Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଭଗ୍ନ ଦୁର୍ଗର ଅଧୀଶ୍ୱର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୫  

ମୂଳ ହିନ୍ଦୀ: ମୋହନ ରାକେଶ 

ପୂରା ସାଢ଼େ ସାତବର୍ଷ ପରେ ଏଇ ଲୋକମାନେ ଲାହୋରରୁ ଅମୃତସର ଆସିଥିଲେ । ହକି ମ୍ୟାଚ୍‍ ଦେଖିବା କେବଳ ବାହାନା ଥିଲା । ଅସଲ ମତଲବ କିନ୍ତୁ ଥିଲା ସେମାନଙ୍କ ପ୍ରାଣଠାରୁ ବଳି ନିଜର ସହର ଅମୃତସରକୁ ଆଉ ଥରେ ଆଖିପୁରେଇ ଦେଖିବା । ବାକାଅଜା ଅମଳରୁ ଯେଉଁ ଜାଗା, ଯେଉଁ ସହର ସେମାନଙ୍କର ନିଜର ଥିଲା ଗଲା ସାଢ଼େ ସାତବର୍ଷ ତଳେ ସେସବୁ ରାତାରାତି ସେମାନଙ୍କ ଲାଗି ପର ହୋଇଯାଇଥିଲା ସବୁଦିନପାଇଁ । ସେତେବେଳେ ଏ ସହରର କୋଉ ରାସ୍ତାରେ ଯେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଦୋକାନ ଥିଲା ସେକଥା କେହି କହି ପାରିବେନି । ହିନ୍ଦୁ, ଶିଖ୍‍ ସମ୍ପ୍ରଦାୟଙ୍କ ଭଳି ସେମାନେ ବି ଏ ସହରର ଗୋଟିଏ ଅଂଶୀଦାର ଥିଲେ । କିନ୍ତୁ ଏବେ ଏ ଲୋକ ପଞ୍ଜାବ ରାସ୍ତାର ଦି’କଡ଼େ ଥିବା କୋଠାଠାରୁ ଆରମ୍ଭ କରି ଦୋକାନବଜାର ପର୍ଯ୍ୟନ୍ତ ସବୁଆଡ଼େ ଆଖି ବୁଲେଇ ନେଉଥିଲେ । ଯେମିତି ଏଇଟା ଗୋଟିଏ ସାଧାରଣ ସହର କି ରାସ୍ତା ନୁହେଁ, ଆଉ କିଛି ଗୋଟିଏ ଆକର୍ଷଣୀୟ ସ୍ଥଳୀ ଓ ଦର୍ଶନୀୟ ବସ୍ତୁ ।

ସହରର ପ୍ରତ୍ୟେକ ଗଳି ଓ ରାସ୍ତା ଉପରେ ଯାଉ ଯାଉ ସେମାନେ ପରସ୍ପର ମୁହଁକୁ ଚାହାଁଚୁହିଁ ହେଉଥିଲେ । ସେମାନଙ୍କର ମନେ ପଡ଼ିଯାଉଥିଲା ଅତୀତର ପ୍ରତ୍ୟେକଟି ସ୍ମୃତି ଯାହା ଏଇ ସହର ସହ ଜଡ଼ିତ ରହିଛି । ଜଣେ କହିଉଠିଲା,‘ଆରେ ଫରହଦ୍ଦିନ୍‍, ଦେଖ୍‍, ଦେଖ୍‍, ମିଶ୍ରିବଜାରରେ ଏବେ ଆଉ ବେଶୀ ମିଶ୍ରି ଦୋକାନ ନାହିଁ । ପୂରାପୂରି କମିଗଲାଣି ।’ ଆଉ ଜଣେ କିଏ କହିଲା,‘ଏବେ ସେଠି ଗୋଟିଏ ପାନ ଦୋକାନ କିଏ କଲାଣି!’ ତୃତୀୟ ଜଣକ ହଠାତ୍‍ କାଟି କରିଉଠିଲା,‘ଖାଁ ସାହେବ୍‍, ଏପଟେ ନମକମଣ୍ଡି ଆଡ଼େ ଚାହଁ । ଏଠାକାର ଲାଲଙ୍କ ସ୍ତ୍ରୀମାନେ ଏବେ ବି ସେମିତି ଲୁଣି ବିସ୍କୁଟ୍‍ ଭଳିଆ ଦେଖା ଯାଉଛନ୍ତି, ଯେମିତି ପାଟିରୁ ଲାଳ ବହିପଡ଼ୁଛି… ।’

ଢେର୍‍ ବର୍ଷ ପରେ ଅମୃତସର ରାସ୍ତାରେ ନାଲିରଙ୍ଗର ତୁର୍କୀବାଲା ଟୋପିପିନ୍ଧା ଲୋକମାନଙ୍କୁ ଦେଖିବାକୁ ମିଳୁଥିଲା । ଲାହୋରରୁ ଆସିଥିବା ମୁସଲମାନଙ୍କ ଭିତରୁ ଅନେକଙ୍କ ମୁଣ୍ଡରେ ଏଇ ଟୋପି । ହଁ, ଦେଶ ଭାଗ ଭାଗ ହେଲାବେଳେ ଏମିତି ଗୋଟିଏ ଗୋଷ୍ଠୀର ମୁସଲମାନ ଥିଲେ ଯେଉଁମାନେ ବାଧ୍ୟ ହୋଇ ଭାରତ ଛାଡ଼ିଥିଲେ । କାରଣ, ସେମାନଙ୍କ ସାମ୍ନାରେ ପ୍ରାଣ ବଞ୍ଚେଇବାକୁ ଆଉ କିଛି ଅନ୍ୟ ବାଟ ନ ଥିଲା । ସେମାନଙ୍କୁ ଆଉ କିଛି ବୁଦ୍ଧିବାଟ ଦିଶି ନ ଥିଲା । ସେଇଭଳିଆ କେଇଜଣ ମୁସଲମାନ ଲୋକ ଏବେ ଅମୃତସର ସହରକୁ ଚାହୁଁଥାଆନ୍ତି ନିଜର ହଜିଲା ସମ୍ପଦ ଭଳିଆ ।ଏଇ ସାଢ଼େ ସାତବର୍ଷ ଭିତରେ ସହରରେ ଯେଉଁଠି ଯାହା ଯାହା ସବୁ ପରିବର୍ତ୍ତନ ହୋଇଥିଲା ସେମାନେ ତାକୁ ଘୂରି ଘୂରି ଦେଖୁଥିଲେ । କେଉଁଠି ସେମାନଙ୍କ ମନ ଏସବୁ ଦେଖି ଖୁସିରେ ଭରି ଯାଉଥିଲା ତ ଆଉ କେଉଁଠି ସେମାନଙ୍କ ପୁରୁଣା ଦିନର ସ୍ମୃତିକୁ ଚେତେଇ ଦେଇ ଉଦାସ ହୋଇ ଉଠୁଥିଲା । କେବଳ ଘଡ଼ିକେ ପହରକେ ଜଣ ଜଣକ ତୁଣ୍ଡରୁ ବାହାରି ପଡ଼ୁଥିଲା- ‘ଆଲ୍ଲା!’ କିଏ ଜଣେ ଏତିକିବେଳେ କହିଉଠିଲା- ‘ଆରେ ଇଏ କଟରା ଜୟମଲ୍‍ ସିଂହ କୋଉଦିନ ଏତେ ମୋଟା ହୋଇଗଲା?’ ‘ଆରେ, ଏଠିତ ହକୀମ ଅସିଫ ଅଲ୍ଲୀଙ୍କ ଦବାଖାନା ଥିଲା, ନୁହେଁ? ଏବେ ଏଇ ମୋଚି ସେ ଘରେ ତା’ ଦୋକାନ ଜମେଇଲାଣି!’

ଆଉ କେଉଁ ରାସ୍ତା ମୋଡ଼ରେ କାହା ତୁଣ୍ଡରୁ ଅବା ବାହାରି ପଡ଼ୁଥିଲା- ‘ଆରେ ଭାଇ, ବାଃ! ଏଠି ଏ ମସଜିଦଟା ଯେମିତି ଥିଲା ସେମିତି ଠିଆ ହେଇଛି! ଲୋକମାନେ ସେଇଟାକୁ ଭାଙ୍ଗି ଗୁରୁଦ୍ୱାରା ବନେଇ ନାହାନ୍ତି!’

ସେଦିନ ସହରର ଯେଉଁ ଯେଉଁ ରାସ୍ତାଦେଇ ପାକିସ୍ତାନୀ ଲୋକମାନଙ୍କ ଗାଡ଼ି ଯାଉଥାଏ ଲୋକମାନେ ବଡ଼ ଆଗ୍ରହ ସହକାରେ ସେମାନଙ୍କୁ ଚାହିଁ ଦେଖୁଥାଆନ୍ତି । ଆଉ କିଛି ଲୋକ ତ ଏବେ ବି ମୁସଲମାନ ଲୋକଙ୍କୁ ଦେଖି ଏମିତି ବାଟରୁ ଆଡ଼େଇ ହୋଇଯାଉଥାଆନ୍ତି ସତେ ଯେମିତି ସେମାନେ ସେଇ ସାଢ଼େ ସାତବର୍ଷ ତଳର ଶତ୍ରୁ! ଆଉ କିଛି ଲୋକ ସେମାନଙ୍କ ପାଖକୁ ଆସି ହାନିଲାଭ ପଚାରି ବୁଝୁଥାଆନ୍ତି । ଭଲମନ୍ଦ କଥାବାର୍ତ୍ତା ହେଉଥାଆନ୍ତି । ଥୋକାଏ ତ ଏମିତି ପ୍ରଶ୍ନ ପଚାରୁଥାଆନ୍ତି ଯେମିତି ପାକିସ୍ତାନ ଏ ଗ୍ରହର ନୁହେଁ ଆଉ କେଉଁ ଗ୍ରହରେ ଅବସ୍ଥିତ ।

‘ଆଜିକାଲି ଲାହୋର ସହରର ହାଲଚାଲ୍‍ କ’ଣ?’ ‘ଅନାରକଲୀରେ ଏବେ ସେମିତି ଆଗଭଳିଆ ଜାକଜମକ ଅଛି ନା ନାହିଁ?’ ‘ଆମେ ଶୁଣୁଥିଲୁ କାଳେ ଶାହା ଆଲମ୍‍ ଗେଟ୍‍ ପାଖ ବଜାରକୁ ପୁରା ନୂଆକରି ଆଉଥରେ ତିଆରି କରାହୋଇଛି?’ ‘କୃଷ୍ଣନଗରରେ ତ ସେମିତି କିଛି ନୂଆ ପରିବର୍ତ୍ତନ ଆସିନି?’ ‘ଆଚ୍ଛା ସତ କହିଲ ଭାଇ, ରିସବତପୁରା କ’ଣ ସତରେ ଘୁସ୍‍ ପଇସାରେ ତୋଳା ହୋଇଛି?’ ‘ଏଠିକାର ଲୋକେ କୁହାକୁହି ହେଉଚନ୍ତି, ଆଜିକାଲି କୁଆଡ଼େ ପାକିସ୍ତାନରେ ସ୍ତ୍ରୀଲୋକମାନେ ଆଉ ବୁର୍ଖା ପିନ୍ଧୁନାହାନ୍ତି… ଏକଥା କ’ଣ ସତ?’ ଏମିତି ଏମିତି ଅନେକ ପ୍ରଶ୍ନ ।

ଏସବୁ ପ୍ରଶ୍ନ ଭିତରେ ଏତେ ଆତ୍ମୀୟତା ଥିଲା ଯେ ଲାଗୁଥିଲା ଯେମିତି ଲାହୋର ଆଉ ଗୋଟିଏ ଦେଶର ସହର ନୁହେଁ, ଏଇ ଭାରତର କୌଣସି ଗୋଟିଏ ନଗରୀ, ଯାହା ସହ ଏ ସହରର ହଜାର ହଜାର ଲୋକଙ୍କର ପୀଢ଼ି ପୀଢ଼ିର ସମ୍ପର୍କ ରହିଛି । ପାକିସ୍ତାନରୁ ଆସିଥିବା ମୁସଲମାନ ଲୋକମାନେ ଭାବୁଥିଲେ ସେମାନେ କେବଳ ସରକାରଙ୍କ ଅତିଥି ନୁହନ୍ତି, ସାରା ସହରଟାଯାକର ଅତିଥି । ଲୋକମାନଙ୍କ
କଥାରେ କେତେ ଆନ୍ତରିକତା! ସେମାନଙ୍କ ବିଷୟରେ ସବୁ କଥା ଜାଣିବା ଲାଗି କି ଆଗ୍ରହ! ପୁଣି ସେମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନେ କି ଆତ୍ମତୃପ୍ତି ପାଉଛନ୍ତି!

ବଜାର ବାସା ଅମୃତସର ସହରର ଗୋଟିଏ ଛୋଟକାଟର ବଜାର । ସେ ବଜାରରେ ସେମିତି କିଛି ବେଶୀ କାରବାର ନଥାଏ କି ଲୋକଙ୍ଗ ଗହଳଚହଳ ବି ନ ଥାଏ । ଦେଶ ବିଭାଜନ ହେବା ଆଗରୁ ଏଇ  ଜାଗାଟି ଗୋଟିଏ ମୁସଲମାନ ବସ୍ତି ଥିଲା । କେଇ ଘର ଗରିବ ମୁସଲମାନ ସେଇଠି ରହୁଥିଲେ । ସେଠି କେବଳ ବାଉଁଶ, କାଠ ଆଉ ସେମିତିକିଆ ଘର ତିଆରି ଉପକରଣର ଦୋକାନ କେଇଟା ଥିଲା । ହେଲେ ଗୋଟିଏ ଥର ନିଆଁରେ ସାରା ବଜାରଟା ଜଳିପୋଡ଼ି ପାଉଁଶ ପାଲଟିଗଲା । ବୟସ୍କ ଲୋକମାନେ ଏବେବି କହନ୍ତି, ସେମାନେ ଅମୃତସର ସହରରେ ଆଗରୁ କେବେ ଏତେ ବଡ଼ ଭୟଙ୍କର ଅଗ୍ନିକାଣ୍ଡ ଦେଖି ନ ଥିଲେ । ସେ ନିଆଁ ଦେଖି ସମସ୍ତେ ଡରି ଯାଇଥିଲେ । ସାରା ସହରଟା ସେନିଆଁରେ ଧ୍ୱଂସ ପାଇଯିବ ବୋଲି ସଭିଏଁ ଆଶଙ୍କା କରୁଥିଲେ । ବଜାର ସାଙ୍ଗକୁ ତା’କଡ଼ରେ
ଥିବା ଅନେକ ଘର ବି ଜଳିପୋଡ଼ିଗଲା । କେବଳ ମୁସଲମାନ ଲୋକଙ୍କ ଘର ନୁହେଁ, ତା’ର ଚାରିଗୁଣା ଅଧିକ ହିନ୍ଦୁ ଲୋକଙ୍କ ଘର ବି ପୋଡ଼ିଜଳି ଯାଇଥିଲା । ଏଇ ସାଢ଼େ ସାତବର୍ଷ ଭିତରେ ସେଠି ଗୋଟିଏ ଗୋଟିଏ ଜାଗାରେ ନୂଆ ଘରସବୁ ତିଆରି ହେଲାଣି । ହେଲେ
ଅବଶିଷ୍ଟ ଜାଗାରେ ଏବେ ବି ସାତବର୍ଷ ତଳର ସେଇ ପାଉଁଶଗଦାସବୁ ସେମିତି ରହିଛି । ସାରା ଇଲାକାକୁ ଲକ୍ଷ୍ୟ କଲେ ଜଣା ପଡ଼ୁଥିଲା ଯେମିତି ଗୋଟିଏ ବିଶାଳ ଶ୍ମଶାନ ଭିତରେ ଠାଏ ଠାଏ ଗୋଟିଏ ଲେଖାଏଁ ଘର ମୁଣ୍ଡ ଟେକିଛି ।

ଆଜି ବି ବଜାରସାରା ବେଶ୍‍ ଶୂନଶାନ୍‍ ଲାଗୁଥିଲା । କାହିଁକି ନା ଘରପୋଡ଼ି ସାଙ୍ଗରେ ଅଧିକାଂଶ ଲୋକ ତ ନିଆଁରେ ପୋଡ଼ିଜଳି ମରିଥିଲେ । ଯିଏ ଅବା ପ୍ରାଣ ବିକଳରେ ଜାଗାଛାଡ଼ି ପଳେଇଥିଲା ଆଉ ଲେଉଟିବାକୁ ସାହସ ପାଇ ନ ଥିଲା । ଏତେ ବର୍ଷ ପରେ ଭାରତ ବୁଲି ଆସିଥିବା ମୁସଲମାନଙ୍କ ଭିତରୁ ସୁଦ୍ଧା କେଇଜଣଙ୍କ ଘର ଦିନେ ଏଇ ଗଳିରେ ଥିଲା । ହେଲେ ଆଜି ସେମାନେ କେହି ଏଠିକି ଆସିବାକୁ ମନ ବଳେଇ ନ ଥିଲେ । କାହିଁକି ଅବା ଆସିବେ? ବାପାଅଜା ଚଉଦପୁରୁଷଙ୍କ ଭିଟାମାଟି ତ ଆଜି ଆଉ ସେମାନଙ୍କର ହୋଇ ନାହିଁ । ହେଲେ ସେମାନଙ୍କ ସାଥିରେ ଥିବା ଜଣେ ବୃଦ୍ଧ କିନ୍ତୁ ନିଜ ଭିଟାମାଟିର ମୋହ ତୁଟାଇ ପାରି ନ ଥିଲେ । ସତେ କି ସେଠାକୁ ତାଙ୍କୁ
କିଏ ଟାଣି ଆଣିଥିଲା! ପତଳା ଚେହେରା, ଡେଙ୍ଗା ଶରୀର, ବୟସ ଯେପରି ସବୁ ଶକ୍ତି ତାଙ୍କଠାରୁ ଛଡ଼େଇ ନେଇଥିଲା । ଧୀର ପାଦରେ ସିଏ ଆସି ପହଞ୍ଚିଲେ ଏଇ ବଜାରର ଗୋଟିଏ ମୋଡ଼ରେ ।

ସେଇଠି ଠିଆହୋଇ ଦଣ୍ଡେ ଚାରିଆଡ଼କୁ ଆଖିବୁଲେଇ ନେଲେ । ଯେମିତି ସବୁକିଛି ଦୋ ଦୋ ଚିହ୍ନା ଲାଗୁଥିଲା । ଚିହ୍ନି ହେଉଚି,ପୁଣି ଚିହ୍ନି ହେଉନି । ତା’ପରେ ସେଇ ଚଉଛକୀର ବାଁ ଆଡ଼କୁ ଲମ୍ବି ଯାଇଥିବା ରାସ୍ତାଆଡ଼େ କେଇ ପାହୁଣ୍ଡ ପକେଇ ପୁଣି ଥରେ ଅଟକିଗଲେ । ଭୁଲ୍‍ ରାସ୍ତାରେ ସିଏ ଚାଲି ଯାଉନାହାନ୍ତି ତ? ତାଙ୍କର ବିଶ୍ୱାସ ହେଉ ନ ଥିଲା, ଯେଉଁ ଗଳିକୁ ସିଏ ମନେ ମନେ ଖୋଜୁଥିଲେ ସେଇ ଗଳି ଇଏ କି ନୁହେଁ? ପୁଣି ଥରେ ସେ ଚାହିଁଲେ ସେଇ ଗଳି ରାସ୍ତାକୁ । କିଛି ଦୂରରେ କେଇଟା ଛୋଟପିଲା କିତିକିତି ଖେଳୁଥିଲେ । ଆଉ କିଛି ଦୂରରୂ ଦି’ଜଣ ସ୍ତ୍ରୀଲୋକ ପରସ୍ପର ଭିତରେ ଝଗଡ଼ା କରୁଥିବା ଦିଶୁଥିଲା ।

ବୃଦ୍ଧ ମୁସଲମାନ ଜଣକ ମନକୁ ମନ କହିବାକୁ ଲାଗିଲେ, ‘ସବୁକିଛି ବଦଳିବାରେ ଲାଗିଛି, ହେଲେ ବୋଲିବାଣୀରେ ତ କାହିଁ କିଛି ପରିବର୍ତ୍ତନ ଘଟିନି!’ ତା’ପରେ ନିଜ ବଙ୍କୁଲିବାଡ଼ିଟିକୁ ଭରାଦେଇ ସେ ସେଇଠି ଦଣ୍ଡେ ଠିଆ ହୋଇଗଲେ । ଏତିକିବେଳେ ଗଳି ଭିତରୁ ଛୋଟ ପିଲାଟିଏ କାନ୍ଦି କାନ୍ଦି ସେଇ ଆଡ଼କୁ ଆସିଲା । ବୃଦ୍ଧ ଜଣକ ତାକୁ ପ୍ରବୋଧନା ଦେଲାଭଳି ସ୍ୱରରେ ପଚାରିଲା, ‘ଏଠିକି ଆ’ ବେଟା । କାଇଁକି କାନ୍ଦୁଚୁ? ଆ, ତତେ ଗୋଟେ ଚିଜ ଦେବି । ତୁନି ପଡ଼ିଯା ।’ ଆଉ ସେ ନିଜ କମିଜ ପକେଟରେ ହାତ ପୁରାଇ କଣ ଗୋଟିଏ ଜିନିଷ କାଢ଼ିବାକୁ ଉଦ୍ୟତ ହେଲାବେଳେ ଛୋଟି ପିଲାଟି ହଠାତ୍‍ କ୍ଷଣକ ଲାଗି ତୁନି ପଡ଼ିଗଲା । ହେଲେ ପର ମୁହୂର୍ତ୍ତରେ ସିଏ ପୁଣି କାନ୍ଦ ଆରମ୍ଭ କରିଦେଲା । ସେତିକିବେଳେ ଗଳି ଭିତରୁ ଷୋହଳ ସତର ବର୍ଷର ଝିଅଟିଏ ଦୌଡ଼ିଆସି ପିଲାଟିକୁ ସେଠାରୁ ଘୋଷାରି ନେଇଗଲା । ସତେ କି ସାକ୍ଷାତ ଏକ ଭୟଙ୍କର ଜୀବ ସାମ୍ନାରୁ ସେ ପିଲାଟିକୁ ରକ୍ଷା କରିବାକୁ ଏଭଳି କରୁଛି । ଝିଅଟି ତାକୁ କିଛିବାଟ ସେମିତିକା ନେଇଯିବା ପରେ କୋଳକୁ ଟେକିନେଇ ତା’ମୁହଁରେ କେଇଥର ଚୁମା ଦେଇ କହିଲା,‘ଚୁପ୍‍ ପଡ଼ିଯା’ ମୋ ସୁନାଧନଟା ପରା, କାନ୍ଦିବୁ ତ ସେଇ ବୁଢ଼ାମିଆଁ ତତେ ଧରିନେବ । କାନ୍ଦ୍‍ନା, ତୁନି ପଡ଼ ।’

ବୃଦ୍ଧଙ୍କ ହାତ ସେମିତି କେଇ କ୍ଷଣଲାଗି ପକେଟ ଭିତରେ ରହିଗଲା । ତା’ପରେ ସେ ପକେଟରୁ ହାତ ବାହାର କରିନେଲେ । ଏଥର ନିଜ ମୁଣ୍ଡରୁ ଟୋପିଟି କାଢ଼ି ବାଳକୁ କୁଣ୍ଡାଇଲେ ଓ ଟୋପିଟିକୁ ଯଥାରୀତି ପୁଣି ପିନ୍ଧିନେଲେ । ତାଙ୍କୁ ଲାଗିଲା ଯେମିତି ତାଙ୍କ ଗଳା ଶୁଖି ଆସୁଛି । ଦେହଟା ଗୋଟାପଣେ କମ୍ପିଉଠୁଛି । ସେ ଛକ ରାସ୍ତାକଡ଼ର ଗୋଟିଏ ଦୋକାନର ଚାଳରେ ଲାଗିଥିବା ଖୁଣ୍ଟକୁ ଧରି ନିଜକୁ ସମ୍ଭାଳିନେଲେ । ଗଳି ସାମ୍ନାରେ ଯେଉଁଠି ଆଗକୁ ଉଚ୍ଚା ଉଚ୍ଚା ଚାଳଘର ସବୁ ଥିଲା ଏବେ ସେଠାରେ ତିନିମହଲା କୋଠାଟିଏ ଠିଆ ହୋଇ ସାରିଥିଲା । ସାମ୍ନା ବିଜୁଳି ଖୁଣ୍ଟ  ଉପରେ ତାରରେ ଦି’ଟା ଚିଲ ସ୍ଥିରହୋଇ ତଳକୁ ଚାହିଁଥିଲେ । କିଛିକ୍ଷଣ ସେଠି ଠିଆ ହେଲା ପରେ
ଆପେ ଆପେ ତାଙ୍କ ତୁଣ୍ଡରୁ ବାହାରି ଆସିଲା- ‘ୟା ଆଲ୍ଲା!’

ସେତିକିବେଳେ ସେଇ ବାଟଦେଇ ଜଣେ ଯୁବକ ହାତରେ ଚାବିନେନ୍ଥାଟିଏ ଘୂରେଇ ଘୂରେଇ ଚାଲିଗଲାବେଳେ ବୃଦ୍ଧଙ୍କର ତା’ଉପରେ ନଜର ପଡ଼ିଲା । ଯୁବକଟି ବୃଦ୍ଧଙ୍କୁ ଅଚିହ୍ନା ମଣି ପଚାରିଲା, ‘କ’ଣ ହେଲା ମିଆଁଜୀ, ଏଠି ଠିଆହୋଇ କ’ଣ କରୁଛ?’

ବୃଦ୍ଧ ଏଥର ଯୁବକଟି ଆଡ଼କୁ ମୁହଁ ବୁଲେଇ ତାକୁ ଭଲଭାବେ ନିରୀକ୍ଷଣ କଲାଭଳି ଚାହିଁ ପଚାରିଲେ, ‘ବେଟା, ତୋ ନାଁ ମନୋରୀ ସିଂହ ନା?’

ଯୁବକଟିର ଚାବିହଲା ହଠାତ୍‍ ବନ୍ଦ୍‍ ହୋଇଗଲା । ନିଜ ହାତମୁଠାରେ ଚାବି ନେନ୍ଥାଟିକୁ ମୁଠେଇ ଧରି ସେ ଆଶ୍ଚର୍ଯ୍ୟ ହେଲାଭଳି ପଚାରିଲା, ‘ତୁମେ କେମିତି ମୋ ନାଁ ଜାଣିଲ?’

ସାମାନ୍ୟ ହସି ବୃଦ୍ଧ ଜବାବ ଦେଲେ, ‘ଆଜକୁ ସାଢ଼େ ସାତବର୍ଷ ତଳେ ତୁ ତ କାହିଁ କେଡ଼େ ଛୋଟ ପିଲାଟିଏ ଥିଲୁ । ବିଲକୁଲ୍‍ ଛୋଟ ।’

ମନୋରୀ ମନରୁ ଏପର୍ଯ୍ୟନ୍ତ ସୁଦ୍ଧା ବିସ୍ମୟର ଭାବ ସମ୍ପୂର୍ଣ୍ଣ ତୁଟି ନ ଥାଏ । ସେ ପୁଣି ପଚାରିଲା, ‘ତୁମେ ଆଜି ପାକିସ୍ତାନରୁ ଆସିଛ ନା?’

ବୃଦ୍ଧ ମୁଣ୍ଡ ଟୁଙ୍ଗାରି ‘ହଁ’ ଭରି କହିଲେ, ‘ହଁ, ଆଜି ଆସିଚୁ । ହେଲେ ଆଗରୁ ଦିନେ ଆମେ ଏ ଗଳିରେ ରହୁଥିଲୁ । ମୋ ପୁଅ ଚିରାଗଦ୍ଦିନ୍‍ ସିଲେଇ ଦୋକାନ କରିଥିଲା । ତୁମରିମାନଙ୍କ କୁର୍ତ୍ତା ପାଇଜାମା ସିଲେଇ କରୁଥିଲା । ଦେଶ ଭାଗ ଭାଗ ହେବାର ଛ’ମାସ ଆଗରୁ ଆମେ ଏଇ ଗଳିରେ ଆମ ନୂଆ ଘର ବନେଇଥିଲୁ ।’

‘ଆରେ ଗନିମିଆଁ! ମୁଁ ଚିହ୍ନି ପାରି ନ ଥିଲି ।’ ମନୋରୀ ହଠାତ୍‍ ବଡ଼ ପାଟିରେ ଚିଲ୍ଲେଇ ଉଠିଲା ।

‘ହଁ, ବେଟା, ମୁଁ ତୁମମାନଙ୍କ ସେଇ ଗନିମିଆଁ ।’ ଚିରାଗ କି ତା’ର ପିଲାଛୁଆ ତ ଆଉ ମିଳିବେନି । ଭାବିଲି, ଥରେ ଯାଇ ପୁରୁଣା ଘରଦ୍ୱାର ଦେଖି ଆସିବି । ଯେତେହେଲେ ସାରା ଜୀବନର ମେହେନତ ଖଟେଇ ଘରଖଣ୍ଡେ ତ ବନେଇଥିଲି ।’ସେତେବେଳକୁ ଗନିମିଆଁର ଆଖି ଲୁହରେ ଭରି ଉଠିଥିଲା । ସିଏ ଦି’ହାତ ଆଖିରେ ଦେଇ ନିଜର ଲୁହକୁ ସମ୍ଭାଳିନେଲେ ।

ମନୋରୀ ଏଥର ଖୁବ୍‍ ସମ୍ବେଦନାଭରା କଣ୍ଠରେ ପଚାରିଲା, ‘ତୁମେ ଗଣ୍ଡଗୋଳ ଲାଗିବାର ବେଶ୍‍ ଆଗରୁ ତ ଏଠା ଛାଡ଼ି ଚାଲି ଯାଇଥିଲ?’

‘ହଁ ବେଟା, ସେଇ ମୋ ଜୀବନର ସବୁଠୁ ବଡ଼ ଭୁଲ୍‍ ହୋଇଗଲା । ସେଇଥିଲାଗି ମୁଁ ସାରା ଜୀବନ ପସ୍ତେଇ ହଉଛି । ଗଣ୍ଡଗୋଳ ଆରମ୍ଭ ହେବା ଆଗରୁ ମୁଁ ଏକୁଟିଆ ଏଠୁ ଚାଲି ଯାଇଥିଲି । ମୁଁ ଯଦି ଏଠି ଥା’ନ୍ତି, ବରଂ ଭଲ ହୋଇଥାଆନ୍ତା, ପିଲାଛୁଆଙ୍କ ସାଙ୍ଗରେ ମୁଁ ବି ମରିଥାଆନ୍ତି ।’

ହଠାତ୍‍ ଯେମିତି ଗନିମିଆଁ ଅନୁଭବ କଲେ ଏବେ ଆଉ ଏମିତିକା କଥା ତାଙ୍କର ମନେ ପକେଇବା ଠିକ୍‍ ନୁହେଁ । ସେ ନିଜ ତୁଣ୍ଡରୁ ବାହାରି ଆସୁଥିବା କଥାକୁ ସିନା ବନ୍ଦ୍‍ କରିଦେଲେ, ହେଲେ ଆଖିରେ ସୃଷ୍ଟି ହୋଇଥିବା ବନ୍ୟା କିନ୍ତୁ ବନ୍ଧ ଭାଙ୍ଗି ବହିଆସିଲା ତାଙ୍କ ଲୋଚାକୋଚା ଗାଲ ଉପରେ ।

‘ସେ କଥାକୁ ମନେ ପକେଇ ଆଉ କି ଲାଭ ଅଛି, କହିଲ? ଯାହା ଘଟିବାର ଥିଲା ଘଟିଗଲା । ଚାଲ, ମୁଁ ତୁମକୁ ତୁମ ଘର ଦେଖେଇଦେବି ।’ମନୋରୀ ଏତିକି କହି ଗନିମିଆଁକୁ ସାଙ୍ଗରେ ଧରି ଗଳି ରାସ୍ତା ଆଡ଼େ ମୁହାଁଇଲା ।

ସେତେବେଳେ ଗଳି ଭିତରେ ପ୍ରଚାର ହୋଇ ସାରିଥାଏ ଯେ ଗଳିକୁ ଆଜି ଜଣେ ବୁଢ଼ା ମୁସଲମାନ ଆସିଥିଲା । ସିଏ ରାମଦାସର ଛୋଟ ପୁଅକୁ ଉଠେଇ ନେବାକୁ ବସିଥିଲା । ହେଲେ ପିଲାଟିର ବଡ଼ ଭଉଣୀ ଠିକଣା ସମୟରେ ସେଠାରେ ପହଞ୍ଚିଗଲା । ନ ହେଲେ ତ କଥା ସରିଥିଲା । ଏମିତିକା କଥା କାନରେ ପଡ଼ୁପଡ଼ୁ ସେ ଗଳିର ସବୁ ସ୍ତ୍ରୀଲୋକ ଦାଣ୍ଡରେ ଖେଳୁଥିବା  ଯେଝାଯେଝା ପିଲାଙ୍କୁ ଆକଟ କରି
ଘରେ ପୂରେଇ ସାରିଥିଲେ । ଗନିମିଆଁକୁ ସାଙ୍ଗରେ ଧରି ମନୋରୀ ଗଳି ଭିତରେ ପଶିଲା ବେଳକୁ ସମସ୍ତଙ୍କ ତାଟିକବାଟ ବନ୍ଦ୍‍ ।

ଏତେବଡ଼ ରାସ୍ତାରେ କେବଳ ଜଣେ ଫେରିବାଲା ଦେଖାଯାଉଥିଲା ଯାହା । ଆଉ ରାସ୍ତାକଡ଼ର ସେ କୂଅ ଉପରେ ଚଉତରାରେ ବଡ଼ ଅଶ୍ୱତ୍ଥ ଗଛ ଛାଇରେ ରାକ୍କା ପହିଲମାନ ବେଶ୍‍ ଆରାମରେ ଶୋଇଯାଇଥିଲା । ଏବେ ନିଜ ନିଜ ଘରର କବାଟ ଓ ଝର୍କା ଫାଙ୍କରୁ ସ୍ତ୍ରୀଲୋକଙ୍କଠାରୁ ଆରମ୍ଭ କରି ପିଲାଛୁଆଙ୍କ ପର୍ଯ୍ୟନ୍ତ ସମସ୍ତେ ଉଣ୍ଡୁଥିଲେ ମନୋରୀ ଆଉ ସେ ଅଜ୍ଞାନ ମୁସଲମାନ ବୃଦ୍ଧଙ୍କୁ । ଏବେ

ସମସ୍ତଙ୍କ ମନରେ ସନ୍ଦେହ ଘନୀଭୂତ ହୋଇ ଚାଲିଥିଲା । ମନୋରୀ ସେ ବୁଢ଼ା ପଠାଣ ଲୋକଟିକୁ ଆଣି କୁଆଡ଼େ ଆସୁଚି? ହେଲେ ପାଖକୁ ଆସିଲାପରେ ସମସ୍ତେ ଆବାକାବା ହୋଇଗଲେ । ପାଚିଲା ଦାଢ଼ି ଓ ପତଳା ପଡ଼ି ଯାଇଥିବା ଚେହେରାରୁ ବି ସମସ୍ତେ ଚିରାଗଦ୍ଦିନର ବାପା ଗନିମିଆଁକୁ ଠିକ୍‍ ଠଉରାଇ ପାରିଲେ ।

ଖଣ୍ଡେ ଦୂରରେ ପୋଡ଼ିଜଳି ଧ୍ୱଂସ ପାଇଯାଇଥିବା ଗୋଟିଏ ଘରଆଡ଼େ ହାତ ଦେଖାଇ ମନୋରୀ କହିଲା, ‘ଚାଚା, ଏଇ ଯେଉଁ ଘରଟା ଦିଶୁଚି, ସେଇଟା ତୁମ ନୂଆ ଘର ଥିଲା ।’ ଗନିମିଆଁର

ଆଖି ଦିଓଟି ଯେମିତି ଆହୁରି ଢେମା ଢେମା ହୋଇଗଲା । ସିଏ ଚମକିଉଠି ସେଇ ଘରଟିଆଡ଼େ ଚାହିଁ ରହିଲା । ଚିରାଗ ଓ ତା’ର ସ୍ତ୍ରୀପିଲାମାନେ ଯେ ଦେଶ ବିଭାଜନ ବେଳେ ମରି ଯାଇଛନ୍ତି ସେକଥା ସେ ଭଲକରି ଜାଣିଥିଲା । ସେ ଦୁଃଖ ତା’ ମନରୁ ଏବେ ଲିଭି ସାରିଥିଲା । ହେଲେ ଆଜି ଏତେ ବର୍ଷ ପରେ ଏ ପୋଡ଼ା ଘରଟିକୁ ଦେଖି ଯେମିତି ସେଇ କୋହ ପୁଣିଥରେ ଗନିମିଆଁ ଅନ୍ତର ଭିତରେ ଆନ୍ଦୋଳନ ସୃଷ୍ଟିକଲା । ଏ ଘରକୁ ଏଭଳି ରୂପରେ ଦେଖିବ ବୋଲି ସେ ଆଦୌ ପ୍ରସ୍ତୁତ ନ ଥିଲା । ଗନିମିଆଁର ଜିଭ ଶୁଖି ଆସିଲା, ତା’ ପାଟି ଖନି ମାରିଗଲା । ସେ କିଛି କହିବ ବୋଲି ଇଚ୍ଛା କରି ସୁଦ୍ଧା ଚୁପ୍‍ ରହିଲା । କିଛି ସମୟ ପରେ ତା’ କାଟିରୁ କେବଳ ଏତିକି ବାହାରିଗଲା, ‘ସେଇ ମୋର ଘର ।’

ମନୋରୀ ଗନିମିଆଁ ପାଖରେ ନୀରବରେ ଠିଆହୋଇ ତା’ ଦେହର ସେଇ ପରିବର୍ତ୍ତନର ରଙ୍ଗକୁ ଲକ୍ଷ୍ୟ କରୁଥିଲା । ଏଥର ସେ ଗନିମିଆଁର କାନ୍ଧରେ ହାତ ଥାପି ଅନୁତାପଭରା କଣ୍ଠରେ କହିଲା, ‘ତୁମ ଘର ସେଇଦିନ ଜଳି ଯାଇଥିଲା, ଯେଉଁଦିନ ସହରରେ ପ୍ରଥମକରି ଦଙ୍ଗା ଆରମ୍ଭ ହେଲା ।’

ଢେର୍‍ ସମୟ ଧରି ଏକ ଲକ୍ଷ୍ୟରେ ଠିଆହୋଇ ଚାହିଁବାପରେ ଗନିମିଆଁ ଗୋଟିଏ ଗୋଟିଏ ପାହୁଣ୍ଡ ପକେଇ ଯାଇ ଘର ସାମ୍ନାରେ ପହଞ୍ଚିଲା । ଘର ନୁହେଁ ତ ଗଦାଏ ପାଉଁଶ । ଏଇ ସାଢ଼େ ସାତବର୍ଷ ଭିତରେ ବର୍ଷା ଖରା ଖାଇ ଦରପୋଡ଼ା କବାଣ ଶେଣୀବରଗାସବୁ ଏକ ବିଚିତ୍ର ପଞ୍ଜରା ପାଲଟିଥାଆନ୍ତି । ତା’ ସାଙ୍ଗକୁ ଉଚ୍ଚା ଉଚ୍ଚା କାନ୍ଥ । କାନ୍ଥରେ ଏବେ ବି ନିଆଁଧାସର ଦାଗ ବେଶ୍‍ ସ୍ପଷ୍ଟ ଦିଶୁଚି । କିଛି କିଛି ଜାଗାରେ କାଠ କିମ୍ବା ଲୁହାର ଚିହ୍ନବର୍ଣ୍ଣ ସୁଦ୍ଧା ନାହିଁ । ପୋଡ଼ିଜଳି ଯାଇଥିବ ଅବା କିଏ ନେଇ ଯାଇଥିବ! ଦରପୋଡ଼ା କବାଟ ଫାଙ୍କଦେଇ ଘର ଭିତରେ ଥିବା ଦି’ଟା ଅଧାଜଳା ଆଲମାରି ଦିଶୁଥିଲା । କିଛି ସମୟ ଧରି ଚାରିଆଡ଼େ ନିରୀକ୍ଷଣ କଲାପରେ ଗନିମିଆଁ ପଚାରିଲା, ‘ନିଆଁ ମୁହଁରୁ ଏତିକି ବଞ୍ଚି ଯାଇଥିଲା ନା?’ ଭାଙ୍ଗି ପଡ଼ିଥିବା ଚୌକାଠରେ ନିଜ ମୁଣ୍ଡକୁ ଥରେ ଲଗେଇ ଦେଇ ଦୀର୍ଘଶ୍ୱାସଟିଏ ଛାଡ଼ିଲା ଓ ତା’ପାଟିରୁ ବାହାରି ଆସିଲା,‘ହାୟରେ ମେରେ ଚିରାଗଦ୍ଦିନ୍‍!’

ଯେମିତି ଏଇ ସାଢ଼େ ସାତବର୍ଷ ଧରି ଦରପୋଡ଼ା କବାଟ, ଚୌକାଠ ଓ ଭଙ୍ଗାକାନ୍ଥ ସବୁ ଗନିମିଆଁକୁ ଅପେକ୍ଷା କରି ରହିଥିଲା । ଖରା ବର୍ଷା ସହି ସହି ସବୁ ପାପରା ଧରି ଯାଇଥିଲା । ତଥାପି ସେମାନଙ୍କ ଅପେକ୍ଷାରେ ନିଷ୍ଠା ଥିଲା । ହାତ ମାରିଦେଲେ କବାଟର ପାଠଖଣ୍ଡମାନ ଛାଡ଼ି ଯାଉଥିଲା । ଗନିମିଆଁ ଆସ୍ତେକରି ସେ କବାଟରେ ହାତ ମାରିଲା ମାତ୍ରେ ତାଙ୍କ ମୁଣ୍ଡ ଉପରେ କିଛି ଉଈମାଟି ଝଡ଼ିପଡ଼ିଲା ଓ ସାଥେ ସାଥେ ଗୋଟିଏ ବଡ଼ ଏଣ୍ଡୁଅ । ଗନିମିଆଁ ଗୋଡ଼ ପାଖରେ ପଡ଼ି ଦୌଡ଼ି ପଳେଇଲା ପାଉଁଶଗଦା ଭିତରକୁ ।

ଗଳିଟା ଯାକର ଲୋକ ଏବେ ଯେଝାଯେଝା କବାଟ ଫାଙ୍କରୁ ଚାହିଁ ରହିଥାଆନ୍ତି ଗନିମିଆଁ ଠିଆ ହୋଇଥିବା ସେଇ ପାଉଁଶଗଦା ଆଡ଼େ । ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଚିରାଗଦ୍ଦିନର ବାପ ଗନିମିଆଁକୁ ଆଜି ସବୁକଥା ମାଲୁମ୍‍ ପଡ଼ିଯିବ । ସାଢ଼େ ସାତବର୍ଷ ତଳେ ସେଇ ଘର ସାମ୍ନାରେ ଯେଉଁ ଘଟଣା ଘଟିଥିଲା ଆଜି ସେକଥା ଜଣାପଡ଼ିଯିବା ପରେ ନିଶ୍ଚେ କିଛି ନା କିଛି କାଣ୍ଡ ଘଟିବ ।

ସେଦିନ ଚିରାଗଦ୍ଦିନ୍‍ ତା’ଘର ଉପର ମହଲାରେ ବସି ଖାଉଥିଲା । ତଳୁ ରାକ୍କା ପହିଲମାନ ତାକୁ ଡାକଛାଡ଼ିଲା କଣ ଗୋଟାଏ ଜରୁରି ଖବର ଅଛି, ଶୁଣିଯିବା ଲାଗି । ଚିରାଗଦ୍ଦିନ୍‍ ଦରଖିଆ ହୋଇ ଉଠି ଆସିଥିଲା ରାକ୍କାଠାରୁ ଖବର ଶୁଣିବାକୁ । ସେତେବେଳେ ରାକ୍କା ପହିଲମାନ ନାଁ ଶୁଣିଲେ ଏ ଗଳିର ଲୋକେ ଭୟରେ ଥରହର ହେଉଥିଲେ । ସିଏ ଥିଲା ଏ ଗଳିର ଦାଦା, ବାଦଶାହ୍‍ । ହିନ୍ଦୁ ଲୋକଙ୍କ ଉପରେ ରାକ୍କାର କୌଣସି ରାଗ ନ ଥିଲା । ହେଲେ ମୁସଲମାନଙ୍କ ନାଁ ଶୁଣିଲେ ତା’ ମୁଣ୍ଡକୁ ପିତ୍ତ ଚଢ଼ୁଥିଲା । ଚିରାଗଦ୍ଦିନ୍‍ ସେଦିନ ତଳକୁ ଆସିଲାବେଳେ ତା’ ସ୍ତ୍ରୀ ଜୁବେଦା ଓ ଦି’ଝିଅ କିଶୱର ଓ ସୁଲତାନା କବାଟ ଫାଙ୍କରୁ ତା’ ବାଟକୁ ଚାହିଁ ରହିଥିଲେ ।

ଚିରାଗ୍‍ ତା’ଘରୁ ପଦାକୁ ପାଦ ବଢ଼ାଉଣୁ ନ ବଢ଼ାଉଣୁ ରାକ୍କା ତା’ କମିଜ ଧରି ରାସ୍ତା ଉପରକୁ ଭିଡ଼ି ନେଇଥିଲା । ବିଚ୍‍ ରାସ୍ତା ଉପରେ ତାକୁ ଗଡ଼େଇତଡ଼େଇ କରି ପକେଇ ତା’ ଛାତି ଉପରେ ବସିପଡ଼ିଥିଲା । ତା’ହାତରେ ଗୋଟାଏ ଧାରୁଆ ଛୁରୀ ଚକଚକ୍‍ କରୁଥିଲା ।
ଚିରାଗଦ୍ଦିନ୍‍ ପ୍ରାଣ ବିକଳରେ ରାକ୍କାକୁ କାକୁତି କରି ଚାଲିଥିଲା, ‘ମତେ ମାର୍‍ ନା ରାକ୍କା ପହିଲମାନ, ମତେ ଛାଡ଼ିଦେ । ଆରେ କିଏ କେଉଁଠି ଅଛ, ମତେ ବଞ୍ଚାଅ ରେ! ଜୁବେଦା, ମତେ ବଞ୍ଚା!’ ରାକ୍କା ବେଳକୁ ବେଳ ତା’ ଛାତି ଉପରେ ଅଧିକ ଚାପ ଦେଇ ଚାଲିଥାଏ । ଘର ଭିତରୁ ଜୁବେଦା, କିଶୱର, ସୁଲତାନା ସମସ୍ତେ ଡାକ ଛାଡ଼ିଥାଆନ୍ତି । ରାକ୍କା ସେତେବେଳକୁ ଚିରାଗଦ୍ଦିନର ଦି’ହାତକୁ ମାଡ଼ି ବସିଥାଏ ଓ ରାଗିପାଚି ଚିଲ୍ଲେଇ ଚାଲିଥାଏ । ‘କାଇଁକି ପାଟି କରୁଚୁ ବେ ଶଳା? ତୋର ପାକିସ୍ତାନ ଦରକାର ନା? ନେ ପାକିସ୍ତାନ… ।’ ଜୁବେଦା ଘର ଭିତରୁ ଚିରାଗଦ୍ଦିନ୍‍ ପାଖକୁ ଦୌଡ଼ି ଆସି ପହଞ୍ଚିବା ଆଗରୁ ରାକ୍କାର ଧାରୁଆ ଛୁରୀଟା ଚିରାଗର ଛାତି ଭିତରେ ସମ୍ପୂର୍ଣ୍ଣ ପଶି ସାରିଥାଏ ।
ପାଖଆଖ ଲୋକମାନେ ସେତେବେଳକୁ ସେମାନଙ୍କ ତାଟିକବାଟ ପକାଇ ସାରିଥାଆନ୍ତି । କି ଦରକାର ଏ ଝମେଲାରେ ମୁଣ୍ଡ ଖେଳେଇବା ? ଘର ଭିତରେ ସୁଦ୍ଧା ସେମାନଙ୍କୁ ଜୁବେଦା ଓ ତା’ର ଝିଅମାନଙ୍କ ଆର୍ତ୍ତ ଚିତ୍କାର ଶୁଭୁଥାଏ । ରାକ୍କା ଓ ତା’ର ସାଥୀମାନେ ସେଇଦିନ ରାତିରେ ସେମାନଙ୍କୁ ବି ଜଣ ଜଣ କରି ପାକିସ୍ତାନ ପଠାଇଦେଲେ । ହେଲେ ସେମାନଙ୍କପାଇଁ ଯେପରି ଆଉ ଗୋଟିଏ ଲମ୍ବା ରାସ୍ତା ବଛା
ଯାଇଥିଲା । କେଇଦିନ ପର୍ଯ୍ୟନ୍ତ ସେମାନଙ୍କର କିଛି ପତ୍ତା ମିଳି ନ ଥିଲା । ହେଲେ ପରେ ଗୋଟିଏ କେନାଲରେ ଜୁବେଦା ଓ ତା’ର ଝିଅ ଦୁହିଁଙ୍କ ପଚା ଶବ ଭାସୁଥିବାର ଲୋକେ ଦେଖିବାକୁ ପାଇଥିଲେ । ଦି’ଦିନ ପର୍ଯ୍ୟନ୍ତ ଚିରାଗର ଘରୁ ଆସବାବପତ୍ରସବୁ ଲୁଟ୍‍ ଚାଲିଲା । ଯିଏ ଯାହା ପାଇଲା ବାହାର କରିନେଲା । ବାଧା ଦେବାକୁ କେହି ନାହିଁ । ସବୁ ଜିନିଷ ନେଇଯିବା ପରେ ଜଣେ କିଏ ଚାଳ ଘରଟିରେ ନିଆଁ ଲଗେଇଦେଲା । ରାକ୍କା କିନ୍ତୁ ରାଗିପାଚି ନିଆଁ ହୋଇଗଲା । ଯିଏ ଚିରାଗ ଘରେ ନିଆଁ ଲଗେଇଚି ତାକୁ ଖୋଜି ପାଇଲେ ସେ ହାଣିବ ବୋଲି ଧମକେଇଲା । କାରଣ, ଚିରାଗ ଘରେ ନିଆଁ ଲଗେଇବା ପଛରେ ତା’ର ଅସଲ ଉଦ୍ଦେଶ୍ୟ ଥିଲା ତା’ ଘରଖଣ୍ଡିକୁ ଅକ୍ତିଆର କରିବା । ଘରେ ହୋମଯଜ୍ଞ ଓ ପୂଜାପାଠ କରି ପ୍ରତିଷ୍ଠା କରିବ ବୋଲି ସୁଦ୍ଧା ସେ ସବୁ ବ୍ୟବସ୍ଥା କରି ସାରିଥିଲା । ହେଲେ ରାକ୍କାର ଏଭଳି ରାଗ ଦେଖି ନିଆଁ ଲଗେଇଥିବା କଥା କେହି ମାନିଲେ ନାହିଁ । ସେମାନେ ଜାଣିଥିଲେ ରାକ୍କା ଥରେ ସେ ଲୋକିଟର ନାଁ ଜାଣିଲେ ତାକୁ ଜୀବନରେ ମାରିଦେବ । ଏଇ ସାଢ଼େ ସାତବର୍ଷ ହେଲା ସେ ପୋଡ଼ା ଘରଟିକୁ ରାକ୍କା ତା’ର ଆଡ୍ଡାସ୍ଥଳୀ ବନେଇଚି । ସେ ଘର ଅଗଣାରେ ଗାଈଟିଏ କି ମଇଁଷିଟିଏ ବାନ୍ଧିବାକୁ ସୁଦ୍ଧା କେହି ସାହସ କରନ୍ତି ନାହିଁ । ଏପରିକି ସେ ଘର ଆଗରେ କେହି ଉଠା ଦୋକାନଟିଏ ପକେଇ ପାରି ନାହାନ୍ତି । ରାକ୍କା ସେମାନଙ୍କୁ ସେପରି କରିବାକୁ ଦେଇନି । ରାକ୍କାକୁ ନ ପଚାରି ସେ ଭଙ୍ଗାଘରୁ କେହି ଇଟାଖଣ୍ଡେ ସୁଦ୍ଧା ଉଠେଇବାକୁ ସାହସ କରୁ ନ ଥିଲେ ।

ସମସ୍ତେ ଭାବୁଥିଲେ ଯେକୌଣସି ବାଟେ ହେଉ କଥାଟା ଯାଇ ଗନିମିଆଁ କାନରେ ପଡ଼ିବ । ଭଙ୍ଗାଘରଟା ଆଡ଼େ ଥରେ ଚାହିଁଦେଲେ ସେ ଠିକ୍‍ ଅନୁମାନ କରିନେବ କେମିତି ଏତେସବୁ ଘଟଣା ଘଟିଛି ।

ଗନିମିଆଁ ଆସିଲେ । ଭଙ୍ଗାଘର ଚଟାଣ ଉପରେ ନିଜ ଆଞ୍ଜୁଳାରେ ମୁଠାମୁଠା ମାଟି ଆଣି ନିଜ ଦେହରେ ବୋଳିହେଲେ । ଦରପୋଡ଼ା ଚୌକାଠଟାକୁ ଛାତିରେ ଜାକିଧରି ଭୋ କରି କାନ୍ଦିଉଠିଲେ ଓ ମନକୁ ମନ କହିଚାଲିଲେ,‘ଜମାନ ଦେ ଚିରାଗଦ୍ଦିନ୍‍, ମୋ କଥାର ଜବାବ ଦେ’ । ତୁ କୁଆଡ଼େ ଗଲୁ? ଆରେ କିଶୱର, ଆଲୋ ସୁଲତାନା, ଆରେ ମୋ ପିଲାମାନେ କୁଆଡ଼େ ଗଲରେ… ଆରେ ତୁମେମାନେ ଗନିକୁ କାଇଁକି ପଛରେ ଛାଡ଼ି ଆସିଲ? ଆରେ ମୋ କଥାର ଜବାବ କାଇଁକି ଦେଉନ?’ ଦଦରା ଚୌକାଠଟା ଦେହରେ ଲାଗିଥିବା ମାଟି ସବୁ ଝରଝର ହୋଇ ଝରିପଡ଼ିଲା । ତା’ସାଥେ ସାଥେ କାଠ ଭିତରୁ ପୋକମାନେ ଖୋଳ କରିପକାଇଥିବା କିଛି କାଠଗୁଣ୍ଡ ।

ଏତିକିବେଳେ କିଏ ଜଣେ ଯାଇ ରାକ୍କା ପହିଲମାନକୁ ଖବର ଦେଲା । ରାକ୍କା ଅଶ୍ୱତ୍ଥ ଗଛମୂଳେ ଶୋଇ ଘୁଙ୍ଗୁଡ଼ି ମାରୁଥିଲା । ହଠାତ୍‍ ସେ ନିଦ ମଳମଳ ହୋଇ ଉଠିପଡ଼ିଲା । ଯେତେବେଳେ ସେ ଶୁଣିଲା ଅବଦୁଲ ଗନି ପାକିସ୍ତାନରୁ ଆସିଛି ଓ ଏବେ ଆସି ତା ଗୁପ୍ତ ଆଡ୍ଡାରେ ପହଞ୍ଚିଛି, ତା’ ମନ ଭିତରେ କି ପ୍ରତିକ୍ରିୟା ହେଲା କେଜାଣି ସେ କାଶି ଉଠିଲା । ତଣ୍ଟିମୂଳେ ଅଟକି ରହିଥିବା ଖଙ୍କାର ପୁଳାଏ କାଶ ସାଙ୍ଗରେ ପାଟିକୁ ପଳେଇ ଆସିଲା । ସେ ‘ଥୁ’କରି ଖଙ୍କାର ପୁଳାକ କୂଅମୂଳର ପାହାଚ ଉପରକୁ ପକେଇଦେଲା । ତା’ପରେ ସେ ଏକମୁହାଁ ଚାଲିଲା ଭଙ୍ଗାଘର ଆଡ଼େ ।

ହଠାତ୍‍ ତା’ଛାତି ଭିତରୁ ଯେକରି ଏକ ଅଦ୍ଭୁତ ସ୍ୱର ବାହାରିଲା । ତା’ ସାଥେସାଥେ ତା’ ଓଠ ବି ଥରି ଉଠିଲା ।

ରାକ୍କାର ଚେଲା ଲଚ୍ଛା କହିଉଠିଲା, ‘ସେଇଟା କେମିତି ତା’ଭଙ୍ଗାଘରଟା ଉପରେ ବସିଚି ।’

‘ବସି ଥାଉ । ମୁଁ ତାକୁ ଖାତିର୍‍ କରିଚି ନା କ’ଣ? ଆଣ୍‍, ମୋ ହୁକ୍କାଟା ଦେ’ ।’ ଏତିକି କହି ରାକ୍କା ଗୋଡ଼ ଲମ୍ବେଇ ବସିପଡ଼ିଲା ଓ ନିଜର ଫୁଙ୍ଗୁଳା ଜଙ୍ଘଟା ଉପରେ ପାପୁଲିକୁ କେଇଥର ଥାପୁଡ଼େଇବାରେ ଲାଗିଲା ।

ଲଚ୍ଛା କହିଲା, ‘ଯଦି ମନୋରୀ ତା’ଆଗରେ ସବୁକଥା ଫିଟେଇ କହିଦେଲା…’ ଲଚ୍ଛା ଆଖିରେ ଏକ ଅର୍ଥପୂର୍ଣ୍ଣ କୁଟୀଳ ଚାହାଣି ଭରି ରହିଥିଲା । ସେ ଏତିକି କହିଦେଇ ହୁକ୍କାଟା ଆଣିବାକୁ ଉଠିଗଲା । ରାକ୍କ୍‍ା ସେମିତି ବସିରହି ପଚାରିଲା, ‘ମନୋରୀ ମିଛଟାରେ କାଇଁକି ତା’ ନିଜ ଉପରକୁ ବିପଦ ଟାଣିଆଣିବ, କହିଲୁ?’ଲଚ୍ଛା ସେତେବେଳକୁ ସେ ଜାଗାରୁ ଯାଇ ସାରିଥିଲା ।

କୂଅମୂଳ ଚାରିକଡ଼େ ଶୁଖିଲା ଅଶ୍ୱତ୍ଥ ପତ୍ର ବିଛେଇ ହୋଇ ପଡ଼ିଥିଲା । ରାକ୍କା ସେଇ ଶୁଖିଲା ପତ୍ରକୁ ଗୋଟେଇ ନିଜ ପାପୁଲିରେ ଦଳି ଚାଲିଥିଲା । କିଛି ସମୟ ପରେ ଲଚ୍ଛା ହୁକ୍କାଟା ସଜାଡ଼ି ଆଣି ସେଠାରେ ପହଞ୍ଚିଲା ଓ ରାକ୍କା ହାତକୁ ସେଇଟିକୁ ବଢ଼େଇଦେଲା । ତା’ ପଛପଟେ କନା ଖଣ୍ଡେ ଗୁଡ଼େଇ ରାକ୍କା ହୁକ୍କାରୁ ପୂରା ଦମ୍‍ରେ ସୋଠାଟିଏ ଟାଣିନେଲା । ପାଟିରୁ ଧୂଆଁ ଛାଡ଼ୁଛାଡ଼ୁ ସେ ଲଚ୍ଛାକୁ ପଚାରିଲା, ‘ଆଚ୍ଛା, ଗନିଟା ସାଙ୍ଗରେ ଲୋକମାନେ କଥାବାର୍ତ୍ତା କରୁଛନ୍ତି ନା କ’ଣ?’

‘ନା ।’

ହଠାତ୍‍ କାଶିଉଠି ଲଚ୍ଛା ହାତକୁ ହୁକାଟାକୁ ବଢ଼େଇ ଦେଉ ଦେଉ ରାକ୍କା କହିଲା, ‘କଥା ସେଇଠି ।’

ଏତିକିବେଳେ ହଠାତ୍‍ ଲଚ୍ଛା ମୁହଁ ବୁଲେଇ ଦେଖିଲା ମନୋରୀ ତାଙ୍କରି ଆଡ଼କୁ ଆସୁଛି । ସେ ଓ ଗନି ହାତ ଧରାଧରି ହୋଇ ଆସୁଛନ୍ତି । ଲଚ୍ଛା ହୁକ୍କାରୁ ଆଉ ଦମ୍‍ଟାଏ ଟାଣି ପ୍ରଥମେ ରାକ୍କା ମୁହଁକୁ ଓ ପରେ ଗନି ମୁହଁକୁ ଦି’ଚାରିଥର ପରଖିନେଲା ।

ମନୋରୀ ଚାଲିଛି ଆଗେ ଆଗେ । ତା’ପଛକୁ ଗନି କାନ୍ଧରେ ହାତ ରଖିଥାଏ, ସତେକି ସେ କୂଅମୂଳଟି ପାର କରାଇଦେବା ଲାଗି ଆସିଥିଲା । ଅବା ରାକ୍କା ପହିଲମାନ ଭୟକୁ ଦୂର କରିବାପାଇଁ ସେ ଗନିକୁ ଅଭୟ ପ୍ରଦାନ କରିଚାଲିଥିଲା । ମନୋରୀ ଏମିତି ବେଖିଆଲ ଢଙ୍ଗରେ ଆଗକୁ ବଢ଼ୁଥିଲା, ଲାଗୁଥିଲା ଯେପରି ସେ ରାକ୍କାର ଉପସ୍ଥିତି ପ୍ରତି ସମ୍ପୂର୍ଣ୍ଣ ରୂପେ ଅନଭିଜ୍ଞ । କିନ୍ତୁ ରାକ୍କା ଯେ ଅଶ୍ୱତ୍ଥ ଗଛଟା ତଳେ ଗୋଡ଼ ଲମ୍ବେଇ ବସିଛି । ସତେ ଯେମିତି ତା’ ଗୋଡ଼ ଲମ୍ବାରୁ ଜାଣି ହେଉଛି ଯେ ତାକୁ ସମସ୍ତେ ଦେଖନ୍ତୁ ବୋଲି ସେ ଦାବି କରୁଛି । ଖଣ୍ଡେ ଦୂରରୁ ଗନି ତାକୁ ଦେଖି ପାରୁଥିଲା । କୂଅମୂଳେ ଆସି ପହଞ୍ଚିବା ମାତ୍ରେ ସେ ରାକ୍କା କାନ୍ଧରେ ହାତ ଥାପି ପଚାରିଲା, ‘ରାକ୍କା ପହିଲମାନ!’

ରାକ୍କା ମୁଣ୍ଡ ଉଠେଇ, ଆଖିକୁ ସଂକୁଚିତ କରି ଚାହିଁଲା ଗନି ମୁହଁକୁ । ଗନିକୁ ପାଖରେ ଦେଖିବା ମାତ୍ରେ ତା’ ମନ ଭିତରେ ରାଗ ଜମାଟ ବାନ୍ଧି ସାରିଥିଲା । କିନ୍ତୁ ସେ କିଛି ନ କହି ଚୁପ୍‍ ରହିଲା ।

ଗନି ପୁଣି ଥରେ ରାକ୍କା ପିଠିରେ ହାତ ଥାପୁଡ଼େଇ ପଚାରିଲା,‘ରାକ୍କା ପହିଲମାନ, କ’ଣ ମତେ ଚିହ୍ନି ପାରୁନୁ? ମୁଁ ପରା ଗନି, ଅବଦୁଲ୍‍ ଗନି । ଚିରାଗଦ୍ଦିନର ବାପା ।’

ରାକ୍କା ଅବିଶ୍ୱାସ କଲାଭଳି ମୁହଁ ସଳଖି ଚାହିଁଲା ଗନି ମୁହଁକୁ । ତା’ପରେ ସେ ଗନିର ତାଳୁରୁ ତଳିପାଯାଏ ଆଉ ପରସ୍ତେ ପରଖିଗଲା । ରାକ୍କାକୁ ଦେଖିଲା ପରେ ଅବଦୁଲ ଗନିର ଆଖି ଯୋଡ଼ିକ ହଠାତ୍‍ କାହିଁକି ଉଜ୍ଜ୍ୱଳ ହୋଇ ଉଠିଥାଏ । ମୁହଁରେ କେଇଟା ରେଖା ସଂକୁଚିତ
ସଂପ୍ରସାରିତ ହୋଇ ତା’ ମନର ଖୁସିକୁ ପ୍ରକାଶ କରୁଥାନ୍ତି ।ରାକ୍କାର ତଳ ଓଠଟା ହଠାତ୍‍ ଥରି ଉଠିଲା । ସେ ଥଙ୍ଗଥଙ୍ଗେଇ ଯାଇ ପଚାରିଲା, ‘ଆଉ ସବୁ ଖବର କ’ଣ, ଗନି?’

ଗନିର ମନ ହେଉଥିଲା ପୁଣି ଥରେ ହାତ ନେଇ ରାକ୍କା ପିଠି ଥାପୁଡ଼େଇବାକୁ । ହେଲେ ରାକ୍କା ମୁହଁରୁ ଏପରି ଶୁଖିଲା କଥା ପଦେ ଶୁଣି ଦା’ ହାତ ଦିଓଟି ଆପେ ଆପେ ଥମିଗଲା । ଗଛ ଗଣ୍ଡିଟା ଉପରେ ହାତ ଭରାଦେଇ ସେ କୂଅମୂଳେ ବସିପଡ଼ିଲା ।

ନିଜ ନିଜ ଘରୁ କବାଟଦେଇ ଝର୍କା ଫାଙ୍କବାଟେ ଉଣ୍ଡୁଥିବା ଲୋକମାନେ ଫୁସୁରୁଫାସୁରୁ ହେବାରେ ଲାଗିଲେ । ରାକ୍କା ଓ ଗନି ଆଜି ମୁହାଁମୁହିଁ ହୋଇଛନ୍ତି ମାନେ ନିଶ୍ଚୟ ହାତାହାତି ହେବେ । ପ୍ରଥମେ ଗାଳି ଫଜିତ୍‍ ଚାଲିବ । ତା’ପରେ ମାରପିଟ୍‍ । ରାକ୍କା ଗନି ମୁହଁକୁ ସିଧାସଳଖ ଚାହିଁ ପାରୁ ନ ଥିଲା । ସମୟ ଏବେ ଢେର୍‍ ବଦଳିଗଲାଣି । କେତେବେଳେ ସିଏ ଥିଲା ଏ ଗଳିର ଦାଦା । ଏବେ
ପାଟିତୁଣ୍ଡ, କିମ୍ବା କଳିଝଗଡ଼ା କି ମାରପିଟ ହୋଇ ଲାଭ କ’ଣ? ଭଙ୍ଗାଘରଟା ଠିଆ ହୋଇଥିବା ଜାଗା ଖଣ୍ଡକର ଏବେ ସେ ମାଲିକ । ହେଲେ ରାକ୍କା ବଦମାସ୍‍ ସେ ଘର ଆଗରେ କାହା ଗାଈକୁ ସୁଦ୍ଧା ଚରିବାକୁ ଦେଉ ନ ଥିଲା ।

ଆଉ ମନୋରୀଟା ନିପଟ ମାଇଚିଆ, ଡରକୁଳା । ସିଏ ତ ସିଧାସଳଖ ଗନିକୁ ବତେଇ ଦେଇଥାଆନ୍ତା ତା’ ପରିବାରର ସମସ୍ତଙ୍କୁ ରାକ୍କା ମାରିଛି ବୋଲି । ଜଣ ଜଣ କରି ସମସ୍ତଙ୍କୁ- ଚିରାଗଦ୍ଦିନକୁ, ତା’ସ୍ତ୍ରୀକୁ ଓ ତା’ ପିଲାମାନଙ୍କୁ । ରାକ୍କାଟା ତ ମଣିଷ ନୁହେଁ, ମାରଣା ଷଣ୍ଢଟିଏ,
କାହାକୁ ତା’ର ଡର ଅଛି ନା ଖାତିର୍‍ । ହେଲେ ବିଚରା ଗନିଟା କେଡ଼େ ଦୁର୍ବଳ ଦେଖାଯାଉଛି । ବୟସ ଯେମିତି ତାକୁ ଆହୁରି ଦୁର୍ବଳ କରିଦେଇଛି । ମୁଣ୍ଡବାଳ ପାଚି ଝୋଟ ପରି ଦିଶୁଛି । କୂଅମୂଳ ଚଉତରାର ପାହାଚଟା ଉପରେ ଆଉଜି ବସି ପଡ଼ୁପଡ଼ୁ ଗନି କହିଲା,

‘ଦେଖ୍‍ ପହିଲମାନ, କେଡ଼େ ସୁନ୍ଦରିଆ ଘରଟାଏ ମୁଁ ଛାଡ଼ି ଯାଇଥିଲି । କେବଳ ଏଇ ଘରଟାକୁ ଦେଖିବି ବୋଲି ଏତେ ଦୂରରୁ ମୁଁ ଆସିଥିଲି । ହେଲେ ମୋ ଆଖି ଆଗରେ ମୁଁ ଦେଖୁଚି କ’ଣ? ଗଦାଏ ମାଟି! କେଇଟା ଭଙ୍ଗା କାନ୍ଥ! ଦରପୋଡ଼ା ଚୌକାଠ କେଇଖଣ୍ଡ! ମୋର ଏତେବଡ଼ ଘରଟାରୁ ମାତ୍ର ଏତିକି ଯାହା ବର୍ତ୍ତି ରହିଛି । ସତ କହୁଚି ରାକ୍କା, ଏ ମାଟିର ମୋହ ଛାଡ଼ି ମୁଁ ଦଣ୍ଡେ ସୁଦ୍ଧା
ବଞ୍ଚି ପାରିବିନି ।’

ଏତିକି କହି ସାରିଲା ବେଳକୁ ଗନି ଆଖିରୁ ଲୁହ ଥପଥପ ହୋଇ ବହି ସାରିଥିଲା । ଏଥର ରାକ୍କା ଗୋଡ଼ ଭାଙ୍ଗି ଚେକା ପକେଇ ବସିପଡ଼ିଲା । କୂଅ ନନ୍ଦ ଉପରୁ ଗାମୁଛା ଖଣ୍ଡକ ଆଣି କାନ୍ଧରେ ପକାଇଲା । ଲଚ୍ଛା ତା’ ଆଡ଼କୁ ହୁକ୍କା ପାଇପଟା ବଢ଼େଇଦେଲା ଓ ସେ ସେଥିରୁ ଆଉ ଗୋଟିଏ ଦମ୍‍ ଟାଣିନେଲା ।

ଗନି ଏଥର ଦାବି କଲାଭଳି ସ୍ୱରରେ ରାକ୍କାକୁ ପଚାରିଲା, ‘ସତ କହ ରାକ୍କା, ଏସବୁ ଘଟିଲା କେମିତି? ମୋ ପୁଅ ଓ ପରିବାର ଲୋକଙ୍କ ପାଖରେ ତୁମେମାନେ ସମସ୍ତେ ଥିଲ । ତୁମେମାନେ ପରସ୍ପରଙ୍କୁ ଏତେ ଭଲ ପାଉଥିଲ । ଠିକ୍‍ ଭାଇ ଭାଇ ଭଳି । ତାକୁ କ’ଣ ତୁମମାନଙ୍କ ଘରେ କେଉଁଠି ହେଲେ ମୁଣ୍ଡ ଗୁଞ୍ଜି ପ୍ରାଣ ବଞ୍ଚେଇବାକୁ ଜାଗା ମିଳିଲା ନାହିଁ? ଯାହା ଘରେ ଇଚ୍ଛା ତା’ଘରେ ତାକୁ ଆଶ୍ରୟ ମିଳି ପାରିଥାଆନ୍ତା । ତା’ମୁଣ୍ଡକୁ କ’ଣ ସେତିକି ଅକଲ ଜୁଟିଲାନି?’

ଏଥର ରାକ୍କା ତୁଣ୍ଡ ଖୋଲିଲା ଓ କହିଲା, ‘ଖାଲି ଏତିକି ଜାଣ୍‍ ଗନି ଯେ ଏମିତି ଗୋଟିଏ କାଣ୍ଡ ଘଟିଗଲା । ସେତିକି ଜାଣିବା ତୋ ଲାଗି ଯଥେଷ୍ଟ ।’ ସେତେବେଳେକୁ ରାକ୍କାର କଣ୍ଡସ୍ୱର ପୂରାପୂରି ଗମ୍ଭୀର ହୋଇ ସାରିଥାଏ ଓ ସେ ସ୍ୱର ତାକୁ ସୁଦ୍ଧା ଅପରିଚିତ ଲାଗୁଥାଏ । ତା’ ଓଠ ଅଠା ଅଠା ହୋଇ ଆସୁଥାଏ । ମୋଟ ନିଶ ତଳୁ ଝାଳ ବାହାରି ଓଠକୁ ତିନ୍ତାଇ ଦେଉଥାଏ । ସେ ସିନା ବସି ପଡ଼ିଥିଲା, କିନ୍ତୁ ତାକୁ ଲାଗୁଥିଲା ସତେ କି ତା’ ମୁଣ୍ଡ ଉପରେ କିଏ ଗୋଟିଏ ପଥର ଲଦି ଦେଇଛି ଓ ତା’ ଅଣ୍ଟା ବଙ୍କା ହୋଇଯାଇଛି ।

ସେଇ ଭଳିଆ ଏକ ଅଜବ ସ୍ୱରରେ ସେ ପଚାରିଲା, ‘ଆଉ ପାକିସ୍ତାନରେ ସବୁ ହାଲଚାଲ୍‍ କ’ଣ? ଏତିକି ପଚାରିଲା ବେଳକୁ ତା’ ବେକମୂଳର ଶିରାସବୁ ଫୁଲି ଉଠିଥାଏ । ବେକଟା ବି ବେଶ୍‍ ଟାଣ ହୋଇଯିବା ପରି ଲାଗୁଥାଏ । ଗାମୁଛାଟା ଧରି ସେ ନିଜ କାଖତଳୁ ଝାଳ ପୋଛି ନେଉ ନେଉ କାଶିଉଠି ପୁଳାଏ ଖଙ୍କାର କାଢ଼ି ପକାଇଲା ।

ଗନି ରାକ୍କା ପ୍ରଶ୍ନର ଉତ୍ତର ଦେଲା, ‘କ’ଣ କହିବିରେ ରାକ୍କା? ତୁ ଯଦି ମୋ ହାଲ୍‍ ପଚାରୁଥାଉ, ତା’ହେଲେ ସେ କଥା ସେଇ ଆଲ୍ଲାଙ୍କୁ ଜଣା । ସତ କହୁଚି ରାକ୍କା, ମୋ ଚିରାଗ ଯଦି ଆଜି  ବଞ୍ଚିଥାଆନ୍ତା, ତା’ହେଲେ ମୋର କିଛି ଦୁଃଖ କରିବାର ନ ଥିଲା । ତାକୁ ଶହେଥର ନେହୁରା ହୋଇ କହିଥିବି, ମୋ ସାଥିରେ ପଳେଇଚାଲ୍‍ । ହେଲେ ମୋ କଥା କ’ଣ ସିଏ ଶୁଣିଲା? କହିଲା, ଏ ଭିଟାମାଟି ଛାଡ଼ି ସେ କୁଆଡ଼େ ଯିବନି । ନୂଆ ଘରଟା ମାତ୍ର କେଇବର୍ଷ ତଳେ ତୋଳା ହୋଇଥିଲା । ତା’ର ଲୋଭ ସହିଲାନି, ଛାଡ଼ି ଯିବାକୁ । ଓଲଟା ମୋ ସାଥିରେ ଯୁକ୍ତିକଲାଯେ ଏଇଟା ତା’ ନିଜ ଗଳି । ନିଜ ଇଲାକା । ଏଠି ତା’ର ଭୟ କରିବାର କିଛି ନାହିଁ । ଏତିକି ଭାବି ପାରିଲାନି ଯେନିଜ ଗଳିରେ ସିନା ବିପଦ ନାହିଁ, ହେଲେ ବାହାରୁ ତ ବିପଦ ଅଛି । ଗୋଟିଏ ଘରକୁ ରକ୍ଷା କରିବାକୁ ଯାଇ ଚାରି ଚାରିଜଣଙ୍କ ପ୍ରାଣ ଗଲା ।

ରାକ୍କା, ତୋ ଉପରେ ତା’ର ଭାରି ବିଶ୍ୱାସ ଥିଲା । ମତେ ସଦାବେଳେ କହୁଥିଲା, ଯେତେବେଳ ପର୍ଯ୍ୟନ୍ତ ରାକ୍କା ଆମ ଇଲାକାରେ ଅଛି, ଆମର କେହି କିଛି କ୍ଷତି କରି ପାରିବେନି । ଆଉ ଯେତେବେଳେ ସତକୁ ସତ ବିପଦ ଆସିଲା, ତା’ ରାକ୍କା ତାକୁ ରକ୍ଷା କରି ପାରିଲାନି ।’
ରାକ୍କା ଅଣ୍ଟା ସଳଖି ବସିବାକୁ ଚେଷ୍ଟାକଲା । ତା’ ମେରୁଦଣ୍ଡଟା କଡ଼ମଡ଼ କରି ଉଠୁଥିଲା । ତା’ ପେଟ ଭିତରେ ଯେପରି ଏକ ଅଦ୍ଭୁତ ଯନ୍ତ୍ରଣା ସେ ଅନୁଭବ କରୁଥିଲା । ତା’ସ୍ୱରନଳି ଭିତରୁ ଯେମିତି କିଏ ସବୁତକ ନିଃଶ୍ୱାସ ଶୋଷି ନେଲାପରି ତାକୁ ଲାଗୁଥିଲା । ଏଥର ତା’ର ଅଷ୍ଟାଙ୍ଗ ଶରୀର ଥରିବାକୁ ଆରମ୍ଭ କଲା ଓ ଦେହସାରା ଝାଳରେ ବୁଡ଼ିଗଲା । ରହି ରହି ତା’ ଆଖି ଆଗରେ ଯେପରି ଅଗ୍ନିବର୍ଷା ହେବାକୁ ଲାଗିଲା ଓ ସେ ତରଳ ଅଗ୍ନି ତା’ ଚାରିକଡ଼େ ଘେରିଗଲା । ଜିଭ ଭିତରକୁ ପଶି ଯାଉଥିବା ପରି ସେ ଅନୁଭବ କଲା ।ସେ ତା’ଗାମୁଛା ଖଣ୍ଡକରେ ଓଠ ଦି’କଡ଼କୁ ପୋଛି ଆଣିଲା । ତା’ପାଟିରୁ ବାହାରି ଆସିଲା, ‘ହେ ଭଗବାନ, କେବଳ ତୁମେ ହିଁ ସତ୍ୟ । କେବଳ ତୁମେ ହିଁ ସବୁଠି ରହିଛ, ସଦାବେଳେ ରହିଛ ।’

ଗନି ଲକ୍ଷ୍ୟକଲା, ରାକ୍କା ପହିଲମାନର ଓଠ ଶୁଖିଯାଉଛି । ଆଖି ଚାରିକଡ଼ ରେଖାସବୁ କୁଞ୍ଚିତ  ହୋଇଉଠୁଛି । ରାକ୍କା କାନ୍ଧରେ ଗନି ଧୀରେ ହାତ ଥାପି ତାକୁ ବୁଝେଇଲା: ‘ରାକ୍କା, ଏସବୁ କଥା ଏବେ ଆଉ ଭାବି ଲାଭ ନାହିଁ । ତୁ ବି ସେସବୁ କଥା ମନ ଭିତରେ ରଖନା ।ଯାହା ଘଟିବାର ଥିଲା ଘଟିଗଲା । ମଲା ଲୋକ ଆଉ କ’ଣ ଫେରିଆସିବ? ଆଲ୍ଲା ବଡ଼ଲୋକ, ସଚ୍ଚା ଲୋକଙ୍କୁ ସିଏ ସହାୟକ ହୁଅନ୍ତୁ, ପାପୀମାନଙ୍କୁ କ୍ଷମା ଦିଅନ୍ତୁ । ମୋ ଚିରାଗ୍‍ ସିନା ଆଜି ଏଠାରେ ନାହିଁ, ହେଲେ ତୁମେମାନେ ତ ଅଛ! ତୁମେମାନେ କ’ଣ ମୋର ନିଜର ନୁହଁ? ତୁମମାନଙ୍କ ମୁହଁକୁ ଚାହିଁଲେ ମୁଁ ମୋ ଚିରାଗକୁ ଦେଖିଲା ପରି ଲାଗୁଛି । ତୁମେମାନେ ଆଲ୍ଲାଙ୍କ ମେହରବାନୀରୁ ବଞ୍ଚି ଯାଇଛ, ସେତିକି ମୋ ପାଇଁ ଶୁଭ ଖବର । ଆଲ୍ଲା ତୁମମାନଙ୍କୁ ସହି ସଲାମତ୍‍ ରଖନ୍ତୁ । ତୁମେମାନେ ଭଲରେ ରହ, ସୁଖରେ ରହ, ସେତିକି ମୋର ଦୁଆ ।’ଏତିକି କହି ଗନି ତା’ର ବଙ୍କୁଲି ବାଡ଼ିଟି ଉପରେ ଭରାଦେଇ ଉଠି ଠିଆହେଲା । ଫେରିଯିବାବେଳେ ମୁହଁ ଫେରେଇ କହିଲା,‘ମତେ ମନେ ରଖିଥିବୁରେ ରାକ୍କା, ଭୁଲି ଯିବୁନି ।’

ରାକ୍କା କଣ୍ଠରୁ ଧୀର ସ୍ୱରରେ ସମ୍ମତିଭରା ‘ହଁ’ଟିଏ ବାହାରି ଆସିଲା । ସେ ହାତରେ ଗାମୁଛାଟିକୁ ଧରି ଯୋଡ଼ହାତ କରି ଗନିକୁ ନମସ୍କାର କଲା । ବିଚରା ଗନି ଗୋଟିଏ ଗୋଟିଏ ପାହୁଣ୍ଡ ପକାଇ ଗଳିର ଅନ୍ୟ ଘରମାନଙ୍କୁ ଚାହିଁ ଚାଲିଯାଉଥିଲା । ଝର୍କାଫାଙ୍କରୁ ଟୁପୁରୁଟାପୁରୁ ହେଉଥିବା ଲୋକମାନଙ୍କ ଆଲୋଚନା କିଛି ସମୟ ଲାଗି ସେମିତି ଲାଗି ରହିଲା । ସେମାନେ ପରସ୍ପର ଭିତରେ କଥାବାର୍ତ୍ତା ହେଉଥିଲେ, ଗଳିରୁ ଚାଲିଯିବା ପରେ ମନୋରୀ ନିଶ୍ଚୟ ସବୁ ଗୁମର ଗନି ଆଗରେ ଫିଟେଇ କହିଦେବ । ଗନି ଆଗରେ ରାକ୍କାର ତଣ୍ଟି  କେମିତି ଅଠା ଅଠା ହୋଇଗଲା । ଆଉ ଏବେ ତ ରାକ୍କାର ଆଗ ବହପ ରହିବ ନାହିଁ । ଅନ୍ୟ ଲୋକମାନେ ଭଙ୍ଗାଘର ସାମ୍ନାରେ ଗାଈଗୋରୁ ବାନ୍ଧିଲେ ଏବେ କ’ଣ ସିଏ ସେମାନଙ୍କୁ ଧମକାଇ ପାରିବ? ବିଚରା ଜୁବେଦା! କେଡ଼େ ସରଳ ସ୍ତ୍ରୀ ଲୋକଟା! କଥାବାର୍ତ୍ତା, ଚାଲିଚଳନରେ କେଡ଼
ଧୀରସ୍ଥିର । ଆଉ ଏ ନିଆଁଲଗା ଅସୁରଟା! ନା ଅଛି ଘରଦ୍ୱାର, ନା ଅଛି ପରିବାର! ବାରବୁଲାଙ୍କ ଭଳିଆ ବର୍ଷକ ବାରମାସ ବାହାରେ ବାହାରେ ବୁଲୁଥିବ । ଆଉ ଅନ୍ୟ କାହାର ମା’ଭଉଣୀ କି ସ୍ତ୍ରୀ ପିଲାଙ୍କ ପ୍ରତି ତା’ମନରେ ଦୟାଭାବ ଆସିବ କୁଆଡ଼ୁ?

କିଛି ସମୟ ପରେ ଲୋକମାନେ ଯେଝା ଯେଝା କବାଟ ଖୋଲି ପଦାକୁ ବାହାରି ଆସିଲେ । ସ୍ତ୍ରୀଲୋକମାନେ ସେମାନଙ୍କ ନିତିଦିନିଆ ଘର କାମରେ ମନଦେଲେ । ପିଲାମାନେ ଗୁଚିତାଣ୍ଡୁ ଖେଳ ଆରମ୍ଭ କରିଦେଲେ । ଝିଅ ଦି’ଜଣ ଥିଲେ ଥିଲେ ବଡ଼ପାଟିରେ ଝଗଡ଼ା ଆରମ୍ଭ କରିଦେଲେ । ରାକ୍କା ପହିଲମାନ ସନ୍ଧ୍ୟା ପର୍ଯ୍ୟନ୍ତ ସେଇ କୂଅମୂଳ ଚଉତରା ଉପରେ ସେମିତି ବସି ରହିଲା । ରହି ରହି ବେଳେବେଳେ ଗଳା ଖଙ୍କାରି କାଶୁଥିଲା । ସେପଟ ଦେଇ ଯା’ଆସ କରୁଥିବା ଲୋକମାନେ ରାକ୍କାକୁ ପଚାରି ଚାଲି ଯାଉଥିଲେ, ‘କ’ଣ ରାକ୍କା ପହିଲମାନ, ଶୁଣିଲୁ ଗନି ଖାଁ କାଳେ ପାକିସ୍ତାନରୁ ଏଇଆଡ଼େ ବୁଲି ଆସିଚି?’

ସମସ୍ତଙ୍କୁ ରାକ୍କା ସେଇ ଗୋଟିଏ ଉତ୍ତର ଦେଉଥିଲା, ‘ହଁ, ଆସିଥିଲା ।’

‘କ’ଣ କିଛି ଝଗଡ଼ାଝାଟି ହେଲା ନା କ’ଣ?’

‘ନା, ଝଗଡ଼ା କାଇଁକି ହେବ? ସେ ଆସିଥିଲା, ବୁଲିବାଲି ଫେରିଗଲା ।’

ସେଦିନ ରାତି ହେବାମାତ୍ରେ ରାକ୍କା ସେ ଜାଗାରୁ ଉଠିଯାଇ ରାସ୍ତା କଣମୁଣ୍ଡରେ ଥିବା ଦୋକାନଟି ପାଖରେ ବସିପଡ଼ିଲା । ସବୁଦିନ ରାତିରେ ସେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ରାକ୍କା କିଛି ନା କିଛି ନୂଆ ଖବର ଦିଏ । କେଉଁଦିନ ଷ୍ଟକ୍‍ ଏକ୍ସଚେଞ୍ଜରେ କେଉଁ ସେୟାରର ଦାମ୍‍ ବଢ଼ିଲା କି କମିଲା, ପୁଣି କେଉଁ ସେୟାରର ମୂଲ୍ୟ ଆଗକୁ ବଢ଼ିବାର ଅଛି ତା’ର ଗୂଢ଼ ରହସ୍ୟ । ଆଉ କେଉଁଦିନ ସେ ଲୋକମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟରକ୍ଷାର ଗୁପ୍ତ ରହସ୍ୟ ବି ବତେଇଦିଏ । ଦିନେ ଦିନେ ସେ କାହାକୁ କିଛି ଗୁପ୍ତ ବେମାରୀର ଔଷଧ ମଧ୍ୟ ବତାଏ । ସେଦିନ କିନ୍ତୁ ସେ ସେପରି କିଛି ଗପି ନ ଥିଲା । ବରଂ ତା’ଚେଲା ଲଚ୍ଛାକୁ ସେଦିନ ଶୁଣେଇଥିଲା ବୈଷ୍ଣୋଦେବୀଙ୍କ ପାଖକୁ ପନ୍ଦରବର୍ଷ ତଳେ ସେ ଯେଉଁ ତୀର୍ଥଯାତ୍ରା କରିଥିଲା ସେଇ କାହାଣୀ । ଲଚ୍ଛାକୁ ସେ କାହାଣୀ ଶୁଣାଇସାରି ସେ ଚାଲିଗଲା ଭଙ୍ଗାଘର ଆଡ଼େ । ସେଠାରେ ପହଞ୍ଚି ସେ ଦେଖିଲା ଭଙ୍ଗାଘରଟା ସାମ୍ନାରେ ଲୋକୁ ପଣ୍ଡିତର କଳା ମଇଁଷିଟା ବନ୍ଧା ହୋଇଛି । ସବୁଦିନ ପରିକା ସେ ମଇଁଷିଟାକୁ ପଘାରୁ ଫିଟାଇ ହୁରୁଡ଼େଇଦେଲା । ତା’ପରେ ଭଙ୍ଗାଘରର ଦୁଆରମୁହଁରେ ଲଥ୍‍କରି ବସିପଡ଼ିଲା । ରାସ୍ତାଟା ବେଶ୍‍ ନିଛାଟିଆ ଲାଗୁଥିଲା ।

ସାମ୍ନା ବତି ଖୁଣ୍ଟରେ ଆଲୁଅ ନ ଥିବାରୁ ସନ୍ଧ୍ୟାବେଳକୁ ଚାରିଆଡ଼ ଅନ୍ଧକାରମୟ ହୋଇସାରିଥିଲା । କେବଳ ଯାହା ଘର ସାମ୍ନାରେ ଯାଇଥିବା ନର୍ଦମାରେ ମଇଳାପାଣି ବହି ଯାଉଥିବାର ଶବ୍ଦ ଶୁଭୁଥିଲା । ଭଙ୍ଗାଘରଟା ଭିତରୁ ଚୁଚୁନ୍ଦ୍ରାଙ୍କ ଚିକ୍‍ ଚିକ୍‍ ଅବା ଝିଙ୍କାରୀଙ୍କ ଝିଂ…
ଝିଂ..ଶବ୍ଦ ରହି ରହି ବେଳେବେଳେ ଶୁଭୁଥିଲା । ଅନ୍ଧାରଟା ଭିତରେ କେଉଁଠୁ ଉଡ଼ିଆସି କୁଆଟିଏ ବସିପଡ଼ିଲା ଭଙ୍ଗା ଚୌକାଠଟା
ଉପରେ । ତା’ଡେଣା ଝଡ଼ାରେ ପୁରୁଣା କାଠ ଉପରେ ଲାଗିଥିବା ଅଳିଆସବୁ ତଳେ ଝଡ଼ିପଡ଼ିଲା । ଘର କୋଣକୁ ଶୋଇଥିବା କୁକୁରଟିର ନିଦ୍ରାରେ ବ୍ୟାଘାତ ଘଟିଲା କି କ’ଣ, ସେ ଉଠିପଡ଼ି କୁଆଟି ଆଡ଼େ ଚାହିଁ ଭୁଲିବାକୁ ଆରମ୍ଭ କଲା । ପ୍ରଥମେ କୁଆଟି ଭାବି ପାରିଲା ନାହିଁ ଉଡ଼ିଯିବ କି ବସିରହିବ । କିଛି ସମୟ ପରେ ସେ ଡେଣା ଝାଡ଼ି ସେଠାରୁ ଉଡ଼ିଯାଇ ବସିପଡ଼ିଲା କୂଅମୂଳ ଅଶ୍ୱତ୍ଥଗଛ ଡାଳରେ । ଏଥର କୁକୁରଟା କ’ଣ ଭାବିଲା କେଜାଣି ରାକ୍କା ପହିଲମାନ ଆଡ଼କୁ କେଇ ପାହୁଣ୍ଡ ଉହୁଙ୍କିଆସି ଭୁକିଚାଲିଲା । ରାକ୍କା କୁକୁରଟାକୁ ଖାମଖିଆଲ ଭାବେ ‘ଯା’ପଳା, ଦୂର୍‍, ଦୂର୍‍’ କହି ଘଉଡ଼ାଇ ଦେବାକୁ ଚାହିଁଲା । କିନ୍ତୁ କୁକୁରଟା ଭୋ ଭୋ ରଡ଼ି ବେଳକୁ ବେଳ ବଢ଼ିଲା ସିନା କମିଲା ନାହିଁ । ଆହୁରି ପାଖକୁ ଆସି ସେ ଭୁକିଚାଲିଲା । ରାକ୍କା ବିରକ୍ତ ହୋଇ ହାତ ପାଖରେ ପଡ଼ିଥିବା ଢେଲାଟିଏ ଫିଙ୍ଗିଲା ତା’ଉପରକୁ । କୁକୁରଟା ପାଦେ ଦି’ପାଦ ଘୁଞ୍ଚିଲା ସିନା, ହେଲେ ଭୁକିବା ବନ୍ଦ୍‍ କଲା ନାହିଁ । ଅନନ୍ୟୋପାୟ ହୋଇ ରାକ୍କା ଦୁଆର ବନ୍ଧଟା ଉପରୁ ଉଠି ଠିଆହେଲା । ଗାମୁଛାକୁ ହାତରେ ଧରି ପୁଣି ଗୋଟିଏ ଗୋଟିଏ ଚାଲିଲା କୂଅମୂଳ ଆଡ଼େ । କୂଅମୂଳେ ପହଞ୍ଚି ଚଉତରାଟା ଉପରେ ଲମ୍ବ ହୋଇ ସେ ଶୋଇଗଲା । ଭଙ୍ଗାଘରଟା ଭିତରୁ ରାକ୍କା ବାହାରି ଆସିଲା ପରେ କୁକୁରଟା ବି ତା’ପଛେପଛେ ଦାଣ୍ଡକୁ ବାହାରି ଆସିଲା । ରାକ୍କା ପହିଲମାନ କୂଅମୂଳେ ଶୋଇଯିବା ଦେଖି ସେ ତା ଆଡ଼କୁ ଚାହିଁ ସେମିତି ଭୁକି ଚାଲିଲା । ଢେର୍‍ ସମୟ ଧରି ଏମିତି ଭୁକିଚାଲିବା ପରେ କୁକୁରଟା ଲକ୍ଷ୍ୟକଲା ଆଉ କେହି ତା’ ନିଦରେ ବ୍ୟାଘାତ ଘଟାଇବାକୁ ନାହାନ୍ତି । ଏଥର ଦି’କାନକୁ ହଲେଇ ସେ ପୁଣି ଫେରିଗଲା ଭଙ୍ଗାଘରଟା ଭିତରକୁ । ଘର ଭିତରେ ଗୋଟିଏ କୋଣରେ ସେ ଶୋଇଗଲା କେଇଟି ମୁହୂର୍ତ୍ତ ଭିତରେ । କେବଳ ସେଇ ଶାନ୍ତ ଓ ନୀରବ ପରିବେଶ ଭିତରେ ଶୁଣାଯାଉଥିଲା କୁକୁରଟିର ଘୁଙ୍ଗୁଡ଼ି ।

 

ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩ 

Comments are closed, but trackbacks and pingbacks are open.