Latest Odisha News

ଅନୁବାଦ କବିତା : ମୟୂରପଙ୍ଖୀ

ମୂଳ ବଙ୍ଗଳା : ସୁବୋଧ ସରକାର
ଅନୁବାଦ : ସରଳ କୁମାର ଦାସ
ଝିଅ ହେଇଥିଲେ କି ନାମ ରଖିଥାନ୍ତ
କି ନାମ … କି ନାମ …
କି ନାମ ରଖିଥାନ୍ତି … ମୟୂରପଙ୍ଖୀ …;
ଅତି କମରେ ଊଣେଇଶ ଜଣ କବି ଲେଖକ ଅଧ୍ୟାପକ
କହିଛନ୍ତି
ବୁଝିଲ …ଗୋଟେ ପୁଅ ପୁଅ ନୁହେଁ
ତମର ଗୋଟେ ଝିଅ ଦରକାର
ପୁଅ ଖରାପ ହେଲେ ବିପଦ
ପୁଅ ଭଲ ହେଲେ ବି ବିପଦ
ଖରାପ ହେଲେ ସାହି ସାରା ଅଭିଶାପ ଦେବେ
ଭଲ ହେଲେ ଆମେରିକା ନେଇଯିବ
ଝିଅ ହେଲେ ନାମ ରଖିଥାନ୍ତି ମୟୂରପଙ୍ଖୀ
ଭୁଲ କହିଲି … କହିବାକୁ ହେବ ନାମ ରଖିବି ମୟୂରପଙ୍ଖୀ
ଛୋଟ ଛୋଟ ପାଦ … ଛୋଟ ଛୋଟ ହାତ
ଟଳମଳ କରି ଆଗେଇ ଆସୁଛି ସେ ମୋ ଆଡକୁ
ମୟୂର … ମାଆ ତୁ ମୋତେ ଭଲ ପାଇବୁ ତ
ଛାଡି ଯିବୁନି ତ
ଆପ୍ଲାଏ କରିଛ ? ପଚାରିଲେ ସମସ୍ୱରରେ ତିନିଜଣ
ମୁଁ କହିଲି ଦେଖି ବି ଆସିଛି

ଯେ କେଉଁ ଦିନ ହୋମରୁ ଟେଲିଫୋନ ଆସିଲେ
ଧାଇଁ ଯାଇ ତୋଳି ଆଣିବି ମୟୂରପଙ୍ଖୀକୁ
ଚୁମାଦେଇ ଦେଇ ତାକୁ କୋଳେଇନେବି
ସେ ତା’ର ଚାରିବର୍ଷର ଭାଇ ରୋରୋବାବୁ ସହ
ଗୁଞ୍ଜିଗାଞ୍ଜି ହୋଇ ଶୋଇଥିବ
ଆପ୍ଲାଏ କରିଛ ? ମାତ୍ର ଦୁଇଟି ଶବ୍ଦ
ଦୁଇଟି ଧ୍ୱନି ଏତେ ତୀକ୍ଷ୍ଣ କେବେ ବି ଲାଗିନି
ରାତ୍ରିର ନିଦ ଭିତରେ ବହୁ ଦୂରରୁ ପ୍ରତିଧ୍ୱନିରେ
ସେ ପଚାରିଲା
ଆପ୍ଲାଏ କରିଛ ? ମୋ ପାଇଁ ତମେ ଆପ୍ଲାଏ କରିଛ ?
ହାଓଡା, ସିଆଲଦା, ଚୌରଙ୍ଗି,
କାଲିଘାଟ, ଶୋଭାବଜାର ଫୁଟପାଥରୁ
ଛୋଟ ଛୋଟ କଷି ହାତ
ହଜାର ହଜାର ହାତ ଉଠି ଆସିଲେ ନିଦ ଭିତରେ
ମୋ ପାଇଁ ତମେ ଆପ୍ଲାଏ କରିଛ ?
ବାକି ରାତି ଉଠି ବସିରହିଲି
ମୋ’ ଆଗରେ ପାହାନ୍ତା
ଫୁଟପାଥ ଆଉ ଫୁଟପାଥ, ଶୋଇ ରହିଛନ୍ତି
ଏକ ଭାରତବର୍ଷ ମୟୂରପଙ୍ଖୀ
ଆମେ କ’ଣ ପାରିବାନି, ହୋମରୁ ରାସ୍ତାରୁ ଫୁଟପାଥରୁ
ଗୋଟିଏ କରି ମୟୂରପଙ୍ଖୀ ଘରକୁ ନେଇ ଆସି ପାରିବାନି କି ?

ଭୁବନେଶ୍ୱର
ମୋ. ୯୪୩୭୦୩୮୦୧୫
saral_das@yahoo.co.in

 

Comments are closed.