Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୨

ପାଦ ଆଉଁସୁ ଆଉଁସୁ ଅନେକ ସାହସଠୁଳକରି ଜବା ପଚାରିଦେଲା ମିଠାଗଳାରେ ଦାଦାଭାଇଙ୍କୁ ତାଙ୍କ ଅତୀତର କଥା। ଆଃ ,ବିଦ୍ୟୁତ ଆଘାତ ପାଇଲେକି ଆଉ! ରହିଗଲେ ଟିକିଏ। ପଲଙ୍କ ଉପରେ ଆଉଜି ବସିଲେ ନରମ ତକିଆ ଓ କୁସନର ମେଳରେ। ହସିଲେ ସେଇ ଚିରାଚରିତ ପ୍ରାଣଖୋଲା ହସ ସମାନ ଠାଣିରେ।

ଶୁଣିବୁ ମନ କରିଚୁ ତ ଶୁଣ : ‘ପଦ୍ମପୁରର ଜମିଦାର ଥିଲେ ଦୀପ୍ତୋପଳ ରାୟ ଚୌଧୁରୀ। ତାଙ୍କର ଏକମାତ୍ର ପୁଅ ମୁଁ ଦୀପ୍ତାଂଶୁ ।ଗେଲବସରିଆ ହେବା ସ୍ବାଭାବିକ। ଜମିଦାରୀର ପ୍ରଭାବ ସହିତ ଏକମାତ୍ର ସନ୍ତାନ ହୋଇଥିବାରୁ ଜିଦ୍ଦିଖୋର ଭୀଷଣ ଥିଲି। ସାତ ପୁରୁଷ ଧରି ଏକମାତ୍ର ସନ୍ତାନ ଜନ୍ମ ହୋଇଥିଲେ ସେ ପରିବାରରେ। କେହି ମୋ’ ଭଳି ନଥିଲେ। ସମସ୍ତେ ଟଙ୍କା କଉଡି, ସୁନାରୂପା ସହ ବେଶ ଖେଳିଥିଲେ। ମାତ୍ର, ପାଦ ସଳଖି ଚାଲୁଥିଲେ। ବଂଶ ମର୍ଯ୍ୟାଦା ଜଗି ଯଥାସାଧ୍ୟ ନିଜକୁ ସଜାଡି ନେଉଥିଲେ। ବେଶ ପ୍ରଶଂସା ଗୋଟେଇଥିଲେ ପୂର୍ବପୁରୁଷ ଆମର।

ମୁଁ କିନ୍ତୁ ଥିଲି ମୋ’ ପରି। ନା ଭୟଥିଲା ,ନା ଭ୍ରାନ୍ତି …..ଅତ୍ୟଧିକ ସ୍ନେହ ମୋତେ ପଥବଣା କରୁଥିଲା। କାହାରି ଆକଟ ମାନୁନଥିଲି କେବେ । ମାତୃହରା ଥିବାରୁ ବିଶେଷ କେହି ବିରକ୍ତ ହେଉନଥିଲେ ମୁହଁ ଉପରେ। ସବୁ ପ୍ରକାର ଦୁଷ୍ଟାମିରେ ଶ୍ରେଷ୍ଠ ଥିଲି।ବେଳେ ବେଳେ ବାପା ଭୀଷଣ ବିରକ୍ତ ହେଉଥିଲେ। କିନ୍ତୁ, ମୋ’ ବିନା ସେ ରହିପାରୁନଥିଲେ । ଭୁଲେଇ ବା ସାକୁଲେଇ ପୁଣି ଆଦର କରୁଥିଲେ।ତାଙ୍କ ଦୁର୍ବଳତା ଜାଣିଗଲା ପରେ ମୁଁ ବେଶି ବେଶି ଦୁଷ୍ଟ ହେଉଥିଲି। ଅବୁଝା ହେଉଥିଲି। ଜାଣୁ, ଏତେସବୁ ଭିତରେ ମୁଁ ଭଲ ପଢୁଥିଲି। ଥରକରେ ମନେ ରଖିପାରୁଥିଲି। ଅଳ୍ପ ପରିଶ୍ରମରେ ଆୟତ୍ତ କରିପାରୁଥିଲି। ତେଣୁ, ଗାଳି,ମାଡ ବିଶେଷଭାବରେ କୋହଳ ଥିଲା ମୋ’ ପାଇଁ।’

ଗନ୍ଧରାଜ ଲେମ୍ବୁ ଓ ଦହି,ଚିନିଦେଇ ବଢିଆ ସରବତ ସହିତ ପାନଟିଏ କୁଟି ବଢେଇଲା ଜବା। ଏଇଟା ତାଙ୍କର ବେଳ ସେସବୁ ନେବାର।ପିକଦାନି ପାଖରେ ଥୁଆ ହେବ ପୁଣି। ଦାଦା ଭାଇ ନିର୍ବିକାରରେ ସର୍ବତ ପିଇଲେ ରହିରହି ଢୋକେ ଢୋକେ। ପାନ ନେଲେ, ମହକ ଖେଳିଗଲା …ଚିହ୍ନା ଚିହ୍ନା ଏସବୁ। କେତକୀ ଖଇର, ଚୁଆ, ଲବଙ୍ଗ, ଗୁଜରାତି, ଅଳେଇଚ,ଜାଇଫଳ,ଡାଲଚିନି.. ଗୁଲକନ୍ଦ ଓ ଭଜା ଜୁଆଣି, ପାନମହୁରୀ, ଧଣିଆ ସବୁ ସୁଗନ୍ଧିତ ଦ୍ରବ୍ୟ ଏକାଠି, ଗୁଆ ପୁଣି ବତୁରାଇ ଧୋଇ ଦୁଧରେ ରନ୍ଧାଯାଇ ଶୁଖାଇ ଧୂଳି ଭଳି କରିବ,ଆଉ କାଳିବଙ୍ଗଳା ପାନପତ୍ର,ପଥର ଚୂନ ନୁହେଁ ସିପ ଚୂନ …ବାବାରେ, ଦିଦି ସବୁ ଯୋଗାଇ ଦିଏ ପରମ ଆନନ୍ଦରେ।ମହକିବନି ତ ପାଟି, ଖଣ୍ଡମଣ୍ଡଳ ଜାଣିବ,ପାନଖିଆ ଯାଇଚି।

ଖିଅକୁ ଟାଣିଧରି କଥା ଆରମ୍ଭ ହେଲା ଏଥର । ଉତ୍ସୁକତା ବଢୁଥିଲା ଜବାର। ପଚାରି ଦବକି ନିଜକଥା ଆଉ। ନା, ବରଂ ଆଉଦିନେ, ଥାଉ। ଆଶ୍ଚର୍ଯ୍ୟ ଲାଗୁଥିଲା ଏ ଦାଦାଭାଇଙ୍କ କଥା।ସେ ଦୁଷ୍ଟ ଥଲେ ବୋଲି କୌଣସିମତେ ବିଶ୍ବାସ ହେଉନଥିଲା।ଈଶ୍ବର ଭଳି ଲାଗୁଥିବା ମଣିଷ …ନା ମ ସେ ହୋଇପାରିବେନି ସେମିତି କିଛି।

:ଶୁଣ, ମୋର ବେପରୱା ହାବଭାବ ଘରେ ବାହାରେ ସମସ୍ତଙ୍କୁ ବେଖାପ ଲାଗୁଥିଲା।ଘରପ୍ରତି ଦାୟିତ୍ୱହୀନତା , ରଇତ, ପ୍ରଜା, ଜମି, ସବୁପ୍ରତି ବୀତସ୍ପୃହ ମନୋଭାବ ସେମାନଙ୍କୁ ଡରାଉଥଲା।ଅମଣିଆକୁ ବାଟକୁ ଆଣିବାକୁ ସଯତ୍ନ ଚେଷ୍ଟା ଚାଲିଲା। ପାଦ ପିଛଳୁଥିଲା ମୋ’ର ସାଙ୍ଗମାନଙ୍କ ମେଳରେ। କିଛି ଭଲ ଲାଗୁନଥିଲା ସେସମୟରେ। ଦିନେ ଏଇଠିକୁ ଆସିଲି କିଛି ସାଙ୍ଗଙ୍କ ସହିତ। ମନ ମାନିଲାନି। କିଛି ଭଲ ଲାଗିଲାନି। ସାଙ୍ଗମାନେ ଗାଳିଦେଲେ ଆଉ ପ୍ରୌଢ କଣ୍ଠଦାଦା ଝିଙ୍ଗାସିଲେ ମୋ’ ନିପାରିଲାପଣିଆ ଉପରେ। ଜିଦ୍ଦି ବଢିଲା। ପୁଣି ଆସିଲି। ଏକା ଏକା। ଲକ୍ଷ୍ମୀ ଦେବୀ ଥିଲେ ସେତେବେଳେ ଏଇ ମିଥିଳାର ମାଆ ସିଏ । ଆଉ ମକବୁଲର ବାପ ଥିଲା। ରେହମାନ ତ କିଶୋରଟିଏ। ଆଉ ଜଣେ ଥିଲା ହନିଫ। ମୋ’ ଖବର ସେମାନଙ୍କ ପାଖରେ ବେଶ ଥିଲା।

ମୁଁ ଅଜ୍ଞଥିଲି ସେ ବିଷୟରେ ସମ୍ପୂର୍ଣ୍ଣରୂପେ। ଫୁଲ ଭଲ ପାଏ ବୋଲି ବଉଳ, ରଜନୀଗନ୍ଧା ସେଦିନ ରଖାଯାଇଥିଲା ହଲର ମଝିରେ। ସେଦିନ ଏଇ ମିଥିଳା ଆରମ୍ଭ କରିଥିଲା ମୁଜରା। ଅପରୂପା ସେ, ମୁହୂର୍ତ୍ତଟିଏରେ ବନ୍ଧା ପଡିଗଲି ମୁଁ। ଚଉଦ କି ପନ୍ଦର ହୋଇଥିବ ତା’କୁ।ମୁଁ ବାଇଆ ହେଲି। ତା’ କଥାକୁହା ଆଖିପାଖରେ ବନ୍ଦୀ ହୋଇଗଲି। ଏମିତିରେ ତ ଘର ପ୍ରତି ଆକର୍ଷଣ କମଥିଲା।

ହଷ୍ଟେଲରେ ରହି ପାଠ ପଢୁପଢୁ ଦେହସୁହା ହୋଇଯାଇଥିଲା ସବୁ। ମନ ଭଲ ଲାଗିଲାନି ଜମା। ମନତ କୋଉଠି ଆଉ ଲାଗିଲାନି। ବାପାଙ୍କ ପର୍ଯ୍ୟନ୍ତ କଥା ଗଲା। ଭୀଷଣ ବିରକ୍ତ ହେଲେ। ବହୁତ ବୁଝେଇଲେ। ସୁଧାର ପିଲାଟିଏ ଭଳି ମୁଁ ତାଙ୍କୁ ଶୁଣୁଥିଲି କେବଳ। ସେଇଠୁ ହରିପୁର ଜମିଦାରଙ୍କ ଏକମାତ୍ର ଝିଅ ଶ୍ବେତପଦ୍ମା ସହିତ କଥାପଡିଲା। ସେତେବେଳେ ପୁଅଙ୍କୁ କି ଝିଅଙ୍କୁ ପଚାରି ମତାମତ ନେଇ ବିବାହ ହେଉନଥିଲା। ଆଦେଶ ଦେବା ଢଙ୍ଗରେ ବିବାହ ସମ୍ପନ୍ନ ହେଉଥିଲା।ଯଥା ଶୀଘ୍ର ବିବାହ ହୋଇଗଲା। ମୁଁ ଧନ୍ଦି ହୋଇଯାଉଥିଲି ନିଜ ସହିତ। କ’ଣ କରିବି ବୋଲି ବୁଦ୍ଧି ବାଟ ଦିଶୁଛି ନଥିଲା। ଶ୍ବେତପଦ୍ମା କୌଣସି ଗୁଣରେ ମିଥିଳାଠାରୁ କମ ନଥିଲା। ଦେଖରେ, ଖେଳ କେମିତି ସମୟ ଖେଳିଲା।

ବାପା ଖୁସି ହେଉଥିଲେ ଶ୍ବେତାର ବୋହୂପଣିଆରେ। ସଣ୍ଠଣା, ଦାୟିତ୍ୱ, ଶ୍ରଦ୍ଧା, ସମ୍ପର୍କ ସବୁକିଛି ସେ ପାରୁପର୍ଯ୍ୟନ୍ତ ନିଭଉଥିଲା । ସମସ୍ତଙ୍କର ଆଦରଣୀୟା ଥିଲା ସେ। ମୁଁ ଆକୃଷ୍ଟ ହେବା ସ୍ବାଭାବିକ ଥିଲା। ଏଠାକୁ ଆଉ ପାଦ କାଢିବାକୁ ଇଚ୍ଛା ହେଉନଥିଲା।

: ଶୁଣ, ମୋର ତୁମସହିତ କଥା ଅଛି କହି ପଦ୍ମା ଆରମ୍ଭ କଲା।
:କ’ଣ ହେଲା
:ଦେହ ଭଲ ଲାଗୁନି
:କବିରାଜ ଦେଖାଇବା ନା କଟକ ବଡ ଡାକ୍ତରଖାନାକୁ ଯିବା
:ନା
:ଆଉ
ବିଶେଷ ଆଗ୍ରହ ଦେଖାଇନଥିଲି ମୁଁ। ଆଉ କଥା ସେଇଠି ସେମିତି ରହିଲା।

Leave A Reply

Your email address will not be published.