Latest Odisha News

BREAKING NEWS

ନୃତ୍ୟରତା ବର୍ଷା

ସୁସ୍ମିତା ମହାପାତ୍ର

ସହରର ମାଳମାଳ
ଆଟୋପ ଅଟ୍ଟାଳିକାରେ
ଇନ୍ଦ୍ରଧନୁ କୋଳେ ଅବା
ପାହାଡ଼ ଜଙ୍ଗଲ ଘେରା
ମଫସଲ ମଥାନରେ
ବାଳୁତ ଶିଶୁଙ୍କ ମେଳେ
ଅନାହାର ମୃତ୍ୟୁ ବେଳେ,
ନୃତ୍ୟରତା ସିଏ କାଳେକାଳେ ।

ଆଷାଢ଼ର ଆଲିଙ୍ଗନେ ଆଉ
ଶ୍ରାବଣର ସାନିଧ୍ୟରେ ମଜ୍ଜି
ବିଭୋର ପଣରେ ନାଚୁଥାଏ ସିଏ
ଶହୀଦ ବୀରର ବିରହିଣୀ
ପିଆସୀ ପରାଣେ ପୁଣି
ପୁତ୍ରହରା ଜନନୀର ଜରାଗ୍ରସ୍ତ
ପରଳ ଚକ୍ଷୁରେ କେତେବେଳେ ।

ଅଦୃଶ୍ୟ ଏକ ଶତ୍ରୁ ଛାଟରେ
ଶ୍ରମିକର ପିଠି ଫାଟି
ଆଆଁ ହେଇଥିବା ବେଳେ

କୃଷକ କ୍ଷେତକୁ ମଞ୍ଚ କରି ସିଏ
କରୁଥାଏ ତା’ ଉଦଣ୍ଡ ନାଟ
ରିମ୍‌ଝିମ୍ ରାଗିଣୀର ତାଳେତାଳେ ।

ହୀରକ ଖଚିତ କଳା ପାଟ ପିନ୍ଧି
ତାଣ୍ଡବ ରଚେ ସହରତଳି ମାଳିସାହି ଆଉ
ମଳିକ ବସ୍ତିର ହାଣ୍ଡିଶାଳେ ଅବା
ସଂହାର ମୁଦ୍ରାରେ ଉଭାହୁଏ କେବେ
ତଳମାଳେ, କୂଳେ ଉପକୂଳେ ।

ବାରି ହେଇପଡ଼େ ଜଳଜଳ
କେଉଁଠି ଆଦିମ ଭୋକର ଭୂଗୋଳ,
ଅପପୁଷ୍ଟି ପ୍ରପୀଡିତ ପତିତ ପୃଷ୍ଠାରେ,
ବିକୃତ ଅବୟବରେ,
କାଳି, ନେଳି ସାତସିଆଁ
ଫଟା ଜରିତଳେ ।

 Email: susmita6674@gmail.com

(ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର -୧୬, ରାଉରକେଲା-୩, ମୋ.ନଂ:୯୪୩୭୫୦୩୧୩୮)

Leave A Reply

Your email address will not be published.