Latest Odisha News

BREAKING NEWS

ଅନୁବାଦ କବିତା : ପଚିଶ ବରଷ ପରେ

ମୂଳ ରଚନା : ଜୀବନାନନ୍ଦ ଦାଶ

ଶେଷଥର ଦେଖା ଯେବେ ହୋଇଥିଲା
ସେଇ ପ୍ରାନ୍ତରରେ କହିଥିଲି
” ଆଉ ଦିନେ ଏଇ ସମୟରେ,
ନିଶ୍ଚୟ ଆସିବ ତୁମେ
ଆସିବାର ଇଚ୍ଛା ଯଦି ଥାଏ
ପଚିଶ ବରଷ ପରେ ।”

ଏଇ କଥାକୁ କହି, ଘରକୁ ମୁଁ ଫେରି ଆସିଥିଲି
ତା’ପରେ ଅନେକ ଥର ଜହ୍ନ ଓ ତାରାମାନେ
ଫେରିଗଲେ ସେଇ ପଡ଼ିଆରୁ
ମୂଷା ଆଉ ପେଚାମାନେ ଜୋଛନାରେ ଧାନ କ୍ଷେତ ଖୋଜି ଖୋଜି
ଆସିଲେ ଓ ଗଲେ
ଆଖି ବୁଜି କେତେଥର ବାଆଁ , ଡାହାଣରେ
କିଏ କେତେ ଶୋଇ ବି ପଡ଼ିଲେ।

ମୁଁ କିନ୍ତୁ ଏକାକୀ ରହିଲି
ବିନିଦ୍ର ହୋଇ
ଆକାଶେ ନକ୍ଷତ୍ରମାନେ ଛୁଟି ଚାଲିଛନ୍ତି
ଯେଉଁ ଦ୍ରୁତ ବେଗରେ
ତାଠାରୁ ସମୟ ଗଲା କ୍ଷିପ୍ରତର
କିନ୍ତୁ ଶେଷ ହେଲା ନାହିଁ ପଚିଶ ବର୍ଷର ।

ତାପରେ ଦିନେ ହଳଦିଆ
ଘାସଭରା ପଡ଼ିଆରେ
କୁହୁଡ଼ିରେ ଢଙ୍କା ପତ୍ର ଏବଂ ଶୁଖିଲା ଡାଳରେ
ଭଙ୍ଗା ନିଡ ଚଢ଼େଇର ଭିଜେ ଶିଶିରରେ
ପକ୍ଷୀଙ୍କର ଭଙ୍ଗା ଅଣ୍ଡା ରାସ୍ତା ପରେ
କାକୁଡ଼ି ଲତାର ଫୁଲ କୁଢ଼ କୁଢ଼
ଗୋଟିଏ ଦୁଇଟି ପଚା ସଢ଼ା କାକୁଡ଼ି ବି
ମାଙ୍କଡ଼ଙ୍କ ଦ୍ଵାରା ଚିଣ୍ଡା ଜାଲ
ଶୁଖିଲା ମାଙ୍କଡ଼ସା ପତ୍ରରେ, ଲତାରେ
ଚକ ଚକ ଜ୍ୟୋତ୍ସା ଆଲୁଅରେ
ରାସ୍ତା ଚିହ୍ନି ହୁଏ, ଦୁଇ ତିନିଟି ତାରା ବି ଦେଖାଯାଏ
ଥଣ୍ଡା ଆକାଶ ତଳେ, ମୂଷା ଓ ପେଚାମାନେ
ପ୍ରାନ୍ତରୁ ପ୍ରାନ୍ତରେ ଘୁରି ବୁଲି
ଆଜି ବି ମେଣ୍ଟାନ୍ତି ତାଙ୍କ ଭୋକ ଶୋଷ
ଖୁଦ ଖାଇ, ନଳା ପାଣି ପିଇ
ତଥାପି ପଚିଶ ବର୍ଷ , କେବେଠାରୁ
ଗଲାଣି ତ ଚାଲି, ଆଉ ଫେରି ନାହିଁ।

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.