Latest Odisha News

BREAKING NEWS

‘ଝିଅ ମାନେ ରୋଷେଇ ଘରେ ରହିବା ଦରକାର’: କଂଗ୍ରେସ ବିଧାୟକଙ୍କ ବୟାନର ଜବାବ ଦେଲେ ସାଇନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିବାଦ ଭିତରେ ଛନ୍ଦି ହୋଇପଡିଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ବିଧାୟକ ଶାମନୁର ଶିବଶଙ୍କରପ୍ପା । ଶିବଶଙ୍କରପ୍ପା ମହିଳାଙ୍କୁ ନେଇ ଦେଇଥବା ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି। ସେପଟେ ଶିବଶଙ୍କରପ୍ପାଙ୍କ ବୟନର ଉତ୍ତର ଦେଇଛନ୍ତି ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ । ୯୨ ବର୍ଷିୟ କଂଗ୍ରେସ ବିଧାୟକ ଶିବଶଙ୍କରପ୍ପା ବିଜେପି ପ୍ରାର୍ଥୀ ଗାୟତ୍ରୀ ସିଦ୍ଧେଶ୍ୱରଙ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ ।

ଗାୟତ୍ରୀ ସିଦ୍ଧେଶ୍ୱରଙ୍କୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ କହିଥିଲେ ଯେ, ମହିଳାମାନେ ନିଜକୁ ରୋଷେଇ ଘର ପର୍ଯ୍ୟନ୍ତ ସୀମିତ ରଖିବା ଉଚିତ୍। ଏପରି ମହିଳା ବିରୋଧି ବିବୃତ୍ତିକୁ ନେଇ ସାଇନା ନେହୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କଡା ଜବାବ ଦେଇଛନ୍ତି । ସଇନା ଲେଖିଛନ୍ତି ଯେ, ବିଜେପି ପ୍ରାର୍ଥୀ ଗାୟତ୍ରୀ ସିଦ୍ଧେଶ୍ୱରଙ୍କୁ ନେଇ ଦିଆଯାଇଥିବା ଟିପ୍ପଣି ଏହି ଦଳରୁ କେବେ ଆଶା କରାଯାଏନାହିଁ । ଯେଉଁ ଦଳ ସବୁବେଳେ ମହିଳା ମାନଙ୍କ ସୁରକ୍ଷାକୁ ନେଇ ସେମାନଙ୍କ ସମ୍ମାନକୁ ନେଇ ଅନେକ କଥା କୁହେ । ଏହି ମନ୍ତବ୍ୟରେ ସାଇନା ପରୋକ୍ଷରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ନେହୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ମୁଁ କ୍ରୀଡ଼ାରେ ଭାରତ ପାଇଁ ପଦକ ଜିତିଥିଲି, ସେତେବେଳେ କଂଗ୍ରେସ ଦଳକୁ ଏହା କହିବା ଦରକାର ଥିଲା କି ମୋତେ କଣ କରିବା ଉଚିତ୍ । ଯେତେବେଳେ ଦେଶର ସମସ୍ତ ଝିଅ ଏବଂ ମହିଳାମାନେ ନିଜ ପସନ୍ଦର ଯେକୌଣସି କ୍ଷେତ୍ରରେ ବଡ଼ ସଫଳତା ହାସଲ କରିବାକୁ ସ୍ୱପ୍ନ ଦେଖୁଛନ୍ତି, ସେତେବେଳେ ଏପରି କଥା କହିବା କଣ ଦରକାର । ଅନ୍ୟପକ୍ଷରେ, ଆମେ ମହିଳା ଶକ୍ତିକୁ ସମ୍ମାନ ଦେଉଛୁ ।

ବାସ୍ତବରେ କଂଗ୍ରେସ ବିଧାୟକ ବିଜେପିର ମହିଳା ପ୍ରାର୍ଥୀଙ୍କୁ ନେଇ କହିଛନ୍ତି ଯେ, ତାଙ୍କୁ କିଛି ଜଣା ନାହିଁ । ସେ କେବଳ ରୋଷେଇ କରିବା ଜାଣିଛନ୍ତି । ଯାହାକୁ ନେଇ ରାଜନୀତି ଜୋର ଧରିଛି ।

Leave A Reply

Your email address will not be published.