ଅନୁବାଦ ଗଳ୍ପ : ସାଧାରଣ ଲୋକ

ହିନ୍ଦୀ ସାହିତ୍ୟର ବରିଷ୍ଠ ସାହିତ୍ୟକାର ଶ୍ରବଣ କୁମାର ଅନେକ ଉପନ୍ୟାସ ଓ ଗଳ୍ପ ସଙ୍କଳନର ରଚୟିତା । ବିହାରରେ ଜନ୍ମଲାଭ କରିଥିଲେ ସୁଦ୍ଧା ଏହି ସାହିତ୍ୟିକ ଦେଶ ବିଭାଜନର ହିଂସା ଓ ଦୁଃଖର ଶିକାର ହୋଇଥିବା ଲୋକଙ୍କୁ ଭେଟିଥିଲେ ଓ ସେମାନଙ୍କ ଦୁର୍ଦ୍ଦଶା ପ୍ରତି ସମବେଦନା ଜଣାଇଥିଲେ । ତାଙ୍କ ଦ୍ୱାରା ରଚିତ ଅନେକ ଗଳ୍ପ ଓ ଉପନ୍ୟାସରେ ଏହି ଘଟଣା ପ୍ରତିଫଳିତ ହୋଇଛି । ‘ସାଧାରଣ ଲୋକ’ ତାଙ୍କ ଦ୍ୱାରା ରଚିତ ବିଭାଜନ କଥାବସ୍ତୁ ଉପରେ ଲିଖିତ ଏକ ବଳିଷ୍ଠ କାହାଣୀ ଭାବେ ବିବେଚିତ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୭

ମୂଳ ହିନ୍ଦୀ: ଶ୍ରବଣ କୁମାର

ମୁଁ ଜାଣେନା ପ୍ରକୃତରେ କେଉଁ ଘଟଣାରୁ ଏପରି ବିବାଦର ସୂତ୍ରପାତ ଘଟିଥିଲା । । କିନ୍ତୁ ମୋ ମନ ଭିତରେ ଗୋଟିଏ ପରେ ଗୋଟିଏ ଘଟଣା ଉଙ୍କି ମାରୁଥିଲା । ସେଇ ଏକା ରାସ୍ତା, ସେଇ ଏକା ଗଳି, ସେଇ ଏକା ପଡ଼ୋଶୀ, ସେଇ ଏକା ଲୋକ । ଏବେ କିନ୍ତୁ ଚାରିଆଡ଼େ ଶବ ଆଉ ଶବ । ଦିନେ କ୍ଷେତ ଭିତରେ ଗୋଟାଏ ଶବ ମୋ ଆଖିରେ ପଡ଼ିଲା । ସମ୍ପୂର୍ଣ୍ଣ ବିବସ୍ତ୍ର, ହେଲେ ଦେଖିବାକୁ ବେଶ୍ ସୁନ୍ଦର । କିଛି ଦୂରରୁ ମୁଁ ଶବଟାକୁ ଦେଖି ପାରୁଥିଲି । ନିଷ୍ପ୍ରାଣ ଶରୀରଟା ଗୋଟିଏ ଯୁବତୀର । ଏବେ ତାକୁ ଦେଖିଲେ କେବଳ ପ୍ରତିକୃତିଟିଏ ପରି ଲାଗୁଥାଏ । ଆଉ ଦିନେ ସକାଲେ ମୁଁ ପାଖ ଚିନିକଳ କଡ଼ରେ କେଇଟା କ୍ଷତବିକ୍ଷତ ଲୋକ ପଡ଼ିଥିବାର ଦେଖିଲି । ସେମାନଙ୍କ ଭିତରୁ କେଇଜଣଙ୍କ ଦେହରେ ତଥାପି ଜୀବନ ଥାଏ, ଅସହାୟ ଭାବେ ସେମାନେ ଯନ୍ତ୍ରଣାରେ ଛଟପଟ ହେଇଥାନ୍ତି । ଆଉ କେଇଜଣ ମୃତ । ସେମାନଙ୍କ ପାଖକୁ ଲାଗି ଅନ୍ଧୁଣୀ ବୁଢ଼ୀଟିଏ ବି ବସିଥାଏ । ଆଶ୍ଚର୍ଯ୍ୟ କଥା, ତାକୁ କେହି ହତ୍ୟା କରିନଥାନ୍ତି । ଅନ୍ଧାରରେ ଦରାଣ୍ଡିହେଲା ପରି ଏଣେତେଣେ ହାତ ବୁଲାଇ ସେ କହି ଚାଲିଥାଏ, ‘ଆରେ ପୁଅମାନେ! ମତେ କାଇଁ ଛାଡ଼ିଗଲ? ମୋ ବାପାମାନେ, ମୋ ଧନମାନେ, ମୋ ବେକରେ ଚୋଟଟିଏ ପକେଇ ମତେ ମାରିଦିଅ ।’ ହେଲେ ଦୃଷ୍ଟିଶକ୍ତିହୀନ ବୁଢ଼ୀଟିର ଏପରି ଆକୁଳ ନିବେଦନ କଥା ପ୍ରତି କେହି ଧ୍ୟାନ ଦେଉନଥାନ୍ତି । ତା’ ବୟସର ବୁଢ଼ୀଟାକୁ ମାରି ଅବା କି ଲାଭ? କିନ୍ତୁ ଶଗଡ଼ ଭିତରୁ ସବୁ ଯୁବତୀ ଝିଅବୋହୂମାନଙ୍କୁ ରାସ୍ତା କଡ଼କୁ ଟାଣିନେଇ କିଏ କୁଆଡ଼େ ପଳେଇଥିଲେ । ଅନ୍ୟମାନଙ୍କୁ ଖଣ୍ଡାରେ, କାତିରେ ଗୋଟିଏ ଗୋଟିଏ ଚୋଟରେ ମୁଣ୍ଡଗଣ୍ଡି ଅଲଗା କରି ଦିଆଯାଇଥିଲା । ଏପରିକି ଶଗଡ଼ରେ ଯୋଚା ଯାଇଥିବା ବଳଦଗୁଡ଼ାଙ୍କର ଭାଗ୍ୟରେ ଏକାପ୍ରକାର ଦଶା ଯୁଟିଥିଲା । ତେଣୁୁ
ଝିଅବୋହୂ ଓ ବଳଦଙ୍କ ଭିତରେ କିଛି ଫରକ ନଥିଲା । ହେଲେ ଗୋଟିଏ ଘଟଣା ମତେ ଆଶ୍ଚର୍ଯ୍ୟ ଲାଗୁଥିଲା- ଏତେ ଗୁଡ଼ାଏ ଲୋକ ଏକାସାଙ୍ଗରେ ବିପଦରେ ପଡ଼ିଥିବା ବେଳେ ବିନା ପ୍ରତିରୋଧରେ କିପରି ଭାବେ ନିଜକୁ ବିପଦ ମୁହଁକୁ ଠେଲି ଦେଉଥିଲେ !

ସେସବୁ ଏକ ବିଚିତ୍ର ସ୍ମୃତି ! ଏବଂ ତା’ସହ ଆହୁରି ଅନେକ ସ୍ମୃତି ବି ଛାତିତଳେ ସତେଜ ଥିଲା । କିଏ ଜାଣେ, ସ୍ମୃତିର କେଉଁ କୋଣ ଅନୁକୋଣରେ ସେସବୁ ଗଚ୍ଛିତ ହୋଇ ରହିଥିଲା! ଭାବିଲା ମୋତେ ସେସବୁ ଆପେ ଆପେ ଗୋଟିକ ପରେ ଗୋଟିଏ ଆଖି ଆଗରେ ନାଚି ଯାଉଥିଲ! ମୁଁ ନିଜେ ବି ଜାଣିପାରେନି, ସେଦିନ ମୋ ଭିତରେ ଏତେ ସାହସ ଆସିଲା କୁଆଡ଼ୁ! ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ପତଳା ପିଲାଟିଏ ହାତରେ ଧାରୁଆ ଖଣ୍ଡାଟିଏ ଧରି ଚାରିଆଡ଼େ ଘୂରି ବୁଲୁଥିଲା । ପ୍ରଥମେ ସେ ହକିଷ୍ଟିକଟିଏ ଧରିଥିଲା । କିନ୍ତୁ ସେଥିରେ ସେ ଚାହୁଁଥିବା କାର୍ଯ୍ୟ ସମ୍ପାଦନ କରି ହେବନାହିଁ ବୋଲି ଭାବି ତା’ ବଦଳରେ ଖଣ୍ଡାଟିଏ ଧରିଲା । କାରଣ ଖଣ୍ଡାର ଗୋଟିଏ ଚୋଟରେ ବାସ୍‌, କାମ ଖତମ୍ । ହକିଷ୍ଟିକରେ କ’ଣ ସେ କଥା କରିବା ସମ୍ଭବ ?

ନା । ସେ ପିଲାଟି ଆଉ କେହିନୁହେଁ, ମୁଁ ନିଜେ । ମୋ ସାଥିରେ ଆଉ ଦି’ଜଣ ବି ଥିଲେ । ମୁଁ ଖବର ପାଇଥିଲି ଯେ ଆମେ ରହୁଥିବା ଗଳିରେ ଗୋଟିଏ ଘରେ ମୁସଲମାନ ଲୋକ ଜଣେ ରହୁଛି । ଆମେ ଏବେ ତାକୁ ଖୋଜି ବୁଲୁଥିଲୁ ।ହଠାତ୍ ଆମେ ତାକୁ ପାଇଲୁ ଯେତେବେଳେ ସିଏ ଆମ ସାଙ୍ଗରେ ଯୁଝିବାକୁ ଗୋଟାପଣେ ତିଆର୍ । ସେମାନେ ଥିଲେ ତିନିଜଣ । ମୁଁ ସେମାନଙ୍କୁ ଆଦେଶ ଦେଲାପରି ଚିତ୍କାର କରିଉଠିଲି, ‘ରୁହ, ସେଇଠି ଅଟକିଯାଅ ।’

ଆଶ୍ଚର୍ଯ୍ୟ! ସେମାନେ ମୋ କଥାକୁ ନିର୍ବିବାଦରେ ମାନି ସେଇଠି ଠିଆ ହୋଇ ଯାଇଥିଲେ । କି ବିଚିତ୍ର ଓ ଆନନ୍ଦମୟ ସେ ଅନୁଭୂତି- ଗୋଟିଏ ଛୋଟପିଲାର ନିର୍ଦ୍ଦେଶକୁ ଏପରି ଭାବେ ପାଳନ କରିବା । ସେମାନଙ୍କ ବଳ ସହ ମୋ ଶକ୍ତିକୁ ତୁଳନା କରିବା ବୃଥା,  ମୋ ଶରୀରର ଗଠନ ଦୃଷ୍ଟିରୁ ହେଉ ଅଥବା ଉଚ୍ଚତା ଅନୁସାରେ ହେଉ । ସେମାନେ କିନ୍ତୁ ଗୋଟାପଣେ ନିଷ୍ପ୍ରାଣ, ଚଳତଶକ୍ତିହୀନ ଅଥର୍ବ ପରି ଦିଶୁଥିଲେ, ଠିକ୍‌, ସେଇ ଶଗଡ଼ଗାଡ଼ିମାନଙ୍କରେ ବସିଥିବା ଲୋକଙ୍କ ପରି । ସେମାନଙ୍କ ଭିତରୁ କେହିଜଣେ ଅନୁନୟଭରା କ୍ଷୀଣ କଣ୍ଠରେ କହିଲା: ‘ତାକୁ ମାରିବା ଆଗରୁ ଆମମାନଙ୍କୁ ବରଂ ମାରିଦିଅ ।’

‘ସିଏ କିଏ?’ ଆଶ୍ଚର୍ଯ୍ୟ ହୋଇ ମୁଁ ମୋର ସାଥିମାନଙ୍କ ମୁହଁକୁ ଚାହିଁଲି । ‘ସିଏ ଜଣେ ସ୍ଥାନୀୟ ହିନ୍ଦୁ ବାସିନ୍ଦା ।’

ଏପରି ଉତ୍ତର କିନ୍ତୁ ମୋତେ ଅଟକାଇ ପାରିନଥିଲା । ସେତେବେଳେ ମୁଁ ବିଚିତ୍ର ମଣିଷଟିଏ ପରି ଦିଶୁଥିଲି । ମୋ ଓଠତଳେ ନୂଆକରି ଦାଢ଼ିସବୁ କଳଁଳୁଥାଏ ଓ ମୁଣ୍ଡର ବାଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ତା’ଛଡ଼ା, ମୁଁ ଭଲଭାବେ ପୋଷାକପତ୍ର ବି ପିନ୍ଧିନଥାଏ । ଲୁଙ୍ଗିଖଣ୍ଡେ ପିନ୍ଧି, ଦେହରେ ଚିରା ସାର୍ଟଟିଏ ଗଳେଇଥାଏ । ପାଦରେ ହଳେ ଛିଣ୍ଡା ଚପଲ ।

ପାକିସ୍ତାନରେ ଆମେ ମୁସଲମାନ ଲୋକମାନଙ୍କର କି ଅପକାର କରିଥିଲୁ ଯେ ସେମାନେ ଆମକୁ ଆମ ପୈତୃକ ଭିଟାମାଟିରୁ ଭଗାଇ ଦେଲେ ! ଏଇ କଥା ମୁଁ ମନେ ମନେ ଅନେକଥର ଭାବିଛି ଓ ମନକୁ ମନ ପୁଣି କହିହୋଇଛି, ଯଦି ଆମେ ପାକିସ୍ତାନରେ ସେକଥା  କରିପାଲୁନି, ତା’ହେଲେ ଏଠି କରି ଦେଖେଇଦେବୁ । ହଁ, ଏବେ ତ ଆମେ ଆସି ନିଜ ଭୂଇଁରେ ପାଦ ଦେଇସାରିଛୁ । ତେଣୁ ସବୁ ସୁଯୋଗ ତ ଆମ ସପକ୍ଷରେ, ଆମ ହାତ ପାଆନ୍ତାରେ ।

‘ନା, ତୁମେ ତାକୁ କଦାପି ମାରି ପାରିବନି । ସିଏ ଏ ଇଲାକାର ଜଣେ ପୁରୁଣା ବାସିନ୍ଦା । ସିଏ ହୁଏତ ତାଙ୍କ ନିଜ ଘରର ଅବସ୍ଥା ଦେଖିବାକୁ ଆସିଛନ୍ତି । ସିଏ ତ ଆମର କିଛି ଅନିଷ୍ଟ କରିନାହାନ୍ତି ।’ ମୋର ଜଣେ ବନ୍ଧୁ ଲୋକଟି ସପକ୍ଷରେ ଏମିତିଯୁକ୍ତି ବାଢ଼ିବା ଆରମ୍ଭ କରିଥିଲା । ଅବଶ୍ୟ ଆମେ ତାକୁ ମାରି ନଥିଲୁ । ମୋ ମନ ଭିତରେ ଟକମକ ହେଉଥିବା ରାଗ ଧୀରେ ଧୀରେ ପ୍ରଶମିତ ହୋଇ ଯାଇଥିଲା । ମତେ ଲାଗିଲା, ସତେ ଯେମିତି ମୁଁ ଭିତରେ ଭିତରେ ଭାଙ୍ଗି ପଡ଼ୁଛି । ତା’ପରେ ମୁଁ କାହାକୁ କିଛି ନକହି ଚୁପଚାପ୍ ଘରକୁ ଫେରି ଯାଇଥିଲି ଏବଂ ଭୟ ଓ ଆତଙ୍କ ମିଶା ଭାବନାରେ ସଦାବେଳେ ଆଉଟୁପାଉଟୁ ହୋଇ ଚାଲିଥିଲି ।

ହଠାତ୍ ଆମରି ଗଳି ଭିତରୁ ବଡ଼ ପାଟିରେ ହୋହଲ୍ଲା ଶୁଭିଲା । ଚାରିଆଡ଼ୁ ଅଶ୍ରାବ୍ୟ ଭାଷାର ଗାଳି ‘ଶଳା ଶରଣାର୍ଥୀଗୁଡ଼ାକ କୋଉଠିକାର !’ ଲୋକମାନଙ୍କ ମନରେ ଧାରଣା ହୋଇ ସାରିଥାଏ ଯେ କେବଳ ଏଇ ରିଫ୍ୟୁଜିଗୁଡ଼ାଙ୍କ ଯୋଗୁ ସବୁ ଜିନିଷର ଦରଦାମ ଆକାଶଛୁଆଁ ହୋଇଯାଇଛି । ସହରଟା ସାରା ମଇଳା ଆବର୍ଜନାରେ ଭରପୂର ହୋଇଯାଇଛି । ପୁଣି ବେଳେବେଳେ ସେମାନେ କହିବାର କାନରେ ପଡ଼ୁଥିଲା,‘ସେମାନଙ୍କ ସ୍ତ୍ରୀମାନଙ୍କୁ ଦେଖ । କହୁଛନ୍ତି କ’ଣ ନା ଆମେ ବରବାଦ ହୋଇଗଲୁ । ସର୍ବସ୍ୱାନ୍ତ ହୋଇଗଲୁ । ହେଲେ ଶଳାମାନଙ୍କ ସ୍ତ୍ରୀମାନେ ଫେଶନ କରିବାରେ ସମସ୍ତଙ୍କୁ ବଳିଯିବେ! ପୁଣି ରାସ୍ତାଘାଟ ସବୁଆଡ଼େ ଏଇମାନଙ୍କ ଲାଗି କୁଢ଼ କୁଢ଼ ମଇଳା ଆବର୍ଜନା !’

ଭଗବାନଙ୍କୁ ଅଶେଷ ଧନ୍ୟବାଦଯେ ଆମକୁ ଏଇ ଦୃଷ୍ଟିରୁ କେହି କେବେ ଶରଣାର୍ଥୀ ବୋଲି କହିନଥିଲେ । ସହରରେ ଆମର ଘର ଖଣ୍ଡିଏ ଥିଲା । ମୋ ମାମୁଁ ଘର ଆଈ ଆମକୁ ସେଇଟି ଦେଇଥିଲା । ଏବେ ଆମେ ଆସି ସେଇଠି ଆଶ୍ରୟ ନେଇଥିଲୁ ଓ ଆମକୁ ସମସ୍ତେ ଏ ସହରର ‘ପୁରୁଣା ବାସିନ୍ଦା’ ବୋଲି କହୁଥିଲେ । କିନ୍ତୁ ସେଦିନର ସେ ହୋହଲ୍ଲା ସମ୍ପୂର୍ଣ୍ଣ ରୂପେ ଆଉ ଗୋଟିଏ କାରଣ ଲାଗି ସୃଷ୍ଟି ହୋଇଥିଲା । ମୋର ଜଣେ ଦୂର ସମ୍ପର୍କୀୟ ଦାଦା ଜଣେ ମୁସଲମାନ କନେଷ୍ଟବଲକୁ ଆକ୍ରମଣ କରି ମାରି ଦେଇଥିଲେ ଓ କିଛି କାଠ ସଂଗ୍ରହ କରି ଛକଉପରେ ତାକୁ ପୋଡ଼ି ପକେଇଥିଲେ । ସେ ଧୂଆଁ ସେଦିନ ଆକାଶ ଢ଼େର୍ ଉଚ୍ଚକୁ ଉଠିଥିଲା । ଲୋକମାନେ ସେମାନଙ୍କ କୋଠାଛାତ ଉପରୁ ସେ ଦୃଶ୍ୟ ଉପଭୋଗ କରିଥିଲେ ।

ଏଇ ଘଟଣାଟି ବିଷୟରେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳେ । କେତେକ ଲୋକ କହନ୍ତି ଯେ ମୋ ଦାଦା ସେଦିନ ପେଟେ ମଦ ତେଣ୍ଡିଥିବାରୁ କନେଷ୍ଟବଳଟାକୁ ମାରି ତଳେ ପକେଇ ପାରିନଥିଲେ । ବରଂ କେନେଷ୍ଟବଳଟା ମୋ ଦାଦାଙ୍କୁ ତା’ ଭୁଜାଲିରେ ହାଣିବାକୁ ପ୍ରୟାସ କରିଥିଲା ।କନେଷ୍ଟବଳଟା ଏକୁଟିଆ ନଥିଲା । ସେମାନେ ମୋଟରେ ଚାରିଜଣ ଥିଲେ । କିନ୍ତୁ ଅନ୍ୟ ତିନିଜଣ ଥିଲେ ହିନ୍ଦୁ । ଅନ୍ୟମାନେ କହିଲେ ଯେ ଚତୁର୍ଥ ଜଣକ ବି ହିନ୍ଦୁ । ବିଚରାଟାକୁ ଆକ୍ରମଣ କରିବା ଆଗରୁ ଦାଦା ହୁଏତ ଏଇ କଥାକୁ ବିଶ୍ୱାସ କରି ଯାଇଥାନ୍ତେ । କାରଣ ଉପଯୁକ୍ତ ପ୍ରମାଣ ଅଭାବରୁ ଅନେକ ଲୋକଙ୍କୁ ଏମିତି ଅଯଥାରେ ପ୍ରାଣ ହରାଇବାକୁ ପଡ଼ିଥିଲା । ହୁଏତ ସେମାନେ ସତ କହୁଥାଇ ପାରନ୍ତି । ସେଦିନ ତ ଷ୍ଟେସନ୍ ପାଖରେ ଗୋଟିଏ ଲୋକକୁ ଚିହ୍ନିବା ବେଶ୍ କଷ୍ଟସାଧ୍ୟ ହୋଇପଡ଼ିଲା । ଜଣେ ଲୋକ ଏଣେତେଣେ ସନ୍ଦେହଜନକ ଭାବେ ଘୂରି ବୁଲୁଥିବାର ଦେଖି ଲୋକମାନେ ତାକୁ କାବୁ କରି ନେଇଥିଲେ । କିଏ କହିଲା ଲୋକଟା ପାଗଳଟାଏ । ଶେଷରେ ତାକୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ତା’ ପାଇଜାମା ଖୋଲି ଦେଖିବାକୁ ପଡ଼ିଥିଲା । ଲୋକଟା ବି ଡରି ଡରି ତା’ ପାଇଜାମା ଖୋଲିଥିଲା । ତା’ପରେ ଯାଇ ଜଣାପଡ଼ିଥିଲା ଯେ ସେ ଜଣେ ମୁସଲମାନ ବୋଲି । ସଙ୍ଗେ ସଙ୍ଗେ ଖଣ୍ଡାର ଗୋଟିଏ ଚୋଟରେ ତା’ କାମ ବଢ଼େଇ ଦିଆଯାଇଥିଲା ।

ହଁ, ଏକଥା ସତ ଯେ ମୋ ଦାଦା, ସେ କନେଷ୍ଟବଳଟାକୁ ପାଗଳଙ୍କ ପରି ଆକ୍ରମଣ କରିଥିଲା । ସେ ଲୋକଟା ବି ନିଜକୁ ବଞ୍ଚାଇବା ଲାଗି କମ୍ ପ୍ରତିରୋଧ କରିନି । କିନ୍ତୁ ଶେଷରେ ସେ ହାଲିଆ ହୋଇ ପଡ଼ିଥିଲା । ସମ୍ଭବତଃ ଭୟରେ ସେ ଆହୁରି ବୋକା ପାଲଟି ଯାଇଥିଲା । ସେତେବେଳକୁ ମୋ ଦାଦା ସାଥିରେ ଆଉ କେଇଜଣ ଆସି ଯୋଗ ଦେଇ ସାରିଥାନ୍ତି । ସେମାନେ ତତକ୍ଷଣାତ୍ ଲୋକଟାକୁ ପୋଡ଼ିବା ଲାଗି ସବୁ ପ୍ରକାର ଆୟୋଜନ କରିଦେଲେ ଓ କନେଷ୍ଟବଳଟାକୁ ଘୋଷାରି ଘୋଷାରି ନେଇ ସେଇ କାଠ ଉପରେ ଶୁଆଇଦେଲେ । କାଠ ଯେମିତି ଜଳିବାକୁ ଆରମ୍ଭ କରିଚି ବିଚରା କନେଷ୍ଟବଳଟା ହାତଯୋଡ଼ି ସମସ୍ତଙ୍କୁ ନେହୁରା ହେଲା । ପ୍ର୍ରାଣ ବଞ୍ଚେଇବାକୁ ଆକୁଳ ମିନତି କଲା । ସେତିକିବେଳେ ସେଇବାଟେ ହାତରେ ଖଣ୍ଡାଟିଏ ଧରି ଜଣେ ଲୋକ ଯାଉଥିଲା । ସେ ସବୁ କଥା ଲକ୍ଷ୍ୟ କରି ହଠାତ୍ ଲୋକମାନଙ୍କ ସମସ୍ୟାକୁ ସମାଧାନ କରିବା ଲାଗି ଆଗେଇ ଆସିଲା ଓ ଗୋଟିଏ ଚୋଟରେ କନେଷ୍ଟବଳଟିର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ।

ଦିନେ ମତେ ମୋ ମା’ ଆକଟ କଲାପରି ଗାଳିଦେଲା, ‘ତୁ ଏତେ ସମୟ ଧରି ବାହାରେ ବୁଲି କ’ଣ କରୁଛୁ କହିଲୁ? ତୋ ନିଜ ବୟସ କଥା ଥରେ ତୁ ଭାବିଛୁ ? ତୁ ଏବେ ବି ଛୋଟ ପିଲାଟିଏ ।’

ଛୁଆଟିଏ ହୋଇଥାଇପାରେ । ହେଲେ ଏବେ ମୁଁ ମୋ ଘର ଭିତରେ ଧାରୁଆ ଅସ୍ତ୍ରଟିଏ ଖୋଜୁଥିଲି । କିନ୍ତୁ ସେପରି କୌଣସି ମାରଣାସ୍ତ୍ରଟିଏ ପାଉନଥିଲି । ଏପରିକି ଖଣ୍ଡେ ମୋଟା ଲୁହାରଡ଼ ବି ମିଳିନଥିଲା । ଦେଶର ଅବଶ୍ୟମ୍ଭାବୀ ବିଭାଜନ ଆଶଙ୍କା ଖବର ସମ୍ବାଦପତ୍ର ପୃଷ୍ଠାରୁ ଓ ରେଡ଼ିଓରୁ ଘନଘନ ପ୍ରଚାର ଚାଲିଥାଏ । ତେବେ କେହି କେବେ ବିଶ୍ୱାସ କରୁନଥାନ୍ତି ଯେ ସେମାନଙ୍କୁ ସବୁଦିନ ଲାଗି ସେମାନଙ୍କ ଘରଦ୍ୱାର, ଭିଟାମାଟି ଛାଡ଼ି ଅନ୍ୟତ୍ର ଯିବାକୁ ପଡ଼ିବ । ଅଧିକାଂଶ ଲୋକ ଭାବୁଥାନ୍ତି ଯେ ସେଇ ପାକିସ୍ତାନରେ ରହିଯିବେ । ମୋ ବାପାଙ୍କର ବି ସେଇ ଆଶା ଥିଲା । ତେଣୁ ସେ ପାକିସ୍ତାନରେ ରହିଯିବା ଲାଗି ଘୋଷଣାନାମାରେ ବି ଦର୍ଶାଇ ସାରିଥିଲେ ।

କିନ୍ତୁ ଦିନକୁ ଦିନ ପରିସ୍ଥିତି ବଦଳି ଚାଲିଥିଲା । ପ୍ରତିଦିନ ଅବସ୍ଥାରେ ଅବନତି ହେବାରେ ଲାଗିଥିଲା । ଆମ ଇଲାକାର ମୁସଲମାନ ଲୋକମାନେ ସେମାନଙ୍କର ଘରଦ୍ୱାର, କୋଠାବାଡ଼ି ବିକ୍ରି କରି ମୁସଲମାନ ଇଲାକାକୁ ପଳାଇବାରେ ଲାଗିଥାନ୍ତି । କେତେକ ହିନ୍ଦୁ ଓ ଶିଖ୍ ପରିବାର ଆମ ଇଲାକାରେ ଆସି ରହିବାକୁ ଆରମ୍ଭ କରିଥାନ୍ତି । ହେଲେ ସେଇ ହିନ୍ଦୁ ଓ ଶିଖ୍ ପରିବାରମାନେ ଧୀରେ ଧୀରେ ପୁଣି ନିଜକୁ ଅସୁରକ୍ଷିତ ମଣିବାକୁ ଆରମ୍ଭ କଲେ ଓ ପରିଶେଷରେ ସୀମାପାର ହୋଇ ଆରପଟକୁ ଚାଲିଗଲେ । ହେଲେ ଆମେ ଯାଇନଥିଲୁ, ଆମ ନୂଆ ପଡ଼ୋଶୀ ବି ଯାଇନଥିଲେ । ଆମେ ସମସ୍ତେ ଭାବିଥିଲୁ ଯେ ଆମ ଇଲାକାଟି ସବୁଠାରୁ ନିରାପଦ ।

ବାସ୍ତବ ପକ୍ଷେ, ଆମର ଏଇ ଇଲାକାର ଲୋକଗୁଡ଼ାକ ବେଶ୍ ସାହସୀ ଓ ବଳୁଆ । ସେମାନଙ୍କର କାମ ହେଲା ହାତୁଡ଼ିପିଟା । ମୋଟା ମୋଟା ଲୁହା ଚାଦରକୁ ଗରମ କରି ତାକୁ ପିଟି ବିଭିନ୍ନ ପ୍ରକାର ବାସନକୁସନ ତିଆରି କରିବା । ସାରା ସହରର ଲୋକେ ସେମାନଙ୍କୁ ଭୟ କରନ୍ତି । ସେମାନଙ୍କ ସହ ଯଦି ବଳରେ କେହି ସମକକ୍ଷ ହେବେ, ତା’ହେଲେ ସେମାନେ କେବଳ କାଶ୍ମିରୀ ମୁସଲମାନ । କିନ୍ତୁ, ସୌଭାଗ୍ୟର କଥାଯେ, କାଶ୍ମୀରୀ ମୁସଲମାନ ଓ ଆମ ଇଲାକାର ଲୋକମାନଙ୍କ ଭିତରେ ଘନିଷ୍ଠ ବନ୍ଧୁତା ଥିଲା । ଆମ ପୁରୁଣା ପଡ଼ୋଶୀ ବି ଥିଲେ କାଶ୍ମୀରୀ ମୁସଲମାନ । ସଲାମତୁଲ୍ଲା ସାଙ୍କରେ ମୋର ଖୁବ୍ ବନ୍ଧୁତା ଥିଲା । ମୁଁ ତାକୁ ସ୍ନେହରେ ଶୁଙ୍କି ବୋଲି ଡାକୁଥିଲି । ଆମ ଗଳିର ଶେଷମୁଣ୍ଡ ଘରେ ସେମାନେ ରହୁଥିଲେ । ଶୁଙ୍କିର ଓ ମୋ ବୟସ ପ୍ରାୟ ସମାନ ଥିଲା । ପିଲାଟି ଦିନୁ ଆମେ ଦୁହେଁ ଭଲ ବନ୍ଧୁ ଥିଲୁ ଓ ଅଧିକାଂଶ ସମୟ ରାସ୍ତା ଉପରେ ବୁଲି ଖାଲି ସିଗାରେଟ ଖୋଳ ଗୋଟାଇବା ଆମର ମୁଖ୍ୟ କାମ ଥିଲା । ସେଇଟା ଆମର ପ୍ରିୟ ସଉକ ଥିଲା । ବେଳେବେଳେ ଆମ ସାଙ୍ଗରେ ମହିଦା, ଅର୍ଥାତ୍‌, ହମିଦ ଆସି ଯୋଗଦିଏ । ସିଏ ହେଲା ଆମର ପଡ଼ୋଶୀ, ଆମ ଘରକୁ ଲାଗି ତାଙ୍କ ଘର । କିନ୍ତୁ ସେ ମୋ ଠାରୁ ଛୋଟ ଥିଲା । ବାଙ୍ଗରା ପିଲାଟା । ଅବଶ୍ୟ ମୁଁ ବି ତା’ଠାରୁ କୌଣସି ଗୁଣେ ଡେଙ୍ଗା ନଥିଲି । ସେଇଥିଲାଗି ମୁଁ ଅଧିକାଂଶ ସମୟରେ ତାଙ୍କ ଘର ଭିତରକୁ ପଶିଯାଇ ତା’ ମା’ ପାଖରେ ବସିପଡ଼ୁଥିଲି । ମହିଦା’ର ମା’ ଦେଖିବାକୁ
ଯେମିତି ତୋଫା, ସେମିତି ସୁନ୍ଦରୀ । ସ୍ୱାସ୍ଥ୍ୟ ବି ସେମିତି । ମୁଁ ତାକ ଚାଚୀ ବୋଲି ଡାକେ । ସିଏ ମତେ ପୁଅଭଳି ସ୍ନେହ କରନ୍ତି ।

ମୁଁ କଥାଟାକୁ ସହଜ କରିବାକୁ ଯାଇ କହିଲି, ‘ନା, ନା, ମୁଁ ତୁମକୁ ମାରିବିନି । ମୁଁ ସେଗୁଡ଼ାଙ୍କୁ ମାରିବି ।’

‘ସେଗୁଡ଼ାଙ୍କୁ’ ବୋଲି ମୁଁ କହିବାକୁ ଚାହୁଁଥିଲି ସେଇମାନଙ୍କୁ, ଯେଉଁମାନେ ହାତରେ କାତି ଧରି, ସହରଟାସାରା ସୈନିକଙ୍କ କରି ଘୂରି ବୁଲୁଥିଲେ । ଓଃ, ସେ ଲୋକଗୁଡ଼ାଙ୍କ କଥା ଭାବିଲେ ମୋ ଛାତି ଭୟରେ ଥରି ଉଠୁଥିଲା! କେବଳ ପରେ ମୁଁ ଜାଣିବାକୁ ପାଇଥିଲି ଯେ ସେଇ ନାଲିସାର୍ଟ ପିନ୍ଧା ଓ କାନ୍ଧରେ ଟାଙ୍ଗିଆ ଫାର୍ଶାଓହଳା ଲୋକଗୁଡ଼ାକ ଯେଉଁମାନେ ସହରଟା ସାରା ପଇଁତରା ମାରୁଥିଲେ, ସେମାନେ କାଳେ ହିନ୍ଦୁମାନଙ୍କର ବନ୍ଧୁ ଥିଲେ, ସାହାଯ୍ୟକାରୀ ଥିଲେ ଓ ସେମାନେ ହିନ୍ଦୁ-ମୁସଲାମାନ ଏକତା ଲାଗି ଉଦ୍ୟମ କରୁଥିଲେ ।

ଦେଶ ଭାଗ ଭାଗ ହେବା ପୂର୍ବରୁ ଆମେ ଆମ ଘରେ ତାଲାଟିଏ ଠୁଙ୍କିଦେଇ ଭାରତକୁ ପଳେଇ ଆସିଥିଲୁ । ବାପା ବି ଆମ ସାଙ୍ଗରେ ପଳେଇ ଆସିଥାନ୍ତି । କିନ୍ତୁ ତାଙ୍କୁ ପୁଣି ତାଙ୍କ ଚାକିରୀ ସ୍ଥାନକୁ ଫେରିଯିବାକୁ ପଡ଼ିଥିଲା । ମା’ ମତେ ତାଙ୍କ ସାଙ୍ଗରେ ପଠେଇଥାଏ ଯେ ମୁଁ ଆମ ଘରୁ ଆଉ କେଇଟା ଜିନିଷ ନେଇ ଆସିବି । ଆମର କେତେଜଣ ସମ୍ପର୍କୀୟ ଓ ପରିଚିତ ଲୋକ ତଥାପି ପାକିସ୍ତାନ ପଟେ ଥାଆନ୍ତି । ବାପା ମତେ ସେଇମାନଙ୍କ ସାଥିରେ ଛାଡ଼ି ଅନ୍ୟ ଗୋଟି ଟାଉନକୁ ଚାଲି ଯାଇଥିଲେ । ଯେଉଁ ଘର ଭିତରେ ଦିନେ ମୁଁ ନିଜକୁ ସବୁଠାରୁ ନିରାପଦ ମଣୁଥିଲି ସେଇ ଘରଟାରେ ଏବେ ମତେ ଖୁବ୍ ନିଛାଟିଆ ଓ ଡର ମାଡ଼ୁଥିଲା । ମତେ ଲାଗୁଥିଲା ସେ ଘର ଭିତରେ ଗୋଟିଏ ବୁଢ଼ା ପଠାଣ ଭୂତ ଥିଲା । ପାଖପଡ଼ିଶା ଚାରିଆଡ଼େ ଶୁନଶାନ୍ । କେଉଁଠୁ କିଛି ସୋର୍‌ଶବ୍ଦ ଶୁଭୁନଥିଲା । ଘର ଭିତରେ ପାଦଦେବା ମାତ୍ରେ ପ୍ରଥମେ ମୋ ଛାତି ଥରି ଉଠିଥିଲା । ହେଲେ ସେଇ ଘର ଭିତରେ ମତେ ଅଗତ୍ୟା ଏକୁଟିଆ ରହିବାକୁ ପଡ଼ିଥିଲା ।

ତା’ପରେ ପରିସ୍ଥିତି ବଦଳିବାକୁ ଆରମ୍ଭ କଲା । ରାସ୍ତାଘାଟ ସବୁ ଜନମାନବଶୂନ୍ୟ ହେବାକୁ ଲାଗିଲା ଓ ଚାରିଆଡ଼େ ରହିରହି ‘ଆଲ୍ଲା ହୋ ଆକବର’ କିମ୍ବା ‘ହର ହର ମହାଦେବ’ ଅଥବା ‘ସତ୍ ଶ୍ରୀ ଅକାଲ୍‌’ ଭଳି ଶୁଭୁଥିବା ଚିତ୍କାର ଆଉ ଶୁଣିବାକୁ ମିଳିଲାନାହିଁ । ସେସବୁ ଡାକର ଆଉ କିଛି ଅର୍ଥ ବି ନଥିଲା । ମାତ୍ର କେଇ ଘଣ୍ଟା ଭିତରେ ପ୍ରତି ଗଳିକନ୍ଦି ଆରମ୍ଭରେ ବଡ଼ବଡ଼ ଲୁହା ଫାଟକସବୁ ମୁଣ୍ଡ ଟେକିଲା । ସତେକି ଝଡ଼ ପୂର୍ବର ଏହା ଥିଲା ଏକ ଅସ୍ୱାଭାବିକ ନୀରବତା ! କିନ୍ତୁ ଏପରି ଝଡ଼ ପୂର୍ବରୁ ସୁଦ୍ଧା ପୋଡ଼ାଜଳା, ଲୁଟତରାଜ ଓ ହାଣକାଟ ଚାଲିଥିଲା । ପ୍ରଥମେ ଏସବୁ ଆରମ୍ଭ ହୋଇଥିଲା ଏକ ବୋମାମାଡ଼ରୁ ଓ ହଠାତ୍ ଏଇ ଘଟଣା ପରେ ପରେ ‘ହର ହର ମହୋଦବ’, ‘ଆଲ୍ଲା ହୋ ଆକବର’, ‘ସତ୍ ଶ୍ରୀ ଅକାଲ’ ଶବ୍ଦରେ ସାରା ସହରଟା କମ୍ପି ଉଠିଥିଲା । ତା’ପରେ ପରେ ବନ୍ଧୁକରୁ ଗୁଳିଫୁଟା ଆବାଜ । ସେଥିରୁ କେଇଟା ଗୁଳି ଆମରି ମୁଣ୍ଡ ଉପର ଦେଇ ଚାଲିଯାଇଥିଲା । ଦିନେ ହଠାତ୍ ଆମ ଘର ପାଖରେ ଆସି ଗୋଟାଏ ଚାପଡ଼ ପଡ଼ିଲା ଓ ମୁଁ ତାକୁ ଆଣି ସଦାବେଳେ ପଥରରେ ପଜେଇ ଧାରୁଆ କରି ରଖିଲି । ଯଦିବା ମୁଁ ଏପରି ଅସ୍ତ୍ରଟାକୁ ଧାରୁଆ କରି ରଖିଲି । ତା’ର ସଦ୍‌ ବ୍ୟବହାର କରିପାରିନଥିଲି । ତେଣୁ ମୋ ପାଖରେ ସେଇଟା ଅବ୍ୟବହୃତ ହୋଇ ପଡ଼ିରହିଥିଲା । ଠିକ୍ ସେଇ ‘ହର ହର ମହାଦେବ’, ‘ସତ୍ ଶ୍ରୀ ଅକାଲ୍ ଓ ‘ଆଲ୍ଲା ହୋ ଆକବର’ ଡ଼ାକ ପରି ।

ପୁଣି ଥରେ ମତେ ମା’ ଓ ପରିବାରର ଅନ୍ୟ ସଦସ୍ୟଙ୍କ ପାଖରେ ଛାଡ଼ି ବାପା ତାଙ୍କ କର୍ମକ୍ଷେତ୍ରକୁ ଫେରି ଯାଇଥିଲେ । ଏଥର କିନ୍ତୁ ତାଙ୍କୁ ଘରୁ ପଦାକୁ ପାଦ ନବଢ଼ାଇବା ଲାଗି ସମସ୍ତେ ବାରଣ କରୁଥିଲେ । ବେଳକୁ ବେଳ ହାଣକାଟ ଓ ଦଙ୍ଗା ଚାରିଆଡ଼େ ବ୍ୟାପିବାର ଖବର ଆସି କାନରେ ପଡ଼ୁଥାଏ । ଆମେ ବଡ଼ ଚିନ୍ତାରେ ଥାଉ ।

ଦିନେ ବାପା ଆସି ଘରେ ପହଞ୍ଚିଲେ । ତାଙ୍କୁ ଦେଖିଲେ ଏକ ଅଶରୀରୀ ଆତ୍ମା ପରି ଲାଗୁଥିଲେ । ଦେହର ପିନ୍ଧା ପୋଷାକପତ୍ର ସମ୍ପୂର୍ଣ୍ଣ ମଇଳା । ମୁହଁରେ ଦାଢ଼ି ସାଲୁବାଲୁ । ସେ ଆମମାନଙ୍କ ଆଗରେ ତାଙ୍କ ଦୁଃଖ ବର୍ଣ୍ଣନା କଲେ- କେମିତି ତାଙ୍କର ମୁସଲମାନ ସହକର୍ମୀମାନେ ତାଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିଲେ ଓ ଭାରତକୁ ଫେରୁଥିବା ଗୋଟିଏ ଟ୍ରେନରେ ଚଟାପଟ ବସାଇ ଦେଇଥିଲେ । ବାପା ଯେଉଁ ଟ୍ରେନଟିରେ ଭାରତ ଫେରିଥିଲେ, ତା’ ପୂର୍ବରୁ ଆସିଥିବା ଟ୍ରେନଟି ଉପରେ ମୁସଲମାନ ଲୋକମାନେ ଆକ୍ରମଣ କରି ଅଧିକାଂଶ ଲୋକଙ୍କୁ ମାରି ପକାଇଥିଲେ । ଏକଥା ବି ବାପା ଆମମାନଙ୍କୁ କହିଥିଲେ । ସେ ଟ୍ରେନର ଅନେକ ପୁରୁଷ, ମହିଳା ଓ ଶିଶୁମାନଙ୍କୁ ମାରି ସେମାନେ ଟ୍ରେନରେ ଲଦି ଭାରତକୁ ପାକିସ୍ତାନର ଉପହାର ବୋଲି ପଠାଇ ଦେଇଥିଲେ । ଏପରି ଭୟଙ୍କର ପାରସ୍ପରିକ ଉପହାର ଆଦାନପ୍ରଦାନ ବେଶ୍ କିଛି ଦିନ ଧରି ଚାଲିଥିଲା ।

ପରିସ୍ଥିତି ପୁଣି ଥରେ ସ୍ୱାଭାବିକ ଅବସ୍ଥାକୁ ଫେରୁଥିଲା । ଏବେ ଆମେ ଆମ ନିଜ ଭୂଇଁର ମଣିଷ । ତାଙ୍କ ଚାକିରୀରେ ପୁନଃଥଇଥାନ ହେବା ଲାଗି ବାପା ପୁଣି ଥରେ ଦିଲ୍ଲୀ ଯାଇଥାନ୍ତି ।

ଦିନେ ଆମ ଗଳିରେ ବୁଢ଼ୀଟିଏ ଗଳାଫଟେଇ ଚିତ୍କାର କରି କାନ୍ଦୁଥିବାର ଆମେ ଶୁଣିବାକୁ ପାଇଲୁ । ତା’ର କରୁଣ ଚିତ୍କାର ସତେକି ସିଧା ଆସି ସମସ୍ତଙ୍କ ଛାତି ଭିତରେ ପଶି ଯାଉଥାଏ । ବୁଢ଼ୀଟି ଦେଖିବାକୁ ଜୀର୍ଣ୍ଣଶୀର୍ଣ୍ଣ, ଚାଲିବାକୁ ସୁଦ୍ଧା ତା’ର ଜୁ’ ପାଉନଥାଏ । ଆମ ଘର ଆଗର ପିଣ୍ଢି ଉପରେ ସେ ଥକ୍କାମାରି ବସିପଡ଼ିଲା ଓ ଖୁବ୍ ଜୋରରେ ଦୀର୍ଘଶ୍ୱାସଟିଏ ଛାଡ଼ିଲା । ବୁଢ଼ୀର ଏଭଳି ଅବସ୍ଥା ଦେଖି ମୋ ମା’ତାକୁ ପଚାରିଲା, ‘ତୋର କ’ଣ ହେଇଛି ?’

ବୁଢ଼ୀଟି ଥଙ୍ଗେଇ ଥଙ୍ଗେଇ କହିଲା, ‘ନାଇଁଲୋ ଝିଅ, ମୋର ସେମିତି କିଛି ହେଇନି । ମୋ ଭାଗ୍ୟତ ଖରାପ । ମୁଁ ଆଉ କାହାକୁ ଦୋଷ ଦେବି ଭଲା?’ ଏଥର ତା’ କପାଳରେ ହାତ ବାଡ଼େଇ ସେ କହିହେଲା, ‘ମତେ ସମସ୍ତେ ଛାଡ଼ି ଚାଲିଗଲେ ଲୋ ଝିଅ । ମୋର ଆଉ ଏ ସଂସାରରେ କେହି ନାହାଁନ୍ତି।’

ତା’ କହିବା ଅନୁସାରେ, ତାରି ଆଖି ଆଗରେ ପାକିସ୍ତାନରେ ତା’ ସ୍ୱାମୀକୁ ଦୁର୍ବୃତ୍ତମାନେ ମାରି ପକାଇଥିଲେ । ତା’ ପୁଅ ବେପାର କରିବାକୁ ଗଲାଯେ ଆଉ ଫେରିଲାନି । ତା’ ଝିଅ ଚାଲାକ ପଡ଼ି ପାକିସ୍ତାନରେ କାହା ସାଥିରେ ରହିଗଲା । ଏପରିକି ଯେତେବେଳେ ତା’ ନିଜ ଲୋକମାନେ ତାକୁ ଖୋଜି ପାଇଲେ, ସେଇ ଦିନ ରାତିରେ ସେ ପୁଣିଥରେ ଚମ୍ପଟ ମାରି ସେଇ ଲୋକ ପାଖକୁ ଚାଲିଗଲା, ଯାହା ପାଖରେ ସେ ପୂର୍ବରୁ ରହି ଆସୁଥିଲା । ବୁଢ଼ୀଟି ତା’ ମୁଣ୍ଡ ବାଡ଼େଇ ଡ଼କାପାରି କହୁଥିଲା, ‘ଏବେ କୁହ, ମୋର ଆଉ ଏ ଦୁନିଆରେ ନିଜର ବୋଲି କିଏ ରହିଲା? ମୁଁ କାଇଁକି ବଞ୍ଚି ରହିବି?’ ତେଣୁ ତା’ ଉପରେ ଭଗବାନଙ୍କ ଅଭିଶାପ ପଡ଼ି ତାର ଯଥାଶୀଘ୍ର ମୃତ୍ୟୁ ଘଟୁ ବୋଲି ସେ କାନ୍ଦି ବୋବାଇ କହି ଚାଲିଥିଲା ।

ମୋ ମା’ ବୁଢ଼ୀକୁ ବୋଧଶୋଧ କରିବାକୁ ଯାଇ କହି ଚାଲିଥିଲା- ‘ଦେଖଲୋ ମା’, ବିପଦ ଯେତେବେଳେ ଆସେ, ସାଙ୍ଗସାଥୀ ନେଇ ଆସେ । ହେଲେ ଆମକୁ ତ ସେସବୁକୁ ସହିବାକୁ ପଡ଼ିବ । ଧୈର୍ଯ୍ୟ ଧରିଥା’ । ତା’ଛଡ଼ା ଏଥିରୁ ଉଦ୍ଧାର ପାଇବାର ଆଉ କିଛି ଉପାୟ ନାହିଁ ।’

‘ହଁ ଲୋ ଝିଅ । ମୁଁ ବି ଜାଣିଛି , ସହିବା ଛଡ଼ା ମୋର କିଛି ଉପାୟ ନାହିଁ । ସବୁ କିଛି ସହିବା ଲାଗି ଏବେ ମନେମନେ ସାହସ ବାନ୍ଧୁଛି ।’

ସତକୁ ସତ ବୁଢ଼ୀ ନିଜ ଭାଗ୍ୟକୁ ଆଦରି ସବୁକିଛି ଦୁଃଖକଷ୍ଟ ସହ୍ୟ କରିବାକୁ ଲାଗିଲା । ଭିକ ମାଗି ନିଜର ପେଟ ପୋଷିଲା । ଘୋଷାରି ହୋଇ ସେଇ ଗଳିର କେଇଟା ଘର ବୁଲି ଯାହାକିଛି ପାଏ ସେତିକିରେ ନିଜକୁ ଚଳାଇନିଏ । ଦିନକୁ ଦିନ ସେ ଆହୁରି ଦୁର୍ବଳ ହେବାକୁ ଲାଗିଲା ଓ ଶେଷରେ ଆଉ ଚାଲବୁଲ କରିପାରିଲାନି କି ଭିକ ମାଗି ପାରିଲାନି ।

ଦିନେ ଆମେ ଲକ୍ଷ୍ୟକଲୁ, ବୁଢ଼ୀ ଦେହସାରା ଘା’ ହୋଇଯାଇଚି । ଆଉ କେଇଟା ଦିନପରେ ତା’ଦେହର ଘା’ରେ ପୋକ ସାଲୁବାଲୁ ହେଉଥିବାର ଅନ୍ୟମାନେ ଦେଖିଲେ । ତା’ପରେ ସେ ସେଇ ଗୋଟିଏ ଜାଗାରେ ଭୋକ ଉପାସରେ ପଡ଼ିରହିଲା । ଆମେ ନିଶ୍ଚତ ହୋଇଗଲୁ ଯେ ବୁଢ଼ୀ ଖୁବ୍ ଶୀଘ୍ର ମରିଯିବ । ଏବଂ ଠିକ୍ ସେଇଆ ହିଁ ହେଲା ଓ ସେ ମରିଗଲା । ଗୋଟିକ ପରେ ଗୋଟିଏ ଘଟଣା ଆମରି ଆଖି ଆଗରେ କ୍ରମ ଅନୁସାରେ ଘଟିଗଲା ।

ବୁଢ଼ୀ ମରିବାର କେଇଟା ଦିନ ପରେ ଆମେ ଦିନେ ତା’ ବିଷୟରେ କଥାବାର୍ତ୍ତା ହେଲାବେଳେ ମୋ ମା’ଫାଙ୍କା ଆକାଶ ଆଡ଼େ ଚାହିଁ ଦୀର୍ଘଶ୍ୱାସଟିଏ ଛାଡ଼ି କହିଲା- ‘ଏମିତିକା ମରଣ କାହାରି ଭାଗ୍ୟରେ ନଜୁଟୁ । ଭଗବାନ କୁକୁରକୁ ବି ଏମିତିକା ମରଣ ନ ଦିଅନ୍ତୁ ।’

ସତରେ!

ସତରେ କ’ଣ କୁକୁରର ମୃତ୍ୟୁ ପରି ମୃତ୍ୟୁର କିଛି ପ୍ରକାର ଭେଦ ଅଛି? କିମ୍ବା ତା’ଠାରୁ ଆହୁରି ଜଘନ୍ୟ? ମୁଁ ଏଇ କଥା ମନେ ମନେ ଭାବି ହେଉଥିଲି ।

ଅନୁସୃଜନ: ସୁଭାଷ ଶତପଥୀ