Latest Odisha News

କବିତା : ନାରୀଶ୍ଵର

ମନୋଜ ରଥ

ଦିନେ ହୁଏତ
ଦପ୍ ଦପ୍
ଲିଭି ଯିବ ସୂର୍ଯ୍ୟ
ଜହ୍ନ ଏକ ଭଦ୍ର ଲୋକ
ଦେଖେଇବ ଅଂଧାରରେ
ତା’ ଅପର ପାଶ୍ୱ ।

ଦିନେ ହୁଏତ
ରୁଦ୍ରାକ୍ଷ ଭଳି ତପସ୍ୱୀ ଆକାଶ ହାତରୁ
ବିଛେଇ ହେଇ ତଳେ ପଡିଯିବେ
ସବୁ ନକ୍ଷତ୍ର ,
ଏକେ ୪୭ ଗୁଳିରେ ବିଦ୍ଧ
ଏକ ସହିଦର ଛାତି ଭଳି
ଆକାଶର ଛାତିରେ ଥିବ
ଅନେକ ଛିଦ୍ର ।

ଦିନେ ହୁଏତ
ଆମାଜନରେ ବି ଆଉ କଁଅଳୁ ନ ଥିବ ପତ୍ର ।
ନୀଳ ନଦୀ ମରିଯାଇଥିବ ଶୋଷରେ
ସିଆଚୀନ୍ ଗ୍ଲାସିଅର୍ ନ ଥିବ
ଦେଶ ଥିବେ ଫ୍ରଣ୍ଟିଅର୍ ନ ଥିବ
ସବୁ ପକ୍ଷୀ ଶାଗୁଣା ହେଇ ସାରିଥିବେ
ଯୁଦ୍ଧ ଶେଷରେ ।
ସେ ଦୃଶ୍ୟ ଦେଖିବାକୁ କେହି ନ ଥିବେ ବିଶ୍ୱରେ ।

ସେଇ ଦିନ ହୁଏତ
ଜଣେ କେହି ରହି ଯାଇଥିବ
ସଂଭବତ ନାରୀ ଟିଏ
ମୁମୂର୍ଷୁ ଏକ ପୁରୁଷକୁ ଶୋଷି ନଉଥିବ
ରକ୍ତାମ୍ବରୀ ଯୋନୀର ଦେଶକୁ
ରଚିବାକୁ ସୃଷ୍ଟି
ସେ ନାରୀଟି
ଶ୍ମଶାନରେ ଏଥର
ଅର୍ଦ୍ଧ ନୁହେଁ ସଂପୂର୍ଣ୍ଣ ନାରୀଶ୍ଵର ।

Comments are closed.