ମର ଶତୃତା ଅଛି ଭାଇ
ଇଏ ଭୁକିବାର ଭୋକ ନା ତିରସ୍କାରର ଶୋଷ
ନା ଇଏ ଭୟ ଯେ ରାସ୍ତାର କେହି ଜଣେ
ତମ ରାସ୍ତାରୁ ନିଜ ଭାଗ କହି ମାଡି ନ ବସୁ ବୋଲି
ଯାହା ପଛରେ ପଡିଲେ କୁକୁର
ତାକୁ ତ ସମାଜ ପ୍ରଥମରୁ ହିଁ ବାହାରର ରାସ୍ତା ଦେଖାଇ ସାରିଥିଲା
ତାକୁ ଆଉ ଦୁଇ ଫର୍ଲଙ୍ଗ ତଡି ଦେବା କାହା ସ୍ୱାର୍ଥରେ
ତା’ ହାତରେ ଥଳି ଥିଲା
ଯେଉଁଥିରେ ଘର ପାଇଁ ସଉଦା ଆଣିଥିବ
ସେ ଭାବୁଥିବ ଆଗାମୀ କାଲିର ମୂଲର କଥା
କେଉଁ ଖାମଖିଆଲିରେ ତା’ର ଗୋଟେ ପାଦ ପଡିଯାଇଥିବ ଭୁଲରେ
ଆଉ ତମେ ସବୁ ତା’ ଉପରକୁ ଏକାଥରେ ଝପଟି ଆସିଲ
ଯାହା ଉପରେ ବ୍ୟସ୍ତ ରାସ୍ତାର କୌଣସି ବ୍ୟକ୍ତି ଧ୍ୟାନ ଦିଏନି
ତଥାପି ଆମ ସମୟର ନିୟନ୍ତାଙ୍କ ଲକ୍ଷ୍ୟରେ
ଯେ ଥାଏ ପ୍ରତି ମୁହୂର୍ତ୍ତରେ
କୁକୁରମାନେ, ତମେ ବି ତା’ ଉପରେ ଧ୍ୟାନ ଦିଅ ଏତେ ବେଶି

ଯେ ସେ ଲାଜରେ ଝାଉଁଳି ଯାଇପାରେ
ଆଉ ଏଇ ଅନୁଭବ ହିଁ ଆପେଆପେ କରିଦିଏ କେତେ ନିରାଶ
ଯେ ଯାହା ପଛରେ ପଡନ୍ତି କୁକୁର
ସେ ସେହି ଲାଏକ ହେଇଥାଏ

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ,
ଭୁବନେଶ୍ଵର -୭୫୧୦୧୨
ମୋ. ୯୪୩୭୦୩୮୦୧୫

( ମୁମ୍ୱଇଠାରେ ୧୯୭୭ରେ ଜନ୍ମିତ ଗୀତ ଚତୁର୍ବେଦୀ ସାମ୍ପ୍ରତିକ କାଳର ଜଣେ ଅଗ୍ରଣୀ ହିନ୍ଦୀ ଲେଖକ । ଏ ଯାଏଁ ତାଙ୍କର 11ଟି ପୁସ୍ତକ ପ୍ରକାଶ ପାଇଛି ଯେଉଁଥିରେ ୨ ଟି ଉପନ୍ୟାସ ଓ ୩ ଟି କବିତା ସଙ୍କଳନ ପୁସ୍ତକ ରହିଛି । ତାଙ୍କ କବିତା ପୁସ୍ତକ ‘ନ୍ୟୂନତମ ମୈଁ’ ଓ ‘ଖୁସିୟୋଁ କେ ଗୁପ୍ତଚର’ ସର୍ବାଧିକ ବିକ୍ରି ହୋଇଥିବା ହିନ୍ଦୀ ବହି ତାଲିକାରେ ସ୍ଥାନ ପାଇଛି । ତାଙ୍କ ରଚନା ୨୨ଟି ଭାଷାରେ ଅନୁଦିତ ହୋଇଛି । ତାଙ୍କର ଉପନ୍ୟାସିକା ‘ସିମସିମ’ର ଇଂରାଜୀ ଅନୁବାଦ ପାଇଁ ଅନୁବାଦିକା ଅନୀତା ଗୋପାଳନଙ୍କୁ ସମ୍ମାନଜନକ ‘ପେନ-ହେମ ଟ୍ରାନ୍ସଲେସନ ଗ୍ରାଣ୍ଟ’ ମିଳିଥିଲା । ଅଧୁନା ଗୀତ ଭୋପାଲଠାରେ ଅବସ୍ଥାନ କରୁଛନ୍ତି । ଏହା ତାଙ୍କର ଚର୍ଚ୍ଚିତ କବିତା ‘ଜିସକେ ପିଛେ ପଡେ କୁତ୍ତେ’ର ଓଡ଼ିଆ ଅନୁବାଦ )

Comments are closed.