Latest Odisha News

ଗଳ୍ପ : ବାପା

ସୁଜାତା ପତି

ରାମୁ ସବୁଦିନ ବାପାଙ୍କ ସାଇକେଲରେ ସ୍କୁଲ ଯାଏ। ଘରଠାରୁ ସ୍କୁଲ ଅଳ୍ପ ଦୂର। ତା’ବାପାଙ୍କର ପାନ ଦୋକାନ… କିଛି ସମୟ ଦୋକାନ ବନ୍ଦ କରି ରାମୁକୁ ସ୍କୁଲରେ ଛାଡନ୍ତି। ସ୍କୁଲ୍ ଛୁଟି ହେଲେ ସାଙ୍ଗମାନଙ୍କ ସହିତ ଘରକୁ ଫେରେ ରାମୁ। ମାଆ ଖାଇବା ତିଆରି କରି ଟିଫିନ୍ ପ୍ରସ୍ତୁତ କରିଲା ବେଳେ ବାପା ରାମୁର ଜୋତା ପଲିସ କରି ଡ୍ରେସ୍ ପିନ୍ଧାଇ ଦିଅନ୍ତି।

ଦିନେ ବାପାଙ୍କ ସାଇକେଲଟା ହଠାତ୍ ଖରାପ ହୋଇଗଲା ଯେଉଁ ଦୋକାନରେ ସାଇକେଲ ସଜାଡନ୍ତି, ସେ ଗାଁକୁ ଯାଇଛି। ତେଣୁ ବାପା ଆଉ ରାମୁ ଚାଲି ଚାଲି ସ୍କୁଲ ଯାଉଛନ୍ତି। ବାପା ରାମୁର ବ୍ୟାଗ୍ ଧରନ୍ତି। ରାମୁ ଖୁସିରେ ଡେଇଁ ଡେଇଁ ଚାଲିଥାଏ। ତୃତୀୟ ଶ୍ରେଣୀରେ ପଢ଼େ ରାମୁ। ରାସ୍ତାରେ ଚାଲୁ ଚାଲୁ ଦେଖେ ବାପା ପଛରେ ରହି ଯାଇଛନ୍ତି। ଅପେକ୍ଷା କରେ… ବାପା ଆସନ୍ତି.. କହେ.. ବାପା ଜଲଦି ଯିବା… ଦ୍ବିତୀୟ ଦିନ ବି ଦେଖିଲା ବାପା ଚାଲୁ ଚାଲୁ ପଛରେ ରହି ଯାଇଛନ୍ତି। ପଚାରିଲା…ତୁମେ କ’ଣ ଚାଲି ପାରୁନ.. ବ୍ୟାଗ୍ ଟେକି ପାରୁନକି ? ମୋ ପିଠିରେ ପକାଅ ଏବଂ ମୋ ସହିତ ଚାଲ.. ବାପା କହିଲେ..ଝୁଣ୍ଟି ପଡିଲି ତ… ତେଣୁ ଧୀରେ ଧୀରେ ଚାଲୁଛି ।

ତୃତୀୟ ଦିନ ରାମୁ ଚାଲୁ ଚାଲୁ ଦେଖିଲା..ବାପା ନଇଁ ପଡି ଜୋତା ପିନ୍ଧୁଛନ୍ତି। ଅପେକ୍ଷା କଲା.. ବାପା ଆସିଲେ। କିଛି କହିଲାନି….ଭାବିଲା, ବାପାଙ୍କର ଦେହ ବୋଧହୁଏ ଭଲ ରହୁନି। କାଲିଠାରୁ ସାଙ୍ଗ ମାନଙ୍କ ସହିତ ଆସିବି। ଚାରିଟା ବେଳେ ସ୍କୁଲରୁ ଫେରିଲା ବେଳେ ଦେଖିଲା, ବାପାଙ୍କ ଜୋତା ବାହାରେ ଅଛି ଜୋତା ର ଗୋଟେ ପଟ ଓଲଟି ଯାଇଥିଲା। ସେଥିରେ ସେପ୍ଟିପିନ୍ ଲାଗିଥିଲା…..!

ଭୁବନେଶ୍ୱର

Comments are closed.