ଝରଣା ବାରିକ
ଦିନର ଶେଷରେ ରାତି ଆରମ୍ଭରେ
ପାଦ ଚିପି ଚିପି ଆସ,
ମୁଣ୍ଡରେ ଓଢ଼ଣା ହାତେ ବାଜେ ବୀଣା
କଳା ଶାଢୀ ପିନ୍ଧି ହସ।
ସୂର୍ଯ୍ୟ ଲୁଚିଯାଏ ଜହ୍ନ ଆସିଯାଏ
ତୁମ ମୁହଁ ଯେବେ ଚାହେଁ,
ପକ୍ଷୀମାନେ ଉଡି ଯାଆନ୍ତି ବସାକୁ
ଯେତେ ଦୂରେ ଥାଉ ଯିଏ।
ତରତର ହୋଇ ଲୁଗା ପାଲଟାଇ
ବୋଉ ଦିଏ ସଞ୍ଜ ବତୀ,
ସଞ୍ଜ ହେଲେ ଆଈ ଗପ ପେଡ଼ି ଖୋଲେ
ଶୁଣୁ ଥାଏ ବସି ନାତି।
ମନ୍ଦିରରୁ ଶୁଭେ ଘଣ୍ଟ ଘଣ୍ଟି ନାଦ
ଶୁଭେ ଭାଗବତ ଗୀତା,
ବହି ଖଣ୍ଡେ ଧରି ପାଠ ପଢିବସେ
ପଢା ଘରେ ଯାଇ ରୀତା।
ଚଷା ପୁଅ ଫେରେ କ୍ଷେତରୁ ତାହାର
ସଞ୍ଜ ଯେବେ ଆସେ ଧାଇଁ,
ବିଶ୍ରାମଟି ଲୋଡା ସଭିଙ୍କର ଏଠି
ସଞ୍ଜ ଆସେ ତାକୁ ନେଇ।
ଦିନ ଆସେ ନେଇ କର୍ତ୍ତବ୍ୟକୁ ସାଥେ
ରାତି ଆସେ ନିଦ ନେଇ,
ସନ୍ଧ୍ୟା ଦେବୀ ଆଣେ ଖୁସିର ଆସର
ସଭିଙ୍କର ସୁଖ ସେଇ।
ଝରଣା ବାରିକ
ସମଲ, ତାଳଚେର, ଅନୁଗୋଳ
Comments are closed.