Latest Odisha News

BREAKING NEWS

ଅନୁବାଦ କବିତା : କୌଣସି ଏକ ଝିଅକୁ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ 

ହେବକି ଟିକିଏ ସମୟ ?
ତୁମ ପାଖରେ ଯାଇ ବସନ୍ତି
( ଆମ ଘରେ ଲୋକଙ୍କ ଭାରି ଭିଡ଼
ଅନେକ ଜଞ୍ଜାଳ, ମା’ର ମେଜାଜ
ସବୁବେଳେ ଚଢା, ପିଲା ଗୁଡାକର ଅଶାନ୍ତି, ଚିତ୍କାର ଓ ଗୋଲମାଳ )

ତୁମ ଘର ସିଡିରେ ଥିବା କୁଣ୍ଡରେ
ନାନା ଜାତି ଫୁଲର ଚାରା
ମୃଦୁ ପବନରେ
ନୂତନ ସବୁଜ ପତ୍ରଗୁଡ଼ିକ
ହଲିବାର ସୁନ୍ଦର ଚେହେରା।

ସିଡ଼ି ଉଠିଗଲେ ସାମ୍ନାରେ ତୁମ ଘର
ଛୋଟ, ଶୀତଳ ଓ ପରିଷ୍କାର
ସିଲେଇ ମେସିନ୍ ପାଖରେ
ବସିଛ ତୁମେ ଏକ ଷ୍ଟୁଲରେ ।

ସୁତା ସରିଗଲା କି?

କୋଳରେ ଏକ ଖୋଲା ବହି
ଭିଜା କଳା ବାଳ ପିଠିସାରା
ରହିଛି ମେଲାଇ
ଧଳା ଶାଢ଼ୀ, ବେଶ ଓସାର କଳାଧଡ଼ି
ସାଦା ବ୍ଲାଉଜକୁ ରଖିଛି ଘୋଡ଼ାଇ ।

ବସିବାକୁ ଇଚ୍ଛା
ଠିକ୍ ତା ପାଖରେ ନୁହଁ
ତଥାପି ଟିକେ ନିକଟରେ
ଦ୍ୱାର ଦେଶରେ
ହେବ କି ଟିକେ ସମୟ?

ଆମ ଘରେ ବହୁ ଲୋକଙ୍କ ଭିଡ
ଯିବି କୁଆଡ଼େ?
ବାହାରେ ପ୍ରବଳ ଖରା
ତେଣୁ ବାହାରିବାକୁ ଚାହୁଁ ନାହିଁ ମନ
ଛିଡ଼ା ହୋଇଛି ଝରକା ପାଖରେ
ସିଡ଼ିରେ ନୂତନ, ସବୁଜ ପତ୍ରର ଆଲୋଡ଼ନ।

ରାସ୍ତାକୁ ମୁଁ ଆସିଛି ଓହ୍ଲାଇ
ତୁମ ସିଡ଼ିଗୁଡ଼ିକ ଫୁଲ ଟବରେ
ଚମକୁଛନ୍ତି ସଜାସଜି ହୋଇ
ରାସ୍ତାଟା ମୁଁ ପାର ହେଲି
ଏବେ ସବା ତଳର ସିଡି ନିକଟରେ

ଆମେ ତ ରହୁଛୁ ରାସ୍ତାର ଦୁଇପଟେ
ସାମନା ସାମ୍ନି ଘରେ
ତୁମେ ମୋର ନାମ ଜାଣ
ମୁଁ ମଧ୍ଯ ଜାଣେ ତୁମ ନାମ
ତୁମେ ନିଶ୍ଚେ ଶୁଣିଥିବ ନାମ ମୋର
ମତେ ମଧ୍ଯ ଜଣା ଡାକ ନାମ ବି ତୁମର
ତୁମେ ଯଦି ଦେଖ ମତେ
ନିଶ୍ଚୟ ଚିହ୍ନିବ , ଚିହ୍ନିବନି
ମୁଁ ତ ତୁମକୁ ଜାଣେ
ଆମରି ମଝିରେ ଏଇ ରାସ୍ତା ଖାଲି
ତାପରେ ତ ଧଳା ସିଡି
ଫୁଲକୁଣ୍ଡ ଧାଡ଼ି
ପବନରେ ହଲୁଥିବା
ଫୁଲ ଏବଂ ପତ୍ରର ଲହରୀ।

ଟିକିଏ ବସିବ ଖାଲି ନା ନା
ଲୋଡ଼ା ନାହିଁ ତୁମେ ଉଠିବାର
ବସିଥାଅ ସେଇ ଛୋଟ ଷ୍ଟୁଲଟିରେ
ମୁଁ ଏଠି ଠିକ୍ ଅଛି, ଚଉକାଠ ପରେ
ତୁମ ଭିଜା କେଶ ଦେଖି
ମୋର ସାରା ଦେହ ହୋଇବ ଶୀତଳ
ତୁମର ସେ ଛୋଟ ଦୁଇ ପାଦ ଦେଖି
ମୋ ମନର କ୍ଷତ ସବୁ ହୋଇଯିବ ଭଲ।

ଜମା ହେଉ ଭିଡ଼
ପିଲାମାନେ କରନ୍ତୁ ଚିତ୍କାର
ମା’ଙ୍କ ମିଜାଜ ହେଉ
ଦ୍ୱିପହର ଖରା ପରି ଟାଣ
ସେଥିରେ ମୋ କିବା ଆସେ ଯାଏ
ମୋ ପାଖରେ ବସିଛ ତ ତୁମେ
ସିକ୍ତ ତୁମ ଉନ୍ମୁକ୍ତ କୁନ୍ତଳ
ବେଶ୍ ଥଣ୍ଡା, ପରିଷ୍କାର ଘରଟି ତୁମର।

କହିବି ମାମୁଲି, ହାଲୁକା କଥା
ସହଜରେ ତୁମେ ବୁଝିପାରୁଥିବା କଥା
(ଯଦି କିଛି କରିବାଟା ନିହାତି ଜରୁରୀ)
ଯେମିତିକି ସେଦିନର ଥିଏଟର ନାଚ ଗୀତ
ଆଉ ଆମ ସାହିର ଖବର
ଆଧୁନିକ ସିନେମା ବଜାରେ
ସବୁଠାରୁ ସୁନ୍ଦରୀ କେ
ଭଲ ଲାଗେ ଗଠନ କାହାର
ବବ୍ କଟ ଚୁଟି କଟା ଖରାପ ନା ଭଲ
ଅଫ୍ରିକାର ବନ୍ୟଜନ୍ତୁ, ରୋଗ ବ୍ୟାଧି
କଥା ସବୁ ଅର୍ଥହୀନ ଅବା ଅବାନ୍ତର
ହସିବ ନା ମଝିରେ ମଝିରେ
ଢେଉ ପରି ଛଳଛଳ ଲାଗିବ ତ ମତେ
ସେଇ ହସ ଭରି ଦେବ
ମୋ ଦେହରେ ଶିହରଣ କେତେ
ଭରି ଯିବ ମନ ମୋର
ଦେଖି ତୁମ ଓଦା କେଶରାଶି
ସିଡ଼ିର ସାମନାରେ ଘର
ଛୋଟ ଘର ଶୀତଳ ଓ ପରିଷ୍କାର ।

ଆମ ଘରେ କିନ୍ତୁ ବହୁ ଲୋକ ଭିଡ଼
ଅନେକ ଜଞ୍ଜାଳ, ଭାରି କୋଳାହଳ
ଆସିବକି ?
ହେବ କି ଟିକିଏ ସମୟ?

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.