Latest Odisha News

BREAKING NEWS

କବିତା : ଝରକା ସେପାଖ ଝିଅ

ଅଂଶୁମାନ ସାହୁ

କାଠଯୋଡ଼ି ହଷ୍ଟେଲର ଅଠର ନମ୍ଵର୍
ରୁମର ଝରକା ପାଖ ବେଡର ଝିଅ
ମୋତେ ହୁଏତ ଚାରିଟାବେଳେ
ଦେଖେନି ଝରକା ସେପାଖୁ….

ମୁଁ କିନ୍ତୁ ତାକୁ ଦେଖିବାକୁ ନିତି ଜଗିଂ ବାହାନାରେ
ଦୌଡୁଥାଏ କ୍ୟାମ୍ପସ୍ ରାସ୍ତାରେ ….

ରେଭେନ୍ସା ପଡ଼ିଆର ଘାସସବୁ
ଏ ଶୀତୁଆ ଅପରାହ୍ନରେ
ମୋତେ ଚାହୁଁଥାନ୍ତି ନିରିଖେଇ..
ଗପୁଥାନ୍ତି ମୋ କଥା, ଇଚ୍ଛା ନଥିଲେ ବି
ମୁଁ କାହିଁ ଦୌଡୁଛି ଝାଳରେ ଗାଧେଇ….

ସେ ଝିଅ ମୋତେ ଦେଖିପାରେ..
ଦେଖୁ ଥାଇପାରେ…
ଦେଖେ ଅବା ଦେଖି ଅଣଦେଖା କରେ….
ଆଉ ମୁଁ ମନେ ମନେ ନିଉଟନଙ୍କୁ ଗାଳି ଦିଏ ;

ସବୁ କ୍ରିୟାର ବିପରୀତ
ସମାନ ପ୍ରତିକ୍ରିୟା ଅଛି ବୋଲି ,
କୁଆଡେ କହିଥିଲାଟି ଲୋକଟି !
ଏମିତି କେମିତି କେହି ଏତେ ବଡ଼ ମିଛ କହିପାରେ ?

ରାସ୍ତା କଡର ବତୀଖୁଣ୍ଟ ପରି
ଭାଗ୍ୟ ମୋର କାଇଁ ?
ଝରକା ସେପାଖରେ ସେ ଝିଅକୁ ଦେଖିବାର ସୁଯୋଗ
କେତେ ତପ ବଳେ ମିଳେ କେଜାଣି ,
ସେଇଠି ବୀର ଦର୍ପେ ମୁଣ୍ଡ ଟେକି ଛିଡ଼ା ହୋଇ….

ତାକୁ ବା କେଉଁଠି ଲୁଚିଲୁଚି
ଚାହିଁବାକୁ ପଡେ ନା ଧାଇଁବାକୁ ହୁଏ ;
ସେ ଦେଖୁଥାଏ
ସବୁ ସକାଳେ, ସଂଜେ ସଞ୍ଜେ ଆଉ ଖରାବେଳେ….
ସବୁଠୁଁ ବେଶୀ ଭାଉ ପୁଣି ସେ ଝରକାର
କଳଙ୍କି ଲାଗି ମସିଆ ଦିଶିଲାଣି ଏମିତି,
ଅଥଚ ଗୋରା ପାପୁଲି ଯୋଡ଼େ ତାକୁ
ନିତି ଛୁଇଁ ଦେଉଥାନ୍ତି ବୋଲି
ଖୁସିରେ ଉଛୁଳୁଥାଏ ଯେମିତି !

ମୋ ଉପରେ ଦିନେ ଏ ସଭିଏଁ
ଖୁବ୍ ଜୋରରେ ହସନ୍ତେ,
ମୋ ପ୍ରେମତକ ଝାଳରେ ନିଗିଡ଼ି ପଡୁପଡୁ
ମୁଁ ବି ସେମାନଙ୍କ ଉପରେ ଖୁବ୍ ହସିଲି ;
ବିଚରା ସଜୀବ ଘାସ,
ନିର୍ଜୀବ ବତୀଖୁଣ୍ଟ ଆଉ ଝରକା
କେଉଁଠୁ ବା ଜାଣିବେ,
ପ୍ରେମରେ ପଡ଼ିବାକୁ ଅଥବା ପକେଇବାକୁ ହେଲେ
ଝୁଣ୍ଟିବାକୁ ଅଥବା ଧକ୍କା ହେବାକୁ ହୁଏ ;
ଆଉ ସେଥିପାଇଁ ଦୌଡିବାକୁ ହିଁ ହୁଏ….!

Leave A Reply

Your email address will not be published.