Latest Odisha News

BREAKING NEWS

ଅନୁବାଦ କବିତା : ଛାଡ଼ପତ୍ର

ବିଶ୍ୱ ଅନୁବାଦ ଦିବସ ଉପଲକ୍ଷେ…..

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ 

ଭୁମିଷ୍ଠ ହେଲା ଯେ ଶିଶୁ ଆଜି ଏ ରାତିରେ
ତା ମୁହଁରୁ ପାଇଲି ଖବର
ସେ ପାଇଛି ଏକ ଛାଡ଼ପତ୍ର
ନୂଆ ବିଶ୍ୱ ଦରବାରେ କରେ ତେଣୁ
ଜାହିର ସେ ଅଧିକାର ତା’ର
ଜନ୍ମହେଲା ମାତ୍ରେ ଏକ ତୀବ୍ର ଚିତ୍କାରରେ ।

ଖର୍ବ ଦେହ, ନିଃସହାୟ କିନ୍ତୁ ତା’ର ହାତ
ଉତ୍ତୋଳିତ ଉଦଭାସିତ
କେଉଁ ଏକ ଦୁର୍ବୋଧ୍ୟ ଶପଥେ
କେହି ବୁଝୁନାହିଁ ତା’ର ଭାଷା
କିଏ ହସେ , କିଏ କରେ ମୃଦୁ ତିରସ୍କାର।

ମୁଁ କିନ୍ତୁ ମନେ ମନେ ବୁଝୁଛି ବକ୍ତବ୍ୟ ତା’ର
ପାଇଛି ନୂତନ ଚିଠି , ଆସନ୍ନ ଯୁଗର
ପରିଚୟ ପତ୍ର ପଢି ଭୁମିଷ୍ଠ ଶିଶୁର
ଅସ୍ପଷ୍ଟ କୁହେଳି ଭରା ଧୂମାଭ ଆଖିରେ।

ଆସିଛି ନୂତନ ଶିଶୁ , ଛାଡ଼ିବାକୁ ତାକୁ ସ୍ଥାନ
ଆମକୁ ଯିବାକୁ ହେବ
ଛାଡ଼ି ଏବେ ଧ୍ୱଂସପ୍ରାୟ ପୃଥିବୀକୁ
ଯାହା ଆଜି ବ୍ୟର୍ଥ , ମୃତ ଆଉ ଜରାଜୀର୍ଣ୍ଣ ।

ଯିବାତ ନିଶ୍ଚିତ , ହେଲେ ପ୍ରାଣ ଅଛି ଯେତେଦିନ
ହଟାଇବା ଧରଣୀର ସମସ୍ତ ଜଞ୍ଜାଳ ଦେଇ ମନପ୍ରାଣ
ଏ ବିଶ୍ୱକୁ କରିବି ମୁଁ ବାସଯୋଗ୍ୟ ନୂତନ ଶିଶୁର
ନବଜାତକର ଲାଗି ଏହା ମୋର ଦୃଢ଼ ଅଙ୍ଗୀକାର ।

ଅବଶେଷେ ସବୁକାମ ସାରି
ଆଶୀର୍ବାଦ କରିଯିବି ନୂତନ ଶିଶୁକୁ
ଦେଇତାକୁ ମୋ ଦେହର ସମସ୍ତ ରକତ
ତା’ପରେ ମୁଁ ହେବି ଇତିହାସ।

ଓଡ଼ିଆ ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.