Latest Odisha News

ଗଳ୍ପ : ଅହମିକାର ଆରପାଖ

ହିମାଂଶୁ ଆଚାରୀ 

ନିଜ ଜୀବନଠୁ ଆଉ ବଡ ଶିକ୍ଷକ କିଏ ? ପ୍ରତି ମୁହୂର୍ତ୍ତରେ ସେ ଆମକୁ ଶିଖାଏ ବଞ୍ଚିବାର ରହସ୍ୟ ।
ହଠାତ୍ ଏ କଥା ପଦକ ଅଚାନକ ଉଲକା ପରି ଖସିପଡିଲା ଦୀପାଙ୍କ ଓଠରୁ ।
ଚମକିଗଲେ ଶ୍ରୀକାନ୍ତ ବାବୁ !
ଗତ କାଲି ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହେଇଥିବା ଗୁରୁଦିବସ ଅବସରରେ ତାଙ୍କୁ ମିଳିଥିବା ଦେଢଫୁଟ ଉଚ୍ଚର ମାନପତ୍ରଟିକୁ ଧରି ନିଜ କର୍ତ୍ତବ୍ଯପରାୟଣତା ଓ ନିଃସ୍ବାର୍ଥପରତାକୁ ତଉଲୁଥିଲେ ମନେ ମନେ । ପୂର୍ବ ବର୍ଷଗୁଡିକ ଭଳି ଡ୍ରଇଂ ସିଟରେ ମୁଦ୍ରିତ ମାନପତ୍ର ନୁହେଁ ବରଂ ଏକ ସୁନ୍ଦର ବୋର୍ଡ ବନ୍ଧେଇ ମାନପତ୍ର ମିଳିଛି, ତା ପୁଣି ଖୋଦ୍ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ହସ୍ତାକ୍ଷର ଥାଇ । ଜିଲ୍ଲା ଭିତରେ ଶ୍ରେଷ୍ଠ ଗୁରୁଭାବେ ମନୋନୀତ  ହେବା କେତେଜଣଙ୍କ ଭାଗ୍ଯରେ ଅବା ଥାଏ । ଏଣୁ ଗୋଟିଏ ଅଦୃଶ୍ଯମାନ ଆନନ୍ଦରେ ବିଭୋର ଥିଲାବେଳେ ପତ୍ନୀ ଦୀପାଙ୍କ ଏ ସଂଳାପଟି ଗୋଟିଏ କଟାକ୍ଷ ଭଳି ଅନୁଭବ ହେଲା । ନହୁଅନ୍ତା ବା କିପରି !
କିଛି କହିଲେନି ଶ୍ରୀକାନ୍ତ । ମାନପତ୍ରଟିକୁ ଟେବୁଲ ଉପରେ ଯଥା ସ୍ଥାନରେ ପୁଣି ରଖିଦେଲେ । ଦୀପା କହିଥିବା କଥାଟି ବି ସତ୍ଯ । ନିଜ ଜୀବନକାଳ ଭିତରେ ଆମେ ସାମ୍ନା କରୁଥିବା ପ୍ରତିଟି ମୁହୂର୍ତ୍ତ ଆମକୁ କିଛି ନା କିଛି ଶିଖେଇଥାଏ । ଆଗକୁ ବଢିବା ପାଇଁ ଏକ ରାହା ଦେଇଥାଏ ।
ପ୍ରତିଟି ମଣିଷ ତା’ର ଚେତନ ଓ ଅବଚେତନ ଅବସ୍ଥାରେ ଜୀବନର ସଂଜ୍ଞା ଖୋଜୁ ଖୋଜୁ ଓ ସେ ଗୁଢରହସ୍ଯକୁ ଭେଦ କରୁ କରୁ କେତେବେଳେ ଯେ ସଞ୍ଜ ପ୍ରତୀୟମାନ ହେଇଯାଏ ଜଣାପଡେନି ସହଜରେ ।
: ଶୁଣଛ, କାଲି ସେମାନେ ଆସୁଛନ୍ତି ଝିଅକୁ ଦେଖିବାକୁ । ଘରେ କିଛି ବି ନାହିଁ । ଜଲଦି ଯାଅ, ପ୍ରଥମେ କିଛି ସଉଦା ଆଣିବ । ଦୀପା ଏଥର ଗେହ୍ଲେଇକି କହିଲେ ।
ଚାକିରୀ ଆଉ ମାତ୍ର ଛ’ମାସ ରହିଲା । ଅନ୍ତତଃ ଏ ଭିତରେ ଗୋଟିଏ ଭଲ ପ୍ରସ୍ତାବ ଆସି ଏକମାତ୍ର ଝିଅ ସମୀକ୍ଷାର ହାତକୁ ଦି’ହାତ କରିଦେଲେ ହୁଏତ ଟିକିଏ ହାଲକା ଲାଗିବ ଭାବି ସେ ହିଁ ଜଣେ ବନ୍ଧୁଙ୍କୁ ଏମିତି କହୁ କହୁ କହି ଦେଇଥିଲେ । କିନ୍ତୁ ଏତେ ଶୀଘ୍ର ! ବନ୍ଧୁଜଣକ ଦୀପାର ସମ୍ପର୍କୀୟ ମାମୁଁ ହେବେ ।
: ସେ ପିଲା କଥା କିଛି ବୁଝିଲ ? କଣ କରେ, କୋଉଠି ରୁହେ । ବାପା ମାଁ କଥା, ପରିବାର କଥା । ଶ୍ରୀକାନ୍ତ ବାବୁ ପଚାରିଲେ ।
: ହଁ ବୁଝିଛି । ବାଙ୍ଗାଲୋରର କୋଉ ଏକ କମ୍ପାନୀରେ ଭଲ ପୋଷ୍ଟରେ ଅଛି । ଆମ ଭାଗ୍ଯ ଯେ ସେ ମାଷ୍ଟ୍ରଟେ ନୁହଁ ।
ପୁନଶ୍ଚ କଟାକ୍ଷ ହାଣିଲେ ଦୀପା । ଏମିତି ଲାଗିଲା, ଶ୍ରୀକାନ୍ତଙ୍କୁ ଚିତ୍ କରି ଶୁଆଇ କେହି ଜଣେ ହାତୁଡିରେ ତାଙ୍କ ହୃଦୟକୁ ଖଣ୍ଡ ଖଣ୍ଡ କରୁଛି କ୍ରମାଗତ ଭାବେ । ହୁଏତ ସହିବାର ଶକ୍ତି ଶ୍ରୀକାନ୍ତଙ୍କ ଭଳି ଶିକ୍ଷକମାନଙ୍କର ଟିକିଏ ଅଧିକା ଥାଏ ବୋଲି ବୋଧହୁଏ ଭଗବାନ ଜାଣିଶୁଣି କଷ୍ଟ ଦେଇଥାନ୍ତି ।
ଅବଶ୍ଯ ଦୀପାଙ୍କ କଥାରେ ବି କୋଉ ମିଛ ଅଛି ଯେ ! ଆଜିର ଏ ସମୟରେ ଶିକ୍ଷକଟିଏ ହେଇ କେବଳ ସମାଜ ପାଇଁ କିଛି କରିହେବ ସିନା କିନ୍ତୁ ନିଜ ପାଇଁ ବା ପରିବାର ପାଇଁ ସ୍ବପ୍ନ ସାଉଁଟିବା ନିହାତି ଅସମ୍ଭବ । ସେଇ ଅଭାବବୋଧରେ ତ ଦୀପା ଦୀର୍ଘ ବତିଶ ବର୍ଷ ଧରି ବତୁରିଗଲେଣି । ଏଣୁ ଏବେ କଥା କଥାରେ କଟାକ୍ଷ ହାଣନ୍ତି ଶ୍ରୀକାନ୍ତଙ୍କ ଉପରେ ଏବଂ ଏସବୁ ଦିହସୁହା ହେଇଗଲାଣି ।
ଝିଅ ଦେଖିବାକୁ ଦୀପାର ମାମୁଁ ସହ ପ୍ରାୟ ସାତ ଆଠଜଣ ଆସିଥିବା ଅତିଥିଙ୍କ ଆତିଥେୟ ଓ ଆପ୍ଯାୟିତ ପାଇଁ ଯାହା ସବୁ ଆବଶ୍ଯକତା ଥିଲା ସବୁ ଦୀପାର ଯୋଜନା ମୁତାବକ କରିବା ପରେ ବି ଗୋଟିଏ ଖୁଣକୁ ଦୀପା ଗଣ୍ଠି ପକେଇ ଧରିଲେ । ସେମାନେ ଯିବା ପରେ ପରେ ଓଗାଳିଦେଲେ ସେ । କହିଲେ-
: ଧୋତି ଓ ଗାମୁଛା ଖଣ୍ଡେ ପକେଇ ନିଜକୁ ଆଦର୍ଶ ବୋଲେଇବା ଅପେକ୍ଷା ଯଦି ଭଲ ଡ୍ରେସ୍ ଟିଏ ପିନ୍ଧି ସେମାନଙ୍କର ସାମ୍ନା କରିଥାନ୍ତ ହୁଏତ ସେମାନଙ୍କର ଇମ୍ପ୍ରେସନ୍ ଅଲଗା ହୁଅନ୍ତା । ଏତିକି ବି ତୁମକୁ ଶିଖେଇବାକୁ ପଡିବ ! କି ମାଷ୍ଟ୍ର ହେଇଛକି ହେ ତୁମେ !
ଚାରିଦିନ ପରେ ଖବର ଆସିଲା, ଝିଅ ଭିତରେ ଥିବା ଗୁଣ, ଗାରିମା ଓ ସଂସ୍କାର ମନକୁ ପାଇଛି ସେମାନଙ୍କର କିନ୍ତୁ କଥାଟି ଅଟକିଯାଇଛି ଶ୍ରୀକାନ୍ତ ବାବୁଙ୍କ ପାଖରେ । ଜଣେ ପ୍ରାଇମେରୀ ସ୍କୁଲ୍ ର ଶିକ୍ଷକ ବା କେତେ ସନ୍ତୁଷ୍ଟ କରିପାରିବ ଏଇ ସୁଶିକ୍ଷିତ ଓ ଉଚ୍ଚପଦସ୍ଥ ଚାକିରିଆ ଜ୍ବାଇଁକୁ !!
କଥାଟି ଶ୍ରୀକାନ୍ତ ବାବୁଙ୍କୁ ନିହାତି ଅଜବ ଲାଗୁଥିଲେ ବି ଦୀପା କଥାଟିକୁ ଧରି ପାରିଥିଲେ । ତାଙ୍କ ଜୀବନକାଳ ଭିତରେ ଘର ବ୍ଯବହାର କିଛି ଜିନିଷପତ୍ରକୁ ବାଦ ଦେଲେ ଆଉ ସେମିତି ଦାଣ୍ଡ ଦେଖାଣିଆ ବସ୍ତୁ କିଛି ବି ନଥିଲା । ଯେ କେହି ଅନୁମାନ କରିବ ଏକଥା । ହୁଏତ ପୁଅଘର ଲୋକେ କିଛି ଅଧିକା ଯୌତୁକ ଆଶା କରୁଥିବେ ନିଶ୍ଚୟ ।
ଦୀପା ଠିକ୍ କହୁଥିଲେ । ନିଜ ଜୀବନଠୁ ଆଉ ବଡ ଶିକ୍ଷକ କିଏ ହେଇପାରେ ! ଯିଏ ପ୍ରତି ପାହୁଣ୍ଡରେ କିଛି ନି କିଛି ଶିଖେଇଥାଏ ପରୋକ୍ଷରେ ହେଉ ବା ପ୍ରତ୍ଯକ୍ଷରେ ।
ଦୀପା କିଛି କହିବି କହିବି ହେଉଥିଲେ । କିନ୍ତୁ ଶ୍ରୀକାନ୍ତ ବାବୁ ଆଗତୁରା କହି ପକେଇଲେ-
: ଗାଁ ରେ ଥିବା ଦି’ଗୁଣ୍ଠ ଜମି ବିକ୍ରି ପାଇଁ ଦାଦାଙ୍କୁ କହିଛି । ଟଙ୍କା ପଇସା ପାଇଁ ବ୍ଯସ୍ତ ହେବାର ନାହିଁ । ଜିପିଏଫ୍ ରୁ ବି କିଛି ମିଳିବ । ତମେ ମାମୁଁଙ୍କ ସହ କଥା ହେଇ ଏ ପ୍ରସ୍ତାବକୁ ଫାଇନାଲ କର ।
ଦୀପାଙ୍କ ଆଖିରେ ସ୍ବତଃ ଦେଖା ଦେଇଥିବା  ଉଜ୍ବଳ ସାରା କୋଠରୀକୁ ଆଲୋକିତ କରିଦେଲା ସେତେବେଳେ ।
ଖୁବ୍ ସୁନ୍ଦର ଭାବେ ବାହାଘରର ଯାବତୀୟ କାର୍ଯ୍ଯ ସଂପନ୍ନ ହେଇଗଲା । ଦୀପାଙ୍କ ଜିଦ୍ ରେ କିଣାଯାଇଥିବା ସୁଟ୍ ର ଆବରଣ ଭିତରେ ଶ୍ରୀକାନ୍ତ ବାବୁ ସିନା ରାଜକୀୟତାକୁ ଅନୁଭବ କରୁଥିଲେ କିନ୍ତୁ ସରଳ ମନଟି ଖୋଜୁଥିଲା ନିରାଡମ୍ବର ଜୀବନଚର୍ଯ୍ଯା ଭିତରେ ଥିବା ତାଙ୍କ ଆଦର୍ଶକୁ ଓ ଆତ୍ମପ୍ରତ୍ଯୟକୁ ।
ଆଜି ଶ୍ରୀକାନ୍ତବାବୁଙ୍କ ଚାକିରୀର ଅବସର ଦିନ । ତାଙ୍କୁ ଭବ୍ଯ ସମ୍ବର୍ଦ୍ଧନା ପାଇଁ ଆୟୋଜନ ହେଇଥିଲା ଏକ ସଭା । ଚାକିରୀର ଶେଷଦିନ ଥିବାରୁ ଦୀପା ବି ଯାଇ ବସିଥାନ୍ତି ଦର୍ଶକ ଗ୍ଯାଲେରୀରେ । ନିମନ୍ତ୍ରିତ ହେଇ ଆସିଥାନ୍ତି ତାଙ୍କର କିଛି ଶିଷ୍ଯ ଯେଉଁମାନେ ବଡ ବଡ ପଦପଦବୀରେ ଅବସ୍ଥାପିତ । ଗୁରୁଙ୍କୁ ପ୍ରଣାମ ସହ ଦୀପାଙ୍କ ପଦଧୂଳି ବି ନେଲା ବେଳେ ଦୀପାଙ୍କର ଛାତି ଭିତରେ ସୃଷ୍ଟି ହେଉଥିବାର ସେ ଅପୂର୍ବ କମ୍ପନକୁ ଯଥାସମ୍ଭବ ସହ୍ଯ କରିନେଉଥିଲେ ।
ବକ୍ତାମାନେ ସେମାନଙ୍କର ବକ୍ତବ୍ଯ ଆଳରେ ଶ୍ରୀକାନ୍ତବାବୁଙ୍କର ସମଗ୍ର କାର୍ଯ୍ଯଦକ୍ଷତା, ନିଷ୍ଠାପରତା ଓ ସହନଶୀଳତାକୁ ବ୍ଯବଛେଦ କରୁଥିଲା ବେଳେ ଦୀପାଙ୍କ ଆଖିରୁ ଟପ୍ ଟପ୍ ହେଇ ନିଗିଡି ପଡୁଥିଲା କିଛି ଲୁହ ଓ କିଛି କୋହ । ଭାବୁଥିଲେ-
ଏ ଲୋକଟି ସହ ମୁଁ ଏତେ ଦିନ ରହିଲା ପରେ ବି କେମିତି ଟିକେ ବି ଜାଣିପାରିଲିନି କି ଚିହ୍ନି ପାରିଲିନି କେଜାଣି । କେତେ କଷ୍ଟ ନଦେଇଛି ମୁଁ ସତରେ !!!!

ଶିବାଜୀ ନଗର, ଉମରକୋଟ, ନବରଙ୍ଗପୁର

Leave A Reply

Your email address will not be published.