Latest Odisha News

BREAKING NEWS

ଗେହଲଟ ସରକାରଙ୍କ ବିରୋଧରେ ସଚିନ ପାଇଲଟଙ୍କ ଅନଶନ: କଂଗ୍ରେସ କହିଲା, ଦଳ ବିରୋଧୀ କାର୍ଯ୍ୟ, ବିଜେପି କହିଲା ଚ୍ୟାଲେଞ୍ଜ୍

ଯୋଧପୁର: ପୂର୍ବ ବିଜେପି ସରକାର ଦ୍ୱାରା କରାଯାଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପୂରଣ କଲେ ନାହିଁ। ତେଣୁ ଗେହଲଟ୍‌ ସରକାରଙ୍କ ବିରୋଧରେ ଆଜି ଧାରଣା ଦେଇଛନ୍ତି ପାଇଲଟ୍। ଏହି ଘଟଣା ପରେ ରାଜସ୍ଥାନରେ କଂଗ୍ରେସ କଳି ଏବେ ପଦାକୁ ଆସିଛି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସଚିନ ପାଇଲଟଙ୍କ ଧାରଣାରେ ଅନ୍ୟ କୌଣସି କଂଗ୍ରେସ ନେତା ଯୋଗ ଦେଇ ନାହାନ୍ତି। କେବଳ ସେ ଏକା ଧାରଣାରେ ବସିଛନ୍ତି। ଯାହାକୁ ନେଇ କଂଗ୍ରେସ ତାଙ୍କୁ ଚେତାବନୀ ଦେଇଛି। ନିଜ ସରକାର ବିରୋଧରେ ସଚିନ ପାଇଲଟଙ୍କର ଏଭଳି ଧାରଣା ଦଳର ସ୍ୱାର୍ଥରେ ନୁହେଁ। ଏହା ଦଳ ବିରୋଧୀ କାର୍ଯ୍ୟ ବୋଲି ରାଜସ୍ଥାନ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂହ ରନ୍ଧାୱା କହିଛନ୍ତି।

ସେ କହିଛନ୍ତି “ ଏହା ସ୍ପଷ୍ଟ ଭାବେ ଦଳ ବିରୋଧୀ କାର୍ଯ୍ୟ। ମୁଁ ତାଙ୍କ ସମ୍ପ୍ରର୍କରେ ନିୟମିତ ରହିଛି। ଶାନ୍ତି କାଏମ ରଖିବାକୁ ତାଙ୍କୁ ବାରମ୍ବାର କହୁଛି। ସେ ଆମ ଦଳର ଜଣେ ନିର୍ବିବାଦୀୟ ବ୍ୟକ୍ତି।”

ତେବେ ଧାରଣାରେ ବସିବା ପୂର୍ବରୁ ଗେହଲଟ୍‌ଙ୍କ ଉପରେ କଡ଼ା ପ୍ରହାର କରିଥିଲେ ସଚିନ ପାଇଲଟ। ଗେହଲଟ ବିଜେପିର ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହ ମିଶି କାମ କରୁଛନ୍ତି। ଉଭୟଙ୍କ ସଲାସୁତରା ରହିଥିବାରୁ ଗେହଲଟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ପାଇଲଟ ଅଭିଯୋଗ କରିଥିଲେ।

ପାଇଲଟଙ୍କ ଧାରଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସନ ନେତା ରଣଦୀପ ସୂର୍ଯେୱାଲା ଓ ସମାଲନ ଖୁର୍ସୀଦ। ସଚିନଙ୍କର ଏଭଳି କାର୍ଯ୍ୟ ବିଷୟରେ ରାଜ୍ୟ କଂଗ୍ରେସ ପ୍ରଭାରୀଙ୍କୁ ସୂଚନା ଦିଆଯାଇସାରିଛି। ସେ ଏବିଷୟରେ ନିଷ୍ପତ୍ତି ନେବେ ବୋଲି ସୂର୍ଯେୱାଲା କହିଛନ୍ତି। ଅନ୍ୟପଟେ ଖୁର୍ସୀଦ କହିଛନ୍ତି ଘର କଳି ବାହାରେ ନ ପକାଇ ନିଜ ଭିତରେ ସମାଧାନ କର।

ଅନ୍ୟପଟେ ବିଜେପି ଏହାକୁ କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ଓପନ ଚ୍ୟାଲେଞ୍ଜ ବୋଲି କହିଛି। ସଚିନ ପାଇଳଟଙ୍କ ଧାରଣା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ବୋଲି ରାଜସ୍ଥାନ ବିଜେପି ନେତା ରାଜେନ୍ଦ୍ର ରାଠୋଡ କହିଛନ୍ତି।

Leave A Reply

Your email address will not be published.