ଅନୁବାଦ ଗଳ୍ପ : ରାମ ଓ ରହୀମର କଥା
ମହାଶ୍ୱେତା ଦେବୀ ଏକାଧାରରେ ଜଣେ ସାହିତ୍ୟିକା ଏବଂ ସମାଜସେବୀ । କେବଳ ବଙ୍ଗଳା ସାହିତ୍ୟ ନୁହେଁ ଆଧୁନିକ ଭାରତ ସାହିତ୍ୟର ସେ ଜଣେ ଜଣାଶୁଣା ଓ ଚର୍ଚ୍ଚିତ ନାମ । ଆଜୀବନ ଖେଡ଼ିଆ ଶବର ଓ ଅନ୍ୟାନ ଡି- ନୋଟିଫାଏଡ୍ ଜନଜାତିର ଲୋକମାନଙ୍କ ପାଇଁ ସଂଗ୍ରାମ କରିଆସିଥିବା ମହେଶ୍ୱେତାଙ୍କୁ ତାଙ୍କର ସମାଜସେବା ଲାଗି ମାଗାସେସେ ପୁରସ୍କାର ଏବଂ ସାହିତ୍ୟ ସେବା ନିମନ୍ତେ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଲୋଚିତ ଗଳ୍ପଟି ଭାରତ ବିଭାଜନ ଉପରେ ଏକ ମନୋଜ୍ଞ କାହାଣୀ ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୧
ବଙ୍ଗଳା: ମହାଶ୍ୱେତା ଦେବୀ
ସଜୁମଣି ବେଓରା ମନରୁ ଧର୍ମକର୍ମ ବିଶ୍ୱାସ ଯେମିତି ହଠାତ୍ ଏଇ ବର୍ଷାଦିନଟାରେ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲା! ହଁ, ଏକଥା ସତଯେ ସଜୁମଣି କି ତା’ଭଳିଆ ଅନ୍ୟ ସ୍ତ୍ରୀଲୋକମାନେ ଏ ଈଶ୍ୱର ଫିଶ୍ୱରଙ୍କ ବିଷୟରେ ବେଶୀ କିଛି ଜାଣନ୍ତିନି । କେବଳ ଦୁଃଖରେ ଥିଲେ କି ବିଦରେ ପଡ଼ିଲେ ସେମାନଙ୍କ ତୁଣ୍ଡରୁ ‘ହେ ଭଗବାନ! ତୁମେ କେଉଁଠି ଅଛ?’ ବୋଲି ଯାହା ପଦେ ଅଧେ ବାହାରିପଡ଼େ । କିନ୍ତୁ ସେଇ ସର୍ବଶକ୍ତିମାନ ସର୍ବବ୍ୟାପୀ ଓ ଅଦୃଶ୍ୟ ଈଶ୍ୱରଙ୍କ ସ୍ଥିତିକୁ ସେମାନେ କେବେ ଉପଲବ୍ଧି କରିପାରନ୍ତିନି । ସେମାନଙ୍କ ଦିଅଁ ଦେବତା କହିଲେ ସୀତଳା କି ପଞ୍ଚୁ ଠାକୁର । ଆଉ ଟିକେ ଆଗକୁ ଗଲେ ବହରମପୁରଠାରେ ଥିବା ବିଷ୍ଣୁପୁରର କାଳୀ ମନ୍ଦିର । ଆଜିକାଲି ତ ‘କାଳୀ’ ନାଁ ସୁଦ୍ଧା ତୁଣ୍ଡରେ ଧରିବାକୁ ସେମାନଙ୍କର ଭାରି ଡର । ଲୋକେ ଟୁପୁରୁଟାପୁରୁ ହେଉଥିଲେ ଯେ ସେମାନଙ୍କ ଭିତରୁ କେଇଜଣ କାଳେ ହାତେମପୁର ଓ କାଜୋଖାଲି ମଝିରେ ଥିବା ସିଦ୍ଧକାଳୀ ମନ୍ଦିରକୁ ଯାଇ ଦର୍ଶନ କରିଆସିଲେଣି ।
ସେ ମନ୍ଦିରକୁ ପ୍ରାୟ କୋଡ଼ିଏ ବର୍ଷ ହେବ । ସେ ମନ୍ଦିରର ପୂଜକ ସେମାନଙ୍କୁ କହୁଥିଲେ, ଦିନେ ସନ୍ଧ୍ୟା ବେଳଟାରେ ସିଏ କଦଳୀ ବାଡ଼ି ପଛପଟେ ପରିସ୍ରା କରିବାକୁ ଯାଉଛନ୍ତି, କିଏ ଜଣେ
ଶୂନ୍ୟଟାରେ ଆସି ତାଙ୍କ ଗାଲରେ ବ୍ରହ୍ମଚାପୁଡ଼ାଟାଏ କଷିଦେଲା । ତା’ପରେ ଶୂନ୍ୟବାଣୀ ହେଲା ପରି କିଏ କହୁଥିବାର ସେ ଶୁଣିପାରିଲେ- ‘ତୁ କ’ଣ ଜାଣିନୁ? ଏଇ ମାଟି ତଳେ ମୁଁ ପୋତିହୋଇ ରହିଚି? ଏଇଠି ଏମିତି ମୁହଁମାଡ଼ି ସାତଶହ ବର୍ଷ ହେଲା ପଡ଼ିରହିଚି । ତୁ ମତେ ଏଠାରୁ ଉଦ୍ଧାର କର ।’ ଆଜିଯାଏ ଖଜୁରୀ ତାଡ଼ି ତେଣ୍ଡି ନିଜ ଭାରିଜାକୁ ‘ମୋ କାଳୀ ଠାକୁରାଣୀ’ ଠାରୁ ଆରମ୍ଭ କରି ‘ମୋ ସୁନ୍ଦରୀରାଣୀ’ (ଏଇଟା ତାଙ୍କର ନିତିଦିନିଆ କାଣ୍ଡ- ସନ୍ଧ୍ୟାବେଳେ ସ୍ତ୍ରୀକୁ ଏମିତି ସରାଗଭରା ଡାକ ଛାଡ଼ୁଥିଲେ ଓ ରାତିରେ ଖାଇଲାବେଳେ କାଇଁକି ଥଣ୍ଡା ରୁଟି ଦେଇଚୁ ବେଳଲି କହି ତାଙ୍କ ଦେହମୁଣ୍ଡରେ ବିଧା ଗୋଇଠା ଲଦୁଥିଲେ) ଭଳି ସ୍ନେହବୋଳା ସମ୍ବୋଧନ କରିଆସୁଥିବା ବୈଦ୍ୟନାଥ ଘୋଷାଲ ସୁଦ୍ଧା ଆଜିକାଲି ଧର୍ମକର୍ମରେ ମନ ବଳେଇଥିଲେ । ଯଦିବା ସେଇ ସ୍ଥାନକୁ ଖୋଳିବାପରେ ସେଠାରୁ କିଛି ମୂର୍ତ୍ତି ମିଳିନଥିଲା, ତଥାପି ଢେର୍ ପୂଜାପାଠ, ରୀତିନିତି ଚାଲିଥିଲା । ତା’ପରେ ସେଠାରେ ତୋଳା ହୋଇଥିଲା ଏକ ବିରାଟ କାଳୀ ମନ୍ଦିର ଏବଂ ସ୍ଥାପନା ହୋଇଥିଲେ ଖଣ୍ଡାଖର୍ପର ଧାରିଣୀ ଚାରିହାତବିଶିଷ୍ଟ କାଳୀମୂର୍ତ୍ତି । ଜନସାଧାରଣଙ୍କ ଦାବିରେ ଏପରିକି କେତେଜଣ ଅଣ-ହିନ୍ଦୁଙ୍କୁ ସୁଦ୍ଧା ମନ୍ଦିରର ରୀତିନୀତି ଲାଗି କିଛି କିଛି ଚାଷଜମି ଦେବାକୁ ବାଧ୍ୟ କରାଗଲା । ଏବେ ବୈଦ୍ୟନାଥ ଘୋଷାଲ ପୂଜକ ବେଶ୍ ଧନୀ ପାଲଟିଗଲେ । ତାଙ୍କର ଦୁଇ ଭେଣ୍ଡାପୁଅ ଆଦ୍ୟନାଥ ଓ ଶକ୍ତିନାଥ, ଜୁଆଆଡ୍ଡାଠାରୁ ଆରମ୍ଭ କରି ଦେଶୀ ମଦଭାଟି ଓ ଦୋକାନ ପର୍ଯ୍ୟନ୍ତ ସବୁକିଛି ଚଳାଉଥିଲେ । ଏପରିକି ସ୍ଥାନୀୟ ବହୁ ଜନହିତକର ସଂସ୍ଥା ସହିତ ସେମାନେ ଜଡ଼ିତ ଥିଲେ ।
ଥରେ ରାମଲାଲର ଦେହ ଖରାପ ହେଲା । ତା’ର ଆରୋଗ୍ୟ କାମନା କରି ସଜୁମଣି ତା’ ପୁଅକୁ ଆଣି ମୁଣ୍ଡନ କରେଇଥେିଲ ଓ ନିଜ ରକ୍ତ ବି ସିଦ୍ଧକାଳୀଙ୍କ ପାଖରେ ଦେଇଥିଲା । କିନ୍ତୁ ସେଦିନ ସନ୍ଧ୍ୟାବେଳେ ବିଚିତ୍ର କାଣ୍ଡ ଘଟିଥିଲା । ପୂଜକ ବୈଦ୍ୟନାଥ ଓ ତାଙ୍କ ପୁଅ ଆଦ୍ୟନାଥ ମା’କାଳୀଙ୍କୁ ଆହ୍ୱାନ କରିବା ସହ କେତେ ଯେ ଶରଣାର୍ଥୀଙ୍କ ବେକ ହାଣି ଚାଲିଥିଲେ ତା’ର ହିସାବ ନଥିଲା । ସେମାନଙ୍କ ହାତରେ ଖଣ୍ଡିଏ ଲେଖାଏଁ ଧାରୁଆ ଖର୍ପର । ଚାରିଆଡ଼େ ଲୋକ ହାଉଜାଉ । ପ୍ରାଣ ଘେନି ଯିଏ ଯୁଆଡ଼େ ପାରିଲା ପଳାଉଥିଲା । ସେଇ ଗହଳି ଭିତରେ ବ୍ୟସ୍ତ ବିବ୍ରତ ହୋଇ ସଜୁମଣି ପୁଅ ରାମଲାଲକୁ ଖୋଜି ଚାଲିଥିଲା । କାରଣ, ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ରାମଲାଲ ଘରକୁ ଲେଉଟି ନଥିଲା ।
ଦଶହରା ସ୍ନାନ ଉତ୍ସବ ଦିନ । ତେଣୁ ମେଳାରେ ମୁଢ଼ି ଓ ମୁଆଁ ବିକିବାକୁ ସଜୁମଣି ଯାଇଥିଲା । କିନ୍ତୁ ମେଳାରେ ‘ଆରେ ରାମ, ମତେ ଛାଡ଼ି ତୁ କୁଆଡ଼େ ଗଲୁରେ…’ ହାଉଳି ଛାଇ ସେ ଉଚ୍ଚସ୍ୱରରେ ବାହୁନିଥିଲା । ସତେ ଯେମିିତି ଏଇ କଥା ପଦକରେ ଅଟକି ଯାଇଥିଲା! ପଞ୍ଚୁବିବିର ପୁଅ ରହୀମ୍ର କଟାମୁଣ୍ଡଟାକୁ ଦେଖିଲା ପରେ ହଠାତ୍ କାଇଁକି ତା’ ମନ ପାପ
ଛୁଇଁଥିଲା । ସେଇ ଦିନଠାରୁ ‘କାଳୀ’ ର୍ନା ଶୁଣିଲେ ତା’ ସର୍ବାଙ୍ଗ ଥରି ଉଠୁଥିଲା । ଛାତି ଧଡ଼ପଡ଼ ବାଜୁଥିଲା । ଏବେ ସୂର୍ଯ୍ୟମଣୀ ଓ ତାଙ୍କ ଜାତିର ଲୋକଙ୍କ ପାଇଁ ‘ଭଗବାନ’ କହିଲେ ପଞ୍ଚୁ ଠାକୁର, ସୀତଳା ଓ ସେଇଭଳି ଅନ୍ୟମାନଙ୍କୁ ବୁଝାଉଥିଲା । ନିଜ ଦେଶ କହିଲେ ଭାରତ ବୋଲି ସେମାନେ ବୁଝନ୍ତିନି । ତାହା ହେଲା ହେତାମପୁର । ସେମାନଙ୍କ ଦେର ରାଷ୍ଟ୍ରପତି କିଏ ଅବା ପ୍ରଧାନମନ୍ତ୍ରୀଙ୍କ ନାଁ କ’ଣ, କି ମୁଖ୍ୟମନ୍ତ୍ରୀ ପଦରେ କିଏ ଅଛନ୍ତି, ସେସବୁ ଜାଣିବା ସେମାନଙ୍କର କିଛି ଦରକାର ନାହିଁ । କେବଳ ଗାଆଁ ମୁଖିଆ ଅମୂଲ୍ୟ ସର୍ବଜ୍ଞଙ୍କ ନାଁ ଜାଣିଲେ ହେଲା । ସେଇ ସେମାନଙ୍କ ପାଇଁ ସବୁକିଛି- ହର୍ତ୍ତାକର୍ତ୍ତା ଦଇବ ବିଧାତା । ଏତେ ବର୍ଷ ଧରି ସଜୁମଣୀ ମନର ଏଇ ବିଶ୍ୱାସ ରଖି ଆସିଥିଲା । ସେମାନେ ବି ତା’ର ସବୁ ଭଲମନ୍ଦ ପୂରଣ କରି ଆସୁଥିଲେ ।
ଉଭୟ ପଞ୍ଚୁ ଠାକୁର ଓ ସୀତଳା ହେଲେ ସାକ୍ଷାତ୍ ଦେବାଦେବୀ । ‘ଦେଶ’ କହିଲେ ହେତାମପୁର ।ସର୍ବଶକ୍ତିମାନ ମଣିଷ କହିଲେ ଅମୂଲ୍ୟ ସର୍ବଜ୍ଞ । କିନ୍ତୁ ବର୍ଷାଦିନ ଶେଷ ଆଡ଼କୁ ଯେତେବେଳେ ଭାଗୀରଥୀ ନଦୀ ଦି’କୂଳ ଖାଉଥିଲା, ସେତେବେଳେ ପାଖଆଖ ସବୁ କୂଅ ଗାଡ଼ିଆ ପାଣିରେ ଉଛୁଳୁଥିଲା । ବଢ଼ିପାଣିରେ ଚାଷବାସ ସବୁ ଉଜୁଡ଼ି ସାରିଥିଲା । ସଜୁର୍ମଣୀର ହଠାତ୍ କାହିଁକି ମନେହେଲା ଯେ ତା’ର ଆଶା ବିଶ୍ୱାସର ସବୁ ମୂଳଦୁଆ କୁଆଡ଼େ ଛିନଛତର ହେଇଯାଇଛି! ଗଲାକାଲି ପର୍ଯ୍ୟନ୍ତ ତ ସବୁ ଆସ୍ଥା ବିଶ୍ୱାସ ଠିକ୍ ଥିଲା । ଗଲା କାଲି ତ ସିଏ ଅମୂଲ୍ୟ ସର୍ବଜ୍ଞକୁ ଭେଟିବାକୁ ଯାଇଥିଲା । ତା’ର ସାଙ୍ଗିଆ ‘ସର୍ବଜ୍ଞ’ମାନେ ତାକୁ ‘ସବୁକିଛି ଜଣା’ । ଆଉ ଲୋକଟାର ସବୁ କଥାରେ ବି ଦଖଲ ଥିଲା । ସିଏ ସାପକାମୁଡ଼ା ରୋଗୀଙ୍କୁ ଦେଖୁ ଦେଖୁ କହି ଦେଉଥିଲା ବିଷଧର ସାପ ଦଂଶନ କରିଛି ନା ବିଷ ନଥିବା ସାପ । କୋଟ କଚେରୀ ମାମଲାରେ କି ଜମିବାଡ଼ି ଭାଗରେ ହେଉ, ସେ ତାଙ୍କ ନିରପେକ୍ଷ ମତାମଦ
ଦେଉଥିଲା । ଅମିନଙ୍କ ଭଳି ଜମିବାଡ଼ି ମପାଚୁପାରେ ମଧ୍ୟ ତାଙ୍କର ଦକ୍ଷତା ଥିଲା । ଗାଈଗୋରୁଙ୍କ ଚିକି୍ତ୍ସା ବିଦ୍ୟା ବି ତାଙ୍କୁ ଉତ୍ତର ରୂପେ ମାଲୁମ ଥିଲା । ଖୁବ୍ ଦମ୍ଭରେ ସିଏ କୋଟ
କଚେରୀ ହେଉ କି ଥାନା, ରାଜନୈତିକ ଦଳର କାର୍ଯ୍ୟାଳୟ ହେଉ କି ଜେଏଲଆରଓ ଅଫିସ୍ ସବୁ ଜାଗାକୁ ତାଙ୍କର ଧାପ ଥିଲା ।
ଗାଆଁରେ ପଞ୍ଚାୟତ ଡକାଇ ବାଦବିବାଦର ଫଇସଲା କରିବାରେ ତାଙ୍କ ବୁଦ୍ଧିକୁ ସମସ୍ତେ ତାରିଫ କରୁଥିଲେ । ଅନ୍ୟ ଅର୍ଥରେ କହିଲେ ସିଏ ନିଜେ ଯେତିକି କାମ କରୁ ନ ଥିଲେ, ସବୁକଥା କରେଇ ନେବାରେ ଓ ସବୁକିଛି ନିଜ ନିୟନ୍ତ୍ରଣରେ ରଖିବାରେ ତାଙ୍କର ଖୁବ୍ ଖାତିର ଥିଲା ।
‘ୟା’ଭିତରେ ଆସି ଦି’ମାସ ବିତିବାକୁ ବସିଲାଣି । ମତେ କିଛି ତ ହେଲେ ଖବର କହ । ତୁମେ କ’ଣ ବୁଝିପାରୁନ, କେତେ ଦୁଃଖରେ ମୁଁ ଦିନ କାଟୁଚି?’
‘ତୁ କ’ଣ ଆଉ ଧାଈ କାମ କରୁନୁ କି?’
‘ସିଏ କାମ କେଉଁ ଦିନେ ଅଧେ କଥା । ବାବୁ, ମୁଁ ଏଠିକି ଧାଈକାମ ଖୋଜି ଆସିନି । (ଏବେ ସାରା ଗାଆଁରେ କେବଳ ରହୀମର ପତ୍ନୀ ବତାସୀ ବିବିର କିଛି ଛୁଆପିଲା ହେବାର ଥିଲା । ସେମାନେ ସଜୁମଣୀକୁ ପ୍ରସୂତୀ ପାଇଁ ଡାକିବେ କି ପୋଖତିକୁ ଟାଉନକୁ ନେବେ ସେକଥା ତାଙ୍କ ଉପରେ ନିର୍ଭର କରୁଥିଲା) । ମୁଁ ଆଜି ବୁଝିବାକୁ ଆସଚଚି, ଦି’ମାସ ହେଲା ମୋ ପୁଅ କୁଆଡ଼େ ଗଲାଣି । ତା’ର କିଛି ଖୋଜଖବର ନାହିଁ । ସିଏ ଏଯାଏଁ ଘରକୁ ଲେଉଟିନି । ସିଏ ଫେରିବ ନା ନାଇଁ? ପୁଣି ତୁମେ ତା’ ଶବ ପାଇଛ କି ନାଇଁ – ମୁଁ ତୁମଠାରୁ କିଛି ଗୋଟାଏ ଖବର ଶୁଣିବାକୁ ଆସିଚି ।
ଏମିତିରେ ମଣିଷ ଆଉ କେତେ ଦିନ କହିଲ?’
ସ୍ୱାଭାବିକ ଭାବେ ସର୍ବଜ୍ଞବାବୁ ସଜୁମଣୀ ସାଙ୍ଗରେ ବାବୁ ଆଡ୍ଡା ଦେଖେଇ କଥାବାର୍ତ୍ତା କରିଥାଆନ୍ତି । ସଜୁମଣୀ ଗଲା ନିର୍ବାଚନରେ କ୍ଷମତାଧାରୀ ଦଳ ସପକ୍ଷରେ ଭୋଟ୍ ଦେଇ ନ ଥିଲା । ବରଂ ବିରୋଧୀ ଦଳକୁ ଦେଇଥିଲା । କିନ୍ତୁ ଗଲା ଜୁନ୍ ଚବିଶ ତାରିଖ ଦିନ କଟରା- ମସଜିଦକୁ ନେଇ ଯେଉଁ ହତ୍ୟାକାଣ୍ଡ ଘଟିଥିଲା, ସେଇଟା ବେଶ୍ ଗୁରୁତର ଘଟନା ବନି ସାରିଥିଲା । ତେଣୁ ତାଙ୍କୁ ଆଜି ଭାବିଚିନ୍ତି କଥାର୍ବତ୍ତା କରିବାକୁ ପଡ଼ୁଥିଲା । ସେ ନିଜ ସ୍ୱରକୁ ଯଥାସମ୍ଭବ ଧୀର କରି କହିଲେ, ‘ଗୋଟିଏ ଦିନପାଇଁ ସୁଦ୍ଧା ଏ ଘଟନାରେ ଖୋଜଖବର କରିବା ମୁଁ ବନ୍ଦ୍ କରିନି । ଏଇ ଗଲା ପଅରିଦିନ ମୋ ଝିଅ ଘରକୁ ବହରମପୁର ଗଲାବେଳେ ପରା… ।’
ତା’ପରେ ସେ ତୁନି ପଡ଼ିଗଲେ ଓ ମନକୁ ମନ କହିହେଲେ, ‘ଏ ସରକାର ପୋଡ଼ିଯାଉ । ଟୋକାଟା ଏତେଦିନ ହେଲା କୁଆଡ଼େ ଉଭାନ୍ ହେଲାଣି । ସେମାନେ କାଇଁକି ଭଳା ତାକୁ ‘ସମ୍ଭବତଃ ମୃତ’ ବୋଲି ଘୋଷଣା କରୁନାହାନ୍ତି? ସେଇଥିପାଇଁ ମୋତେ ଏତେ ଦହଗଞ୍ଜ ହେବାକୁ ପଡ଼ୁଛି । ଏବେ ସଜୁମଣୀ ଆଡ଼କୁ ଚାହିଁ ସର୍ବଜ୍ଞବାବୁ କହିଲେ, ‘ରାମଲାଲ କିଛି ବୋକା ପିଲା ନୁହଁ । ସବୁ ଦଶରା’ ମେଳାରେ ପରା ସିଏ କେତେ ମୁଢ଼ି ମୁଆଁ ବିକ୍ରି କରୁଥିଲା । ଯେତେବେଳେ ତା’ଭଳିଆ ଜାଣିବାଶୁଣିବା ପିଲା ଘରକୁ ନ ଫେରୁଚି, ତା’ହେଲେ ଆମେ ଆଉ ଅଧିକା କ’ଣ କରିପାରିବୁ? ଏମିତିକିଆ ଆହୁରି ଚାରିଟା ମାମଲା ଅଛି । କିନ୍ତିୁ ସେସବୁ ଅନ୍ୟ ସ୍ଥାନରେ ଘଟିଛି ।’
‘ତୁମେ କେବଳ ମୋ ପୁଅ ଖବରଟା ମୋତେ ଦିଅ ।’
‘ମୁଁ କିଛି ଖବର ପାଇବାମାତ୍ରେ ନିଶ୍ଚୟ ଜଣେଇବି ।’ ସଜୁମଣି ପଚାରିଲା, ‘ଆଚ୍ଛା ମିଳୁନାହିଁ କହିଲେ କ’ଣ ଆମେ ମରିଗଲା ବୋଲି ଧରିନେବା?’
‘ତୁମେ ଜମା ବ୍ୟସ୍ତ ହୁଅନା… ଯାହା କିଛି ଖବର ମିଳିବ ମୁଁ ତୁରନ୍ତ ତୁମ ପାଖରେ ପହଞ୍ଚେଇବି । ତୁମେ ଏବେ ଯାଉଛ କୁଆଡ଼େ ଶୁଣେ?’
‘ସୁବଳ ଧଳର ଭାରିଜା ବିମଳା ମତେ କହିଲା – ମାଉସୀ, ତୁମେ ତ ସବୁଆଡ଼େ ଖୋଜାଖୋଜି କଲଣି । ଏବେ ଥରେ ସିଦ୍ଧକାଳୀଙ୍କ ମନ୍ଦିରକୁ ଯାଅ । ସାକ୍ଷାତ୍ ଦେବୀ । ଭାରି ଶକ୍ତିଶାଳୀ । ହେଲେ ମୋର ଜମ୍ମାରୁ ଯିବାକୁ ଇଚ୍ଛା ହେଉନି । ତେଣୁ ଭାବିଲି ଯାଇ ଫକୀର ବାବାଙ୍କୁ ପାଖରେ ବୁଲିିଆସିବି ।’
ସିଦ୍ଧକାଳୀଙ୍କ ନାଁ ଶୁଣୁ ଶୁଣୁ ଅମୂଲ୍ୟ ମୁହଁ ଗମ୍ଭୀର ହୋଇ ଉଠିଲା । ସେତେବେଳେ ଚାରିଆଡ଼େ ଗୁଜବ ପ୍ରଚାରି ହୋଇଥିଲା ଯେ ବୈଦ୍ୟନାଥ ଓ ଆଦ୍ୟନାଥ କାଳେ ମା’କାଳୀଙ୍କ ଦିବ୍ୟ
ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି । ସେଠାରେ ଗୋଟିଏ ମନ୍ଦିର ତୋଳିବାଲାଗି ମା’ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ମନ୍ଦିର ତୋଳା ସରିଲାପରେ ସୁଦ୍ଧା ମନ୍ଦିର ବେଢ଼ା ଲାଗି ଇନାମୁଲ, ମକବୁଲ ଓ ମନସୁର ମଲ୍ଲିକଙ୍କ ଭିଟାମାଟିକୁ ଦଖଲ କରିବା ପରେ ସୁଦ୍ଧା ଅମୂଲ୍ୟ ବିଶ୍ୱାସ କରୁଥିଲା ଯେ ଏସବୁ ଏକ ଧାର୍ମିକ କାମ । ଆଉ ସିଏ ଗାଆଁର ‘ପ୍ରଧାନ’ (ମୁଖିଆ) ହୋଇ ସାରିବା
ପରେ ସେମାନଙ୍କୁ କୋଡ଼ିଏ ଡିସିମିଲ୍ ଲେଖାଏଁ ଜମି ଦେଇଥିଲେ । ସେତକ ବି ବିଚରାମାନେ ଭୋଗ କରିପାରି ନ ଥିଲେ । ଆଜିକାଲି ତ ସିଦ୍ଧକାଳୀ ବଜାର ବି ବସ୍ତିଟିଏ ପାଲଟି ସାରିଥିଲା । ବୈଦ୍ୟନାଥର ପୁତୁରା ଖୁବ୍ ଶୀଘ୍ର ଆଉ ଗୋଟିଏ ମନ୍ଦିର ତୋଳିବାକୁ ଯୋଜନା କରୁଥିଲା । ବଳିବୋଦା ରକ୍ତ ଭିନ୍ନ କଥା, ଅଣ-ହିନ୍ଦୁମାନଙ୍କ ରକ୍ତ ଶୋଷିବା ଆଉ ଏକ କଥା । ବର୍ତ୍ତମାନ ପରିସ୍ଥିତିରେ ଅଣ-ହିନ୍ଦୁଙ୍କ ରକ୍ତ ଶୋଷା କାଳୀ ମାତାଙ୍କ ପୂର୍ବର ପ୍ରଭାବକୁ କାଏମ ରଖିବା କଷ୍ଟକର ବ୍ୟାପାର । ସମ୍ଭବତଃ ଏଥିପାଇଁ ଆଉ ଜଣଙ୍କୁ ମା’ଙ୍କ ଆଶୀର୍ବାଦ ଲାଭ ପାଇଁ ଅପେକ୍ଷା କରିବାକୁ ପଡ଼ିବ । ଏବେ ତ ଜୁଆଆଡ୍ଡା କି ଦେଶୀ ଦାରୁ ଦୋକାନ ବି ଠପ୍ ହୋଇଯାଇଛି ।
‘ତୁ ଯା’, ଥାନାକୁ ଦଉଡ଼ି ଦଉଡ଼ି ମୋ ପ୍ରାଣ ଗଲାଣି ।’ ବିମଳା ଧଳ ଜଣେ ସୁସ୍ଥସବଳ ସ୍ତ୍ରୀଲୋକ, ଆଉ ତା’ ପାଟି ବି ସେମିତି ଖର । ସିଏ ସଜୁମଣୀକୁ ଧମକେଇଲାପ ରି କହିଲା, ‘ଏବେ
ଯା’ । ମନ୍ଦିର ବୁଲି ନିଜ ଦେହମୁଣ୍ଡ ଖରାକ କରୁଥା’ ।’ ତା’ପରେ ଅମୂଲ୍ୟ ସର୍ବଜ୍ଞକୁ ଚାହିଁ କହିଲା, ‘ଆଉ? ରାମ ଯଦି ଫେରି ନ ଆସିଲା, ମାଉସୀ ତ ଟଙ୍କା ପାଇବ! କିନ୍ତୁ ଟଙ୍କା ଲୋଭରେ ସିଏ ତା’ପୁଅ ଆଶା ଛାଡ଼ିନି ବାବୁ । ତା’ ବଡ଼ପୁଅ ଆଉ ତୃତୀୟ ପୁଅ ଦିହେଁ ତ ଆଉ କୁଆଡ଼େ ଯାଇ ରହୁଛନ୍ତି । ମଝିଆଁ ପୁଅଟା ନିପତ୍ତା । ଘରେ ପୁରୁଷ ପୁଅ କହିଲେ ରାମର ସାତବର୍ଷର ଗୋଟିଏ ବୋଲି ପୁଅ । ତୁମେ ଯଦି ତା’ର କିଛି ଖୋଜଖବର ନ ଦେବ ତା’ହେଲେ ବାଧ୍ୟ ହୋଇ ଲୋକେ ମନ୍ଦିର ଯିବେନି ତ ଆଉ କ’ଣ କରିବେ?’
ସଜୁମଣୀ ଗଲାକାଲି ଫକୀର ବାବାଙ୍କ ଘରକୁ ବି ଯାଇଥିଲା । ବିମଳା ଏଥର ପୁଣି କହିଚାଲିଲା, ‘ପଞ୍ଚୁ ବିବିର ଦୁଃଖ କଥା ମୁଁ ବୁଝୁଚି ବାବୁ । ଏମିତି ତୁଚ୍ଛାଟାରେ କ’ଣ ଭେଣ୍ଡା ପୁଅଟା
ମରିଯିବ? ତା’ ଦୁଃଖ ତୁଳନାରେ ମୋ ଦୁଃଖ କିଛି ନୁହେଁ । ମୋ ମନ କିନ୍ତୁ କହୁଚି ସିଏ ଆଉ ନାହିଁ । କିନ୍ତୁ ପ୍ରଧାନ ବାବୁ ସେକଥା ତାଙ୍କରି ତୁଣ୍ଡରେ ଆମକୁ କହନ୍ତୁ । ରାମର ଭାରିଜା ତା’
ଗେରସ୍ତର ଫେରିଲା ବାଟକୁ ଚାହିଁ ବସିଚି । ନାତିନାତୁଣୀମାନେ ଆସି ମତେ ଘେରି ପଚାରୁଛନ୍ତି – ଆମ ବାପାଙ୍କୁ ନେଇ ଆସିଚୁ? ଜଣେ ସାତ ବର୍ଷର, ଜଣେ ପାଞ୍ଚ ବର୍ଷର, ଆଉ ଜଣେ
ତିନି ମାସର । ତା’ସାଙ୍ଗକୁ ତା’ ଜୁଆନ ସ୍ତ୍ରୀଟା- ସେମାନଙ୍କୁ ମୁଁ କି ଉତ୍ତର ଦେଇ ବୁଝେଇବି? ଗଲାକାଲି ରାତିରେ ମୁଁ ନିଦରେ ଗୋଯିଏ ଭୁଲ୍ କରିବସିଲି । ବିଳିବିଳେଇ ହେଲି, ରାମ ଯଦି
ଫେରିଆସିବ, କେଉଁଠି ଶୋଇବ? ସାରା ରାଜି ଏଇ କଥା ଭାବି ଭାବି ମୁଁ ଆଖି କଷା କରିନି । ଖାଲି ଶେଯରେ ପଡ଼ି ଛଟପଟ ହେଲି । ଇଏ ତ କିଛି କାନଶୁଣା ଉଡ଼ା କଥା
ନୁହଁ ବାବୁ । ମତେ ଖାଲି ଗୋଟିଏ କଥା କହୁ- ମୋ ପୁଅ ବଞ୍ଚିଛି ନା ନାହିଁ । କାରଣ, କିଛି ନ ଜାଣି କାନ୍ଦିବା ବି ଅଶୁଭ କଥା । ମୁଁ ଆଖିରୁ ଲୁହ ସୁଦ୍ଧା ଗଡେଇ ପାରୁନି ।’
ଯେତେ ଯାହା ଆକୁତି ମିନତି କଲେ ସୁଦ୍ଧା ସେସବୁ ନିଷ୍ଫଳ ଯାଇଥିଲା । ବିମଳା ସେଇଠି ବସି ସଜୁମଣୀକୁ ସେମିତି ଗାରଡେଇ ଚାହିଁ ରହିଥିଲା । ସେ ତା’ ମନର ଭାବକୁ ଠିକ୍ ବୁଝି ପାରୁଥିଲା । ଏଥର ତାକୁ ବୁଝେଇବା ଭଳି ସ୍ୱରରେ କହିଲା, ‘ମାଉସୀ, ଉଠ, ଘରକୁ ଯାଅ । ଏଇ ତେନ୍ତୁଳୀ ଗଛରୁ ପେଚାଟା କୁହାଟୁଚି । ମୁଁ ତ ୟାକ୍ଷଭିତରେ ତିନି ତିନିଥର ଶାଗୁଣାଙ୍କୁ
ଦେଖିଲିଣି । ଚାଲ, ଘରକୁ ଯିବା ।’
ଶାଗୁଣାମାନଙ୍କୁ ଜଣା ନ ଥିଲା ଯେ ଏଠାକାର ଲୋକମାନେ ସେମାନଙ୍କୁ ଦେଖିଲେ ଅଶୁଭ ବୋଲି ଭାବନ୍ତି । ସେମାନେ କିନ୍ତୁ ନିଜର ବିଶାଳ ଡେଣା ମେଲେଇ ନିଜର ଖାଦ୍ୟ ସନ୍ଧାନରେ
ଥାଆନ୍ତି । ଛୋଟମୋଟ ଜୀବ କି କୀଟପତଙ୍ଗ ଦେଖିଲେ ଝାମ୍ପି ନିଅନ୍ତି । ସେମାନଙ୍କ ଉପରକୁ ଢେଲାଟିଏ ଫିଙ୍ଗି ବିମଳା ହୁରୁଡେଇ ଦେବାକୁ କହୁଥିଲା – ଉଡ଼ିଯା’ । ପଳା । ପଳା
ଏଠୁ ।’
ସେମାନେ ଯେଉଁ ଯେଉଁ ବାଟଦେଇ ଘରକୁ ଫେରୁଥିଲେ ଏବେ ରାମଲାଲ ମୁଣ୍ଡରେ ଭିତରେ ଘାରି ହେଉଥିଲା । କିଛିଦିନ ଲାଗି ସେ ସେଇବାଟେ ସ୍କୁଲକୁ ଯା’ଆସ କରୁଥିଲା । ଥରେ ଏଇବାଟେ ଗଲାବେଳେ ସେ ଦି’ଟଙ୍କିଆ ନୋଟଟିଏ ବି ପାଇଥିଲା । ସିଦ୍ଧକାଳୀ ମନଦିର ସେଇ ପାଖରେ । ସଜୁମଣୀର ମନେପଡ଼ିଗଲା ରହିମ୍ର କଟାମୁଣ୍ଡଟା କଥା । ସେଇ କଟାମୁଣ୍ଡଟା କେମିତି ନିଶ୍ଚଳ ହୋଇ ପଡ଼ିଥିଲା! ଆଖି ଦିଓଟି ଡବଡବ ହୋଇ ମେଲା ହୋଇ ରହିଥିଲା!
ରକ୍ତ! ଚାରିଆଡ଼େ ତାଜା ରକ୍ତ ଛିଟିକି ପଡ଼ିଥିଲା । ଏବେ ତ ବର୍ଷ ସେ ରକ୍ତକୁ ଧୋଇ ନେଇସାରିଛି । କିଛି ରକ୍ତ ବସୁଧା ପିଇ ସାରିଥିଲା । ହେମାତପୁର ଓ କାଜୋଖାଲିର ଲୋକେ କି ପାପ
କରିଛନ୍ତି କେଜାଣି? ପଞ୍ଚୁ ବିବିକୁ ସେଇଠି ସଙ୍ଗେ ସଙ୍ଗେ ଖବର ବିଳିଯାଇଥିଲା । ସଜୁମଣରୀର ମନେଅଛି ପଞ୍ଚୁ ବିବି କେତେଦିନ ଧରି ସେମିତି ଅଗଣାରେ ଆଖିରୁ ଲୁହ ଗଡେଇ ଚାଲିଥିଲା । ‘ହେ ଆଲ୍ଲା! ଯଦି ତୁମେ ପୁଅଟିଏ ଦେଇଥିଲ, ତାକୁ କାଇଁକି ଏମିତି ଅବେଳରେ ଛଡ଼େଇନେଲ?’
‘ଏବେ ଘରର ଦାୟିତ୍ୱ ମୁଣ୍ଡେଇବ କିଏ?’
‘ଆରେ ଧନ, ମୋ ଆଣ୍ଠୁଗଣ୍ଠି ବାତ ଲାଗି କିଏ ଅଞ୍ଜନ ଆଣି ଦେବରେ…?’
‘କାଇଁକି ମତେ ଛାଡ଼ିଗଲୁରେ ଧନ!’
‘କାଇଁକି ଲେଉଟି ଆସିଲୁନିରେ ମୋ ସୁନା?’ ପଞ୍ଚୁ ବିବିର ଆଖିରୁ କେବଳ ତାତିଲା ଲୁହ ଅବିରାମ ଗତିରେ ବହି ଚାଲିଥିଲା ।
ପଞ୍ଚୁ ବିବିର ଏଭଳି ଛାତିଫଟା କାନ୍ଦଣାରେ ସଜୁମଣୀର ମନ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ସୁଦ୍ଧା ସିଏ ତା’ ଘରକୁ ଦୌଡ଼ି ଯାଇପାରୁ ନ ଥିଲା କି ତାକୁ ବୋଧଶୋଧ କରିପାରୁ ନ ଥିଲା ।
ସେମାନେ କ’ଣ ଏ କଥାକୁ ସ୍ୱାଭାବିକ ଭାବରେ ଗ୍ରହଣ କରିବେ? ତା’ପରେ ବର୍ଷାଦିନରେ ମେଘୁଆ ଅପରାହ୍ଣ ପରି ପୋଖରୀର ଦୁଇକଡ଼େ ସେମାନେ ସେମିତି ନୀରବରେ ଠିଆହୋଇ ରହିଥିଲେ ।
‘ରାମଲାଲର ମାଆ!’ କେହି ଜଣେ ତାକୁ ଡାକିଲା । ସଜୁମଣୀ ହଠାତ୍ ଅଟକିଗଲେ ।
‘ପଞ୍ଚୁ ବିବି, ଆଲୋ ମୋ ଭଉଣୀ!’
ପଞ୍ଚୁ ବିବି କେମିତି ସନ୍ତର୍ପଣଭରା ପାଦରେ ଆଗକୁ ଆସୁଥିଲା ।
‘ତୋ ମନ ଭରି କାନ୍ଦିପକା ଲୋ ଭଉଣୀ । ଛାତି ହାଲୁକା ହୋଇଯିବ ।’
ଲୁହ ଢଳଢ଼ଳ ଆଖିରେ ସଜୁମଣୀ ନିଜ କୋହଭରା କଣ୍ଠକୁ ସଫାକରି ନୀରବରେ ମୁଣ୍ଡ ହେଲଇଲା ।
‘ମୁଁ ଏପର୍ଯ୍ୟନ୍ତ କିଛି ଖବର ପାଇଲିନି । ଏବେ ଯଦି ମୁଁ ଆଖିରୁ ଲୁହ ଗଡ଼ାଏ, ତା’ହେଲେ ମୋ ପୁଅଟାର ଅମଙ୍ଗଳ ହେବନି?’
‘ମତେ ତ ଚଢ଼େଇମାନେ ଖବର ଦେଇଥିଲେ ।’
ଦିହିଁକି ଦିହେଁ ସେଇଠି ସାମ୍ନା ସାମ୍ନି ବସି ଢେର୍ ସମୟ ପର୍ଯ୍ୟନ୍ତ ଆଖିରୁ ଲୁହ ଗଡ଼େଇଲେ । ପଞ୍ଚୁ ବିବି ଏବେ ଘୋର ସମସ୍ୟା ଭିତରେ ପଡ଼ିଯାଇଥିଲା । ସତେ ଯେମିତି ମଝି ନଈରେ ଡଙ୍ଗାଟା ସୁଅରେ ଭାସି ଚାଲିଥିଲା । ତାକୁ ସମ୍ଭାଳିବାକୁ କେହି ନାଉରୀ ନ ଥିଲେ ।
ଆଗରୁ ସୁକୁ ଆଉ ଦୁଃଖୁ ତ ମରି ସାରିଥିଲେ । ଏବେ ରହିମ୍ ବି ଚାଲିଗଲା । ଆଉ କେବଳ ଥିଲା ଗୋଟିଏ ଭଉଣୀ । ‘ତୋ ନିଜ ଆଖିରେ ତ ସବୁ କଥା ଦେଖିଚୁ । ପରିବା କ୍ଷେତରେ
ସିଏ ଦିନ ମଜୁରିଆ ଭାବରେ କାମ କରୁଥିଲା । ଗଲା କିଛିଦିନ ହେଲା ଭାବୁଥିଲା ଆଉ କ୍ଷେତକାମ କରିବନି । ବିଡ଼ି କାରଖାନାକୁ ଯାଇ କାମ କରିବ । ପଞ୍ଚାୟତ ତ କିଛି କାମଧନ୍ଦା
ନେଇ ନ ଥିଲେ । ଆଉ ଯଦି ଦିନ ମଜୁରିଆ ଭାବେ କାମ କରିବ, ତା’ନହେଲେ ଶ୍ରମିକ ସଂଘରେ ସାମିଲ ହେବାକୁ ପଡ଼ିବ । ରହୀମଟା ତ ସହଜେ ପତଳା, ଆଉ ଦୁର୍ବଳ । ତା’ର ସଦାବେଳେ ଝାଡ଼ା ବେମାରୀ । ତା’ସାଙ୍ଗକୁ ମୁଣ୍ଡ ଉପରେ ଦି’ ଦି’ଟା ଝିଅଙ୍କ ବୋଝ ।
ତା’ ଭାରିଜାଟା ପେଟରେ ଆଉ ଗୋଟାଏ ଛୁଆ । ନଅମାସ ହେଲାଣି । ତାକୁ ନ’ନେଇ ଆଲ୍ଲା ଭଲା ପଞ୍ଚୁ ବିବିକୁ ନେଇଯାଇଥାଆନ୍ତେ!
‘ଆଲୋ ଭଉଣୀ, ଆମେ ଦି’ଜଣଯାକ ହୀନକପାଳୀ…’
‘ହଁ । ହେଲେ, ଆମ ଦୁଃଖ ତ ନିଆରା ।’
ପଞ୍ଚୁ ବିବି ସଜୁମଣୀ କଥାରେ ସମ୍ମତି ଭରି ତା’ଠାରୁ ବିଦାୟ ନେଇ ଚାଲିଗଲା ।
ସଜୁମଣୀ ଘରକୁ ଲେଉଟିଆସି ବୋହୂକୁ ଡାକଛାଡ଼ିଲା:
: ‘ଆଲୋ ବୋହୂ… କୁଆଡ଼େ ଗଲୁ?’
: ‘କ’ଣ ହେଲା ମା’…?’
ସଜୁମଣୀର କଣ୍ଠ ପୁଣି ବାଷ୍ପରୁଦ୍ଧ ହୋଇଗଲା ।
: ‘ଆସି ସଞ୍ଜ ହେଲାଣି । ତୁ ଏମିତି କେଶମୁକୁଳା କରି କୁଆଡ଼େ ଯାଉଛୁ? ତୋ ପେଟରେ ଛୁଆଟା ଅଛି ବୋଲି ଜାଣିଛୁ ନା ନାଇଁ?’
: ‘କିରାସିନି ଆଣିବାକୁ ଯାଉଥିଲି ମା’ ।’
: ‘ନା, ଯାଆ ନା’ ।’
ଥାକରେ ଥୁଆ ହୋଇଥିବା ବାକ୍ସ ପଛପଟୁ ସଜୁମଣୀ ଗୋଟିଏ ବୋତଲ ବାହାର କରିଆଣିଲେ ।
ଜିନିଷପତ୍ର ସଞ୍ଚୟ କରିବାରେ ସିଏ ଭାରି ହୁସିଆର । ତିରୋଟ ବେଳ ପାଇଁ ସିଏ ସଦାବେଳେ ଚାଉଳ ହେଉ କି କିରାସିନି ହେଉ, ବଞ୍ଚେଇ ରଖିଥାଆନ୍ତି । ଅନ୍ୟମାନଙ୍କ ରେଜେଇ ବନେଇବାବେଳେ ହୋଇଥାଉ କି ମଶାରି ସଫାକଲାବେଳେ ହେଉ, ଅବା କାହା ଘରେ ଧାଈକାମ କଲାବେଳେ ହେଉ – ସିଏ ଯାହା କିଛି ଅଳ୍ପେ ବହୁତେ ରୋଜଗାର କରୁଥିଲେ, ସେଥିରୁ ସଞ୍ଚୟ କରୁଥିଲେ । ଏବେ ସେଇ କିରାସିନି ବୋତଲ କାଢ଼ି ଦେବାବେଳେ କେଜାଣି କାଇଁକି ତାଙ୍କ ଅନ୍ତରରେ ସେ ଅଜଣା ଯନ୍ତ୍ରଣା ଅନୁଭବ କଲେ । ସର୍ବଜ୍ଞ ବାବୁଙ୍କ ନାତିର ଅନ୍ନପ୍ରାସନ ଲାଗି ତାଙ୍କ ଘରେ ଧୁମଧାମ୍ରେ ଉତ୍ସବ ଲାଗିଥିଲା । କୋଟାସୁର ଗାଆଁର ସ୍କୁଲଘରଟାକୁ ସମ୍ପୂର୍ଣ୍ଣ ରୂପେ ଲିଚୁ ଆଲ୍ରୁଅରେ ସଜେଇ ଦିଆଯାଇଥିଲା । ସର୍ବଜ୍ଞ ବାବୁଙ୍କ ପୁଅ ଖୋଦ୍ ଜଣେ
ଠିକାଦାର ଓ ତାଙ୍କର କଞ୍ଚା ପଇସା କମେଇବାକୁ ନେଇ ସେ ସଦାବେଳେ ଦେଖେଇ ହେଉଥିଲେ । ଭୋଜିକୁ ଆସିଥିବା ଅତିଥିମାନଙ୍କୁ ପ୍ରଥମେ ଗିଲାସ ଗିଲାସ ବରଫପକା ଫଳରସ ପରଷାଗଲା । ବାଲଟି ବାଲଟି ପାଣି ବୁହାଇ ରାମଲାଲ ସେଠାରେ ଖୁବ୍ ଖଟିଥିଲା ।
ସେଥିପାଇଁ ତାକୁ ଦଶଟଙ୍କା ମଜୁରି ଓ ଢେର୍ ଖାଦ୍ୟପଦାର୍ଥ ମିଳିଥିଲା । ନିଜ ସାଙ୍ଗରେ ସେଦିନ ସେ ଖାଲି ବୋତଲରୁ ବି ଗୋଟିଏ ଘରକୁ ନେଇଆସିଥିଲା ।
: ‘ତା’ହେଲେ ମୁଁ ଆଉ ବାହାରକୁ ଯିବିନି?’
: ‘ନା, ତୁ ଘରେ ରହ ।’
: ‘ମୁହଁ ହାତ ଧୋଇପକା । ଚା’ପିଇବୁ?’
: ‘ନାନୀ ଓ ନୀତା ଗଲେ କୁଆଡ଼େ?’
: ‘ସେମାନେ ଏଇ ବାହାରେ ଖେଳୁଚନ୍ତି ।’
: ‘ସେମାନଙ୍କୁ ଘରକୁ ଡାକ୍ ।’
ହାତଗୋଡ଼ ସଜୁମଣୀ ଶାଢ଼ି ବଦଳେଇ ନେଲେ ଓ ସବୁଦିନିଆ ଅଭ୍ୟାସବଶତଃ ତୁଳଦୀ ସଉରା । ପାଖରେ ଦୀପଟିଏ ଜାଳିବାକୁ ଗଲେ ।
ବେଓରା ପରିବାର ମୂଳତଃ ଏକ ସମ୍ଭ୍ରାନ୍ତ ଓ ପ୍ରତିପତ୍ତିଶାଳୀ ପରିବାର ଥିଲେ । ପୂର୍ବରୁ ସେମାନେ ବି ବିଶାଳ ଭୂସମ୍ପତ୍ତିର ମାଲିକ ଥିଲେ । ସମୟ ସୁଅରେ ସେସବୁ ଜମିବାଡ଼ି ସର୍ବଜ୍ଞ ଓ ପାଲଢ଼ି ପରିବାରଙ୍କ ହାତକୁ ଚାଲିଯାଇଥିଲା । କିନ୍ତୁ ସଜୁମଣୀଙ୍କ ମନରେ ତାଙ୍କ ଶାଶୂ ସଞ୍ଚୟର ଯେଉଁ ଅଭ୍ୟାସଟି ସୃଷ୍ଟି କରିଥିଲେ, ତାହା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଥିଲା । ଯାହା କିଛି ରୋଜଗାର କରୁଥିଲେ ସେଥିରୁ ଚଉଠେ ସେ ଅବଶ୍ୟ ସଞ୍ଚୟ କରୁଥିଲେ । ସେଇଥିପାଇଁ ରାମଲାଲର ବାପା ବେଳେବେଳେ ତାଙ୍କୁ ଦେଉଥିଲେ । କେବେ କେମିତି ସେ ନିଜ ପତ୍ନୀଙ୍କୁ ପରିହାସ କରି ପଚାରୁଥିଲେ, ‘ମତେ ତୁମେ ପାଞ୍ଚଶ’ ଟଙ୍କା ଉଧାର ଦେଇପାରିବ?’
ନା, ସଜୁମଣୀ ସ୍ୱାମୀଙ୍କୁ ଏତେ ଟଙ୍କା ଦେବାକୁ ସକ୍ଷମ ନ ଥିଲେ । କିନ୍ତୁ ସେ ଅନ୍ୟମାନଙ୍କ ସହିତ ମିଶି ଛେଳି ପାଳୁଥିଲେ । ରାମଲାଲ ଚୁଡ଼ାମୁଢ଼ି ବେପାର କରିବ ବୋଲି ତାକୁ ଟଙ୍କା ଦେଇଥିଲେ । ଫି’ବର୍ଷ ଦଶହରା ବେଳକୁ ମିଠା ଦୋକାନ କରିବା ସକାଶେ ସେ ପୁଅକୁ ଟଙ୍କା ଦେଉଥିଲେ । ନିଜେ ପାଳିବାକୁ ବତକ କିଣୁଥିଲେ । ଅବଶ୍ୟ ଘର ଅବସ୍ଥା ବିପର୍ଯ୍ୟସ୍ତ ହୋଇ
ସାରିଥିଲା । ଗଲା ନିର୍ବାଚନ ଆଗରୁ ପଞ୍ଚାୟତବାଲାଏ ତାଙ୍କ ଘରଟିକୁ ମରାମତି କରିଦେଇଥିଲେ । ତା’ପରେ ପରିବାର ବଢ଼ିଗଲା । ନାତିନାତୁଣୀ ଜନ୍ମ ହୋଇଥିଲେ ।
ଏବେ ଚାରିଜଣଯାକ ଏକାଠି ଖାଇ ବସିଥିଲେ – ବାସି ପଖାଳ ସାଙ୍ଗକୁ ସାରି ତରକାରୀ ଆଉ ଶାଗଭଜା । ତିନିମାସର କୋଳପଶା ଝିଅ ନିର୍ମଳା ମା’ ଥନରୁ କ୍ଷୀର ଚୋଷି ଚାଲିଥିଲା ।
ବୋହୂ ଖାଇବାବେଳେ ପାଖରେ ଜଳୁଥିବା କିରାସିନି ବତୀଟାକୁ ଚାହିଁ କଅଣ ଭାବି ଚାଲିଥିଲା । ସଜୁମଣୀ ତାକୁ ଆଶ୍ୱାସନା ଦେଲାଭଳି କହିଲେ, ‘ତୁ ଖାଆ । ଆଦୌ ବ୍ୟସ୍ତ ହଅନା’ ।’
: ‘ୟା’ଭିତରେ ଆସି ଦି’ମାସ ଗତ ହେବାକୁ ବସିଲାଣି ।’
: ‘କହିଲି ପରା, ତୁ ଖାଆ । ସେସବୁ କଥା କିଛି ମୁଣ୍ଡରେ ପୂରାନା’ ।’
ଗଲା ଦି’ମାସ ହେଲା ସଜୁମଣୀ ଦଣ୍ଡେ ସୁଦ୍ଧା ବସିରହି ନ ଥିଲା । ସୁବଳର ପୁତୁରା ବିପୁଳ ଧଳ ତାକୁ ବିଶ୍ରାମ ଦିଆଇ ନ ଥିଲା । ସାରା ହେମାତପୁର ଇଲାକାରେ ସ୍କୁଲ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସେ ଥିଲା ଏକମାତ୍ର କ୍ଷତ୍ରିୟ ପିଲା । ବିପୁଳ କିନ୍ତୁ ବେକାର ଥିଲା । ବ୍ୟାଙ୍କ୍ରୁ ଋଣ ନେଇ ଖଣ୍ଡେ ରିକ୍ସା କିଣିଥିଲା ଓ ସେଥିରେ ଯାତ୍ରୀ ବୋହୁଥିଲା । ଆଉ କେତେବେଳେ ରିକ୍ସାରେ ଚାଉଳ, ପନିପରିବା, କୁକୁଡ଼ା, ମୁର୍ଦ୍ଦାର, ରୋଗୀ କି ଯେତେବେଳେ ଯାହା ସବାରି ମିଳିଲା ସେସବୁ ବୁହାଉଥିଲା । ବ୍ୟାଙ୍କ୍ରୁ ଦି’ଶହ ଟଙ୍କା ଋଣ ନେବାକୁ କାଗଜପତ୍ରରେ ସନ୍ତକ ଦେଲେ ସୁଦ୍ଧା ତାକୁ ମିଳିଥିଲା ମାତ୍ର ଦେଢ଼ଶ’ ଟଙ୍କା ।
ବିପ୍ଳବ ଧଳ ଥିଲା ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳର ଜଣେ ସକ୍ରିୟ କର୍ମୀ । ସେଦିନ ସନ୍ଧ୍ୟାର ରକ୍ତାକ୍ତ ଘଟନାର ଗୋଟିଏ ସପ୍ତାହ ପରେ, ନିଖୋଜ ଲୋକଙ୍କ ତାଲିକା ଧରି ଜିଲ୍ଲା ମହକୁମାକୁ ସେ ଦୌଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଅନୁସାରେ, ପ୍ରତି ନିଖୋଜ ଓ ମୃତକଙ୍କ ପରିବାରଙ୍କୁ ପଚିଶ ହଜାର ଲେଖାଏଁ ଟଙ୍କା ଅନୁକମ୍ପା ରାଶି ଦିଆଯିବ । ତେଣୁ ପଞ୍ଚୁ ବିବି ଓ ସଜୁମଣୀଙ୍କୁ ଧରି ସେ ଜିଲ୍ଲା ମୁଖ୍ୟ ଦପ୍ତରକୁ ଅନେକ ଥର ଯାଇଥିଲା । ଠିକଣା ଜାଗାରେ ଅର୍ଜି ମଧ୍ୟ ଦିଆଇଥିଲା । ଗାଆଁ ମୁଖିଆଙ୍କଠାରୁ ସୁପାରିଶ ବି ନେଇଥିଲା । ଅର୍ଜି ଗ୍ରହଣ
ପରେ ପୁଲିସ୍ ଅଧିକାରୀଙ୍କ ଠାରୁ ପ୍ରାପ୍ତି ଚୁରକୁଟ ବି ସଂଗ୍ରହ କରିଥିଲା । ତା’ରି ଭିତରେ ଶାନ୍ତି ଶୋଭାଯାତ୍ରାରେ ମଧ୍ୟ ସାମିଲ ହୋଇଥିଲା । ହେମାତପୁର ଲୋକେ ଭାବୁଥିଲେ ଯେ
ଆସନ୍ତା ନିର୍ବାଚନରେ ତା’ର ବିଜୟ ସୁନିଶ୍ଚିତ । ସଜୁମଣୀକୁ ଏକଥା ଭଲଭାବେ ମାଲୁମ ଥିଲା ଯେ ତା’ପୁଅ ଫେରିଆସିବ ବୋଲି ହେମାତପୁରର କେହି ଜଣେ ସୁଦ୍ଧା ଆଶା ରଖି ନ ଥିଲେ । ତାକୁ ସବୁକିଛି ସିନେମା ପର୍ଦ୍ଦାର ଘଟନା ପରି ଲାଗୁଥିଲା । ଜୀବନ ଦିନକୁ ଦିନ ଦୁର୍ବିସହ ପାଲଟୁଥିଲା । ରାମଲାଲ ସିନା ଘରକୁ ଫେରି ନ ଥିଲା, ହେଲେ ସିଏ ତ ଆଉ ନିଜ ସାଙ୍ଗରେ
ପରିବାରର ଭୋକକୁ ନେଇଯାଇ ନ ଥିଲା । କେଇଦିନ ଲାଗି ପଞ୍ଚାୟତରେ ସଜୁମଣୀକୁ କାମ ଖଣ୍ଡେ ମିଳି ନ ଥିଲା । ସେତେବେଳକୁ ପରିବାରର ଚକ ଘୂରିବା ଠପ୍ ହେବା ଉପରେ । ଯଦି ସେତେବେଳେ ବିପୁଳ ସେମାନଙ୍କ ଆଡ଼କୁ ସହାୟତାର ହାତ ବଢ଼େଇ ନ ଥାଆନ୍ତା, ତା’ହେଲେ ସାରା ପରିବାରକୁ ଖାଡ଼ା ଉପବାସ ରହିବାକୁ ପଡ଼ିଥାଆନ୍ତା ।
ପେଟ କହିଲେ ସଜୁମଣୀ, ବୋହୂ, ଦି’ଟା ନାତିନାତୁଣୀ, ଛେଳି ଆଉ ବତକ । ସମସ୍ତେ ସେଇ ଗୋଟିଏ ବଖରାରେ ଖୁନ୍ଦାଖୁନ୍ଦି । ଏ ଋତୁରେ ସାପ ବିଛାଙ୍କ ଉପଦ୍ରବ । ତେଣୁ ସେମାନଙ୍କଠାରୁ ରକ୍ଷା ପାଇବା ଲାଗି ସଦାବେଳେ ମଶାରୀ ପକେଇ ରହିବାକୁ ପଡ଼ୁଥିଲା । ଆଉ ଯଦି ନଈରେ ପାଣି ଆସି କୂଳ ଉଛୁଳିଲା ତା’ହେଲେ ସେମାନେ କୁଆଡ଼େ ଯିବାକୁ ସୁଦ୍ଧା ନିରୁପାୟ ଥିଲେ ।
ସେଇଠି ଶୋଇରହି ସଜୁମଣୀ ପୁଣି ଥରେ ଭଗବାନଙ୍କ ଉପରେ ତା’ର ଭରସା କୁଳେଇବା କଥା ଭାବି ଚାଲିଥିଲା । ହେଲେ କାଇଁକି କେଜାଣି ତା’ ମନରେ ଆଉ ବିଶ୍ୱାସ ଆସୁ ନ ଥିଲା । ସେ ବିଶ୍ୱାସ କାହିଁ କେତେ ପୁରୁଣା – ସତ କହିଲେ ସେ ଜନ୍ମହେବା ଦିନଠାରୁ ତା’ଭିତରେ ଥିଲା । ସେ ଏବେ ମନେ ମନେ ଚିନ୍ତା କରୁଥିଲା – ସବୁକିଛି ଭାଗ୍ୟ ଦ୍ୱାରା ପୂର୍ବ ନିର୍ଦ୍ଧାରିତ – ଯାହା
କିଛି ଘଟୁଛି ସେସବୁ ଈଶ୍ୱରଙ୍କ ଇଚ୍ଛାରେ ଘଟୁଛି । ଏଇ ବିଶ୍ୱାସରେ ତ ଜୀବନ ବଞ୍ôଚବାକୁ ତାକୁ ଶିକ୍ଷା ଦିଆଯାଇଥିଲା! ବଡ଼ପୁଅ ଦେବଗ୍ରାମରେ ରହୁଥିଲା । ଖଣ୍ଡିଏ ପାନ ଦୋକାନ କରି
ସେ ତା’ପରିବାର ଚଳାଉଥିଲା । ଧୂଳିଆରେ ସାନପୁଅ ବିଡ଼ି ବଳୁଥିଲା । ଆଖିରୁ ଦୂର ହୋଇଗଲେ କ’ଣ ମନରୁ ଦୂର ହୋଇଯାଏ? – ସେପରି ଭାବିବା ଭୁଲ୍ । ମା’ କେବେ ତା’ର
ସନ୍ତାନଙ୍କୁ ଭୁଲିପାରେ? ହେଲେ ଆଜି ସମସ୍ତେ ବଞ୍ôଚବାଲାଗି ସଂଗ୍ରାମରତ । ପେଟପାଟଣା, ରୋଜଗାର ଛାଡ଼ି କିଏ ଅବା କେତେଦିନ ଏଠି ପଡ଼ିରହିବ? ଶ୍ୟାମଲାଲ ଓ ବିଷ୍ଣୁ ଦିହିଁକି
ଦିହେଁ ତ ଆସିଥିଲେ । ବଡ଼ପୁଅ ତାକୁ କୋଡ଼ିଏ ଟଙ୍କା ଦେଇଥିଲା, ଆଉ ବିଷ୍ଣୁ ଆଣିଥିଲା ପାଞ୍ଚକିଲ ଚାଉଳ । ଶ୍ୟାମଲାଲ ତାକୁ ବୁଝେଇଥିଲା – ଭଗବାନଙ୍କ ଉପରେ ଭରସା ରଖ ।
ତାକୁ ଡାକ୍, ସବୁ ଠିକ୍ ହୋଇଯିବ ।
ସେଇଥିପାଇଁ ତ ସିଏ ମନେ ମନେ ଏତେକରି ଭଗବାନଙ୍କୁ ଡାକୁଛି – ହେଲେ ସିଏ କ’ଣ ତା’ଡାକ ଶୁଣୁଛନ୍ତି!
– ତା’ହେଲେ କ’ଣ ଭଗବାନ ନାହାନ୍ତି?
– ସଜୁମଣୀର କିନ୍ତୁ ଦୃଢ଼ ବିଶ୍ୱାସ ଥିଲା – ଭଗବାନ ଅଛନ୍ତି, ନିଶ୍ଚୟ ଅଛନ୍ତି ।
ବର୍ଷାଦିନର ଏଇ ନିର୍ଜନ ରାତିରେ, ଶେଯରେ ପଡ଼ି ପଡ଼ି ସଜୁମଣୀ ମନ କେମିତି ଶୂନ୍ୟ ଲାଗୁଥିଲା । ତାକୁ ଲାଗୁଥିଲା ଚାରିଆଡ଼ୁ ବତାସ ପବନ ମାଡ଼ି ଆସଛି – ସେ ପବନରେ ତାଙ୍କ
କୁଡ଼ିଆର ଦୁଆର ଝର୍କା ସବୁ ଭାଙ୍ଗିପଡ଼ୁଛି । ତାଙ୍କୁ ଉଡେଇ ନେଉଛି । ତାଙ୍କ ମନରୁ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ତୁଟି ସାରିଥିବାରୁ, ସଜୁମଣୀ ଏମିତି ଅନୁଭବ କରୁଥିଲେ କି? ତାଙ୍କ ମନରେ ଆଉ କେତେ ଆସ୍ଥା ବଞ୍ôଚଛି?
– ଏ ନିଆଁଲଗା କୋର୍ଟ କଚେରି ତ ହୃଦୟହୀନ ।
– ସେମାନେ କାଇଁକି କହି ଦେଉନାହାନ୍ତି – ରାମଲାଲ ଆଉ ଫେରିବନି
– ନ’ହେଲେ କହନ୍ତୁ, ସିଏ ବଞ୍ଚିଛି ।
– ବଞ୍ଚିନି, କି ମରିନି – ତା’ହେଲେ ରାମଲାଲ ଗଲା କୁଆଡ଼େ?
ସକାଳୁ ସକାଳୁ ବାଦଲ କଡ଼ରୁ ସୂର୍ଯ୍ୟ ଉଇଁଲା ବେଳକୁ ଖରା ବେଶ୍ ଟାଣ ଲାଗୁଥିଲା । ସଜୁମଣୀ ଘର ଭିତରୁ ସବୁ ବିଛଣାପତ୍ର ଆଣି ଅଗଣା ବାଡ଼ ଉପରେ ଖରାରେ ଶୁଖେଇଦେଲା । ମଇଳା ଲୁଗାପଟା ସଫା କରିବା ଲାଗି ସୋଡ଼ାପାଣି କରିବା ସକାଶେ ବୋହୂକୁ କହିଲା । ପାଖ ପୋଖରୀରେ ସେସବୁ ମଇଳା ଲୁଗାପଟା ସଫା କରିସାରିବା ପରେ ନିଜେ ଗାଧୋଇଲେ । ଏଥର ଘରକୁ ଫେରି ସେସବୁ ଲୁଗାପଟା ଶୁଖାଶୁଖି କଲେ । ଏବେ ବତକ ଭାଡ଼ିରୁ ବତକମାନଙ୍କୁ ବାହାରକଲେ । ସେତେବେଳକୁ ବୋହୂ ଚୁଲି ଲଗେଇ ରୋଷେଇ ଆରମ୍ଭ କରି ସାରିଥିଲା । ଅଗଣାରେ ବସି ନନୀଲାଲ ଓ ନୀତା ମୁଢ଼ି ଚୋବାଉଥିଲେ । ସଜୁମଣୀ ବୋହୂ ଉଦ୍ଦେଶ୍ୟରେ କହିଲେ, ‘ମୁଁ କଳମସାଗ ତୋଳି ଆଣିଛି । ତାକୁ କଡ଼ାଭଜା କରିଦେ’ । ଆଉ ବିମଳୀ ଯେଉଁ କଖାରୁ ଖଣ୍ଡକ ଦେଇଥିଲା, ତାକୁ ଭାତରେ ପକେଇ ସିଝେଇଦେ’ । ସେଇଥିରେ ଚଳେଇ ନବା ।’
: ‘ଆମର ଟିକେ ତେଲ ଦରକାର ।’
: ‘ହଁ, ସୋରିଷ ତେଲ, କିରାସିନି ଆଉ ଦିଆସିଲି । ଗଛରୁ ଶୁଖିଲା ଡାଳ ଭାଙ୍ଗିଲାବେଳେ ସାବଧାନ ଥିବୁ । ବର୍ଷା ଦିନକୁ ଭରସା ନାହିଁ । ଗଛଡାଳରେ ସାକ ଲୁଚିଥାଇ ପାରନ୍ତି…’ ଠିକ୍ ସେତିକିବେଳେ ବିପୁଳ ତା’ ବଡ଼ଭାଇ ସୁବଳ ଓ ଅମୂଲ୍ୟ ସର୍ବଜ୍ଞଙ୍କୁ ଧରି ସେଠାରେ ପହଞ୍ଚିଛିଲେ ।
– ଏମାନେ ପୁଲିସକୁ ଧରି ଆସିବାର କାରଣ କ’ଣ? ସର୍ବଜ୍ଞବାବୁଙ୍କ ମୁହଁଟା ଏମିତି ଶୁଖିଯାଇଛି କାଇଁକି? ବିପୁଳ ବି କିଛି ନ କହି ଚୁପ୍ ରହିଛି!
: ‘ଆଲୋ ରାମ ମା’, ବାହାରକୁ ଆସି ଦେଖ୍ ।’
ସଜୁମଣୀ ନିଜେ ଯେମିତି ଉଠିବାକୁ ଜୁ’ ପାଉ ନ ଥିଲେ । ଲାଗୁଥିଲା କେହି ଜଣେ ତାଙ୍କୁ ପଛରୁ ଠେଲି ଠେଲି ନେଉଛି!
: ‘ଏ ଚେନ୍ଟା… ।’
ସେ ରୂପା ଚେନ୍ରେ ଲକେଟଟିଏ ଲାଗିଥିଲା । ସେଥିରେ ‘ରାମଲାଲ’ ବୋଲି ଖୋଦେଇ ହୋଇଥିଲା । ଲକେଟ୍ ଭିତରେ ପଞ୍ଚୁଠାକୁରଙ୍କ ପୀଠର ପବିତ୍ର ମୃତ୍ତିକା ବି ଥିଲା ।
: ‘ହଁ, ହଁ । ଇଏ ତ ରାମର ଚେନ୍ । ରାମ କାଇଁ?’
‘ଆଉ ଯିବ କୁଆଡ଼େ? ସେମାନେ ତାକୁ ଘୋଷାରିନେଇ କେନାଲବନ୍ଧ କଡ଼ରେ ଜିଅନ୍ତା ପୋତି ପକେଇଥିଲେ ।’ ସର୍ବଜ୍ଞବାବୁ ଦୀର୍ଘଶ୍ୱାସଟିଏ ଛାଡ଼ି କହିଲେ । ‘କେନାଲରେ ପାଣି ବଢ଼ିବା ପରେ ଯେଉଁପିଲାମାନେ ମାଛ ଧରିବାକୁ ଯାଇଥିଲେ… ଓଃ, ଦେବୀମା’ଙ୍କୁ ଧନ୍ୟବାଦ, ଆମେ ଆଗରୁ ସିନା ଥାନାରେ ଏତଲା ଦେଇଥିଲେ ବୋଲି । ନ ହେଲେ ସିଏ ପରେ ମରିଚ
ବୋଲି ଫାଙ୍କିବାକୁ ଥାନାରେ କେତେ ଫନ୍ଦିଫିକର ବାହାର କରିଥାଆନ୍ତେ!’
ସଜୁମଣୀ କ’ଣ ନିଜେ ଦି’ଭାଗ ହୋଇଯାଇଥିଲେ! ନ ହେଲେ ସେ ନିଜ କଣ୍ଠସ୍ୱରକୁ କେମିତି ଭଲା ଶୁଣି ପାରୁଥାଆନ୍ତେ?
: ‘ମୁଁ ନିଜ ଆଖିରେ ଦେଖିବାକୁ ଚାହେଁ ।’
: ‘ଆଉ ଦେଖିବାକୁ କଅଣ ବାକି ଅଛି? ରାମଲାଲ, ନସୀମ ଆଉ ରୂପେନ – ଏବେ ଆମକୁ ସେମାନଙ୍କୁ ଗାଆଁକୁ ବି ଯିବାକୁ ପଡ଼ିବ ।’ ସଜୁମଣୀ ନିଜକୁ ନିତେ ସମ୍ଭାଳିବାକୁ ଚେଷ୍ଟା କରୁଥିଲେ ।
: ‘ତା’ହେଲେ ରାମଲାଲ ଆଉ ଜୀବନରେ ନାହିଁ?’ ବିପୁଲ ତାଙ୍କୁ ଧରି ସମ୍ଭାଳିନେଲା ।
: ‘ଆଈ, ବସିପଡ଼ ।’
; ‘ଇଏ କେତେଦିନ ତଳର ଘଟଣା?’
: ‘ସେଇ ଏକା ଦିନ ।’
: ‘ମତେ ଜଣେଇବାଲାଗି ଏତେ ଦିନ ଲାଗିଗଲା?’ ବୋହୂ କାନରେ ଏକଥା ପଡ଼ିବା ମାତ୍ରେ ସେ ଚିତ୍କାର ଛାଡ଼ି କାନ୍ଦି ଉଠିଲା । ସଜୁମଣୀ ମଧ୍ୟ ନିଜ ହାତକୁ ଛାତିରେ କୋଡ଼ି ଡକା ପାରୁଥିଲେ, ‘ପୁଅରେ, ମୁଁ ଗଲାକାଲି କେନାଲ ବନ୍ଧଆଡ଼େ ଯାଇଥିଲି । ମତେ ଜଣା ନଥିଲା ତୁ ସେଇଠି ଅଛୁରେ… ତତେ କେଉଁ କଂସେଇ ମାରିଲା ରେ? ସବୁଦିନ ଯାଇ ମୁଁ କେନାଲ ବନ୍ଧରେ ବୁଲୁଥିଲି । ମତେ କିଛି ଜଣା ନ ଥିଲାରେ ପୁଅ ।’
ସେତେବେଳକୁ ସାଇପଡ଼ିଶାର ଲୋକମାନେ ଆସି ଅଗଣାରେ ରୁଣ୍ଡ ହୋଇ ସାରିଥିଲେ ।
ଗଲା କେଇଦିନଠାରୁ ଏଇ ଭଳିଆ ଖବର ଆସିବ ବୋଲି ସଭିଏଁ ମନେ ମନେ ଆଶଙ୍କ କରୁଥିଲେ । ଏବେ ସେଇ ଖବର ଆସିଥିଲା ଓ ସମସ୍ତେ ତାକୁ ଗ୍ରହଣ କରିନେଇଥିଲେ । ସଜୁମଣୀ
ଆଖିରୁ ନିଗିଡ଼ି ପଡ଼ୁଥିବା ଲୁହର ଭାରକୁ ଯେମିତି ସେ ଆଉ ନିଜ ଭିତରେ ସମ୍ଭାଳି ରଖିପାରୁ ନ ଥିଲେ ।
ଲୁହ ଗଡ଼େଇ ଚାଲିଥିବା ଅବସ୍ଥାରେ ସେ ସେମିତି ପଚାରି ଚାଲିଥିଲା, ‘ଏବେ ତା’ର କ୍ରିୟାକର୍ମ କେମିତି କରାଯିବ?’
: ‘ଆଈ, ତୁମେ ଆଦୌ ବ୍ୟସ୍ତ ହୁଅନା । ମୁଁ ସବୁ ବନ୍ଦୋବସ୍ତ କରିବି… ।’
ବେକରେ ପିନ୍ଧିଥିବା ଲକେଟରୁ ରାମଲାଲ ବେଓରାର ଗଳିତ ଶବକୁ ଚିହ୍ନଟ କରାଯାଇଥିଲା । ଆଉ ତା’ ପାଖକୁ ଲାଗି ଯେଉଁ ପଚାଶବ ମୁଣ୍ଡରୁ ଲମ୍ବା ବାଳ ମିଳିଥିଲା ତାକୁ ସମସ୍ତେ ରୂପେନ୍ଦ୍ର ଗୋପେ ବୋଲି ଠଉରାଇଥିଲେ । ଗଲା ଦି’ମାସ ତଳେ ସେମାନଙ୍କୁ ଇଟା ସାଙ୍ଗରେ ଏକାଠି ବାନ୍ଧି ମାଟିତଳେ ପୋତି ଦିଆଯାଇଥିଲା । ଏବେ ପୁଲିସ ସବୁପ୍ରକାର ପଞ୍ଚନାମା ସାରିବା ପରେ ସେମାନଙ୍କର ଦାହ ସଂସ୍କାର ବ୍ୟବସ୍ଥା କରାଯିବ ।
ବିପୁଲ କହିଲା, ‘ତିନିଜଣଯାକଙ୍କ ନାଁରେ ତ ଥାନାରେ ଏତଲା ଦିଆଯାଇଛି ।’
ସେତେବେଳକୁ ବିମଳା ରାମଲାଶର ସ୍ତ୍ରୀକୁ ଧରି ମୃତାଶୌଚ ଜନିତ ଗାଧୁଆପାଧୁଆ କାମ ଲାଗି ପୋଖରୀ ପାଖକୁ ନେଇ ଯାଇସାରିଥିଲା ।
ସୁବଳର ଖୁଡ଼ି ଦୀର୍ଘଶ୍ୱାସଟିଏ ଛାଡ଼ି କହିଲା, ‘ଏମିତିକା ଅକାଳ ମରଣର ଅର୍ଥ ଲୋକମାନଙ୍କ ବୁଦ୍ଧି ବିବେକ ବୁଡ଼ିଗଲାଣି । ଏବେ ବିଚାରୀ ସଜୁମଣୀ କ’ଣ କରିବ, କେଡେ ବିପଦରେ ପଡ଼ିଗଲା!’
: ‘ଯଦି ତାକୁ ଦାହ ସଂସ୍କାର କରାଯିବ, ତା’ହେଲେ ତା’ ପାଇଁ ଶ୍ରାଦ୍ଧ ଦେବାକୁ ପଡ଼ିବ ।’ ବିପୁଲ ତାଙ୍କୁ ତାଗିଦା କରି କହିଲା, ‘ଏତିକିବେଳେ ତୁମକୁ ଏସବୁ କଥା ଆଲୋଚନା କରିବାର ମଉକା ମିଳିଲା?’ ସଜୁମଣୀ କାନରେ କିଛି ପଡ଼ୁ ନ ଥିଲା । ତାକୁ କିଛି ଶୁଭୁ ନ ଥିଲା । ତାକୁ ପଚିଶ ହଜାର ଟଙ୍କା ମିଳିବ, କେମିତି ଦାହ କାର୍ଯ୍ୟ କରାଯିବ ଇତ୍ୟାଦି ।
ହେଲେ ସୁବଳର ସେଇ ଅସହିଷ୍ଣୁ ଖୁଡ଼ିର ତୁଣ୍ଡ ବନ୍ଦ୍ ହେଉ ନ ଥିଲା । ସିଏ ସେମିତି ଗପି ଚାଲିଥିଲେ: ‘ଆମକୁ ପ୍ରଥମେ ଏଇକଥା ଫଇସଲା କରିବାକୁ ପଡ଼ିବ । ରାମଲାଲର ଭାରିଜା ତ ଗଲା ଦି’ମାସ ହେଲା ଅହ୍ୟ ମାଇପଙ୍କ ପରି ଶଙ୍ଖାସିନ୍ଦୂର ପିନ୍ଧି ଚଳୁଥିଲା । ଏଇଟା କ’ଣ ଅଶୁଭ କଥା ନୁହଁ? ତା’ଛଡ଼ା ଏମିତି ଅକାଳ ମରଣ ଲାଗି ତ ଉପବାସ କରିବାକୁ ପଡ଼ିବ ।’
‘କି ଉପବାସ? ରାମ କ’ଣ ଜାଣିଶୁଣି ମରିଚି? ସେଥିରେ ତା’ର ଭଲା ଦୋଷ କ’ଣ? ଭଗବାନ ଥିଲେ କ’ଣ ଏମିତି ଘଟନା ଘଟିଥାଆନ୍ତା? ସତରେ, ଈଶ୍ୱର ଏ ସଂସାରରେ ନାହାନ୍ତି ।’
ସଜୁମଣୀ ତୁଣ୍ଡର ଏ ଭାଷା ମରଣ କାନ୍ଦଣା ଥିଲା । ହେଲେ ତା’କଥାର ମହତ୍ତ୍ୱ ବି ଥିଲା । ଏମିତି କହିବାରେ ବିପଦ ବି ଥିଲା । ବିପୁଳ ତାକୁ ଘର ଭିତରକୁ ନେଇଯାଇ ଶୁଆଇଦେଲା ।
ସେତିକିବେଳେ ସମସ୍ତଙ୍କ କାନରେ ପୁଣି ଥରେ ପଞ୍ଚୁବିବିର କାନ୍ଦଣା ପଡ଼ିଲା । ସଜୁମଣୀର କାନ୍ଦଣା ତା’ପୁଅ ମରଣ ଦୁଃଖକୁ ପୁଣି ଥରେ ସତେଜ କରିପକାଇଥିଲା । ତା’ର ବିକଳ କାନ୍ଦଣା ସତେକି ହେତାମପୁରର ଗଗନପବନକୁ କମ୍ପେଇ ଦେଲା!
ଗୋଟିଏ ପରେ ଗୋଟିଏ ଅଘଟନ ଘଟି ଚାଲିଥିଲା । ପଲିଥିନରେ ଗୁଡ଼ା ରକ୍ତମାଂସହୀନ ପଞ୍ଜରାଟାକୁ ଗାଆଁ ଲୋକମାନେ ଦାହ ସଂସ୍କାର କଲେ । ଶ୍ମଶାନରେ ରାମଲାଲର ଚିତାରେ
ଅଗ୍ନି ସଂଯୋଗ କରାଯିବା ଦେଖି ତା’ର ସ୍ତ୍ରୀ ସେଇଠି ଚେତାଶୂନ୍ୟ ହୋଇପଡ଼ିଥିଲା । ସଜୁମଣୀ ନିଜ ଘର ପିଣ୍ଡା ଉପରେ ନିର୍ଜୀବ ପ୍ରତିମା ପରିସେମିତି ବସି ରହିଥିଲା । ସିଏ କାନ୍ଦି ସୁଦ୍ଧା ପାରୁ ନ ଥିଲା । ଖବର ପାଇ ଶ୍ୟାମଲାଲ ଓ ବିଷ୍ଣୁ ଆସି ସେଠାରେ ପହଞ୍ଚିଲେ । କିନ୍ତୁ ପିଲାଛୁଆ, ପରିବାର ସେମାନଙ୍କ ସହ ନ ଥିଲେ ।
: ‘ମା, ଏବେ ଶୁଦ୍ଧିକ୍ରିୟା କଥା କ’ଣ କରାଯିବ?’ ସଜୁମଣୀ ଉଁ ଚୁଁ କିଛି କହିଲାନି ।
: ‘ଯାହା ହେଲେ ସୁଦ୍ଧା ଆମକୁ ତ ପୁଣି ଶୁଦ୍ଧି ହେବାକୁ ପଡ଼ିବ । କର୍ମ କରିବାକୁ ହେବ । ମରଣ ଯେତେ ଅସ୍ୱାଭାବିକ ହୋଇଥାଉ ପଛେ… ।’ ସଜୁମଣୀ ଏଥର ଧୀରେ ତୁଣ୍ଡ ଖୋଲି କହିଲା, ‘ମୋର କିଛି କରିବାର ନାହିଁ । ମୋ ପୁଅ ତ ଚାଲିଗଲା । ପୁଅ ଚାଲିଗଲା ପରେ ମା’ଭଲା କ’ଣ କରିବ? ମୋର ଆଉ କ’ଣ ବାକି ରହିଲା ଯେ ଶୁଦ୍ଧିକ୍ରିୟା କରିବି?’
କିଛି ବୁଦ୍ଧିବାଟ ନ ପାଇ ଶ୍ୟାମଲାଲ ଓ ଅନ୍ୟମାନେ ଅମୂଲ୍ୟ ସର୍ବଜ୍ଞଙ୍କ ପାଖକୁ ଦୌଡ଼ିଲେ । ଏଭଳି ପ୍ରସଙ୍ଗରେ ସିଏ ହିଁ ସବୁ କଥା କହିପାରିବେ, ବାଟ ବତେଇ ପାରିବେ ।
: ‘ତୁମେ ଆଗ ମତେ କହ, ତୁମର ଶୁଦ୍ଧିକ୍ରିୟା ଲାଗି ଆର୍ଥିକ ସମ୍ବଳ ଅଛି କି? ଯଦି ଅଛି, ମୋତେ କହ… ମୋ ପାଖରେ ତା’ର ଉପାୟ ଅଛି ।’
: ‘ଆମେ ଟଙ୍କା ପଇସା କେଉଁଠୁ ଯୋଗାଡ଼ କରିବୁ ବାବୁ?’
: ‘ତା’ହେଲେ ମୁଁ ଜଣେ ପୁରୋହିତ ଯୋଗାଡ଼ କରିଦେଉଛି । ସିଏ ସବୁ କାମ ଅଳ୍ପରେ ସାରିଦେବେ । ଆଗରୁ ବି ସେ ଏମିତିକା କାମ କରିଛନ୍ତି… ।’
ଏଥର ବିଷ୍ଣୁ ଅତି ସମ୍ଭ୍ରମର ସହ ପଚାରିଲା, ‘ବାବୁ, ସିଏ କ୍ଷତିପୂରଣ ଟଙ୍କା କିଏ ପାଇବ?’
: ‘ସେ ଟଙ୍କା ତ ତା’ ମା’ ଆଉ ସ୍ତ୍ରୀକୁ ମିଳିବ ।’
: ‘ଭାଇମାନଙ୍କୁ କ’ଣ କିଛି ମିଳିବନି? ସେମାନଙ୍କର କ’ଣ ସେ ଟଙ୍କା ଉପରେ ହକ୍ ନାହିଁ?
: ‘ତୁମେ କ’ଣ ଏକାଠି ରହୁଥିଲ?’
ଏ ପ୍ରଶ୍ନରେ ଦି’ଭାଇ ତୁନି ପଡ଼ିଗଲେ ।
: ‘ବୁଝିଲ, ଭୋଭିଲା ତୁଣ୍ଡରୁ ଦାନା ଛଡ଼େଇ ନେବାଲାଗି ଚେଷ୍ଟା କରନା । ମା’, ମାଇପ ଓ ତିନିତିନିଟା ଛୁଆ… ସେମାନେ ଚଳିବେ କେମିତି? ବଞ୍ôଚବେ କେମିତି? ତା’ଛଡ଼ା ସଜୁମଣୀ ତ ଥାନାକୁ ଯାଇ ଏତଲା ଲେଖେଇଥିଲା । ତୁମେମାନେ ସେତେବେଳେ ଥିଲ କେଉଁଠି?’
: ‘ଏବେ ତା’ର ଶୁଦ୍ଧିକ୍ରିୟା କିଏ କରିବ?’
: ‘ଶାସ୍ତ୍ର କହୁଛି, ସ୍ୱାମୀର ଶୁଦ୍ଧିକ୍ରିୟା ସ୍ତ୍ରୀ ହିଁ କରିବ । ସିଏ ତ ନିଜେ ମୁଖାଗ୍ନି ଦେଇଛି । ଆଉ ସିଏ ଯଦି କହିବ ଶ୍ୟାମ ସେସବୁ କରିପାରିବ ।’
ଶ୍ୟାମ ଓ ବିଷ୍ଣୁ ଏକଥା ଶୁଣି ମନେ ମନେ ଭାବି ଲଜ୍ଜିତ ହେଲେ । ମୃତ ପତିର ଶୁଦ୍ଧକ୍ରିୟା କରିବ ସ୍ତ୍ରୀ, ଏକଥା ଶୁଣି ମଧ୍ୟ ବିସ୍ମିତ ହେଲେ ।
: ‘ଆଚ୍ଛା ବାବୁ, ସିଏ କେମିତି ମଲା?’
: ‘ତାକୁ କିଏ କାତିରେ ହାଣିଥିଲା, ତା’ପରେ ତା’ ଦେହରେ ଇଟାବାନ୍ଧି ପାଣି ତଳେ ପୋତି ଦେଇଥିଲା ।’
ଯେତେ ମାମୁଲି ଓ ସରଳ ଭାବେ ସମ୍ଭବ, ସ୍ୱର୍ଗୀୟ ଈଶ୍ୱରଲାଲ ବେଓରାର ପୁଅ ରାମଲାଶ ବେଓରାର ଶୁଦ୍ଧିକ୍ରିୟା ସମ୍ପନ୍ନ ହେଲା । ନୂଆ ଲୁଗାଖଣ୍ଡେ କିଣିବା ପାଇଁ ସୁଦ୍ଧା ସେମାନଙ୍କ ହାତରେ ସମ୍ବଳ ନ ଥିଲା । ସେଇ କଥା ଭାବି ଭାବି ରାମର ଭାରିଜା କେବଳ ଆଖିରୁ ଲୁହ ଗଡ଼େଇ ଚାଲିଥିଲା । ସେଇ କାନ୍ଦ ଭିତରେ ସେ ସବୁ କାମ ସାରିଥିଲା । ପିନ୍ଧାଲୁଗା କହିଲେ ତା’ ପାଖରେ ଖଣ୍ଡିଏ ମାତ୍ର ଗାରପକା ହଳଦିଆ ଶାଢ଼ି ଯାହା ଥିଲା । ସବୁ କାମ ସରିବା ପରେ ବିପୁଳ ପ୍ରସ୍ତାବ ଦେଲା – ‘ଆଈ, ଏବେ ଆମକୁ ହାକିମଙ୍କ ପାଖକୁ ଯିବାକୁ ପଡ଼ିବ ।’
‘ମୁଁ ପାରିବିନିରେ ବିପୁଲ । ଏତେ ଜଲ୍ଦି ଯିବା କ’ଣ ସତରେ ଦରକାର?’
‘ମୁଁ ଦେଖୁଚି, ଅମୂଲ୍ୟ ଦା’ କ’ଣ ବ୍ୟବସ୍ଥା କରିପାରିବେ । ପ୍ରଥମେ ତ ସେଇ ଲେଖିବେ । ତା’ପରେ ଥାନା ଲେଖିବ । ସବା ଶେଷରେ ଆମେ ଜିଲ୍ଲା ସଦର ମହକୁମାକୁ ଯାଇ ପ୍ରସାଦ ବାବୁଙ୍କୁ ଧରିବାକୁ ପଡ଼ିବ । ସବୁ ବ୍ୟବସ୍ଥା ହେଇଯିବ ଆଈ । ଆମ ମନ୍ତ୍ରୀ ପରା ଅଛନ୍ତି…’ ସଜୁମଣୀ ପୁଣି ଥରେ ଚୁପ୍ ପଡ଼ିଗଲେ । ଆଉ ନ କାନ୍ଦିବା ଲାଗି ବିପୁଲ ରାମଲାଲର ସ୍ତ୍ରୀକୁ ବୁଝେଇଲା ।
: ‘ହେ ଭଗବାନ! ଇଏ କି ଦୁର୍ଦ୍ଦିନ ପ୍ରଭୁ! ସିଏ କାଇଁକି ଏମିତି ଚୁପ୍ ପଡ଼ିଯାଉଛନ୍ତି?’
: ‘ସିଏ ଆଉ କାନ୍ଦି ପାରିବେନି । ତାଙ୍କ ଆଖିରେ ଲୁହ ନାହିଁ ।’
ସଜୁମଣୀ ସବୁ କଥା ଶୁଣୁଥିଲେ । ସମସ୍ତେ ତାଙ୍କର ଏଭଳି ପରିବର୍ତ୍ତନକୁ ଲକ୍ଷ୍ୟ କରୁଥିଲେ । ଗରିବ ଘରେ ଏଭଳି ଦୁଃଖ ଆସିବ, କାନ୍ଦବୋବାଳି ପଡ଼ି ସେକଥା କିଏ ଜାଣିଥିଲା?
ସାଇପଡ଼ିଲା ଲୋକେ ତିନିଦିନଯାଏ କାନ୍ଦିଲେ । ଅନ୍ୟ ଦି’ପୁଅ ବି ଯେଝା ଯେଝା ଘରକୁ ଲେଉଟିଗଲେ ଓ ନିଜ ଧନ୍ଦାରେ ବ୍ୟସ୍ତ ରହିଲେ । ଆଉ ଯେଉଁମାନେ ସେ କୁଡ଼ିଆ ଘରେ ପଡ଼ିରହିଲେ ସେମାନେ ଭିତରେ ଭିତରେ କାନ୍ଦୁଥିଲେ, କିନ୍ତୁ ସେମାନଙ୍କ ଆଖିରେ ଲୁହ ନ ଥିଲା । ବୋହୂ ଶାଶୂଙ୍କୁ ଚାହିଁ ପଚାରିଲା, ‘କାନ ଡେରି କ’ଣ ଶୁଣୁଛ?’
: ‘ହଁ, ଶୁଣିବାକୁ ଚେଷ୍ଟା କରୁଛି ।’
: ‘କ’ଣ ତାଙ୍କରି ଡାକରା?’
: ‘ନାଇଁ, ନାଇଁ, ସେକଥା ନୁହଁ ।’
: ‘ତା’ହେଲେ ଆଉ କାହା ଡାକରା ଶୁଣୁଛ? ତୁମେ ଯଦି ଏମିତି ମୂକ ପାଲଟିଯିବ, ତା’ହେଲେ କାହା ଭରସାରେ ମୁଁ ବଞ୍ଚିବି କହିଲ?’
ସଜୁମଣୀ ବୋହୂ ଆଡକୁ ତା’ର ଦୁର୍ବଳ ହାତ ବଢ଼େଇଲେ । ତାକୁ ଆଶ୍ୱାସନା ଦେଲେ । କହିଲେ –
: ‘ମୋ ଉପରେ ଭରସା ରଖ । ମୁଁ ତ ତୋତେ ଘରୁ ତଡ଼ିଦେଇନି ।’
: ‘ତା’ହେଲେ ଆଉ କ’ଣ ଶୁଣିବାକୁ ଅପେକ୍ଷା କରିଚ?’
କେମିତି ଏକ କ୍ଳାନ୍ତ ଉଦାସ କଣ୍ଠରେ ସେ କହିଲେ, ‘ରହୀମର ମା’, ସେଦିନ ସିଏ କାନ୍ଦୁଥିଲା । ସିଏ ଜାଣିଥିଲା, ମୋ ମନରେ କ’ଣ ବିତୁଥିଲା । ମୁଁ ବି ଜାଣିଥିଲି, ତାକୁ କେମିତି
ଲାଗୁଥିଲା । ଆଜି ଯଦି ସିଏ ଦେଖା ପଡ଼ିଯିବ, ତା’ହେଲେ ମୁଁ କାନ୍ଦି ପକେଇବି । କାନ୍ଦିଲେ ମୋ ଛାତିର ଦୁଃଖ ଲାଘବ ହୋଇଯିବ ।’
: ‘ସିଏ କ’ଣ ଆଉ ଆସିବେ ମା’? କେମିତି ଅବା ଆସିବେ?’
: ‘କାଇଁକି ନୁହେଁ? ଆଗରୁ ଯେମିତି କରୁଥିଲେ, ଏତେ ବେଳକୁ ତ ସେ ବନ୍ଦ୍ କରିସାରନ୍ତେଣି । ରହୀମ ତ ସଭାକୁ ଯାଇଥିଲା, ଆଉ ରାମ ଯାଇଥିଲା ମୁଢ଼ି ମିଠେଇ ବିକିବାକୁ । ଦିହିଁକି
ତିହେ, ବିନା ଦୋଷରେ ପ୍ରାଣ ଦେଲେ । ତା’ହେଲେ ରହୀମର ମା’କୁ କାଇଁକି ସଂକୋଚ ଲାଗିବ? ତାଙ୍କର ଏଥିରେ ଭଲା ଦୋଷ କ’ଣ ଅଛି? ମୁଁ କି ଦୋଷ କରିଛି?’
: ‘ସେମାନଙ୍କୁ ଟଙ୍କା ମିଳିବ ବୋଲି ସମସ୍ତେ ଶତ୍ରୁ ଭଳିଆ ବ୍ୟବହାର କରୁଛନ୍ତି ।’
: ‘ହେଲେ, ମୋର ଟଙ୍କା ଲୋଡ଼ା ନାହିଁ । ମୋର ରାମ ଦରକାର – ମୋ ପୁଅ । କାହାରି ଏମିତିକା ଖେଳ ମତେ ଭଲ ଲାଗେନି । ସଦାବେଳେ କିଛି ସୁବିଧା ଅସୁବିଧାରେ ସିଏ ମୋ ପାଖକୁ
ଦୌଡ଼ି ଆସୁଥିଲା । ଆଉ ତାକୁ ଏମିତି ନୃଶଂସ ଭାବେ
ମାରିବା…’
: ‘ମୁକୁଲର ମା’ ତ ଗାଧୁଆ ତୁଠରେ ସବୁଦିନ ଆଖିରୁ ଲୁହ ଗଡ଼େଇ କାନ୍ଦୁଚି ।’
: ‘ସିଏ ରହୀମର ସ୍ତ୍ରୀ ନା?’
: ‘ହଁ, ସିଏ କହୁଚି ଯେ ଅତୁଲଟା ସଚ୍ଚୋଟ ନୁହଁ ।’
ସଜୁମଣୀ କିଛି ନ କହି ମୁହଁରେ କେବଳ ଶୁଖିଳା ହସର କ୍ଷୀଣ ରେଖାଟିଏ ଫୁଟାଇଲା ।
: ‘ଏ ଦୁନିଆରେ କିଏ ଗୋଟାପଣେ ତୁଳସୀ କହିଲୁ?
ଦେବାଦେବୀ, ସାଧୁ, ଫକିର, ସମସ୍ତେ ସମାନ । ତୁ ଏବେ ଯା’, ଶୋଇବୁ । ସିଏ ଆସିଥିଲେ ତାକୁ ଦେଖି ଆଖିରୁ ଟିକେ ଲୁହ ଗଡ଼େଇ ଥାଆନ୍ତି । ଆଉ କାହା ପାଖରେ ବସି କାନ୍ଦିବି
କହିଲୁ?’
: ‘ସିଏ ବି ଚାହିଁଥିଲେ ଆସି ପାରିଥାଆନ୍ତେ ।’
: ‘ହୁଏତ ସିଏ ଭାବୁଥିବ ଯେ ଲୋକେ କ’ଣ କହିବେ ।’
: ‘ହଁ, ସେଇଆ ହୋଇଥାଇପାରେ । ସେଇ କାରଣରୁ ତ ମୁଁ ବି ଯାଇ ପାରିବିନି । ହେଲେ କହିଲୁ, କାହା ଆଗରେ ଟିକେ ଆଖିରୁ ଲୁହ ଗଡ଼େଇ ପାରିବି?’ ସଜୁମଣୀଙ୍କ କଣ୍ଠସ୍ୱର କେମିତି ହତାଶା ଓ ଦୁଃଖଭରା ପରି
ଲାଗୁଥିଲା ।
: ‘ମା’, ତୁମେ ଯାଅ, ଶୋଇପଡ଼ ।’
: ‘ତୁ ଯା’ ଶୋଇବୁ ।’
ସଜୁମଣୀ ସେମିତି କାନ ଡେରି ବସି ରହିଥିଲା । ତା’ର କେଇଦିନ ପରେ ଦିନେ ସନ୍ଧ୍ୟାବେଳେ ହାତରେ ଲଣ୍ଠନଟିଏ ଧରି ପଞ୍ଚୁବିବି ଆସି ତାଙ୍କ ଦାଣ୍ଡ ଦୁଆରେ ପହଞ୍ôଚଥିଲା ।
: ‘ଆଲୋ ଭଉଣୀ, ଘରେ ଅଛୁଟି? କ’ଣ ଶୁଣୁଚୁ ନା
ନାଇଁ?’
: ‘ହଁ’ଲୋ ଭଉଣୀ, ଘରେ ପଡ଼ିଚି, ଆଉ କୁଆଡ଼େ ଯାଇ ମରିବି?’
: ‘ବୋହୂଟାର ଗର୍ଭବେଦନା ଆରମ୍ଭ ହେଲାଣି । ପାଣି ଟିକେ ଟିକେ ଆସିଲାଣି । ମୁଁ କ’ଣ କରିବି କିଛି ବୁଝିପାରୁନି । କିଏ ଜାଣେ ଲେ ମା’, ଭାଗ୍ୟରେ କ’ଣ ଅଛି?’
: ‘ହସପିଟାଲକୁ ପଳାଅ ।’
: ‘ବୋହୂଟାକୁ ନେଇ ସେଠିକି କିଏ ଯିବ? ବିପୁଲ ତ ତା’ ଭ୍ୟାନ୍ ଧରି ଲାଲବାଗ ଯାଇଛି । ସକାଳ ପହରୁ ବୋହୂଟାର ଦେହ ଭଲ ଲାଗୁନି । ମତେ ଭଲା ଆଗରୁ ସେକଥା ଜଣେଇ ଥାଆନ୍ତା! ତୁ ତ ତା’ ପୂର୍ବ ଛୁଆଟାକୁ ଜନ୍ମ କରେଇଥିଲୁ । ଏଥର ଆଉ ତତେ କହିବି ନାହିଁ ବୋଲି ଭାବିଥିଲି, କିନ୍ତୁ ଏବେ ମୁଁ ବଡ଼ ବିପଦରେ ପଡ଼ିଚି ଭଉଣୀ…’
ସଜୁମଣୀ ଆଶ୍ଚର୍ଯ୍ୟ ହେଲା । ସତକୁ ସତ ସେ କିଛି ଠଉରେଇ ପାରୁ ନ ଥିଲା । କାହିଁକି କେଜାଣି ତା’ ଆଖିକୁ ଲୁହ ଆସୁ ନ ଥିଲା । ସିଏ କାନ୍ଦିପାରୁ ନ ଥିଲା ।
: ‘’ଯା’, ହଲିମ୍ର ମା’କୁ ଡାକ୍ । ଗରମ ପାଣି ବସା । ମୁଁ ଆସୁଚି । ତୁ ଆଗରେ ଯା’ । ତୋ ଘରେ ସାବୁନ ଅଛି ତ?’
: ‘ହଁ, ଅଛି । ମୋହୂଟା ଅଧିକ ଗର୍ଭବେଦନା ସହି ପାରିବନି । ତା’ଦିହରେ ଖାଲି ହାଡ଼ ଦି’ଖଣ୍ଡ ଯାହା…’
: ‘ବୋହୂ, ମୋ ବ୍ୟାଗ୍ଟା ଦେ’ ମା’ ।’
ଛୋଟ ହୋମିଓପାଥିକ୍ ଶିଶିରେ କିଛି ଡେଟଲ, ଖଣ୍ଡେ ପତଳା ବାଉଁଶ ବତା, ବିଣ୍ଡାଏ ତୁଳା, ବ୍ୟାଣ୍ଡେଜ୍ ଓ ସଫା କପଡ଼ା ହେଲା ତା’ ବ୍ୟାଗ୍ର ସାଧନ । ସେତକ ଜିନିଷ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସ ଦେଇଥିଲା । ଏତିକି ଜିନିଷରେ ସେ କେତେକେତେ ପୋଖତୀ ସ୍ତ୍ରୀଲୋକଙ୍କର ପିଲା ଜନ୍ମ କରେଇଥିଲେ । ସେ ଯାହାସବୁ କହିଳଶ, ସେଥିରେ କିଛି ଉଲୁଗୁଣା ଥିଲା କି? ସ୍ୱାସ୍ଥ୍ୟକେନ୍ଦ୍ର ବିଷୟରେ ତ ଲୋକେ ନାନା କଥା କଥାବାର୍ତ୍ତ ହେଉଥିଲେ । କିନ୍ତୁ ସଜୁମଣୀ ହାତରେ ସବୁ ପ୍ରସବ ସଫଳ ହେଉଥିଲା । ମା’ହେଉ କି ଛୁଆ, କାହାରି କିଛି କ୍ଷତି ହେଉ ନ ଥିଲା ।
‘ସଜୁ, ତୁ ଏତେ କଥା କେଉଁଠୁ ଶିଖିଲୁ?’
‘ସେତେବେଳେ ପ୍ରସୂତୀ କ୍ଲିନିକ୍ରେ ଜଣେ ଧାଈ ଥିଲେ । ଯେତେେଳେ ରାତିରେ କୌଣସି ପ୍ରସୂତୀ ଆସୁଥିଲା, ସିଏ ମତେ ସାଙ୍ଗରେ ଧରି ଯାଉଥିଲେ । ସେତେବେଳେ ଅଳ୍ପ ଦିନ ତଳେ ରାମର ବାପା ମରିଥାଆନ୍ତି । ରାମକୁ ମାତ୍ର ଚାରି ବର୍ଷ ହୋଇଥିଲା । ଧାଈ ସାଙ୍ଗରେ ଗଲେ ମତେ ପ୍ରତିଥର ଦି’ଟଙ୍କା ମିଳୁଥିଲା । ଧାଈ ମତେ କହୁଥିଲେ ସେଠାରୁ ସେ ପ୍ରସୂତୀ କେନ୍ଦ୍ରଟି କୋଟସୁରକୁ ଉଠିଯିବ । ଏଠାରେ ସେମାନେ ଘରଟାକୁ ସେଇଥିଲାଗି ମରାମତି କରୁନାହାନ୍ତି । ସେଠାରେ ଗୋଟିଏ ନୂଆ କୋଠାଘର ତୋଳାହେବ । ତେଣୁ ଗର୍ଭବତୀମାନଙ୍କୁ କେମିତି ପ୍ରସବ କରାଇବାକୁ ପଡ଼େ ସେ କଳା ଶିଖିବାଲାଗି ସେ ମୋତେ କହୁଥିଲୁ । ମୁଁ ବି ଧୀରେ ଧୀରେ ସବୁ କଥା ଶିଖିଗଲି । ତା’ପରେ ପାଖଆଖ ଗାଆଁରୁ ପିଲା ଜନ୍ମବେଳେ ମୋତେ ଡାକରା
ଆସିଲା । ଆଜିକାଲି ଅବଶ୍ୟ ଆଉ କେହି ଡାକୁନାହାନ୍ତି । ସମସ୍ତେ କ୍ଲିନିକକୁ ଯାଉଛନ୍ତି । ହେଲେ ଅଗତ୍ୟା ହେଲେ ମୋରି ଆଶ୍ରା ଲୋଡ଼ୁଛନ୍ତି…’
ବିମଳାର ପୁଅ ଜନ୍ମବେଳେ ଯାହା ଶେଷ ଥର ସେ ପ୍ରସୂତୀ କରେଇଥିଲା । ବିମଳାର ଗର୍ଭବେଦନା ରାତି ଅଧକୁ ଆରମ୍ଭ ହେଲା । ତେଣୁ ସଜୁମଣୀ ହିଁ ଥିଲା ଏକମାତ୍ର ସାହାଭରସା । ଏବେ ତା’ପୁଅକୁ ଆସି ଛଅମାସ ହେଲାଣି । ଆରେ ହଁ ତ, ସିଏ ପରା ରାମ ସ୍ତ୍ରୀର ପିଲାଜନ୍ମବେଳେ ସାହାଯ୍ୟ କରିଥିଲା । ‘ବାଉଁଶ ପାତିଆଟିକୁ ଡେଟଲ ପାଣିରେ ଭଲକରି ବୁଡ଼େଇଦେଲେ…’ ଘର ଭିତରୁ ବସାତୀ ବିବି ଚିତ୍କାର ଛାଡ଼ୁଥିଲା ।
‘ଓଃ… ଆ…. ଉଃ…’
‘କ’ଣ ହେଲା ଭଉଣୀ?’
‘ପୁଅ । ତୁମର ନାତୀଟିଏ ହେଇଚି ।’
ମା’ଛୁଆଙ୍କୁ ସଫାସଫି କରିସାରିଲା ବେଳକୁ ଆହୁରି କିଛି ସମୟ ଲାଗିଲା ।
: ‘ଏବେ ଚାଲ, ମୁଁ ତୁମକୁ ଘରେ ଛାଡ଼ିଆସିବି ।’
: ‘ଯଦି ତୁମ ଘରେ ଟର୍ଚ୍ଚ ଲାଇଟ୍ ଅଛି ମତେ ଦିଅ । ମୁଁ ଏକା ଏକା ଫେରିଯିବି ।’
: ‘ନା, ନା, ମୁଁ କିଛି ବାଟ ପର୍ଯ୍ୟନ୍ତ ଯିବି । ତୁମକୁ ବଳେଇ ଦେଇଆସିବି । ଏଇ ନିଅ ଭଉଣୀ,ତୁମ ପାଉଣା… ।’
: ‘ଠିକ୍ ଅଛି ଭଉଣୀ । ତୁମର କିଛି ଦେବା ଦରକାର ନାହିଁ ।’ ପଞ୍ଚୁ ବିବି ଆଶ୍ୱସ୍ତିର ଦୀର୍ଘଶ୍ୱାସଟିଏ ଛାଡ଼ିଲା ।
: ‘ମୁଁ ଟଙ୍କା ପାଇଲା ପରେ… ।’
: ‘ଠିକ୍ ଅଛି ଭଉଣୀ ।’
ଦିହିଁକି ଦିହେଁ କିଛି ବାଟ ଗଲାପରେ ପଞ୍ଚୁବିବି କେମିତି ଆକଟ କଲାପରି ବିରକ୍ତ ସ୍ୱରରେ ସଜୁମଣୀକୁ କହିଲା, ‘ଆଚ୍ଛା ମତେ କହିଲ, ଛାତି ତଳେ ଏତେ କାନ୍ଦଣାକୁ ଲୁଚେଇ ଧରିଚ
କାଇଁକି? ତୁମ ଆଖିକୁ କ’ଣ ଲୁହ ଆସୁନି?’
: ‘ତୁମେ ତ ଥରେ କାନ୍ଦିଲା ପରେ ତୁମ ଆଖିରୁ ଲୁହ କୁଆଡ଼େ ଶୁଖିଗଲା!’
: ‘ଆଲୋ, ସେମାନେ ପରା ମୋ ପାଟିକୁ ଚାପି ଧରିଲେ ।’
: ‘ତୁମେ ବି ତ ମୋ ମୁହଁକୁ ବନ୍ଦ୍ କରିଦେଇଥିଲ ।’
ସାମ୍ନାରେ ସଜୁମଣୀର ଘର ଦିଶୁଥିଲା ।
: ‘ଏଇଠୁ ତୁମେ ଫେରିଯାଅ । ବତାସୀ ତେଣେ ଘରେ ଏକୁଟିଆଟା ଅଛି ।’
: ‘ନା, ହସୀନାର ମା’ବି ଅଛି ।’
: ‘ନାଇଁ, ତୁମେ ଲେଉଟିଯାଅ । ଛୁଆଟା ପ୍ରଥମେ କଳା କଳା ଝାଡ଼ା କରିବ । ଝାଡ଼ା କଲା ଆଗରୁ ତା’ ମା’କୁ କହିବ, କ୍ଷୀର ଖାଇବାକୁ ଦବନି । ଖାଲି ମହୁପାଣି ପିଆଇବ । ଗରମ
ପାଣିରେ ।’
: ‘ହଁ । ସେଇଆ କରିବି । ଆଲେ ଭଉଣୀ, ଟିକେ କାନ୍ଦ୍ ଭଲା । ନିଜ ଛାତିରେ ଏତେ ଦୁଃଖ ରଖି କ’ଣ କେହି ଜୀବନ ବଞ୍ଚିବ ପାରିବ? ପୁଅମାନେ ସିା ଚାଲିଗଲେ, ହେଲେ ସେମାନେ କ’ଣ ମା’ର ଦୁଃଖ ସାଙ୍ଗରେ ନେଇ ଗଲେ?’ ‘ନା । ସେମାନେ ସବୁକିଛି ପଛରେ ଛାଡ଼ିଦେଇ ଗଲେ । ପିଲା ଜନ୍ମ, ନିତିଦିନିଆ ହଇରାଣ ଜୀବନ, ସବୁକିଛି ।’ ଏଥର ଘରକୁ ଲେଉଟି ଯିବା ଲାଗି ପଞ୍ଚୁବିବି ମୁହଁ ବୁଲେଇଲା । ସଜୁମଣୀ ତା’ ଘର କବାଟକୁ ଧୀରେ ବାଡ଼େଇଲା
: ‘ମା, ତୁମେ ଫେରି ଆସିଲଣି?’
: ‘ହଁ’ ।
: ‘କ’ଣ ହେଲା – ପୁଅ ନା ଝିଅ?’
: ‘ପୁଅଟିଏ ।’
: ‘କ’ଣ ବଡ଼ ପିଲାଟିଏ ହେଇଚି?’
: ‘ନାଇଁ, ତା’ ପିଲାଗୁଡ଼ାକ ଜନ୍ମବେଳେ ଭାରି ସାନ ହୁଅନ୍ତି । ତା’ପରେ ବଢ଼ିଯାଆନ୍ତି ।’
: ‘ଗୋରା ନା କଳା?’
: ‘ ମୁଁ ତ ଭାବୁଚି ଟିକେ କଳା ହବ ।’
: ‘ମୁଁ ତୁମଲାଗି ବାଲ୍ଟିରେ ପାଣି ରଖିଚି ।’
ସଜୁମଣୀ ନିଜ ଲୁଗାପଟା ବଦାଳିଲା । ହାତରେ ପାଣି ଆଞ୍ଜୁଳା ଆଞ୍ଜୁଳା ଆଣି ମୁହଁରେ ଛାଟିଲା । ତା’ପରେ ଧୀରେ ଝର୍କା ଖୋଲିଲା । ଆକାଶରେ ଜହ୍ନଟା କେମିତି ପାତିଆ ଭଳି
ଦିଶୁଥିଲା । ସେଇ ଜହ୍ନକୁ ଚାହିଁ ଚାହିଁ ସଜୁମଣୀ ଅନ୍ଧାରରେ ମନଇଚ୍ଛା କାନ୍ଦି ଚାଲିଲା । ସତେ ଯେମିତି ସେଇ କାନ୍ଦ ସହ ତା’ ଛାତିରେ ଲଦି ହୋଇଥିବା ପଥରଟା ମିଳେଇଗଲା!
ସେ କାନ୍ଦର ଶେଷ ନ ଥିଲା । ସଜୁମଣୀ ଛାତି ରୁନ୍ଧି ହୋଇ ଆସିଲା । ତା’ ଛାତିକୁ କିଏ ଯେମିତି ଭିଡ଼ି ଧରିଥିଲା! ଦୀର୍ଘଦିନ ଧରି ଏଇ କାନ୍ଦଣାକୁ ତ ସିଏ ଛାତି ଭିତରେ ଲୁଚେଇ ରଖିଥିଲା । ସେଥିରୁ କିଛି ଖାଲି ହେଇଯାଉ । ପୁଣି ତା’ମନକୁ ଗୋଟିଏ ପ୍ରଶ୍ନ ଆସୁଥିଲା । ଯଦି ବୋହୂ, ପିଲାପିଲି, ଛେଳି, କୁକୁଡ଼ା, ଲୁଣ, ତେଲ କିରୋସିନି, ସବୁକିଛି ରହି ପାରିଲା, ତା’ହେଲେ
ହତଭାଗା ରାମଟା କାଇଁକି ମଲା? – ସେ ପ୍ରଶ୍ନର ଉତ୍ତର ତାକୁ କିଏ ଦେବ?
ଆକାଶର ନିଷ୍ପ୍ରଭ ଚନ୍ଦ୍ର ବି ନୀରବ ଥିଲା । ସେତେବେଳକୁ ଚନ୍ଦ୍ର ଦିଗ୍ବଳୟ ଆଡ଼କୁ ସାମାନ୍ୟ ଢଳି ସାରିଥିଲା ।
-ଠ-ଠ-ଠ-
ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩
Comments are closed.