ବନ୍ଦିତା ଦାଶ
ଗଣଙ୍କର ଈଶ ବା ଈଶ୍ବର ହେଉଛନ୍ତି ଗଣେଶ। ସବୁ ଦେବାଦେବୀଙ୍କ ପୂଜା ଆରମ୍ଭରେ ଗଣେଶ ପୂଜାପାଆନ୍ତି। ପାର୍ବତୀ ଓ ଶିବଙ୍କର ସେ ସାନପୁଅ। କାର୍ତ୍ତିକେୟଙ୍କର ସେ ସାନଭାଇ। ବାଧ୍ଯ ସନ୍ତାନ ଗଣେଶ ମାଙ୍କର କଥାମାନି ଦ୍ବାର ଜଗିଥିବାବେଳେ ଶିବଙ୍କୁ ବି ଛାଡିନଥିଲେ ଭିତରକୁ। ଫଳତଃ, ମହାକ୍ରୋଧୀ ଦେବଦେବ ମହାଦେବଙ୍କ ସହିତ ଯୁଦ୍ଧ ହେଲା। ପାର୍ବତୀଙ୍କ ମାନସପୁତ୍ର ଗଣେଶଙ୍କର ପରାଜୟ ହେବା ସହ ନିଧନ ବି ହେଲା । ମାଆ ଏକଥା ସହନ୍ତେ କିପରି… । କାନ୍ଦିକାନ୍ଦି ବାରମ୍ବାର କହୁଥିଲେ, ‘ ଆଣିଦିଅ ମୋ’ ବିନାୟକକୁ। ଆଦରର ଧନକୁ ।’ ସବୁ ଦେବତା ଏକଜୁଟ ହେଲେ, କ’ଣ କରିହେବ ସେକଥା ଭାବିଲେ। ଚଉଦ ଭୁବନ ଖୋଜା ପଡିଲା, କିଏ ଉତ୍ତର ଦିଗକୁ ମୁଣ୍ଡକରି ଶୋଇଚି, ତା’ ମୁଣ୍ଡ କାଟିଆଣି ମନ୍ତ୍ର ପଢି ଲଗାଇଦେଲେ ଗଣେଶ ପୁଣି ନୂଆ ଜୀବନପାଇ ଜୀବିତ ହେବେ। ହାତୀଟିଏ ମାଆ କି ବାପା କଥା ନ ମାନି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିଲା। ଏଥର ସେ ବଳି ପଡିଲା। ବିଘ୍ନ ବିନାଶକ ଜୀବିତ ହେଲେ।ମାଆ ଜଗତଜନନୀ ଖୁସିରେ କୋଳେଇନେଲେ ବିଚକ୍ଷଣ ବୁଦ୍ଧିମାନ ପୁଅକୁ।ସେଦିନରୁ ସେ ହେଲେ ଗଜାନନ ଓ ବକ୍ରତୁଣ୍ଡ।
ପୁରାଣ କଥା ଏସବୁ। ବିଜ୍ଞାନ କହୁଛି ଉତ୍ତର ଦିଗକୁ ମୁଣ୍ଡକରି ଶୋଇଲେ ବୁଦ୍ଧି ନଷ୍ଟ ହୁଏ। ନିଦ ଭଲ ହୁଏ ନାହିଁ। ଦେହ ଖରାପହୁଏ। ଅଳ୍ପାୟୁ ହୁଏ ମଣିଷ।ତେଣୁ, ଲୋକେ କହନ୍ତି ଉତ୍ତର ଦିଗକୁ ମୁଣ୍ଡରଖି ଶୁଅନା । ଉତ୍ତର ମେରୁର ଚୁମ୍ବକୀୟ କ୍ଷେତ୍ର ପାଇଁ ଏମିତି ହୁଏ। ଆମ ପୂର୍ବପୁରୁଷ କେତେ ବୁଦ୍ଧିମାନ ନଥିଲେ ସତରେ ! ଆମ ପାଇଁ କେତେକେତେ ଭଲକଥା ଲେଖିଯାଇଛନ୍ତି ।ବିଜ୍ଞାନ ସହିତ ପୁରାଣକୁ ଯୋଡି ଆମ ଜୀବନଶୈଳୀକୁ ସୁଖକର ,ସୁନ୍ଦର ଓ ସହଜ କରିଛନ୍ତି।
ପିଲାଏ ତୁମେସବୁ ବଡମାନଙ୍କର କଥା ମାନିବ। ପାଠ ପଢିବାକୁ ବସିବା ସମୟରେ ଆଗେ ଗଣପତିଙ୍କୁ ମନେପକାଇ ମନେମନେ ଜୁହାର ହେବ।ସେ ବୁଦ୍ଧିମାନ କରାଇବେ। ଏକାଗ୍ରତା ଆଣିଦେବେ। ତାଙ୍କର ନାମ ଧରି କାମ ଆରମ୍ଭ କଲେ ସବୁ ବାଧାବିଘ୍ନ ଦୂରକରିଦେବେ।
ସବୁ ଦେବତାଙ୍କ ଭିତରେ ଛୋଟିଆ ପିଲା ହେଲେ ଗଣେଶ। ଭାରି ଲଡୁ ପ୍ରିୟ। ଖାଇବାକୁ ଭଲପାଆନ୍ତି। ଆମେ ଯେମିତି ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବାପାଇଁ ଯାନର ଆବଶ୍ଯକ କରୁ ସେମିତି ଦେବତାମାନଙ୍କର ବି ଥାଏ। ତାକୁ ବାହନ କୁହାଯାଏ। ଗଣେଶଙ୍କର ବାହନ ମୂଷିକ। ସେ ଏମିତି ସେମିତି ନୁହେଁ, ପ୍ରବଳ ପରାକ୍ରମୀ ଯମ – ଯାହାଙ୍କୁ ଗଜାନନ ମୂଷାକରି ପାଖରେ ରଖିଥିଲେ।
ବ୍ୟାସଦେବ ଯେତେବେଳ ମହାଭାରତ ରଚନାକଲେ ସେତେବେଳେ ଗଣେଶ ସେସବୁ ଲେଖିରଖୁଥିଲେ।ବ୍ୟାସ କହୁଥିଲେ ଓ ସେ ଲେଖୁଥିଲେ। ତାଙ୍କ ଦୁହିଁଙ୍କର ବୁଦ୍ଧି ବହୁତ। ଦୁହେଁ ଦୁହଁଙ୍କିର ସମକକ୍ଷ। ଗଣେଶ କହିଲେ , ‘ଆପଣ ଯଦି ନିରବଚ୍ଛିନ୍ନ ଭାବରେ କହିବେ, ମୁଁ ଲେଖିବି ନହଲେ ମୁଁ ଚାଲିଯିବି।’ ବ୍ୟାସଦେବ କହିଲେ, ‘ ତୁମେ ପ୍ରତ୍ୟେକ ପଦ ବୁଝିଲାପରେ ଯାଇ ଲେଖିବ।’ ଗଣେଶ ବୁଝୁବୁଝୁ ବ୍ୟାସଦେବ ପଦଟିଏ ରଚନା କରିଦେଉଥିଲେ। ବଡ ସୁନ୍ଦର ତାଳମେଳ ରଖି ଆମ ମହାନ ସଂସ୍କୃତିର ମହାକାବ୍ୟ ରଚିତ ହେଲା, ଯାହା ଆଜି ବି କେତେକଥା ଶିଖାଉଛି ଆମକୁ।
ଥରେ ଦୁଇଭାଇଙ୍କ ଭିତରେ ପ୍ରତିଯୋଗିତାର ମନୋଭାବ ଦେଖାଦେଲା। କିଏ ବଡ, କିଏ ସାନ ଏକଥା ମନକୁ ଆସିଲା। କାର୍ତ୍ତିକେୟ ଓ ଗଣେଶ ଦୁହେଁ ମାଆ, ବାପାଙ୍କ ପାଖକୁ ଗଲେ ସମାଧାନ ପାଇଁ। ମହାଦେବ ମୁହଁରେ ସ୍ମିତହାସ୍ଯ ଖେଳାଇ କହିଲେ ,’ଯିଏ ଆଗ ତ୍ରିଭୁବନ ବୁଲି ମୋ’ ପାଖକୁ ଆସିବ ସିଏ ବଡ ବୁଦ୍ଧିମାନ ବୋଲି ଗଣାହେବ । କାର୍ତ୍ତିକେୟଙ୍କର ବାହନ ମୟୂର, ସେ ଫୁରକିନା ଉଡିବା ଆରମ୍ଭ କଲେ, ଗଣେଶ ମାଆ ଓ ବାପାଙ୍କର ଚାରିପାଖରେ ତିନିଥର ବୁଲିଆସିଲେ ପରମ ଭକ୍ତିର ସହିତ ଆଭୂମ ପ୍ରଣାମ କରି ଆଶୀର୍ବାଦ ନେଇ ଅପେକ୍ଷା କଲେ ବଡ ଭାଇଙ୍କ ପାଇଁ। ଢେର ସମୟପରେ ଭାଇ ଫେରିଲେ । ଗଣେଶଙ୍କୁ ମାଆ, ବାପାଙ୍କ ପାଖରେ ଛିଡାହୋଇ ହସୁଥିବା ଦେଖି କହିଲେ, ତୁମେ ପ୍ରଦକ୍ଷିଣ ନକରି ଛିଡା ହୋଇଚ, ତୁମେ ହାରିଲ ।’ ଏଥର ଗଜାନନ କହିଲେ, ମାଆ ଓ ବାପାଙ୍କର ପ୍ରଦକ୍ଷିଣ ତିନିଥର କଲି , ଅର୍ଥାତ ସବୁ ଭୁବନ ତିନିଥର ବୁଲିଆସିଲି। ମାଆ ଓ ବାପାଙ୍କ ପାଦତଳେ କୋଟିଏ ପ୍ରଣାମ।’ ଏକଥା ବୁଦ୍ଧିମାନ, ବିବେକୀ, ଗୁଣବାନ କହିଥାଏ। ଆମେ ଏକଥା ପାଳିବା ଆଜୀବନ। କି ସୁନ୍ଦର ଆମର ପୁରାଣ କଥା। ଆମ ସଂସ୍କୃତିର ପ୍ରଚାର , ପ୍ରସାର ସହ ପାଳନ ମଧ୍ଯ ହେଉ।
କାଂଶବାହାଲ, ସୁନ୍ଦରଗଡ
Comments are closed.