କବିତା : ଅଙ୍କୁରୋଦଗମ

ତ୍ରିନାଥ ବେହେରା 

ଆଉ ଥରେ
ଅଙ୍କୁରୋଦଗମ ହୁଅନ୍ତା କି ?
ବିଜନ ବେଳାରେ
ଚନ୍ଦ୍ରାତପନଳେ ସେ
ଦୁର୍ବାର ଇଛାଶକ୍ତି
ଯିଏ ସ୍ବପ୍ନିଳ ଆଖିରେ
ନବ ପଲ୍ଲବକୁ
ମୃଦୁ ମଳୟ ସ୍ପର୍ଶରେ
ଟିକେ ଆଉଁସି ନିଅନ୍ତା
ଛାତିକି ଆଉଜି !

ସ୍ବପ୍ନ ସବୁ ସେମିତି
ଧାବମାନ ହୁଅନ୍ତା କି ?
ବୟସର ରାଜପଥରେ
ପ୍ରିୟାର ଅଧର ବଚନକୁ
କରିବା ପାଇଁ ନିର୍ବାଚନ
ପ୍ରତିଟି ରାତିରେ
ଶିହରି ଉଠନ୍ତା କି ତା’
କଜଳ ଲେପିତ
କୁରଙ୍ଗୀ ଆଖି
ନୀରବୀ ଯାଆନ୍ତି ଦେଖି !

ସେ ମନର ମାନସୀଟି
ପୁନଶ୍ଚ ପାରନ୍ତା କି ?
ପରସ୍ତ ପରସ୍ତ ପରଖି ..
ଅଙ୍କୁରି ଉଠି ସେ ପ୍ରେମର
ମହକରେ ଧିରେ ଧିରେ
ସଂଭ୍ରମ ନୟନରେ
ଖୋଜିବୁଲନ୍ତା କି ନିତି
ଓଢଣା ତଳରୁ ସ୍ମିତ ହାସ୍ୟଟେ
ରୋପି ହୋଇ ଯାଆନ୍ତା ମୋ ଦେହେ
ଅଙ୍କୁରୋଦଗମିତ ବୀଜଟିଏ ।

ବଡକୋଦଣ୍ଡା, ଭଞ୍ଜନଗର, ଗଞ୍ଜାମ