ଦୁଇଟି ଅଣୁ ଗଳ୍ପ
ଯୋଗେଶ୍ୱର ପଣ୍ଡା
୧. ଝିଟିପିଟି
ସ୍ତ୍ରୀ- ଶୁଣୁଛ କି ! ଏ ଝିଟିପିଟି ଯୋଗୁଁ ମୁଁ ଆଉ ଏ ଘରେ ରହି ପାରିବିନି । ଘରଯାକ ଅସନା କରିଦେଉଛନ୍ତି ଝାଡା ଫେରିଫେରି ସବୁଆଡେ । ଏମାନଙ୍କୁ ଘଉଡାଇବାର ବ୍ୟବସ୍ଥା କର ଶୀଘ୍ର । ନ ହେଲେ ମୁଁ ଘରୁ ଯିବାର ବ୍ୟବସ୍ଥା କରିବି ଜାଣିଥ । ହେଲା !
ସ୍ୱାମୀ- ସେମାନଙ୍କ ପାଇଁ ଗୋଟେ ଲିକୁଇଡ୍ ଆଣିଛି ବଜାରରୁ । ପାଣିରେ ମିଶେଇକି ସ୍ପ୍ରେ କରିଦେଲେ ସେମାନେ ଘରୁ ପଳଇବେ । ତମେ ଚିନ୍ତା କରନି । ତମେ ପରା ମା ହେବାକୁ ଯାଉଛ, ଆଉ ତମ କଥାକୁ ଅମାନ୍ୟ କରିହେବ ।
ସ୍ୱାମୀ ସ୍ତ୍ରୀ ଉଭୟେ ହସିଲେ ଓ ବେଡ୍ ରୁମ୍ ଭିତରେ ପଶିଗଲେ ।
……………
ସ୍ତ୍ରୀ- ଶୁଣୁଛ କି ! ଘରେ ଗୋଟେହେଲେ ଝିଟିପିଟି ନାହିଁ ।
ସ୍ୱାମୀ- କଣ ହେଲା କି ?
ସ୍ତ୍ରୀ- ଜାଣିନ କି ! ତମ ପୁଅକୁ ପରା ପିଟି ନ ଦେଖେଇଲେ ଖାଉନି । ଘରେ ତ ଘରେ, ବାଲକୋନିରେ ବି ଯଉ ଗୋଟେ ଦି ଟା ଥିଲେ ସେମାନେ ବି ଆଉ ଦେଖା ଯାଉ ନାହାଁନ୍ତି । ଯାଅ ଶୀଘ୍ର ଝିଟିପିଟି ଘରକୁ ଆସିବା ପାଇଁ କଣ ଔଷଧ ମିଳୁଛି ନେଇକି ଆସ ବଜାରରୁ ।
ସ୍ୱାମୀ ବଜାରକୁ ବାହାରିଲେ ଓ ସ୍ତ୍ରୀ ତାଙ୍କର କାନ୍ଦୁରା ପୁଅକୁ ପଡୋଶୀ ଘର ଛାତରେ ଥିବା ଝିଟିପିଟିକୁ ଦେଖେଇ ଖୁଏଇବାକୁ ଚେଷ୍ଟା କରୁଥିଲେ ।
୨. ମହକ
ମାଆ ତାଙ୍କର ହଳଦିଆ ରଙ୍ଗର ସମ୍ବଲପୁରୀ ଶାଢିଟି ଖୋଜିଖୋଜି ନୟାନ୍ତି ହେଇଗଲେଣି, ହେଲେ ମିଳୁନି । ଘରର ସବୁ ଆଲମିରା, ବାକ୍ସ, ଆଲଣା ତଥା ଲୁଗାଶୁଖା ତାର ସବୁଠି ଦେଖିଲା ପରେ ବି କଉଠି ବି ନାହିଁ ସେ ଶାଢି । ସେ ଶାଢି ପିନ୍ଧି ପୂଜା କରନ୍ତି ମାଆ ।
ନୂଆ କରି ନବୋଦୟ ପାଇ ହେଷ୍ଟେଲରେ ରହୁଥିବା ଏଗାର ବର୍ଷର ପୁଅ ଦଶରା ଛୁଟିରେ ଘରକୁ ଫେରିଲା । ମାଆକୁ ଦେଖି କୁଣ୍ଢେଇ ପକେଇଲା । ମଇଳା ପ୍ୟାଣ୍ଟସାର୍ଟ ସବୁ ସଫା କରିବେ ବୋଲି ପୁଅର ବ୍ୟାଗ୍ ଦେଖୁଦେଖୁ ମାଆଙ୍କ ଆଖିରେ ପଡିଲା ତାଙ୍କର ସେଇ ହଳଦିଆ ଶାଢି ।
ପୁଅକୁ ଡାକି ପଚାରିଲେ, ଏ ଶାଢି କଣ କରୁଛି ତୋ ବ୍ୟାଗରେ । ପୁଅ ଥଙ୍ଗମଙ୍ଗ ହେଇ କହିଲା- ମାଆ, ତୋର ମହକ ଅଛି ଏ ଶାଢିରେ, ତେଣୁ ଏ ଶାଢି ହେଷ୍ଟେଲକୁ ନେଇ ଯାଇଥିଲି । ତୁ ମନେ ପଡିଲେ ତାକୁ ଟିକେ ଶୁଙ୍ଘିଦିଏ ।
ମାଆର ଆଖିରୁ ଲୁହ ଝରି ଆସିଲା, କୁଣ୍ଢେଇ ପକେଇଲେ ପୁଅକୁ ।
…………………………………
ଫୁଲବାଣୀ-୭୬୨୦୦୧
ମୋ-୮୭୬୩୩୯୦୦୪୫
Comments are closed.