Latest Odisha News

BREAKING NEWS

ସାରଳା ଦାସଙ୍କର ମହାକାବ୍ୟ ସମସାମୟିକ ଜନଜୀବନର ବାସ୍ତବିକ ଛବି ପ୍ରଦାନ କରେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ( ଡିମଡ ୟୁନିଭର୍ସିଟି) ଆନୁକୂଲ୍ୟରେ ଆଦିକବି ସାରଳା ଦାସଙ୍କ ରଚିତ ‘ସାରୋଳଦାସ ମହାଭାରଥ’ ମହାକବ୍ୟର ଦୁଇଟି ପାଠ ଆଧାରିତ ସଂସ୍କରଣ ‘ମୁସଳୀ’ ଓ ‘ସ୍ଵର୍ଗାରୋହଣ’ ସୋଆ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଭାଷାବିତ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ସାରଳା ଦାସଙ୍କ ବିଶାଳ କାର୍ଯ୍ୟକୁ ବିଶ୍ୱବାସୀଙ୍କ ନିକଟତର କରାଇବାର ଆବଶ୍ୟକତା ଅଛି ଏବଂ ତା ସହିତ ତାଙ୍କର ଜୀବନୀ ଉପରେ ଅଧିକ ଗବେଷଣା କରିବା ଆବଶ୍ୟକ ବୋଲି ଡ. ପଟ୍ଟନାୟକ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ସାରଳା ଦାସଙ୍କର ମହାକାବ୍ୟ ସମସାମୟିକ ଜନଜୀବନର ବାସ୍ତବିକ ଛବି ପ୍ରଦାନ କରେ ବୋଲି ମତ ଦେବା ସହ ସୋଆର ଏପ୍ରକାର କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ।

ଆଗାମୀ ଦିନରେ ଏହି ମହାକାବ୍ୟର ୧୮ଟି କ୍ରିଟିକାଲ ଏଡିସନ ବା ପାଠ ଆଧାରିତ ସଂସ୍କରଣ ପ୍ରକାଶ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୋଆ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାବ୍ୟର ଡିଜିଟାଲ ସଂସ୍କରଣ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଉନ୍ମୋଚନ କରିଥିଲେ।

ଡ. ଭାଗ୍ୟଲକ୍ଷ୍ମୀ ମଲ୍ଲ , ପ୍ରଫେସର ଗୌରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡାଙ୍କୁ ନେଇ ଗଠିତ ସମ୍ପାଦନା ମଣ୍ଡଳୀ ଏହି କ୍ରିଟିକାଲ ଏଡିସନ ତଥା ପାଠ ଆଧାରିତ ସଂସ୍କରଣର ସମ୍ପାଦନା କରିଛନ୍ତି ।ସମ୍ପାଦକୀୟ ମଣ୍ଡଳୀ ନୂଆ ସଂସ୍କରଣରେ ୫୦୦ ରୁ ୬୦୦ ବର୍ଷ ପୁରାତନ ଶବ୍ଦର ବ୍ୟବହାର କରାଯିବା ସହ ତାର ବିଶ୍ଳେଷଣ କରାଯାଇଛି ଏବଂ ଉନବିଂଶ ଶତାଦ୍ଦୀର ୨୦ଟି ପାଣ୍ଡୁଲିପିକୁ ରାଜ୍ୟ ସଂଗ୍ରହାଲୟ , ଜାତୀୟ ସଂଗ୍ରହାଲୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସଂଗ୍ରହ କରାଯାଇଛି ବୋଲି ସୂଚନା ଦେଇଥିଲେ।

ପ୍ରଫେସର ଗୋୖରାଙ୍ଗ ଚରଣ ଦାସ ସାରଳା ଦାସଙ୍କ ଲିଖିତ ‘ବିଚିତ୍ର ରାମାୟଣ’ ଓ ‘ଚଣ୍ଡୀ ପୁରାଣ’ ପୋଥି ବିଷୟରେ ଅବଗତ କରାଇବା ସହ ତାଙ୍କୁ ପଞ୍ଚଦଶ ଶତାଦ୍ଦୀର କବି ଭାବରେ ଗ୍ରହଣ କରାଯାଏ ବୋଲି ମତବ୍ୟକ୍ତ କରିଥିଲେ।

ସୋଆ ପରିଚାଳିତ ପ୍ରିଜରଭେସନ , ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସୋଆ କୁଳପତି ଅଶୋକ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଡ. ଗାୟତ୍ରୀବାଳା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ପରିଚାଳନା ଦାୟିତ୍ବ ନେଇଥିଲେ।

Leave A Reply

Your email address will not be published.