Latest Odisha News

ଗଳ୍ପ : ନିଃସଙ୍ଗତା

ଅର୍ଚ୍ଚନା 

ପ୍ରବଳ ବର୍ଷା ବାହାରେ ଘଡ଼ଘଡ଼ି ସହ। ନିଦ ଆସୁଥାଏ ପୁଣି ଭାଙ୍ଗୁଥାଏ ସେଇ ଶବ୍ଦରେ। ଏତେ ଜୋର୍ ଶବ୍ଦ ଯେ ଲାଗୁଥାଏ ଏଇ କାନ୍ଥ ଆର ପାଖେ କୋଉଠି ବିଜୁଳି ପଡ଼ିଲା କି। ସେଥିରେ ପୁଣି ଏ ବିଦ୍ୟୁତ୍ କାଟ। ଘରକୁ ତୁହାକୁ ତୁହା ଆଲୋକିତ କରିବା ସହ କିଛି କିଛି ନିର୍ଦ୍ଧିଷ୍ଟ ବସ୍ତୁ ମାନର ଉପସ୍ଥିତି ଯୋଉ ଦର୍ଶାଇ ଦିଏ ବିଜୁଳି ଆଲୋକରେ, ତାହା ଲୋମ ହର୍ଷକ ହେଉଥାଏ। ଭାବନାରେ ଅନେକ ନୂତନ କାଳ୍ପନିକ ଜୀବ ଅବା ଦୃଶ୍ୟ ଆସୁଥାଏ ଯାଉଥାଏ। ସେଥିରେ ପୁଣି ମୁଁ ଏକାକୀ ରାତି ବିତିଯାଉ ବୋଲି ନିଦକୁ ବାରମ୍ବାର ଆବାହନ କରୁଥାଏ। ଏତିକି ବେଳେ ହଠାତ୍ ବିଜୁଳି ଆଲୋକରେ ନଜର ପଡ଼ିଲା ଯେ ମୁଖ୍ୟ ଦ୍ଵାର ଖୋଲା ଅଛି। ଆଶ୍ଚର୍ଯ୍ୟ ଲାଗୁଥାଏ ଯେ ଏ ଖୋଲିଲା କେମିତି। ମୁଁ ତ ବନ୍ଦ୍ କରିଥିଲି ଆସିବା ବେଳେ।

ଠିକ୍ ସେତିକି ବେଳେ ବାଲକୋନୀ କବାଟଟି ଧଡଧଡ ଶବ୍ଦ କଲା ଯେମିତି ବାହାରୁ କିଏ ଡାକୁଛି। ମନରେ ଭୟ ଯେ ଏତେ ରାତିରେ କିଏ ଆସିପାରେ, କଣ ଚୋର ନା କିଛି ପଶୁ ନା କୋଉ ଜୀବ, ନା ୟେ ପବନର ଖେଳ କେବଳ। ମନରେ ସାହସ ବାନ୍ଧି ଧିରେ ଧିରେ ଯାଇ ମୁଖ୍ୟ କବାଟଟି ବନ୍ଦ୍ କଲି ମୋବାଇଲ୍ ଟର୍ଚ୍ଚ ଆଲୋକରେ। ହଁ ନାହିଁ ହଁ ନାହିଁ ହେଉ ହେଉ ଆସ୍ତେ ବାଲକୋନୀ କବାଟ ଖୋଲିଲି। ହଠାତ୍ ବିଜୁଳି ମାରି ଚାରିଆଡ଼ ଆଲୋକରେ ଭରିଗଲା। ଦିନ ପରି ଲାଗିଲା। ଦେଖିଲି କେହି ନ ଥିଲେ ବାହାରେ। ମନରେ ଯଦିଓ ସତ ସହସ୍ର ଆଶଙ୍କା ଓ ଭୟ ଆନ୍ଦୋଳିତ କରୁଥିଲେ ତଥାପି ଦମ୍ଭର ସହ ହସିଦେଇ କବାଟ ଟି ବନ୍ଦ୍ କଲି ଯେ କେହି ନାହାନ୍ତି ବୋଲି।

ଆସି ବେଡ଼ ଉପରେ ବସିଲି। ମୋବାଇଲ୍ ରେ ଚାର୍ଜ ଅଳ୍ପ ମାତ୍ର। ଟର୍ଚ୍ଚ୍ ବି ବେଶି ସମୟ ଲାଗି ପାରିବନି ଜାଣି ପୁଣି ମନକୁ ବୁଝେଇବା ଆରମ୍ଭ କରିଦେଲି। ଆଉ ଚାହିଁ ରହି ଲାଭ କଣ ବରଂ ମୋବାଇଲ୍ ରଖି ଦେଇ ଶୋଇବାକୁ ଚେଷ୍ଟା କରେ। ପୁଣି ଥରେ ଦୁଇ କବାଟକୁ ପରଖି ନେଲି। କବାଟ ବନ୍ଦ୍ ଅଛି। ଆସି ବେଡ଼ରେ ଶୋଇ ରହିଲି। ଘଡ଼ଘଡ଼ି ଶବ୍ଦରେ ଆଖିରେ ନିଦ ନାହିଁ ମାତ୍ର ଚାହିଁ ରହିବାର ବାହାନା ବି ମିଳୁନି। ବିଜୁଳି ଆଲୋକରେ ଘର ଭିତରକୁ ଚାହିଁଲେ ଅଜବ ଭାବନା ସବୁ ସୃଷ୍ଟି ହେଉଛି। ଆଖି ବନ୍ଦ୍ କରି ପଡ଼ି ରହିବା ଛଡ଼ା ଅନ୍ୟ ଉପାୟ କିଛି ନାହିଁ ଜାଣି ହାତ ଦୁଇଟିକୁ ଚିତ୍ ଛାତି ଉପରେ ଛନ୍ଦି ଶୋଇବାକୁ ଚେଷ୍ଟା କଲି। ହଠାତ୍ ଏକ ଭୀଷଣ ବଜ୍ରପାତ ଶବ୍ଦ, ସେ ଶବ୍ଦରେ ଏମିତି ନିଦ ଭାଙ୍ଗିଲା ଯେ ମୁଁ ଉଠି ବେଡ ରେ ସିଧା ବସିଗଲି। କାଚ ଝରକା ଦେଇ ବାହାରର ଆଲୋକ ବିଚ୍ଛୁରିତ ହୋଇ ଯାଉଥିଲା ସାରା ଘର। ହେଲେ ଏ କଣ, ମୁଖ୍ୟ ଦ୍ଵାର କବଜା ଭାଙ୍ଗି ପୁଣି ଥରେ ଖୋଲି ଯାଇଛି। ଆଲୋକ ଓ ବର୍ଷାରେ ବାହାର ଅବସ୍ଥା ସମ୍ପୂର୍ଣ ରୂପେ ଘର ମଧ୍ୟକୁ ଚାଲି ଆସିଛି ଯେମିତି। ଭୟରେ ମୁଁ ଥରହର। କୋଉ ଦେବତା ଦେବୀଙ୍କୁ ଡାକିବି ବୋଲି ଭାବୁଥାଏ। ଏହି ନିଃସଙ୍ଗ ସମୟରେ କେହି ତ ଜଣେ ପାଖରେ ଥାନ୍ତା, ଏହି ଭାବନା ଆଣୁ ଆଣୁ ମନରେ ହଠାତ୍ ନଜର ପଡ଼ିଲା କବାଟ ପାଖରେ ବାହାରକୁ କିଏ ଠିଆ ହେଇଛି। ସ୍ପଷ୍ଟ ଯଦିଓ ଦେଖା ଯାଉନାହିଁ ମାତ୍ର ଅଚିହ୍ନା ମୁହଁଟିଏ। ମୁହଁ ବି ବଡ଼ ବିକୃତ।

ବିଜୁଳି ଆଲୋକରେ ଜାଣି ହେଉନାହିଁ ୟେ ଜନ୍ତୁ କି ମଣିଷ କି ଏକ ଛାୟା। ପାଦ ଦୁଇଟି ଶୂନ୍ୟରେ ଝୁଲୁଛି, ମଧ୍ୟମ ବୟସର ହେବ କି କଣ, ପତଳା ଲମ୍ବା।ମୁଁ ଗୋଟା ପଣେ ଥରିବାରେ ଲାଗିଥାଏ। ଖଟ ଉପରେ ଜାକିଜୁକି ହୋଇ ବସିଥାଏ ଆଉ କୋଉ ଭଗବାନଙ୍କୁ ଡାକିବି ଭାବୁ ଭାବୁ ଶିବଙ୍କୁ ନେହୁରା ହେବା ଆରମ୍ଭ କରି ଦେଇ ଥାଏ। ଥର ଥର ପାଟିରେ ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ ଉଚ୍ଚାରଣ କରି ଚାଲିଥାଏ। ମୋତେ ଦେଖି ସେ ବି ଓମ୍ ନମଃ ଶିବାୟ ଉଚ୍ଚାରଣ କରିବାରେ ଲାଗିବା ମାତ୍ର ତାଛଲ୍ୟ ଅବା ଅଟ୍ଟହାସ୍ୟ କଲା ପରି ଯେମିତି ସେ ଜଣେଇ ଦେଇଛି କି ଯାହାକୁ ଡାକିଲେ ବି ଆଜି ମୋତେ କେହି ବି ତା କବଳରୁ ବଞ୍ଚାଇ ପାରିବେନି। ମୁଁ ତଥାପି ବିକଳ ହୋଇ ଶିବ ନାମ ଜପୁଥାଏ। ଆଉ ସେ ରାଗରେ ଏତେ କ୍ଷୀପ୍ର ବେଗରେ ଖତେଇ ହୋଇ ମୋ ପାଖକୁ ଦୌଡ଼ି ଆସିଲା ଯେମିତି ଏକ ବୁଲେଟ୍ ଟ୍ରେନ୍ ମୋ ଉପରେ ଚଢ଼ି ଗଲା।

ଆଖି ଦୁଇଟି ଭୟରେ ମୁଦି ହୋଇଗଲା ଆଉ ସତରେ ଖୋଲିଗଲା। ନିଃଶ୍ୱାସ ବନ୍ଦ୍ ହୋଇଯିବା ଅପେକ୍ଷାରେ। ସାରା ଦେହ ଝାଳ ସରସର। ଖାଲି କାନ୍ଥଟିକୁ ମୁଁ ଚାହିଁ ରହିଥାଏ କଡ଼େଇ ହୋଇ ଶୋଇ ରହି, ଏକ ପଲକରେ।ବଡ଼ ବଡ଼ ଆଖିରେ ଅନେକ ଅସମ୍ଭବ ସମ୍ଭାବନା ମାନ ଭାବି ଚାଲିଥାଏ। ପଛ ପାଖେ ମୁଖ୍ୟ କବାଟ। ତଥାପି ଭୟ ଥାଏ କି ସତରେ ଖୋଲା ନ ଥିବ ତ। ସତରେ କିଏ ଠିଆ ହୋଇ ନ ଥିବ ତ। ସତରେ କିଏ ଦୌଡ଼ି ଆସି ଯିବନି ତ। ମନରେ ସେମିତି ଶିବ ନାମ ଜପୁଥାଏ। ଠିକ୍ ସମୟକୁ ବିଦ୍ୟୁତ୍ ଆସିଗଲା। ଘର ଆଲୋକିତ ହୋଇଗଲା। ମନ ରେ ଟିକେ ସାହସ ଆସିଲା। ଧିରେ ଧିରେ କଡ଼ ଲେଉଟାଇ ଦେଖିଲି, କିଏ ସତରେ ମୋ ପାଖକୁ ଦୌଡ଼ି ଆସିବନି ତ, ମାତ୍ର କବାଟ ବନ୍ଦ୍ ଥିଲା। ମନକୁ ଆଶ୍ୱସ୍ତି ମିଳିଲା। ମାତ୍ର ନିଃସଙ୍ଗତା କେତେ ଯେ ଭୟାନକ ଓ ବିପଦ ଜନକ, ତାହା ମୁଁ ଅନୁମାନ କରି ପାରୁଥିଲି।

Comments are closed.