Latest Odisha News

BREAKING NEWS

ନାୟିକା

ବହୁ ଗୀତପ୍ରେମୀଙ୍କୁ ଜଣାନଥିବ ଯେ ବିଖ୍ୟାତ ସଂଗୀତଜ୍ଞ, ଓଡ଼ିଶାର କଲ୍‍ଟ ଫିଗର ଅକ୍ଷୟ ମହାନ୍ତି ବି କିଛି କମ ବଡ ଲେଖକ ନଥିଲେ ! ଶତାଧିକ ଗଳ୍ପ, କବିତା, ଗୀତ, ଉପନ୍ୟାସ, ଆତ୍ମଜୀବନୀର ସେ ଥିଲେ ସଫଳ ସ୍ରଷ୍ଟା ! କିନ୍ତୁ ଆମର ଦୁର୍ଭାଗ୍ୟ, ଓଡ଼ିଶାରେ ଆପଣଙ୍କର ଗୋଟିଏ ପ୍ରତିଭା ଉପରେ ହିଁ ଆଲୁଅ ପଡିବ, ବାକିସବୁ ଅନ୍ଧାରରେ ହଜିଯିବ ! ସେଇ ମର୍ମରେ ଅକ୍ଷୟ ମହାନ୍ତିଙ୍କୁ ଲୋକେ କେବଳ ଜଣେ ସଂଗୀତଜ୍ଞ ଓ ଗାୟକ ହିସାବରେ ଚିହ୍ନିଲେ; ହେଲେ ଲେଖାଲେଖିକୁ ନେଇ ତାଙ୍କର ଆଉ ଏକ ଉଜ୍ଜ୍ଵଳ ଦିଗ ଅନ୍ଧାରରେ ରହିଗଲା! ଆଜି ତାଙ୍କର ଜନ୍ମଦିନ ଅବକାଶରେ ଆସନ୍ତୁ ପଢିବା ତାଙ୍କର ଗୋଟିଏ ଗପ:

ନାୟିକା

ଅକ୍ଷୟ ମହାନ୍ତି

ଗାଁରୁ ବାହାରି ଆସିଲି ଯେବେ – ଭାବିଥିଲି ମୋ ଗୋଡ଼ ତଳେ ପଡ଼ିବନି କି ମୋ ପକେଇଲା ଛେପ ତଳେ ପଡ଼ିବନି । କିନ୍ତୁ ଏଇ କେଇବର୍ଷ ଭିତରେ ହଠାତ ନାୟିକାରୁ ନାୟିକାର ବାନ୍ଧବୀ, ପୁଣି ବାନ୍ଧବୀରୁ ନାୟିକାର ମା’, ପୁଣି ମା’ରୁ ଚିତ୍ରନିଦେ୍ର୍ଧଶକର ରକ୍ଷିତା ହେବାକୁ ପଡ଼ିଲା ।

ରମିଭାଇ ଜଣେ ବିଖ୍ୟାତ ଲୋକ । ଆମ ଅଞ୍ଚଳର ସ୍କୁଲରେ ଡ୍ରାମା କଲାବେଳେ ସେ ଆସିଥିଲେ ଆମକୁ ପାର୍ଟ ଶିଖେଇବାକୁ । ସେତେବେଳକୁ ନିର୍ଦ୍ଦେଶନା ଫିର୍ଦ୍ଦେଶନା ମତେ କିଛି ଜଣାନଥିଲା । ମୋର କ’ଣ ଦେଖି ରମିଭାଇ ମତେ କହିଲେ – “ତୋ ମୁହଁଟା ଟିକେ ଫଟୋଜେନିକ ।”

ସେଇଟା କି ପ୍ରକାର ଜିନିଷ ଗାଁରେ ବହୁତ ଝିଅଙ୍କୁ ପଚାରିଲି । କେହି କହିପାରିଲେ ନାହିଁ । ଫଟୋ ଶବ୍ଦରୁ ଅନୁମାନ କରି ଆମ ଗାଁ ହାଟ ବଜାରରେ ଯେଉଁ ଅପସରା ଫଟୋ ଷ୍ଟୁଡ଼ିଓ ଅଛି ସେଠିକି ଗଲି ଫଟୋ ଉଠେଇବାକୁ । ଆଗରୁ ବାପାଙ୍କ ସାଂଗରେ ଆସିଛି । ଫଟୋ ଦୋକାନୀ ଟୋକା ଗମ୍ଭୀର ହୋଇ ବସିଛି । ମତେ ଦେଖି ପଚାରିଲେ –

“କ’ଣ ଫଟୋ ଉଠିବ? ବାହାଘର ପାଇଁ ନା କଲେଜରେ ଆଡ଼ମିଶନ ପାଇଁ?”

ମତେ ଲାଜଲାଗିଲା । କେତେ ଖୋଲାଖୋଲି ପଚାରିଦେଲା ସେ ବାହାଘର କଥା । ମୁଁ କିଛି କହିଲିନି । ମୋ ସାଂଗ କହିଲା – ରମିଭାଇ କହିଲେ ଯେ ତା ମୁହଁଟା ଭାରି ଫଟୋଜେନିକ ।

“ଓ ତମେ ରମିଭାଇଙ୍କଠାରୁ ଆସିଛ?” ପୁଣି ଭଲକରି ଦେଖି କହିଲା, “ଆରେ ସତେ ସତେ, ଡ୍ରାମାରେ ହିରୋଇନ ହୋଇଥିଲ ନା?”

“ହଁ” – ମୁଁ କହିଲି ।

“ପ୍ରକୃତରେ ତମ ମୁହଁଟା ଫଟରେ ଏକଦମ ଚଳଚ୍ଚିତ୍ର ନାୟିକା ପରି ଆସିବ । ସିନେମାରେ ମିଶୁନ ।”

“ବାପା ଛାଡ଼ିବେନି ।”

“ବାପା ଛାଡ଼ିବେନି କାହିଁକି? ଆଜିକାଲି ତ କେତେ ଭଦ୍ରଘର ଝିଅମାନେ ସିନେମାରେ ମିଶିଲେଣି ।”

“ବାପା ତ ଏଠି ନାହାନ୍ତି – ବାପା କଲିକତାରେ । ବୋଉ ଭାରି ରାଗେ । ଏଇ ଯୋଉ ଡ୍ରାମାରେ ପାର୍ଟକଲି – ଭାରି ଗାଳି ଖାଉଛି ।”

“ତମ ବୋଉଙ୍କୁ ମୁଁ ବୁଝେଇଦେବି ।”

ପୁଣି ଚାପା ହସ ନେଇ କହିଲା – “ମୋର ଗୋଟେ ସାଙ୍ଗ ରଙ୍ଗିନ ଚିତ୍ର କରୁଛି । ସେ ଗୋଟେ ନୂଆ ହିରୋଇନ ଖୋଜୁଛି ।”

“ଦେଖିବି ।”

ମତେ ସେ ଭିତରକୁ ନେଇଗଲେ । ମୋ ସାଂଗକୁ କହିଲେ – ବାହାରେ ରହିବାକୁ । କାରଣ ଫଟୋ ପରୀକ୍ଷା ହେବ ଓ ମୁଁ ଫ୍ରି ହୋଇ ପାରିବିନି । ସେ ବି ହସି ହସି ରାଜି ହେଲା; କାରଣ ଫଟୋ ଦୋକାନୀର ଗୋଟେ ସାଂଗ, ଯେ କି ଭାରି ସୁନ୍ଦର ଦେଖିବାକୁ, ସେ ବସିଥିଲା ଓ ମୋ ସାଂଗ ସାଂଗରେ ସେ ଆସ୍ତେ ଆସ୍ତେ ଗପ ଜମେଇ ଦେଲାଣି ।

ମୁଁ ଭିତରକୁ ଗଲି । କେମିତି ଡରଡର ଲାଗୁଥାଏ । ଭିତରଟା ଅନ୍ଧାରୁଆ । ଗୋଟେ କଡ଼କୁ ଛୋଟଛୋଟ ରୁମ ଭିତରୁ ଟିକେ ନାଲି ଆଲୁଅ ଆସୁଥାଏ । ହଠାତ ମୋ ଦେହ ଫଟୋ ଦୋକାନୀ ଦେହରେ ବାଡେ଼ଇ ହୋଇଗଲା । ସେ ମୋ ବାହୁକୁ ଧରି କହିଲା – “କ’ଣ ଡରୁଛ କି? ଟିକେ ଅପେକ୍ଷା କର । ଫଟୋ ପ୍ରିଣ୍ଟ ହଉଛି – ଅବିକା ସରିଯିବ ।”

ମୁଁ ଚୁପଚାପ ହୋଇ ଛିଡ଼ା ହେଲି । ଫଟୋ ଦୋକାନୀ କିଛି ସମୟ ପରେ ଲାଇଟ ଲଗାଇ ମତେ ଗୋଟେ ବେଞ୍ଚରେ ବସିବାକୁ କହିଲା ।

ତିନି ଚାରିଥର ମୋର ପୋଜକୁ ଠିକଠାକ କଲାପରେ ସେ ଆବିଷ୍କାର କଲା ଯେ ମୋର ବକ୍ଷସ୍ଫୀତି ଯଥେଷ୍ଟ ନୁହେଁ । ତେଣୁ କୃତ୍ରିମ ବକ୍ଷ ଲଗାଇଲେ ଆହୁରି ସୁନ୍ଦରୀ ଦିଶିବି । ସୁନ୍ଦର ଦିଶିବାକୁ କୋଉ ଝିଅ ନଚାହେଁ? କିନ୍ତୁ ପିନ୍ଧିବି କେମିତି? ଫଟୋ ଦୋକାନୀ କହିଲା – “ଆରେ କିଛି ନାହିଁ – ଲାଜ କ’ଣ? ମୋ ଦୋକାନରେ ସେଇଟା ରଖିଛି କେବଳ ତମରି ପରି ଝିଅଙ୍କ ପାଇଁ । ଲଜ୍ଜା କ’ଣ? ଡାକ୍ତର ଆଉ ଫଟୋଗ୍ରାଫରକୁ ଲାଜକଲେ ଚଳିବ?”

ସେ ମତେ ପିନ୍ଧାଇବାକୁ ଆରମ୍ଭ କଲା । ମୁଁ କହିଲି – “କିଏ ଆସିବ ।”

“ତମ ସାଂଗ ମୋ ସାଂଗ ସହିତ ବର୍ତ୍ତମାନ ବେଶ ଗଳ୍ପ ଜମେଇଛି । ଆଉ ମୁଁ ଭିତରୁ କବାଟ ଦେଇଦେଇଛି ।”

ମୁଁ ଫଟୋ ଉଠାଇଲା ପରେ ମୋ ସାଂଗ ଫଟୋ ଦୋକାନୀର ସାଂଗ ସହିତ ଫଟୋ ଉଠେଇବାକୁ ଭିତରକୁ ଗଲା ।

ଆମେ ଦୁହେଁ ବଜାର ଛାଡ଼ି ଗୋହିରୀ ବାଟ ଦେଇ ଆସିଲା ବେଳକୁ ମୋ ସାଂଗ ପଚାରିଲା –

“ଫଟୋ ଉଠା କେମିତି ଲାଗିଲା? ତୁ ତ ନିଶ୍ଚେ ହିରୋଇନ ହେଇଯିବୁ ।”

……    ……    ……

ରମିଭାଇ ବୋଉଙ୍କୁ କହିଲେ ଯେ, କୁଆଡେ଼ ସେ ଫଟୋ ଦୋକାନୀଟା ଭାରି ଖରାପ ଲୋକ । ସରଳିଆ ଝିଅମାନଙ୍କୁ ଅବାଟରେ ନେଇଯାଏ । ବୋଉ ରମି ଭାଇକୁ ବିଶ୍ୱାସ କଲା, ତେଣୁ ରମିଭାଇ ମତେ ନେଇ ଆସିଲେ ଚଳଚ୍ଚିତ୍ର ରାଜଧାନୀକୁ ।

ଗୋଟେ ନାଟକ ହେଉଛି । ସେଇ ନାଟକର ନାୟିକା ହେବାକୁ ପଡ଼ିବ । ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ ନାଟକରେ ଅଭିନୟ କଲେ ଅଭିନୟ ଶିକ୍ଷାଟା ପକକା ହୋଇଯିବ ବୋଲି ରମିଭାଇ କହିଲେ । କିନ୍ତୁ ତା’ ସଂଗେ ସଂଗେ ସେ ମଧ୍ୟ ମୋ କାନରେ କହିଲେ – ଅଜୟ ଭାଇ ଯେ’କି ଡ୍ରାମାଟା ଲେଖିଛନ୍ତି ତାଙ୍କୁ ଟିକେ ତେଲ ମାରି ରଖିଲେ ସେ ମୋ ପାଇଁ ଭଲ ଡାଇଲଗ ଖଞ୍ଜିଦେବେ; ଯାହା ଫଳରେ କି ମତେ ହାତତାଳି ଖୁବ ସହଜରେ ମିଳିଯିବ । ମୁଁ ମଧ୍ୟ ଅଜୟ ଭାଇଙ୍କ ସହିତ ବେଶ ଦୋସ୍ତି ଜମେଇ ଦେଲି । ତିନିଦିନ ରିହରସଲ ପରେ ଅଜୟ ଭାଇ ସେଇ ଗୋଟିଏ ଦୋଷ ମୋ ଉପରେ ନଦି ଦେଲେ – ତା’ହେଉଛି ମୋର ଡାଇଲଗ, ଡେଲିଭରୀ ଓ ମଡୁ୍ୟଲେସନ ଠିକ ହେଉନି । ସେଇଟା କି ରକମ ଜିନିଷ ମୁଁ ଜାଣିନଥିଲି; କାରଣ ଗାଁ ସ୍କୁଲରେ ଦଶମ ଶ୍ରେଣୀ ପାଠ କହିଲେ ଏମିତି ଇଂରାଜୀ ଶବ୍ଦ ନଥିଲା । ଯା’ ହେଉ ସେଦିନ ରିହରସଲ ପରେ ଗଲି ଅଜୟ ଭାଇଙ୍କ ଘରକୁ – ଡାଇଲଗ ଡେଲିଭରୀ ଓ ମଡ୍ୟୁଲେସନ ନ ଶିଖିବାକୁ ।

ଅଜୟ ଭାଇଙ୍କ ଘରେ କେହି ନାହାନ୍ତି – ଭାଉଜ ଗାଁକୁ ଯାଇଛନ୍ତି । ତାଙ୍କ ପିଲାମାନେ ମାମୁଘରକୁ ଯାଇଛନ୍ତି । ଅଜୟ ଭାଇ ଏକାଏକା । ମୁଁ ଏଠି ରହିବି କେମିତି? କାହାକୁ ପଚାରିବି? ରମିଭାଇ ମତେ ଛାଡ଼ିଦେଇ ଚାଲିଗଲେଣି । ତାଙ୍କ ଘରେ ତାଙ୍କ ପିଲାପିଲି ଥିଲେ ଯେ ଦାଣ୍ଡ ଘରେ ଶୋଇ ପଡ଼ୁଥିଲି । କିନ୍ତୁ ଏଠି କେମିତି ଗୋଟିଏ ପୁରୁଷ ସହିତ ଏକା ରହିବି? କିନ୍ତୁ କାହାକୁ ପଚାରିବି? ଅଜୟ ଭାଇ ଗମ୍ଭୀର ହୋଇ ଲୁଗା ବଦଳେଇ ଫେରି ଆସିଲେ । ମୋ ଡରଡର ମୁହଁକୁ ଦେଖି ଖୁବ ଆଶ୍ୱାସନା ଦେଲେ । ମୋ ମୁଣ୍ଡକୁ ଆଉଁସିଲେ, ତା’ପରେ ମତେ ସେ ଗୋଟିଏ ରାତି ଭିତରେ ଡାଇଲଗ ଡେଲିଭରୀ ଓ ମଡ୍ୟୁଲେସନ ଶିଖେଇ ଦେଲେ । ତା’ ପରଦିନ ଠାରୁ ରିହଲସଲ । ସେ କେବେ ତା’ ପରଠୁ କହି ନାହାନ୍ତି ଯେ ମୋ ଡାଇଲଗ ଡେଲିଭରୀ ଓ ମଡ୍ୟୁଲେସନ ଖରାପ ଅଛି ବୋଲି ।

ପ୍ରାୟ ୧୫ଦିନ ପରେ ଡ୍ରାମା ଶେଷ ହୋଇଗଲା । କିନ୍ତୁ ମୋ ଲାଗି ଅଜୟ ଭାଇ ଓ ରମିଭାଇଙ୍କ ଭିତରେ ଭୀଷଣ କଳିକଜିଆ ହେଲା । ମତେ ନେଇ ଗାଁରେ ଛାଡ଼ିବାକୁ ଗଲେ ଅଜୟ ଭାଇ । ମତେ ବାଧ୍ୟ ହେଇ ବୋଉକୁ କହିବାକୁ ପଡ଼ିଲା ଯେ – ଅଜୟ ଭାଇ ହେଉଛନ୍ତି ପ୍ରକୃତରେ ପବିତ୍ର ପୁରୁଷ । ରମିଭାଇଟା ନିହାତି ଠକ ।

ଅଜୟ ଭାଇ ଦିନେ ଦୁଇଦିନ ରହି ଫେରିଆସିଲେ ଓ ପ୍ରାୟ ଠିକ ମାସକ ପରେ ଆସିଲେ ଦୁଇଜଣ ପ୍ରଯୋଜକଙ୍କୁ ଧରି । ସେମାନେ ମୋ ସହିତ କଣ୍ଟ୍ରାକ୍ଟ କଲେ, ତାଙ୍କ ଆସନ୍ତା ଛବିରେ ମୁଁ ନାୟିକା । କିନ୍ତୁ ମତେ ମେକଅପ ଟେଷ୍ଟ ପାଇଁ ବହୁ ଆଗରୁ ଯିବାକୁ ପଡ଼ିବ । ଏଥର କିନ୍ତୁ ବୋଉ ସାଂଗରେ ଗଲା ।

ସିନେମା ଦୁନିଆଟା ଏକ ଅଦ୍ଭୁତ ଦୁନିଆ । ଏଠି ସବୁକାମ ପାଇଁ ସମସ୍ତଙ୍କୁ ତେଲ ମାରିବାକୁ ପଡ଼ିବ । ପ୍ରଥମେ ନିର୍ଦ୍ଦେଶକ ମତେ ସବୁ ରକମ ପରୀକ୍ଷା କରି ଶେଷରେ ମେକଅପ କରିବାକୁ ନିଦେ୍ର୍ଧଶ ଦେଲେ । କ୍ୟାମେରା ମ୍ୟାନ ଲାଇଟ ପକେଇ ମୋ ମୁହଁର ବିଭିନ୍ନ ଦିଗ ଦେଖିବାକୁ ଲାଗିଲେ । ତାଙ୍କ ମୁହଁଟାକୁ ସେତେବେଳେ ଚାହିଁବାକୁ ଭାରି ଡର ଲାଗୁଥାଏ । ଲାଗୁଥାଏ ସେ ଯେମିତି ମୋ ମୁହଁରେ କୌଣସି ନାୟିକାର ରୂପ ପାଉନଥିଲେ । ସେ ମତାମତ ଦେଲେ ଯେ, ମୋ ନାକ, ମୋ କପାଳ ଓ ମୋ ଓଠର ଡିଫେକ୍ଟ ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିବ ।

ଅଜୟ ଭାଇ ମୋ କାନରେ ଆସି କହି ଦେଇଗଲେ ଯେ ସୁଟିଂ ବେଳେ କ୍ୟାମେରାମ୍ୟାନକୁ ଖୁସି ରଖିବାକୁ ପଡ଼ିବ, ନହେଲେ ମୁଁ ସୁନ୍ଦର ଦିଶିବି ନାହିଁ । କ୍ୟାମେରାମ୍ୟାନ ଏଠିକା ଲୋକ ନୁହନ୍ତି, ବାହାରର ଲୋକ । କ’ଣ ତ ତାଙ୍କ ନାଁ ମୋର ଆଦୌ ମନେ ରହେ ନାହିଁ । ସମସ୍ତେ ତାଙ୍କୁ ଦାଦା ଡାକନ୍ତି ଓ ଡରନ୍ତି । କାରଣ ନିର୍ଦ୍ଦେଶକ ପ୍ରଯୋଜକ ମଧ୍ୟ ସମସ୍ତେ ତାଙ୍କୁ ଦାଦା ଡାକନ୍ତି ଓ ଡରନ୍ତି । କାରଣ ନିଦେ୍ର୍ଧଶକ ପ୍ରଯୋଜକଙ୍କ ଅପେକ୍ଷା ସେ ବହୁତ ଜାଣିଛନ୍ତି, କାରଣ ସେ ବାହାରୁ ଆସିଛନ୍ତି ।

ମତେ ହିନ୍ଦୀ କହି ଆସେ ନାହିଁ । ତେଣୁ ଦାଦାଙ୍କ ପାଖକୁ ଯିବାକୁ ଡର ଲାଗୁଥାଏ । ତେଣେ ଚିତ୍ରର ନାୟକ ବଡ଼ କରୁଣ ଦୃଷ୍ଟିରେ ମୋ ଆଡେ଼ ଦେଖୁଥାନ୍ତି – ସେ ହେଉଛନ୍ତି ବିଜୟ ଭାଇ ।

ବିଜୟ ଭାଇ ଭାରି ଭଲ – କିନ୍ତୁ ସେ ଦାଦାଙ୍କୁ ଡରନ୍ତି । ଦିନେ ଗୋଟେ ସିନ ଆସିଲା ଯେ, ବିଜୟ ଭାଇ ମତେ ତାଙ୍କ ବାହୁ ପାଶରେ ବାନ୍ଧିନେବେ । ମୁଁ ତାଙ୍କ ଚଉଡ଼ା ଛାତି ଉପରେ ଲୋଟି ପଡ଼ିବି । ପ୍ରଥମେ ମୋ ରିହଲସଲରେ ମତେ ଭାରି ଲାଜ ଲାଗିଲା । ଏତେ ଆଲୁଅ ଏତେ ଲୋକଙ୍କ ଆଗରେ – କେମିତି ଲାଗିଲା । ବଳେ ବଳେ ମୋ ହାତ ଦୁଇଟା ତାଙ୍କ ଛାତି ଓ ମୋ ଛାତି ମଝିରେ ରହିଗଲା ।

କ୍ୟାମେରାମ୍ୟାନ ଦାଦା ଧେତ କହି ଛୁଟି ଆସିଲେ । ମୁଁ ନିର୍ଦ୍ଦେଶକଙ୍କୁ ଅନେଇଲି । ସେ କହିଲେ ନାହିଁ କିଛି । କିନ୍ତୁ କ୍ୟାମେରାମ୍ୟାନ ଦାଦା କହିଉଠିଲେ-

“ଉଧର କ୍ୟା ଦେଖତି ହୋ-ମେ ଯୈସେ କରତାହୁଁ ଔସେ କରୋ । ସରମାନେ କି କୋଇ ବାତ ନେହିଁ ।

ହଠାତ ମୋର ଲାଜ ସରମକୁ ଧୂଳିରେ ପକେଇ ସେ ମତେ ଏମିତି ଧରିପକେଇଲେ ମତେ ଲାଗୁଥିଲା – ସତେ ଯେମିତି ଏମିତି ଧରିବାକୁ ସେ ସୁଯୋଗ ଖୋଜି ବସିଥିଲେ ।

ସେଇଦିନଠାରୁ କ୍ୟାମେରାମ୍ୟାନ ଦାଦାଙ୍କ ସହିତ ମୋର ଭଲ ପଡ଼ିଲା । ଦାଦାଙ୍କର ଟିକେ ଫୁରସତ ମିଳିଲେ ମୋ ସାଂଗରେ ବସି ଥଟ୍ଟା ମଜା କରନ୍ତି । ଧୀରେ ଧୀରେ କଥାରୁ ହସକଥା – ହସ କଥାରୁ ଅଶ୍ଳୀଳ ହସକଥା ଆରମ୍ଭ ହେଲା । ସୁଟିଂ ବେଳେ ଏମିତି ଗୋଟିଏ ଗୋଟିଏ ଶବ୍ଦ ଥାଏ ଯାହାକୁ କହିଦେଲେ ଷ୍ଟୁଡିଓରେ ସମସ୍ତେ ହସନ୍ତି । ମୁଁ ବୁଝି ପାରେନା । ମୁହଁ ପୋତି ରହିଥାଏ । କିନ୍ତୁ ଦିନେ ନିରୋଳାରେ ଦାଦାଙ୍କୁ ସେ ଅର୍ଥ ପଚାରିଲି । ସେ ଅର୍ଥ ମତେ ବୁଝାଇ ଦେଲେ । ଏ ମା ଏତେ ବଜାରି କଥା! କିନ୍ତୁ ସଂଗେ ସଂଗେ ମତେ ମଧ୍ୟ ହସ ଲାଗିଲା । ଏଣିକି ଷ୍ଟୁଡିଓରେ କେହି ଯଦି ସେ ଶବ୍ଦ କହେ ମତେ ହସ ଲାଗେ । ଫଳରେ ନିର୍ଦ୍ଦେଶକ ମତେ ସନ୍ଦେହ କଲେ ଯେ ବୋଧହୁଏ ଦାଦାଙ୍କ ସହିତ ଏହିସବୁ ବଜାରି କଥା ହେଉଛି । ନିର୍ଦ୍ଦେଶକ ଓ କ୍ୟାମେରାମ୍ୟାନ ଦାଦାଙ୍କ ଭିତରେ ଟିକେ ଗରମ ଗରମ କଥାର ଆଦାନ ପ୍ରଦାନ ହେବାର ଆରମ୍ଭ ହେଲା । ନିର୍ଦ୍ଦେଶକ ଦିନେ କମ ଗଳାରେ ମତେ କହିଲେ – “ଖବରଦାର, କ୍ୟାମେରାମ୍ୟାନ ସାଂଗେ ଏତେ ହେଁ ହେଁ ଫେଁ ଫେଁ କ’ଣ? ଆଜି ସୁଟିଂ ସରିଲା ପରେ ତମେ ମୋ ରୁମକୁ ଆସିବ । ମୋର ଅନେକ କଥାବାର୍ତ୍ତା ଅଛି ।”

ମୁଁ ଗଲି ଏବଂ ନିର୍ଦ୍ଦେଶକଙ୍କର ଅନେକ କଥା ଶୁଣିଲି । ଶେଷକୁ ସେ ମୋ କୋଳରେ ମୁହଁ ଗୁଂଜି କାନ୍ଦି ପକାଇଲେ । କାନ୍ଦୁ କାନ୍ଦୁ କହୁଥିଲେ – “ମୁଁ ତତେ କ୍ୟାରିୟର ଦେବାପାଇଁ କେତେ କଷ୍ଟରେ ହିରୋଇନ ବନେଇଲି – ଅଥଚ ତୁ ମତେ ଧୋକକା ଦେଲୁ । ସାମାନ୍ୟ କ୍ୟାମେରାମ୍ୟାନ ପଛରେ ଗୋଡ଼ାଉଛୁ?”

ଏକଥା ମୁଁ କାହା ଆଗରେ କହିନି, କିନ୍ତୁ କେଜାଣି କେମିତିି ପ୍ରଯୋଜକ ଜାଣିନେଲେ । ପ୍ରଯୋଜକ ନିର୍ଦ୍ଦେଶକଙ୍କର ଝଗଡ଼ା ହେଲା । ନିଦେ୍ର୍ଧଶକ ବାହାରିଗଲେ । ଅବଶିଷ୍ଟ ଅଂଶର ନିର୍ଦ୍ଦେଶକ ହେଲେ କ୍ୟାମେରାମ୍ୟାନ ଦାଦା । ଚିତ୍ର ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ କ୍ୟାମେରାମ୍ୟାନ ଦାଦାଙ୍କ ରୁମ ଭିତରେ ମୋର ଅବାଧ ଗତି ଥିଲା । କିନ୍ତୁ ଯେଉଁଦିନ ଚିତ୍ର ଗ୍ରହଣ ଶେଷ ହେଲା ସେଇଦିନ ଦାଦାଙ୍କଠାରୁ ଏକାନ୍ତରେ ବିଦାୟନେବା ସୁୁଯୋଗ ପ୍ରଯୋଜକ ମତେ ଦେଲେ ନାହିଁ ।

ଯଦିଓ ଦାଦା ବିବାହିତ, ତଥାପି କେଜାଣି କାହିଁକି ମୁଁ ତାଙ୍କୁ ଭଲପାଇ ବସିଲି । କାରଣ ବୋଧହୁଏ ଏଇଆ-ମତେ ଦାଦା କହୁଥିଲେ ବମ୍ବେ ନେଇଯିବେ ଓ ସେଠାରେ ଆଉ ଗୋଟାଏ ଫ୍ଲାଟରେ ରଖି ମତେ ହିନ୍ଦୀ ଚଳଚ୍ଚିତ୍ରରେ ମିଶେଇ ଦେବେ । କିନ୍ତୁ ହେଲା ନାହିଁ । ସିନେମା ଜଗତ କହିଲେ କେବଳ ପ୍ରଯୋଜକଙ୍କ ସହିତ ମୋର ଏହି ସଂପର୍କ ରହିଲା ।

……    ……    ……

ଯା’ହେଉ ପ୍ରଥମ ଚିତ୍ର ସଫଳ ହେଲା । କିନ୍ତୁ ନାୟକ ବିଜୟ ଭାଇଙ୍କ ମନରେ ଭାରି ଦୁଃଖ । ମୁଁ ତାଙ୍କୁ ଧରାଛୁଆଁ ଦେଲି ନାହିଁ । ସେଥିଲାଗି ଦେଖେଇ ଦେଖେଇ ଅନେକଥର କହିଲେ । ଶେଷରେ ଯେଉଁଦିନ ଚଳଚ୍ଚିତ୍ର ମୁକ୍ତିଲାଭ କଲା, ନାୟକ ମତେ ଡାକିନେଇ ଗଲେ ତାଙ୍କ ଭଉଣୀ ଘରକୁ । ବାଟରେ ପଡ଼ିଲା ଗୋଟେ ହୋଟେଲ । ସେଠି ନାୟକ ଦେଖିବାକୁ ଗଲେ ଜଣେ ବନ୍ଧୁଙ୍କୁ । କିଛି ସମୟ ପରେ ଆସି କହିଲେ – ତାଙ୍କ ବନ୍ଧୁ ତାଙ୍କୁ ଅପେକ୍ଷା କରିବାକୁ କହିଛନ୍ତି । ତେଣୁ ଅଗତ୍ୟା ମୁଁ ଓ ବିଜୟଭାଇ ତାଙ୍କ ବନ୍ଧୁଙ୍କ ରୁମରେ ବସିଲୁ । ତା’ପରେ ଅନେକ ଅଗତ୍ୟା ଭିତର ଦେଇ ସାରା ସନ୍ଧ୍ୟାବେଳଟା କଟିଗଲା ।

ମୁୁଁ ଅନୁଭବ କଲି ମୁଁ ମା’ ହେବାକୁ ଯାଉଛି । କାହାକୁ କହିବି? ରମିଭାଇ ଗାଁରେ । ଅଜୟ ଭାଇ ଅନ୍ୟ ଚଳଚ୍ଚିତ୍ରରେ ବ୍ୟସ୍ତ । ବିଜୟଭାଇ ଅନ୍ୟ ସହରରେ ରହନ୍ତି । କ୍ୟାମେରାମ୍ୟାନ ଦାଦା ବମ୍ବେ ସହରରେ । ପ୍ରଯୋଜକ ତାଙ୍କ ବ୍ୟବସାୟରେ ଭାରି ବ୍ୟସ୍ତ । ପରିବେଶକଙ୍କ ଅଫିସ ଖୁବ ଗହଳି । ବାଧ୍ୟ ହୋଇ କହିଲି ଜଣେ ଚରିତ୍ର ଅଭିନେତାଙ୍କୁ । ସେ ଜଣେ ସ୍କୁଲର ହେଡମାଷ୍ଟର । କିନ୍ତୁ ଅଭିନୟ କରିବା ତାଙ୍କର ଖୁବ ସଉକ । ସେ ମତେ ବଡ଼ ଦୟା ଦୃଷ୍ଟିରେ ଦେଖୁଥିଲେ ।

“ମନ ଜାଣେ ପାପ ଓ ମା ଜାଣେ ବାପ” – ଆପ୍ତବଚନଟି ଯେତେବେଳେ ମୋର ଏ ଦୂରାବସ୍ଥା ନିକଟରେ ପରାସ୍ତ ହେଲା, ସେତେବେଳେ ହେମନ୍ତଭାଇ (ସେଇ ହେଡମାଷ୍ଟର ଚରିତ୍ର ଅଭିନେତା)ଙ୍କ ଛଡ଼ା ମୋର ଗତି ମୁକ୍ତି କିଏ ଥିଲା?

ହେମନ୍ତ ଭାଇ ନେଇଗଲେ ମତେ ଗୋଟେ ଘରୋଇ ଡାକ୍ତରଖାନାକୁ – ଯେଉଁଠି ମୁଁ ହାତଧୋଇ ପୁଣି ସତୀ ହୋଇ ସମାଜକୁ ଚାଲିଆସିଲି । କେବଳ ହେମନ୍ତ ଭାଇ ପାଖରେ ମୋର ଦୁର୍ବଳତା ରହିଗଲା ।

ଏହା ଭିତରେ ମୁଁ ଷ୍ଟାର ହୋଇଯାଇଛି । ମତେ ବହୁତ କଣ୍ଟ୍ରାକ୍ଟ ମିଳିଛି । ପ୍ରଶଂସା ମିଳିଛି । ମିଳିଛି ସମ୍ମାନ, ଉପଢୌକନ । କିନ୍ତୁ ହେମନ୍ତଭାଇଙ୍କ ପାଖରେ ଏକ ମାତ୍ର ଦୁର୍ବଳତାଟା ରହିଗଲା । ହେମନ୍ତଭାଇ ମୋର ଗାର୍ଜନ ହୋଇ ରହିଗଲେ । ହେମନ୍ତ ଭାଇଙ୍କର ମଧ୍ୟ ବୟସର ଯୌନଲିପସାର ଖେଳପଡ଼ିଆ ହେଲି ମୁଁ । ପ୍ରତିଥର ହେମନ୍ତ ଭାଇଙ୍କୁ ମୁଁ ବାରଣ କଲେ ସେ କୁହନ୍ତି, “ତୋର କିଛି ଭୟ କରିବାର ନାହିଁ – ନା ତୁ ମା ହୋଇପାରିବୁ ନା ମୁଁ ମୋର ବାପ ହେବାର ଶକ୍ତିକୁ ବଂଚେଇ ରଖିଛି ।”

……    ……    ……

ସେଦିନ ରାଜଧାନୀର ସରକାରୀ ରଙ୍ଗମଞ୍ଚ ଉପରେ ଶ୍ରେଷ୍ଠ ନାୟିକାର ସମ୍ମାନ ପାଇ ସାରିଲା ପରେ ମନହେଲା ଗାଁକୁ ଫେରିଯିବି । ବୋଉ ମୋ ସହିତ ଗାର୍ଜନ ହିସାବରେ ଯିବା ଅନେକ ଦିନରୁ ଛାଡ଼ି ଦେଇଛି । ହେମନ୍ତ ଭାଇ ତ ଅଛନ୍ତି? ତା’ର କ’ଣ ଦରକାର? ଗୋଟାଏ ନିଷଳା କଦଳୀ ଗଛର ଜୀବନ ନେଇ ମୁଁ ଗାଁ ବସଷ୍ଟାଣ୍ଡରେ ଓହ୍ଲାଇଲାବେଳେ ମୋ ପିଲାଦିନର ପ୍ରଥମ ପ୍ରେମିକ ଚନ୍ଦ୍ରମଣି ଦଳେଇ ତା’ ପୁଅକୁ ନେଇ ସ୍କୁଲକୁ ଯାଉଛି । ମତେ ଦେଖି ସେ କହିଉଠିଲା – “ଭଲ କରିଛୁ ଲୋ, କେଉଟଘର ବୋହୂ ହୋଇଥିଲେ କେତେ ଜଣ ତତେ ଚିହ୍ନିଥାନ୍ତେ?”

ମୁଁ ତା ପୁଅକୁ କୋଳେଇ ନେଇ ଭାବୁଛି – ଏ ପିଲାଟିର ମା’ ମୁଁ ହୋଇଥିଲେ କେତେ ଭଲ ହୋଇଥାଆନ୍ତା?

Leave A Reply

Your email address will not be published.