Latest Odisha News

BREAKING NEWS

ନକରାତ୍ମକ ମଣିଷଟି ସବୁଠାରୁ ଅଧିକ ଭଲ ପାଉଥାଏ: ଅମିୟ ବେଜ

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଅମିୟ ବେଜ। ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପ ର କଳେବର ଦେଇ ଭାବପୂର୍ଣ , ସମ୍ବେଦନଶୀଳ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। ଗାଳ୍ପିକଙ୍କ ସମସ୍ତ ଗଳ୍ପ ବିସ୍ତୃତ ନୁହେଁ କିନ୍ତୁ ପାଠକଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ। ପ୍ରତେକଟି ଗଳ୍ପ ଭିତରେ ପାଠକ ଭେଟି ପାରନ୍ତି ସଂପ୍ରତି ଘଟୁଥିବା ସମାଜର ଘଟଣା ଓ ଚରିତ୍ର ମାନଙ୍କୁ। ଗାଳ୍ପିକ ଟିଏ କେତେ ସାହାସୀ ହେବା ଦରକାର ତାହା ଶ୍ରୀ ବେଜଙ୍କ ଲେଖାରୁ ସ୍ପଷ୍ଟ ଜଣାପଡ଼େ।

ତାଙ୍କ ରଚିତ କାଠ, ଚିହ୍ନଏବଂ ତିନୋଟି ଯାକ ଗଳ୍ପ ସଙ୍କଳନ ପ୍ରାଜ୍ଞ ପାଠକଙ୍କ ପାଖରେ ଏକ ନିଆରା ଭେଟି । ଗାଳ୍ପିକ ଅମିୟ ବେଜଙ୍କ ସହ” ଆଳାପ ” ଆମ ପ୍ରତିନିଧି ସୁପ୍ରିୟା ପଣ୍ଡା ଙ୍କ ସହ ।

୧- . ନିଜ ବିଷୟରେ କିଛି କୁହନ୍ତୁ ?

ଉତ୍ତର : ମୁଁ ଅମିୟ ବେଜ । ପିତା – ବଂଶୀଧର ବେଜ । ଘର -ଘଟଗାଁ । ବୃତ୍ତି – ଇଂଜିନିୟରିଂ । ବୟସ – ବୟାଳିଶି ।

୨. ଲେଖାଲେଖି କେବେ ଆରମ୍ଭ କଲେ ?

ଉତ୍ତର : ପୂର୍ବରୁ କାଁ ଭାଁ ଲେଖୁଥିବା ବେଳେ ଦୁଇହଜାର ଷୋହଳ – ସତରରୁ ବିଧିବଦ୍ଧ ଲେଖା ଲେଖିରେ ଆଗ୍ରହ ରଖିଥିଲି।

୩. ଲେଖକର ସଂଜ୍ଞା କ’ଣ ହେବା ଉଚିତ ?

ଉତ୍ତର: ଲେଖକଟିର ସଂଜ୍ଞା ଖୁବ୍ ବ୍ୟାପକ। ଏମିତିରେ ସଂଜ୍ଞାହୀନ ମଧ୍ୟ କୁହାଯାଇପାରେ । ଯିଏ ଦୃଶ୍ୟ-ଅଦୃଶ୍ୟ କ୍ଳେଶକୁ ଆତ୍ମସ୍ଥ କରିପାରେ ଏବଂ ସେମାନଙ୍କୁ ପାଚନ କରିପାରେ । ଶେଷକୁ ବାଖ୍ୟା କରିପାରେ ସିଏ ବୋଧେ ଲେଖକ। ମୁଁ ମୋ ବ୍ୟକ୍ତିଗତ ଭାଷାରେ କୁହେ ଲୁହ ଜମାଇବାର କୌଶଳବାନ ମଣିଷଟିଏ ବାସ୍ତବରେ କିଛି ଲେଖିପାରେ ।

୪. ଲେଖା ଲେଖି କରିବାରେ କେବେ କିଛି ପ୍ରତିବନ୍ଧକ ଆସିଛି କି ? ତାକୁ କିପରି ଭାବରେ ସାମ୍ନା କରିଛନ୍ତି ?

ଉତ୍ତର: ମୋ ଲେଖାଲେଖିରେ ପ୍ରତିବନ୍ଧନ କିଛି ଆସିନି । ପାଠକଙ୍କ ନିନ୍ଦା-ଗାଳିକୁ ଚନ୍ଦନ ପରି ବୋଳିଛି। ପ୍ରଶଂସାର ଭୋକକୁ ଚେଷ୍ଟା କରି ମାରିଦେଇଛି । ଯାହାକୁ ଯେତିକି ଦରକାର ଥିଲା , ସେତିକି- ସେପରି-ସେମାନେ ମୋତେ ଚିହ୍ନିନେଲେ । କିଛି ପସନ୍ଦ କଲେ , ଆଉ କାହାର ଅପସନ୍ଦରେ ରହିଗଲି ।

୫. ଓଡ଼ିଶାରେ ସାହିତ୍ୟ କୁ ପେଶା କରିହେବ କି ?

ଉତ୍ତର : ନା ! ପେଶା ଭିନ୍ନ ଥାଉ । ନିଶା କେବଳ ସାହିତ୍ୟ ରହୁ ।

୬ . କାଠ , ଚିହ୍ନ ଓ ଏବଂ ସବୁଠୁ କିଏ ପ୍ରିୟ ଆପଣଙ୍କର।

ଉତ୍ତର: କୁନ୍ତୀଙ୍କୁ ପ୍ରିୟପୁତ୍ରର ନାମ ନ ପଚାରିଲେ ମଙ୍ଗଳ ।

୭. ଏଯାବତ ଆପଣଙ୍କର ସର୍ବଶ୍ରେଷ୍ଠ   ସୃଷ୍ଟି  କ’ଣ ?

ଉତ୍ତର : କେବଳ ମୁଁ ନୁହେଁ। ପ୍ରତିଲେଖକ ତା ଶେଷତମ ଲେଖାଟିକୁ ଶ୍ରେଷ୍ଠକୃତି ମନେକରେ । ତେବେ ଶେଷଗପ କେଉଁ ଯେ ଲେଖିହୁଏ ? ଏ ପ୍ରଶ୍ନର ଉତ୍ତର ପ୍ରାଜ୍ଞ ପାଠକଙ୍କ ଠାରେ ।

୮. ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?

ଉତ୍ତର : ନକରାତ୍ମକ ମଣିଷଟିଏ ସବୁଠାରୁ ଅଧିକ ଭଲ ପାଉଥାଏ । ପ୍ରତିକ୍ରିୟାରେ ମୁଁ ପ୍ରେମ ବାଣ୍ଟେ । କାରଣ ସେଇମାନେ ହିଁ ପରୋକ୍ଷରେ ମୋତେ ସଜାଡୁଥାନ୍ତି ।

୯. କେବେ ପାଠକୀୟ ମତ କୁ ନେଇ ଆପଣଙ୍କ ସୃଷ୍ଟିର କଳେବର ବଦଳେଇଛନ୍ତି କି?

ଉତ୍ତର : ହଁ ବଦଳାଇଛି । ଉପନ୍ୟାସିକା “ଇପ୍ସିତ”ରେ ଏପରି ଘଟିଛି ।

୧୦.ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ  ଆପଣ କିପରି ଭାବରେ ଦେଖନ୍ତି ?

ଉତ୍ତର : ଉଜ୍ଜ୍ୱଳ , ଏବର ପିଲା ମାନେ ଖୁବ୍ ପ୍ରତିଶ୍ରୁତି ସମ୍ପନ୍ନ ଅଛନ୍ତି ।

୧୧. ପାଠକ ଅମୀୟ ବେଜ୍ ଶୈଳୀ ବୋଲି କହନ୍ତି ।ଏଇ ଶୈଳୀ ସଂପର୍କରେ ଆପଣ କ’ଣ କହିବେ ?

ଉତ୍ତର: ଯଦି ପ୍ରତି କଥାକୁ ଅଳ୍ପରେ କହିହୁଏ ,ତେବେ ଅମିୟ ବେଜ ବଢାଏନି ଗଳ୍ପର  ଦୈର୍ଘ୍ୟ-ପ୍ରସ୍ଥ- ସ୍ୱାସ୍ଥ୍ୟ । ତେବେ ପ୍ରତି ଲେଖକଙ୍କର ନିଜସ୍ୱ ଶୈଳୀଟିଏ ଅଛି । ଟିକେ ନିରିଖେଇ ଦେଖିଲେ ବୁଝାପଡ଼େ।

୧୨. ସମସାମୟିକ ଲେଖକ ଲେଖିକାଙ୍କ ପାଇଁ ଆପଣଙ୍କ ବାର୍ତା କଣ ହେବ?

ଉତ୍ତର: ଗପ ଲେଖିବା ପୂର୍ବରୁ ପ୍ରଚୁର ପଢନ୍ତୁ । ଭିନ୍ନଭିନ୍ନ ଲେଖକଙ୍କୁ ପଢନ୍ତୁ । ସବୁବେଳେ ଖୋଜ୍ ଟିଏ ରହୁ କଣ ଲେଖାଯାଇନି ।

Leave A Reply

Your email address will not be published.