Latest Odisha News

BREAKING NEWS

ଗୋଆର ସାଧ୍ବୀ ସେଲ୍ ହେଲେ ‘ଫେମିନା ମିସ୍ ଇଣ୍ଡିଆ ୱର୍ଲ୍ଡ ୨୦୨୬’

ରଜନନ୍ଦିନୀ ପାୱାର ଓ ଶ୍ରୀ ଅଦ୍ୱୈତା ରନର୍-ଅପ୍

ଭୁବନେଶ୍ୱର: ଗୋଆର ସାଧ୍ବୀ ସେଲ୍ ଫେମିନା ମିସ୍ ଇଣ୍ଡିଆ ୱର୍ଲ୍ଡ ୨୦୨୬ର ମୁକୁଟ ଜିତିଛନ୍ତି। ଏହା ସହିତ ସେ ଆଗାମୀ ମିସ୍ ୱର୍ଲ୍ଡ ପ୍ରତିଯୋଗିତାରେ ଭାରତଙ୍କୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଷ୍ଠିତ ପ୍ରତିଯୋଗିତାରେ ମହାରାଷ୍ଟ୍ରର ରଜନନ୍ଦିନୀ ପାୱାର ପ୍ରଥମ ରନର୍-ଅପ୍ ଏବଂ ଶ୍ରୀ ଅଦ୍ୱୈତା ଦ୍ୱିତୀୟ ରନର୍-ଅପ୍ ହୋଇଛନ୍ତି।

ଭୁବନେଶ୍ୱରର କିଟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଫେମିନା ମିସ୍ ଇଣ୍ଡିଆର ୬୧ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଅତ୍ୟନ୍ତ ଭବ୍ୟ ଓ ସ୍ମରଣୀୟ ହୋଇଥିଲା। ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଭାଶାଳୀ ଯୁବତୀମାନେ ନିଜର ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ବର୍ଷର ଥିମ୍ “Connecting the DOTS” (Daughters of This Soil) ଥିଲା, ଯାହା ଭାରତର ବିଭିନ୍ନତା ଓ ଏକତାକୁ ପ୍ରକାଶ କରିଥିଲା।ଏହି ପ୍ରତିଯୋଗିତାର ଆରମ୍ଭ ପୂର୍ବବର୍ଷ ନଭେମ୍ବରରୁ ଦେଶବ୍ୟାପୀ ଟ୍ୟାଲେଣ୍ଟ ହଣ୍ଟ ସହ ହୋଇଥିଲା। ଦେଶର ପାଞ୍ଚଟି ଅଞ୍ଚଳରୁ ପ୍ରତିଭାମାନଙ୍କୁ ଚୟନ କରାଯାଇ ଶେଷରେ ୩୦ଜଣ ରାଜ୍ୟ ବିଜେତା ଚୟନ ହୋଇଥିଲେ। ସେମାନେ ମୁମ୍ବାଇରେ ବିଶେଷ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଥିଲେ।

ଗ୍ରାଣ୍ଡ ଫିନାଲେ ପୂର୍ବରୁ ପ୍ରତିଯୋଗିନୀମାନେ କିଟ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକଳାପରେ ଯୋଗଦେଇଥିଲେ ଏବଂ ଓଡିଶାର ସମୃଦ୍ଧ ସଂସ୍କୃତିକୁ ଅନୁଭବ କରିଥିଲେ। ସେମାନେ ଓଡିଆ ନବବର୍ଷ ଉତ୍ସବ ପାଳନ କରିଥିଲେ ଏବଂ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ଦର୍ଶନ କରିଥିଲେ।କାର୍ଯ୍ୟକ୍ରମରେ କିଟ ଓ କିସର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇଥିବା ସାଂସ୍କୃତିକ ପ୍ରଦର୍ଶନୀ ଦର୍ଶକଙ୍କୁ ମୋହିତ କରିଥିଲା। ଶୋ’ଟିକୁ ମନୀଷ ପଲ୍ ଓ ସାରା ଜେନ ଡାଏସ୍ ହୋଷ୍ଟ କରିଥିଲେ। ଏହା ସହ ଜୁବିନ ନୌଟିଆଲଙ୍କ ସୁରିଲା ପ୍ରଦର୍ଶନ, ଲରେନ୍ ଗଟଲିବ୍ ଓ ଇଶାନ୍ ଖଟ୍ଟରଙ୍କ ନୃତ୍ୟ ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲା।ବିଭିନ୍ନ ରାଉଣ୍ଡରେ ପ୍ରତିଯୋଗିନୀମାନେ ନିଜର ଆତ୍ମବିଶ୍ୱାସ ଓ ଚିନ୍ତାଧାରା ଦ୍ୱାରା ଜଜ୍ ଙ୍କୁ ପ୍ରଭାବିତ କରିଥିଲେ।

ଜଜମାନଙ୍କ ମଧ୍ୟରେ ଜୀନତ ଅମାନ୍, ମଧୁର ଭଣ୍ଡାରକର, ଦୂତୀ ଚାନ୍ଦ, ନେହା ଧୂପିଆ ଓ ଟେରେନ୍ସ ଲୁଇସ୍ ଭଳି ପପୁଲାର ନାମ ଥିଲେ। ଶେଷରେ ହୋଇଥିବା କୋରୋନେସନ୍ ସେରେମୋନୀରେ ପୂର୍ବତନ ବିଜେତାମାନେ ନୂତନ ବିଜେତାଙ୍କୁ ମୁକୁଟ୍ ପିନ୍ଧାଇଥିଲେ। ସାଧ୍ବୀ ସେଲ୍ ଫେମିନା ମିସ୍ ଇଣ୍ଡିଆ ୱର୍ଲ୍ଡ ୨୦୨୬ ହୋଇଥିବା ବେଳେ ରଜନନ୍ଦିନୀ ପାୱାର ପ୍ରଥମ ଓ ଶ୍ରୀ ଅଦ୍ୱୈତା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

 

Leave A Reply

Your email address will not be published.