ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’
ଭାରତଛାଡ଼ ଆନ୍ଦୋଳନ ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଅବିସ୍ମରଣୀୟ ତଥା ଗୌରବାବହ ଅଧ୍ୟାୟ । ଦେଶର ସ୍ୱାଧୀନତା ପାଇଁ ଓଡ଼ିଶାବାସୀ କେତେ ବଳିଦାନ ଦେଇପାରନ୍ତି; ତାହାର ପ୍ରାମାଣିକ ନିଦର୍ଶନ ରହିଯାଇଛି ସ୍ୱାଧୀନତା ସଂଗ୍ରାମର ଏହି ଶେଷ ଲଢ଼େଇରେ ଜାତିର ଜନକ ମହାତ୍ମାଗାନ୍ଧୀ ଦେଇଥିବା “କର ବା ମର” ଆହ୍ୱାନ ପରିପ୍ରେକ୍ଷୀରେ ।
୧୮୦୩ ଅକ୍ଟୋବର ୧୪ ତାରିଖରେ ବ୍ରିଟିଶ୍ ଓଡ଼ିଶା ଅକ୍ତିଆର କଲା । ଏହା ପୂର୍ବରୁ ଓ ପରଠାରୁ ସଂଗ୍ରାମୀ ଓଡ଼ିଆମାନେ ବ୍ରିଟିଶ୍ ଶାସନକୁ ଲଗାତାର ବିରୋଧ କରିଆସିଛନ୍ତି । ଘୁମୁସରରୁ ଘେଁସ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବ୍ରିଟିଶ୍ ଫୌଜକୁ ସଶସ୍ତ୍ର ମୁକାବିଲା କରି ଓଡ଼ିଆ ଯୋଦ୍ଧା ବାରମ୍ବାର ଘାଇଲା କରିଛନ୍ତି । ପାଇକ ବିଦ୍ରୋହ, ସିପାହୀ ବିଦ୍ରୋହ ଆଦିରେ ଏମାନେ ବ୍ରିଟିଶ୍ ଶକ୍ତିକୁ ଥରାଇ ଦେଇଛନ୍ତି । ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, କୃତିବାସ ପାଟ୍ଟଶାଣୀ, ପିଣ୍ଡିକି ବାହୁବଳେନ୍ଦ୍ର, ବୀର ସୁରେନ୍ଦ୍ର ସାଏ, ଉଦନ୍ତ ସାଏ, ଘେଁସ ଜମିଦାର ପରିବାର, ଚାଖି ଖୁଣ୍ଟିଆ , ଦୋରା ବିଶୋଇ, ଚକ୍ର ବିଶୋଇ, କଷ୍ଟି ଡାକୁଆ, ବିର୍ସା ମୁଣ୍ଡା, ନିର୍ମଳ ମୁଣ୍ଡା ଆଦି ବୀରପୁଙ୍ଗବମାନଙ୍କ ବ୍ରିଟିଶ୍ ବିରୋଧୀ ସଶସ୍ତ୍ର ସଂଗ୍ରାମ ଓଡ଼ିଆ ଜାତି ତଥା ଦେଶ ପାଇଁ ଅବିସ୍ମରଣୀୟ ।
୧୯୪୨ ଜୁଲାଇ ମାସରେ ୱାର୍ଦ୍ଧାଠାରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ବ୍ରିଟିଶ୍ ଶାସନର ଅବସାନ ପାଇଁ ପ୍ରସ୍ତାବ ଗୃହୀତ ହେବା ପରେ ବମ୍ବେରେ କଂଗ୍ରେସର ଖୋଲା ଅଧିବେଶନରେ ସ୍ୱାଧୀନତା ହାସଲ ଲାଗି ଦେଶବାସୀଙ୍କୁ ଗାନ୍ଧୀଜୀଙ୍କ ଶେଷ ମନ୍ତ୍ର ଥିଲା ‘କର ବା ମର’ ।
ଦେଶକୁ ଆମେ ସ୍ୱାଧୀନ କରିବା କିମ୍ବା ସେଥିଲାଗି ଉଦ୍ୟମ କରି ମରିବା । ନିଜ ବିବେକକୁ ସାକ୍ଷୀ ରଖି ଈଶ୍ୱରଙ୍କ ନିକଟରେ ଶପଥ ନେବା ଯେ ସ୍ୱାଧୀନତା ହାସଲ ନ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବା ନାହିଁ ଓ ସ୍ୱାଧୀନତା ଲାଗି ପ୍ରାଣବଳି ଦେବାକୁ ପ୍ରସ୍ତୁତ ରହିବା । ୧୯୪୨ ଅଗଷ୍ଟ ୮ ରାତିରେ ବମ୍ବେ ମହାନଗରୀରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଶେଷ ଲଢ଼େଇ ପାଇଁ ଆହ୍ୱାନ ଦେବା ଅବସରରେ ଏହା ଥିଲା ସତ୍ୟାଗ୍ରହ ସଂଗ୍ରାମର ସେନାପତି ୭୩ ବର୍ଷ ବୟସ୍କ ମହାମାନବ ମହାତ୍ମା ଗାନ୍ଧୀଙ୍କ ଯୁବ ସୁଲଭ ରୋମାଞ୍ଚକର ଆହ୍ୱାନ । ଏହି ଆହ୍ୱାନର ଯାଦୁକରୀ ଶକ୍ତିରେ ଦେଶ ବିଦେଶରେ ଶିହରଣ ସୃଷ୍ଟି ହେଲା । ବ୍ରିଟିଶ୍ ରାଜ ସିଂହାସନ ଥରି ଉଠିଲା । ସମଗ୍ର ବିଶ୍ୱ ବିସ୍ମୟ ବିସ୍ଫାରିତ ଦୃଷ୍ଟିରେ ଫୁଙ୍ଗୁଳା ଫକୀରଙ୍କ ବଜ୍ର ଆହ୍ୱାନକୁ ଅନାଇ ଥିବା ବେଳେ ଆକୁମାରୀ ହିମାଚଳ ଏହା ପ୍ରତିଧ୍ୱନିତ ହେଲା ।
ବ୍ରିଟିଶ୍ ସରକାରଙ୍କ ରିପୋର୍ଟ ଅନୁଯାୟୀ ୧୯୪୨ ଅଗଷ୍ଟ ୯ରୁ ନଭେମ୍ବର ୩୦ ମଧ୍ୟରେ ଭାରତଛାଡ଼ ଆନ୍ଦୋଳନରେ ” କର ବା ମର” ଭୂମିକା ନିଭାଇଥିବା ସତ୍ୟାଗ୍ରହୀଙ୍କ ମଧ୍ୟରୁ ସହସ୍ରାଧିକ ସହିଦ ଓ ୩ହଜାରରୁ ଅଧିକ ଗୁରୁତର ଭାବେ ଆହତ ହେଲେ । ଜବାହରଲାଲ ନେହେରୁଙ୍କ ଆକଳନ ଅନୁଯାୟୀ ଦେଶର ଏହି ଶେଷ ସ୍ୱାଧୀନତା ସଂଗ୍ରାମରେ ୧୦ହଜାରରୁ ଅଧିକ ସହିଦ ହୋଇଥିଲେ । ତେବେ କେତେକ ଐତିହାସିକ ଏହି ଆନ୍ଦୋଳନରେ ସହିଦଙ୍କ ସଂଖ୍ୟା ୨୦ହଜାରରୁ ଅଧିକ ବୋଲି ଦର୍ଶାଇଛନ୍ତି । ଭାରତଛାଡ଼ ଆନ୍ଦୋଳନରେ ଦେଢ଼ଲକ୍ଷରୁ ଅଧିକ ସଂଗ୍ରାମୀ ମଧ୍ୟ କାରାରୁଦ୍ଧ ହୋଇଥିଲେ । ଭାରତ ସରକାରଙ୍କ ପବ୍ଲିକେସନ୍ ଡିଭିଜନ୍ ଦ୍ୱାରା ପ୍ରକାଶିତ କଲେକ୍ଟେଡ୍ ୱାର୍କସ୍ ଅଫ୍ ମହାତ୍ମା ଗାନ୍ଧୀରେ ଲିପିବଦ୍ଧ ଥିବା ଗାନ୍ଧୀଜୀଙ୍କ ଅଗଷ୍ଟ ୮ ଐତିହାସିକ ଭାଷଣର କିୟଦଂଶ ଉପସ୍ଥାପନ କରାଯାଉଛି ।
ଦେଶବାସୀଙ୍କୁ ଆହ୍ୱାନ ଦେଇ ସେଦିନ ଗାନ୍ଧୀଜୀ କହିଥିଲେ, ‘ଭଗବାନ ମୋତେ ସ୍ୱାଧୀନତାର ଏକ ଉତ୍ସାହ ସହିତ ପ୍ରେରଣା ଦେଇଛନ୍ତି ଏବଂ ମୁଁ ଆଜି ଜଣେ ମୁକ୍ତ ମଣିଷ ଏବଂ ମୁଁ ଆଉ ଆପଣଙ୍କ ଉପରେ ନିର୍ଭର କରିବି ନାହିଁ । ଏଠାରେ ଏକ ମନ୍ତ୍ର ଅଛି, ଯାହା ମୁଁ ଆପଣଙ୍କୁ ଦେଉଛି । ଆପଣ ଏହାକୁ ନିଜ ହୃଦୟରେ ଛାପନ୍ତି ଏବଂ ଆପଣଙ୍କର ପ୍ରତ୍ୟେକ ନିଶ୍ୱାସ ଏହାକୁ ପ୍ରକାଶ କରିବାକୁ ଦିଅନ୍ତୁ । ମନ୍ତ୍ର ହେଉଛି: ‘କର ବା ମର’ । ଆମେ ଭାରତକୁ ମୁକ୍ତ କରିବା କିମ୍ବା ଏଥିରେ ମରିବା । ଦାସତ୍ୱର ଚିରସ୍ଥାୟୀତା ଦେଖିବା ପାଇଁ ଆମେ ବଞ୍ଚିବୁ ନାହିଁ ପ୍ରତ୍ୟେକ ପୁରୁଷ ଏବଂ ମହିଳା ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଚେତନାରେ ବଞ୍ଚିବାକୁ ଦିଅନ୍ତୁ ଯେ ସେ ସ୍ୱାଧୀନତା ହାସଲ କରିବା ପାଇଁ ଆବଶ୍ୟକ ହେଲେ ମରିଯିବେ, ସେହି ଲକ୍ଷ୍ୟ ହାସଲ କରିବାକୁ ଭଗବାନଙ୍କୁ ଏବଂ ଆପଣଙ୍କର ନିଜ ବିବେକ ସହିତ ଏକ ପ୍ରତିଶ୍ରୁତି ନିଅନ୍ତୁ, ଯେପର୍ଯ୍ୟନ୍ତ ସ୍ୱାଧୀନତା ହାସଲ ହେବ ନାହିଁ ସେ ପର୍ଯ୍ୟନ୍ତ ଆପଣ ଆଉ ବିଶ୍ରାମ କରିବେ ନାହିଁ ; ଏବଂ ଏହା ହାସଲ କରିବାକୁ ଚେଷ୍ଟା କରି ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହେବେ । ଯିଏ ନିଜ ଜୀବନ ହରାଇବ, ସେ ତାହା ପାଇବ; ଯିଏ ଏହାକୁ ବଞ୍ଚାଇବାକୁ ଚେଷ୍ଟା କରିବ, ସେ ଏହାକୁ ମୁକ୍ତ କରିବ। ସ୍ୱାଧୀନତା ଭୟଭୀତ କିମ୍ବା ଦୁର୍ବଳ ହୃଦୟ ପାଇଁ ନୁହେଁ। ’
କଥା ପ୍ରସଙ୍ଗରେ ସେତେବେଳେ ଗାନ୍ଧୀ କହିଥିଲେ ଯେ ସେହି ରାତିରେ ସ୍ୱାଧୀନତା ମିଳିଲେ ସେ ଖୁସି ହେବେ । କିନ୍ତୁ ରାତି ପାହିବା ପୂର୍ବରୁ ଗାନ୍ଧୀଜୀଙ୍କୁ ଗିରଫ କରାଗଲା । ସେତେବେଳେ ସେ ଆମେରିକାର ରାଷ୍ଟ୍ରପତି ରୁଜ୍ଭେଲ୍ଟଙ୍କ ପାଖକୁ ଚିଠିଟିଏ ଲେଖୁଥିଲେ । ଚିଠି ଲେଖା ଅଧା ରହିଗଲା । ଗିରଫ ବେଳେ ବାପୁ ଦେଶବାସୀଙ୍କ ଲାଗି ଆଉ ଏକ ସଂକ୍ଷିପ୍ତ ବାର୍ତ୍ତା ଦେଲେ । ଏଥିରେ ଉଲ୍ଲେଖ ଥିଲା, ‘ଅହିଂସାର ଶୀର୍ଷ ସୀମାକୁ ଯିବା ଲାଗି ଏବେ ସମସ୍ତେ ସ୍ୱାଧୀନ । ହରତାଳ ଓ ଅନ୍ୟ ଅହିଂସ ଉପାୟରେ ବ୍ୟବସ୍ଥାକୁ ଅଚଳ କରିଦିଅ । ସତ୍ୟାଗ୍ରହୀମାନେ ମୃତ୍ୟୁମୁଖକୁ ଯାଆନ୍ତୁ ଓ ତା’ର ସମ୍ମୁଖୀନ ହୁଅନ୍ତୁ, ନିଜ ଜୀବନ ପାଇଁ ବ୍ୟାକୁଳ ହୁଅନ୍ତୁ ନାହିଁ । ଯେତେବେଳେ ଲୋକେ ମରିବାକୁ ଆଗେଇ ଆସିବେ ସେତେବେଳେ ଦେଶ ବଞ୍ଚିବ ।’
ପୋଲିସ ଗାଡ଼ିରେ୍ ବସିବା ବେଳେ ପ୍ୟାରେଲାଲଙ୍କୁ ଗାନ୍ଧୀଜୀ କହିଗଲେ ଅହିଂସା ସଂଗ୍ରାମର ସିପାହୀ ଖଣ୍ଡେ ଖଣ୍ଡେ କାଗଜରେ ନିଜ ନିଜ ପୋଷାକ ଉପରେ ‘କର ବା ମର’ ଲେଖି ସ୍ୱାଧୀନ ଭାବେ ସମ୍ମାନର ସହ ଦେଶ ମାତୃକାର ମୁକ୍ତି ପାଇଁ ଶେଷ ଲଢ଼େଇ ଲଢ଼ୁ । କେବଳ ଗାନ୍ଧୀଜୀ ନୁହଁନ୍ତି ବମ୍ବେ ଅଧିବେଶନରେ ଯୋଗ ଦେଇଥିବା ଅଧିକାଂଶ ନେତାଙ୍କୁ ଗିରଫ କରି ନିଆଗଲା । ତା’ ପରେ ପରେ ଦେଶର ବିଭିନ୍ନ ଅଞ୍ଚଳରେ ଚାଲିଲା ବ୍ୟାପକ ଗିରଫଦାରୀ, ଅତ୍ୟାଚାର ଓ ଦମନଲୀଳା ।
ଏହି ଅଧିବେଶନରେ ଓଡ଼ିଶାର ପ୍ରତିନିଧି ଭାବେ ଅଂଶଗ୍ରହଣ କରିଥିଲେ ମାଳତୀ ଚୌଧୁରୀ, ହରେକୃଷ୍ଣ ମହତାବ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଲକ୍ଷ୍ମୀନାରାୟଣ ମିଶ୍ର ଓ ପ୍ରହଲ୍ଲାଦ ରାୟଲାଠ । ଏମାନଙ୍କ ଭିତରୁ ୩ଜଣ ଗିରଫ ହୋଇଥିବା ବେଳେ ମାଳତୀ ଦେବୀ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ ପୋଲିସ ଆଖିରେ ଧୂଳି ଦେଇ ଛଦ୍ମବେଶରେ ଓଡ଼ିଶା ଚାଲିଆସି ଏଠାରେ ‘କର ବା ମର’ ଆନ୍ଦୋଳନକୁ ତୀବ୍ରତର କରିଥିଲେ । ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ସ୍କୁଲ କଲେଜ ଛାଡ଼ିଦେଇ ସ୍ୱାଧୀନତା ପ୍ରାପ୍ତି ନିଶାରେ ମତୁଆଲା ହେଲେ । ବହୁ ସ୍ଥାନରେ ଲୋକେ ନେତୃତ୍ୱକୁ ନିଜ ହାତକୁ ନେଇ ଅନେକ ଅଘଟଣ ବି ଘଟାଇଲେ ।
ସାରା ଦେଶ ସହିତ ଓଡ଼ିଶାରେ ବିଦ୍ରୋହର ବହ୍ନି ଜଳି ଉଠିଲା । ଅବିଭକ୍ତ କୋରାପୁଟର ମାଥିଲିଠାରେ ୧୯୪୨ ଅଗଷ୍ଟ ୨୧ରେ ଏକ ଶନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରେ ପୋଲିସର ଆଖିବୁଜା ଆକ୍ରମଣ ଯୋଗୁ ୫ ଜଣ ସଂଗ୍ରାମୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ଲକ୍ଷ୍ମଣ ନାୟକଙ୍କ ନାମରେ ମିଛ ମାମଲା ରୁଜୁ କରି ତାଙ୍କୁ ବ୍ରହ୍ମପୁର ଜେଲ୍ରେ ୧୯୪୩ ମାର୍ଚ୍ଚ ୨୯ ତାରିଖରେ ଫାଶୀ ଦିଆଯାଇଥିଲା । ମାଥିଲି ଏବେ ମାଲକାନିଗିରି ଜିଲ୍ଲାରେ । ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାର ପାପଡ଼ାହାଣ୍ଡି ସ୍ଥିତ ତୁରି ନଦୀ କୂଳରେ ନିରସ୍ତ୍ର ସତ୍ୟଗ୍ରହୀମାନଙ୍କ ଉପରେ ୧୯୪୨ ଅଗଷ୍ଟ ୨୪ ତାରିଖରେ ଆଖିବୁଜା ଗୁଳିଚାଳନା କରିବାରୁ ୧୯ ଜଣଙ୍କ ମୃତଦେହ ଘଟଣାସ୍ଥଳରୁ ମିଳିଥିଲା । ଆଉ କେତେ ତୁରି ନଦୀରେ ଭାସିଗଲେ ତାହାର ସଠିକ୍ ହିସାବ ନାହିଁ । ପାପଡ଼ାହାଣ୍ଡି ଏବେ ନବରଙ୍ଗପୁର ଜିଲ୍ଲାରେ । ଏହି ଦୁଇ ଗୁଳିକାଣ୍ଡରେ ଆହତଙ୍କ ସଂଖ୍ୟା କେତେ ତାହାର ବି ଏଯାବତ୍ ସଠିକ୍ ଆକଳନ କରାଯାଇନାହିଁ । କୋରାପୁଟିଆର ସ୍ୱାଧୀନତା ସଂଗ୍ରାମ ଏବଂ ଆଜ୍ଞା ପୁସ୍ତକରେ ଦିଆଯାଇଥିବା ନାମ ତାଲିକା ଅନୁଯାୟୀ କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭାରତଛାଡ଼ ଆନ୍ଦୋଳନ ସମୟରେ ୮୩ ଜଣ ସହିଦ ହୋଇଥିଲେ ।
୧୯୪୨ ସେପ୍ଟେମ୍ବର ୨୮ ତାରିଖରେ ବର୍ତ୍ତମାନର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଇରମ୍ଠାରେବ୍ରିଟିଶ୍ ପୋଲିସ ସୃଷ୍ଟି କରିଥିଲା ଭିନ୍ନ ଏକ ଜାଲିଆନାୱାଲାବାଗ୍ । ଏଠାରେ ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ଏକ ସଭା ଉପରେ ଆଖିବୁଜା ଗୁଳି ବର୍ଷଣ କରି ସେଦିନ ଇରମ୍ ମାଟିକୁ ରକ୍ତରଞ୍ଜିତ କରାଯାଇଥିଲା । ଏଠି ଜଣେ ମହିଳାଙ୍କ ସମେତ ସହିଦ ହୋଇଛନ୍ତି ୨୯ ଜଣ । ଏମାନଙ୍କ ଛଡ଼ା ଆଉ ୫୬ ଜଣ ଗୁଳିଚୋଟରେ ଆହତ ହୋଇଥିଲେ ବୋଲି ସରକାରୀ ତଥ୍ୟ କହୁଛି । ଭଦ୍ରକ ଜିଲ୍ଲାର ଲୁଣିଆଠାରେ ବି ସେହି ମାସ ୨୨ ତାରିଖରେ ଅନ୍ୟ ଏକ ଗୁଳିକାଣ୍ଡରେ ସହିଦ ହୋଇଥିଲେ ୯ ଜଣ । ତୁଡ଼ିଗଡ଼ିଆ-ଖଇରାଡିହିରେ ମଧ୍ୟ ଏହି ସମୟରେ ପୋଲିସ ଗୁଳିରେ ଦେଶ ମାତୃକା ପାଇଁ ଜୀବନ ଦେଇଥିଲେ ଆଉ ତିନିଜଣ ସଂଗ୍ରାମୀ । ବର୍ତ୍ତମାନର ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ନିକଟବର୍ତ୍ତୀ କାଈପଡ଼ା- କଳାମାଟିଆଠାରେ ୧୯୪୨ ଅଗଷ୍ଟ ୨୬ରେ ହୋଇଥିବା ଅନ୍ୟ ଏକ ଗୁଳିକାଣ୍ଡରେ ସହିଦ ହୋଇଥିଲେ ୪ ଜଣ । ପୁରୀ ଜିଲ୍ଲାର ନିମାପଡ଼ାଠାରେ ବି ନିରସ୍ତ୍ର ଶୋଭାଯାତ୍ରାକାରୀଙ୍କ ଉପରକୁ ପୋଲିସ ଗୁଳିମାଡ଼ରେ ଜୀବନ ଦେଇଥିଲେ ଜଣେ ।
ଢେଙ୍କାନାଳରେ ଏହି ସମୟରେ ପୋଲିସ ଗୁଳିରେ ୨ ଜଣ ସହିଦ ହୋଇଥିବା ବେଳେ ଆଉ ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ୧୯୩୮ରେ ଢେଙ୍କାନାଳ ଜିଲ୍ଲାର ବୀର ଶିଶୁ ବାଜି ରାଉତ ସମେତ ୬ ଜଣ ବି ରାଜା ଓ ବ୍ରିଟିଶ୍ ପୋଲିସ ଗୁଳିରେ ଦେଶ ମାତୃକା ପାଇଁ ଜୀବନ ଦେଇଥିଲେ । ଏହି ଘଟଣାର କିଛିଦିନ ପରେ ରଣପୁର ରାଜ ଉଆସ ନିକଟରେ ଅତ୍ୟାଚାରିତ ଲୋକେ ବର୍ବର ପଲିଟିକାଲ୍ ବେଜଲ୍ଗେଟ୍ଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ । ଏହାର ପ୍ରତିଫଳନସ୍ୱରୂପ ଗଣଅତ୍ୟାଚାର ଚାଲିବା ସଙ୍ଗେ ସଙ୍ଗେ ପ୍ରଜା ଆନ୍ଦୋଳନର ଦୁଇଜଣ ସକ୍ରିୟ ଯୁବନେତା ରଘୁ-ଦିବାକରଙ୍କୁ ଫାଶୀ ଖୁଣ୍ଟରେ ରେ ଝୁଲାଇ ଦିଆଗଲା । ନୟାଗଡ଼ ଜିଲ୍ଲାରେ ହୋଇଥିବା ଗୁଳିକାଣ୍ଡରେ ଜଣେ ସହିଦ ହୋଇଥିବା ବେଳେ ଜେଲ୍ର ନିର୍ଯାତନାରେ ଆଉ ତିନିଜଣଙ୍କ ଜୀବନଦୀପ ଲିଭିଥିଲା । ନୀଳଗିରି ଗଡ଼ଜାତ ଅଞ୍ଚଳରେ ୨ ଜଣ ଓ ତାଳଚେର ଗଡ଼ଜାତରେ ୬ଜଣ ପୋଲିସ ଗୁଳି ଓ ଆକାଶମାର୍ଗରୁ ବୋମାମାଡ଼ରେ ମଧ୍ୟ ନିହତ ହୋଇଥିଲେ । ସୋନପୁରରେ ବି ଏହି ସମୟରେ ଅନ୍ୟ ଜଣେ ମହିଳା ସତ୍ୟାଗ୍ରହୀ ସହିଦ ହୋଇଥିଲେ । ଏହା ପୂର୍ବରୁ ସ୍ୱାଧୀନତା ଆନ୍ଦୋଳନ କାଳରେ ସୁନ୍ଦରଗଡ଼ର ଆମ୍କୋ ସିମ୍କୋଠାରେ ମଧ୍ୟ ଗଣନରସଂହାର କରାଯାଇଥିଲା ।
ରାଜ୍ୟର ବହୁସ୍ଥାନରେ ସଂଗ୍ରାମୀ, ତାଙ୍କ ପରିବାର ଓ ସମର୍ଥକମାନଙ୍କ ଉପରେ ନାହିଁ ନ ଥିବା ନିର୍ଯାତନା ହେଉଥିଲା । ପୂର୍ବରୁ ସ୍ୱାଧୀନତା ଆନ୍ଦୋଳନରେ ଢେର୍ କମ୍ ସଂଖ୍ୟକ ନାରୀ ଅଂଶଗ୍ରହଣ କରିଥିବା ବେଳେ ଭାରତଛାଡ଼ ଆନ୍ଦୋଳନରେ କିନ୍ତୁ ଓଡ଼ିଶାର କ୍ରାନ୍ତିକାମୀ ମହିଳାମାନେ ପରଦା ଆଢୁଆଳରୁ ବାହରକୁ ଆସି ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରି ଜେଲ୍ ଭରିଥିଲେ । ଏମାନଙ୍କ ମଧ୍ୟରେ ବହୁ ଅବିବାହିତା ତରୁଣୀ ଓ ସଦ୍ୟ ପରିଣୀତା ଯୁବତୀ ଥିଲେ । ଏମିତିକି ଆଉ କେତେକ ମହିଳା ସେମାନଙ୍କ ଦୁଗ୍ଧ ପୋଷ୍ୟ କଅଁଳା ଶିଶୁଙ୍କୁ ଧରି ଦେଶ ମାତୃକା ପାଇଁ କାରାବରଣ ବି କରିଥଲେ । ଓଡ଼ିଶାର ଗାଁ ଗଣ୍ଡାରେ ‘କର ବା ମର’ ଆନ୍ଦୋଳନ କେତେ ତୀବ୍ର ହୋଇଥିଲା ତାହାର ଉଦାହରଣ ହେଉଛି ଗୁଣୁପୁରର କୁଜେନ୍ଦ୍ରୀ, ବରଗଡ଼ର ପାଣିମୋରା, ଜଗତସିଂହପୁରର ବାଗଲପୁର ଭଳି ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗାଁ ।
ରେଭେନ୍ସା କଲେଜର ଛାତ୍ରଛାତ୍ରୀମାନେ ୟୁନିଅନ୍ ଜ୍ୟାକ୍ ହଟାଇ ତ୍ରିରଙ୍ଗା ଝଣ୍ଡା ଉଡ଼ାଇଲେ । ଦେଶର ଯୁବ ଓ ଛାତ୍ର ସମାଜ ଏହି ଆନ୍ଦୋଳନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ଜୟପ୍ରକାଶ ହଜାରୀବାଗ ଜେଲ୍ ଡେଇଁ ଚାଲି ଯାଇଥିବା ବେଳେ ଯୁବ ସଂଗ୍ରାମୀ ଅଲେଖ ପାତ୍ର ଓ ଲୋକନାଥ ସେନାପତି ପୁଲିସ ଆଖିରେ ଧୂଳି ଦେଇ ପୁରୀ ଜେଲ୍ରୁ ପଳାଇ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ଆଗା ଖାଁ ପ୍ୟାଲେସ କ୍ୟାମ୍ପ୍ ଜେଲ୍ରେ ବନ୍ଦୀ ଥାଇ ଗାନ୍ଧୀଜୀ ୭୪ ବର୍ଷ ବୟସରେ ୨୧ ଦିନିଆ ଅନଶନ ମଧ୍ୟ କରିଥିଲେ । ଏହି କାରାବାସ ସମୟରେ ତାଙ୍କ ଆଖି ଆଗରେ ଦେହାନ୍ତ ହୋଇଗଲା ପୁତ୍ର ପ୍ରତିମ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇଙ୍କର ୧୯୪୨ ଅଗଷ୍ଟ ୧୫ ତାରିଖରେ । ଏହା ପରେ ପରେ ୧୯୪୪ ଫେବୃଆରୀ ୨୨ ତାରିଖରେ ସେହିଠାରେ କାରାରୁଦ୍ଧ ଅବସ୍ଥାରେ ଆଖି ବୁଜିଲେ ତାଙ୍କ ପତ୍ନୀ କସ୍ତୁରବା । ଗାନ୍ଧୀଜୀଙ୍କ ଉପସ୍ଥିତିରେ ସେହି ଜେଲ୍ ପରିସର ମଧ୍ୟରେ ଉଭୟଙ୍କ ଚିତା ଜଳି ଉଠିଥିଲା ।
ହଜାର ହଜାର ସହିଦଙ୍କ ବଳିଦାନ ଓ ଲକ୍ଷାଧିକ ସଂଗ୍ରାମୀଙ୍କ ସାଧନା ଯୋଗୁ ଆମେ ହାସଲ କରିଥିବା ସ୍ୱାଧୀନତା ତାହାର ଘୋଷିତ ଲକ୍ଷ୍ୟ ୭୫ ବର୍ଷ ମଧ୍ୟରେ କେତେଦୂର ହାସଲ କରିଛି ତା’ର ହିସାବ ନିକାଶ କରିବାର ବେଳ ଆସିଛି । ସ୍ୱଦେଶୀ ସ୍ୱାବଲମ୍ବନ ଆଦିକୁ ସ୍ୱାଧୀନ ଭାରତରେ କବର ଦିଆଯାଉଥିବା ବେଳେ ଅଗ୍ନିକୁଣ୍ଡ ଆଡ଼କୁ ପତଙ୍ଗ ଟାଣିହୋଇ ଆସିବା ଭଳି ଆମ ଯୁବ ଓ ଛାତ୍ର ସମାଜର ଅବସ୍ଥା । ଭାରତଛାଡ଼ ଆନ୍ଦୋଳନର ସ୍ମୃତି ରୋମନ୍ଥନ ଅବସରରେ; ଗୁରୁମନ୍ତ୍ରକୁ ସ୍ମରଣ କରି ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତିକୁ ସାକାର କରିବା ଲାଗି ପୁଣି ନିରନ୍ତର ସତ୍ୟାଗ୍ରହ ଲୋଡ଼ା । ଏଥିଲାଗି ଧନ ଅପେକ୍ଷା ଅଧିକ ଆବଶ୍ୟକ ପଡ଼ୁଛି ସଂକଳ୍ପବଦ୍ଧ ମନର ।
Comments are closed.