Latest Odisha News

BREAKING NEWS

ବାହୁବଳୀ ସିଙ୍ଗଡ଼ା ଖାଆନ୍ତୁ, ୭୧ ହଜାର ଟଙ୍କା ନିଅନ୍ତୁ

ଲକ୍ଷ୍ନୌ : ସମସ୍ତେ ଚାହାଁନ୍ତି ଅନ୍ୟମାନଙ୍କ ତୁଳନାରେ କିଛି ଭିନ୍ନ କରିବା । କାରଣ ଭିଡ଼ ଭିତରୁ ନିଆରା ପରିଚୟ ପାଇବା ପାଇଁ ଅନେକ ଆଗ୍ରହ ରଖନ୍ତି । ତେବେ ଉତ୍ତରପ୍ରଦେଶର ଜଣେ ମିଠାଦୋକାନୀ ଏଭଳି କିଛି ଭିନ୍ନ କରିବାକୁ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି । ୧୨ କେଜି ଓଜନର ସିଙ୍ଗଡ଼ାକୁ ଜଣେ ଖାଇପାରିଲେ ୭୧ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରିଛନ୍ତି । ନିଜର ଏହି ଉଦ୍ୟମ ପାଇଁ ସେ ଚର୍ଚ୍ଚାରେ ଥିବା ବେଳେ ସିଙ୍ଗଡ଼ା ଖାଇ ପୁରସ୍କାର ପାଇବାକୁ ଏବେ ଅନେକ ଅଣ୍ଟା ଭିଡ଼ୁଛନ୍ତି ।

ଉତ୍ତରପ୍ରଦେଶରେ ରହିଛି ଶୁଭମ୍ କୌଶଲଙ୍କ ଏକ ମିଠା ଦୋକାନ । ଏହି ମିଠା ଦୋକାନ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଲା, ଦୋକାନରେ ପ୍ରସ୍ତୁତ ହୋଇଥିବା ବିରାଟ ସିଙ୍ଗଡ଼ା । ଏହି ସିଙ୍ଗଡ଼ାର ନାଁ ରଖାଯାଇଛି ବାହୁବଳୀ ସିଙ୍ଗଡ଼ା । ଏହି ସିଙ୍ଗଡ଼ାର ଓଜନ ୧୨ କେଜି ହୋଇଥିବା ବେଳେ ଏହାର ଦାମ ୧୫୦୦ ଟଙ୍କା ରହିଛି । କେବଳ ସେତିକି ନୁହେଁ, ଏହାକୁ ଯିଏ ୩୦ ମିନିଟ୍‌ରେ ସମ୍ପୂର୍ଣ୍ଣ ଖାଇବ, ତାଙ୍କୁ ୭୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଶୁଭମ୍ ଘୋଷଣା କରିଛନ୍ତି । ତାଙ୍କର ଜନ୍ମଦିନ ଅବସରରେ ସେ ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜର ଆୟୋଜନ କରିଥିବା କହିଛନ୍ତି ।

ଏବେ ଏହି ସିଙ୍ଗଡ଼ା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି ଚ୍ୟାଲେଞ୍ଜକୁ କେହି ବି ପୂରଣ କରିପାରି ନାହାନ୍ତି । କେବଳ ଜଣେ ଗ୍ରାହକ ୨୫ ମିନିଟ୍‌ରେ ସିଙ୍ଗଡ଼ାର ୯ କେଜି ଖାଇପାରିଥିଲେ । ଆଗକୁ କେହି ନା କେହି ତାଙ୍କ ଚ୍ୟାଲେଞ୍ଜକୁ ପୂରଣ କରିପାରିବେ ବୋଲି ସେ ଆଶା ରଖିଛନ୍ତି । ଏବେ ଏହି ବାହୁବଳୀ ସିଙ୍ଗଡ଼ାକୁ ଦେଖିବାକୁ ଦୋକାନରେ ଭିଡ଼ ଜମୁଛି । ଏହି ସିଙ୍ଗଡ଼ାକୁ ପ୍ରସ୍ତୁତ କରିବାକୁ ତାଙ୍କୁ ୬ ଘଣ୍ଟା ସମୟ ଲାଗିଥିଲା । ସିଙ୍ଗଡ଼ା ଭିତରେ ୭ କିଲୋ ଓଜନର ମସଲା ଭର୍ତ୍ତି କରାଯାଇଥିଲା । ତାକୁ ଛାଣିବାକୁ ଦେଢଘଣ୍ଟା ସମୟ ଲାଗିଥିଲା ।

ଏହା ପୂର୍ବରୁ ସେ ଗତବର୍ଷ ୮ କେଜି ଓଜନର ବାହୁବଳୀ ସିଙ୍ଗଡ଼ା ପ୍ରସ୍ତୁତ କରିଥିଲେ । ଏହାର ମୂଲ୍ୟ ରଖିଥିଲେ ୧୧୦୦ ଟଙ୍କା ଏବଂ ପୁରସ୍କାର ରାଶି ବାବଦରେ ମିଳିବ ୫୧ ହଜାର ଟଙ୍କା ।

Leave A Reply

Your email address will not be published.