ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୭

କିଏ ସିଏ  ? ସବୁ ପ୍ରତିକ୍ରିୟାକୁ ଲୁଚେଇ ଦିଦି କହିଲା। ଭାରି ସୁନ୍ଦର ସେ ନିଜକୁ ଲୁଚେଇପାରେ।

: ଚିହ୍ନିନ ତାଙ୍କୁ ଅବିଶ୍ବାସମିଶା ଗଳାରେ ପ୍ରଶ୍ନ।

:ନା, ଉତ୍ତର ଫେରେଇଲା ଦିଦି।
ଫେରିଗଲେ ସେଇଠୁ ମିସେସ ଛୋଟରାୟ ଚରମ  ଅସନ୍ତୋଷ  ,ଭଙ୍ଗା ମନ ଓ ଅତୃପ୍ତ ହୃଦୟ ନେଇ। ଦିଦି ରାଗ ତମତମ ହୋଇ  ଆପେଆପେ କହିଲା, ‘ ଯାଉନ, ଏ ପଦୁଅଁ ଭଅଁରକୁ ବାନ୍ଧିରଖିବାକୁ   ଅକ୍ଷମ,ଦୋଷୀ ହେବେ ପର। କିରେ,ତମର କି କିଛି ଶକ୍ତି ନାହିଁ….ପର ଉପରେ କାହିଁ ଗାଉଁ ଗାଉଁ ‘ ତା’ ଭାତନିଦକୁ ଭାଙ୍ଗିଦେଇଥିବା ମହିଳାଙ୍କ ଉଦ୍ଦେଶ୍ୟରେ ଗାଳି ଦେଉଦେଉ ଫେରିଲା ଅଶାନ୍ତି ସହିତ।

ଏଥର ମଝିରେ ମଝିରେ ମିସେସ ଛୋଟରାୟ ଆସୁଥିଲେ।ସମାନ କଥା ଦୋହରାଉଥିଲା ଦିଦି। ଯଦିଓ ଗାଳି ଦେଉନଥିଲା, ଭଲ ବ୍ୟବହାର ବି କରୁନଥିଲା। ଗଳିମୁଣ୍ଡରୁ କି ବସ୍ତି ଆରମ୍ଭରୁ ଫେରିବାକୁ ପଡୁଥିଲା ତାଙ୍କୁ ଏକପ୍ରକାର ଅପମାନିତ ହୋଇ। ରୁବି ,ହେନା ଏସବୁ ଜାଣୁଥିଲେ, କାରଣ ସେମାନେ ସେଇ ପାଖ କୋଠରୀରେ ରହୁଥିଲେ  ଓ କୁନୁ ମାଉସୀଠାରୁ ହାତ ଏମ୍ବ୍ରୟୋଡରୀ ଶିଖିବାକୁ ଯାଉଥିଲେ। ଦିନରେ ଅଳସୁଆ ହେଲେ ପେଟ ପୂରେନି। ବିଶ୍ରାମ ଦରକାରଠାରୁ ଅଧିକ ନେଲେ ନିଜର କ୍ଷତି। ଏସବୁ କାମରେ ପରିଶ୍ରମ ସହ ନିଷ୍ଠାଥିଲେ  ଭଲ ଦୁଇପଇସା ରୋଜଗାର ହୁଏ।  ଦିଦି ପାରିଶ୍ରମିକ ଦିଏ। ଏବେ ଛୋଟରାୟ ବାବୁ ଘରକୁ ଫେରୁନଥିବାରୁ ଢେର ଅସୁବିଧା, ଢେର ସଙ୍କୋଚ..। କୁନୁମାଉସୀ ପାଖକୁ ସହଜ ସାବଲୀଳ ଭାବରେ ଯାଇହୁଏନା। ରାତିର ଅସ୍ପଷ୍ଟ ଆଲୋକ ଦରଚିହ୍ନା କରାଏ, ଦିନରେ କିନ୍ତୁ, ମଞ୍ଜହାଡ ସହିତ ପରିଚିତ କରାଏ। ସାମିଆନା ଟଙ୍ଗେଇ ଯୋଉ ସୁନ୍ଦର ରୂପକୁ ପ୍ରଚାର କରାଯାଏ, ତା’ ପଛର ବାଉଁଶ ଦିଶିଲେ  କେହି କେବେ ଖୁସି ହୋଇପାରିବ  କି ?

ମାଉସୀର ବୁଦ୍ଧି କି ଦିଦିର ଇଙ୍ଗିତ ହେତୁ ଛୋଟରାୟ ବାବୁଙ୍କୁ କହିବାକୁ ପଡିଲା ଯେ ଦିନବେଳେ ଆଉ ଏଠାରେ ରହିବା ସମ୍ଭବପର ନୁହେଁ। ସେଇଠୁ ଆରମ୍ଭ ହେଲା ନୂଆ ପ୍ରକାରର ବ୍ୟବସ୍ଥା। ମଝିରେ ମଝିରେ ମାଉସୀ ଆମର ମକବୁଲ୍ ଭାଇର ବାଇକରେ ବସି ଯାଉଥିଲା ହୋଟେଲକୁ, ଯଦିଓ ମୋ’ଭଳି ଆନେକ ଭାବୁଥିଲେ ବା ଜାଣିଥିଲେ, ସେ ଅସୁସ୍ଥତା କାରଣରୁ ଡାକ୍ତରଖାନାକୁ ଯାଉଚି ଦେଖାଇବାକୁ। କାହାର କାମ ନାହିଁ ଯେ ଏତେ ଖବର ରଖିବ। ତଥାପି କେତେଜଣ ଟିକିଏ ସୁରାକ ପାଇଲେ ଜନ୍ଦାଭଳି ବେଢିଯାଆନ୍ତି ଆଉ ଯୋଉ ଟିକକ ମିଳିଲା, ସେଥିରେ ବେଶ ମସଲା ମିଶେଇ ପ୍ରକାଶ କରିବେ ନୂଆ ପ୍ରକାରେ। ଏଇଟା ପ୍ରମିଳା ରାଜ୍ୟ ….ଉହୁଁ, ଭୁଲ ହୋଇଗଲା, ମିଥିଳା ସାମ୍ରାଜ୍ୟ ।

ଜବା ତ ପଳାଏ ସବୁଦିନ  କାମ ପାଇଁ। ଫେରୁଫେରୁ ସଞ୍ଜ। ଆଉ ଗପିବାକୁ ସମୟ ହେଲାନାହିଁ ହାତରେ। ଆଜିକାଲି ପୁଣି କିଛି ସମୟ  ଦେଉଚି ନୂଆ କିଛି  ଶିଖୁଥିବା ହେତୁ।ଭଲ ହୋଇଚି, ଏତେ ଘଟଣାର ତର୍ଜମା ଭଲନୁହେଁ  ତ।

ମାଉସୀ କ’ଣ ବଦଳିଗଲା ଭଳି ଗୁଜବ ଉଠିଲା। ଦିଦିର ସ୍ବତନ୍ତ୍ର ଆକଟ,  ଅଲଗା ବୁଝାସୁଝା  ଆରମ୍ଭ ହେଲା କାଳେ। ଆମର କ’ଣ ମନ ବୋଲି କିଛି ଥାଏ କି। ଯନ୍ତ୍ର ଭଳି ସବୁହୁଏ। ନୂଆ ଭାବରେ ସବୁଦିନ ଉପସ୍ଥାପନା କରିବା କି ଯେ କଷ୍ଟକର , ସେଇଲାଗି ବିନା ସାଧନାରେ ଆମେ ବୈରାଗୀ। କିଏ ବିଶ୍ବାସ କରୁକି ନକରୁ ପରୁୱା ନଥାଏ ଆମର। ଦେହରୁ ମନ ଆପେ ଅଲଗା ହୋଇଯାଏ। ଅନାଗ୍ରହ କାମ ଆମକୁ   ଅନାସକ୍ତ କରାଏ। ନୂଆଙ୍କ ସହ କାମ ଜୀବନ  ପ୍ରତି ବୀତସ୍ପୃହ ମନୋଭାବ ଆଣେ। କଠିନ ଏ ଜୀବନ…କଷ୍ଟକର ତା’କୁ ପାଳିବା।