ବ୍ୟଙ୍ଗ : ପୂଜା ପାଇଁ ଫୁଲ

ଓଁ ଅଭିଜ୍ଞାନ ସାହୁ

କେତେ ଯତନରେ ଫୁଲ ଗଛ ଗୁଡାକ ବଢ଼େଇଥିଲି । ରଙ୍ଗ ବେରଙ୍ଗ ଫୁଲ ଗଛ ସାଙ୍ଗକୁ ଘରକୁ ଆସୁଥିବା ଅତିଥିମାନଙ୍କ ଦୃଷ୍ଟି ପ ଡ଼ିବା ଭଳି ସ୍ଥାନରେ ବିଭିନ୍ନ କିସମର ଗୋଲାପ ଗଛ ଲଗେଇଥିଲି । ଗଛରେ ଫୁଲ ଫୁଟିଲେ ଯେତିକି ଆନନ୍ଦ ମିଳେନି ଯଦି କେହି ଅତିଥି ସତ ହେଉ କି ମିଛ ହେଉ ବଗିଚାର ଟିକେ ପ୍ରଶଂସା କରିଦେଲା ତେବେ ମନ କୁଣ୍ଢେମୋଟ ହୋଇଯାଏ ।

ଏଇ କିଛି ମାସ ତଳେ ଫନୀ ବାତ୍ୟାରେ ବଗିଚାର ପୁରୁଣା ପାଚେରିର ଗୋଟେ ଅଂଶ ଭାଙ୍ଗିଗଲା । କେତେବେଳ ଅର୍ଥର ଅଭାବ ତ କେତେବେଳ ସମୟର ଅଭାବରେ ଏଯାବତ ପାଚେରି ମରାମତି ହୋଇପାରିନି । ସେବେଠୁ ସିନା ହତା ଭିତରକୁ ଚାରିଗୋଡ଼ିଆ ପ୍ରାଣୀ ପଶିପାରୁନାହାନ୍ତି କିନ୍ତୁ ଦୁଇ ଗୋଡ଼ିଆ ପ୍ରାଣୀଙ୍କ ପାଦୁର୍ଭାଵ ସହିବା ସୀମା ଟପିଗଲାଣି । କେତେଦିନ ହେଲାଣି ସକାଳୁ ଉଠି ବଗିଚାରେ ଫୁଲ କଢ଼ଟିଏ ଦେଖିବା ମୋ’ ପାଇଁ ସ୍ୱପ୍ନ । ଏଇ କିଛିଦିନ ତଳେ ଜଣେ ଶୁଭଚିନ୍ତକ ପାହାଁନ୍ତାରେ ଗୋଲାପ ଫୁଲସବୁ ତୋଳି ସାରିବା ପରେ ଗଛ କଣ୍ଟାରେ କାଗଜ ଖଣ୍ଡେ ଝୁଲେଇ ଦେଇ ଚାଲିଗଲେ । ମୁଁ ନିଦରୁ ଉଠି ଦେଖେ ଫୁଲ ତ ଦୂରର କଥା ରାତିରେ ଦେଖିଥିବା କଢ଼ଟିଏ ବି ନାହିଁ । ଗଛ କଣ୍ଟାରେ ଝୁଲୁଥିବା କାଗଜଟି ଆଣି ଦେଖିଲି ସେଥିରେ ଲେଖା ଅଛି , ‘ଗୋଲାପ ଗଛ ମୂଳରେ ଅଣ୍ଡା ଖୋଳ ଓ ଚାହା ପତି ଦିଅ ଫୁଲ ଭଲ ବଢିବ । ‘ ଗଛ ସହ ଫୁଲ ବଢ଼େ ବୋଲି ମୋର ହୃଦବୋଧ ହେଲା । ଯାହାହେଉ ଫୁଲ ତୋଳି ସାରିବା ପରେ ସେ ଯେଉଁ ମହତ କାର୍ଯ୍ୟଟି କରିଲେ ସେଥିପାଇଁ ମୁଁ ଭଗବାନଙ୍କ ପାଖରେ ତାଙ୍କର ଅଶେଷ ମଙ୍ଗଳ କାମନା କରିଛି ।

ନୀତିବାଣୀ କାଗଜଟିକୁ ହାତରେ ଧରି ଫେରୁଛି ଦେଖିଲି ଆର ସାହିର ରମା ମା’ ଖୁଡି ହାତରେ ଗୋଟେ ଜରି ଧରି ଭଙ୍ଗା କାନ୍ଥ ବାଟେ ଭିତରକୁ ପଶୁଛି । ମୋତେ ଦେଖି କହିଲା,” ସେ ରାଣ୍ଡି କାଣୀ ବୁଢ଼ୀ କଣ ରାତିରେ ଶୋଉଛି । ରାତି ଅଧରୁ ହାତରେ ନଗି ଧରି ଫୁଲ ତୋଳିବାକୁ ପଳଉଛି । ଧର୍ମ ସହିବନିରେ ତାକୁ । ଏ ଖଣ୍ଡ ମଣ୍ଡଳର କାହା ବାଡ଼ିରେ ଫୁଲ କଢ଼ି ତ ଦୂର ଡେମ୍ପ ସୁଦ୍ଧା ଛାଡ଼ୁନି । ମୋର ଖାଲି ପୂଜା ପାଇଁ ଦି’ଟା ଫୁଲ ଦରକାର ଯେ ହେଲେ ସେ କୋଉଠି କିଛି ଛାଡୁଛି ଯେ ମୁଁ ନେବି !’ କି ଉତ୍ତର ଦେବି କିଛି ବୁଝିପାରୁନଥିଲି । କାଣି ବିଲେଇର କୁଜି ଅସରପା ଉପରେ ଦାଉ ସାଧିବା ଭଳି ହେବ । ପୂରା ବଗିଚା ସଫା କରିଲାଵାଲାକୁ ତ ଧରିପାରୁନି ଏ ଜରି ଧରିଥିବା ବୁଢ଼ୀ ମଣିଷକୁ କଣ କହିବି । ଦେଖିଲି ଆଉ ଦୁଇ ଜଣ କିଶୋରୀ ବାହାର ପଟେ ଲୁଙ୍ଗୁରୁ ପୁଙ୍ଗୁରୁ ହଉଛନ୍ତି । ସକାଳୁ ମୋର ଏଠାରେ ଉପସ୍ଥିତି ହୁଏତ ସେମାନଙ୍କୁ ନିରାଶ କରିଛି । ସେମାନେ ମନେ ମନେ ବୋଧେ ଭାବୁଥିବେ ଏ ବାଡିପଡା ଆଜି ସକାଳୁ ସକାଳୁ ଉଠି ବଗିଚାରେ କାଇଁ ଟହଲ ମାରୁଛି ! ମଣିଷକୁ ଟିକେ ଶାନ୍ତିରେ ଫୁଲ ଚୋରି କରିବାକୁ ଦେବେନି ।

ତାଙ୍କୁ ଦେଖି କହିଲି — “ଡେରିରେ ଆସିଲେ, ଆଉ କଣ କିଛି ବଳିଛି ? ଆଜି ବୋଧେ ସକାଳୁ କେହି ଜଣେ ଲକ୍ଷ୍ମୀବନ୍ତ ଲୋକ ହାତରେ ଫୁଲ ଚୋରୀଟା ବଇନି ହୋଇଛି, ଦେଖୁନାହାନ୍ତି ପୁରା ବଗିଚା କେମିତି ସଫା । ତୁମେମାନେ କଣ ସବୁଦିନ ଫୁଲ ତୋଳିବାକୁ ଆସ ?”

— ନାହିଁ ଆମେ ମଝିରେ ମଝିରେ ଆସୁ । ସବୁଦିନ ଆମର କିଏ ସକାଳୁ ଉଠି ଫୁଲ ତୋଳିବ ?ମୋର୍ନିଂ ୱାକକୁ ଗଲାବେଳେ ଯଦି କୋଉଠି ଫୁଲ ଦେଖୁ ତେବେ ତୋଳିଦେଉ ନହେଲେ ନାହିଁ ।

— ହଉ ଦେଖ ! ଯଦି କୋଉଠି ଦୁଇ ତିନିଟା ଗେଣ୍ଡୁ କି ଟଗର ବଳିଥିବ !!

— ନାହିଁମ ଆଜି ଆମ ସାଙ୍ଗର ବାର୍ଥଡେ ତ ଭାବିଲୁ ତୁମ ବଗିଚାରୁ ଗୋଲାପ ଫୁଲ ନେଇଥାନ୍ତୁ । କାହିଁ କୋଉଠି ଗୋଟାଏ ବି ଦିଶୁନି ।
ତାଙ୍କ ହାତକୁ ନୀତିବାଣୀ କାଗଜଟିକୁ ବଢ଼େଇ ଦେଇ କହିଲି – “ତୁମ ମାନଙ୍କ ଘରେ ଚାହା ତିଆରି ପରେ ଯେଉଁ ଚାହା ପତି ଫୋପାଡ଼ି ଦେଉଛ ଆଉ ଫୋପାଡିବନି, ରଖିଥିବ । ଅଧିକା ହେଇଗଲେ ତାକୁ ଆଣି ଆମ ଗୋଲାପ ଗଛ ମୂଳରେ ଦେବ । ଗଛରେ ଭଲ ଫୁଲ ଧରିଲେ ଆସି ନେଇଯିବ ।”
ମୋ କଥା ଶୁଣି ଫେଁ କିନା ହସି ଦେଇ ସେମାନେ ଚାଲିଗଲେ ।

ଆମ ଠାକୁରଙ୍କ ପୂଜା ପାଇଁ ଚୋରି ଫୁଲ ଦିଇଟା ନହେଲେ ନହୁଏ । କୃଷ୍ଣ ଲୀଳାରେ ତ ମାଖନ ଚୋରିଠୁ ଆରମ୍ଭ କରି ବସ୍ତ୍ର , ପର ସ୍ତ୍ରୀ ହରଣ ଭଳି ଅନେକ ସଙ୍ଗିନ ଲୀଳା ଉଲ୍ଲେଖ ଅଛି । ରାମାୟଣରେ ରାବଣ ସୀତାଙ୍କୁ ଚୋରି କରି ନେଲା ନାହିଁ ଯେ ତାର ପୂର୍ବାପର ବର୍ଣ୍ଣନା କରୁ କରୁ ବାଲ୍ମିକୀ ମୁନୀ ସାତ ଖଣ୍ଡ ରାମାୟଣ ଲେଖିଦେଲେ । ଏହିପରି ଅନେକ ଚୋରି ମାହାତ୍ମ୍ୟ ଆମ ପୁରାଣରେ ବର୍ଣ୍ଣିତ ଅଛି । ସେଥିପାଇଁ ବୋଧେ ଆମ ଠାକୁରଙ୍କ ପାଖରେ ପୂଜା ପାଇଁ ଅନ୍ୟ ବାଡ଼ିରୁ ଚୋରି ଫୁଲ ଦିଇଟା ନିହାତି ଦରକାର ।
ଆମର ଏଠି ବାର ମାସରେ ତେର ପରବ । ଆଗକୁ ଗଣେଷ ପୂଜା ଆସୁଛି ତେଣୁ ଏ ପୂଜାରେ ଲାଗିଲା ଭଳି ଫୁଲ ଗଛ ସବୁ ଆଉ ବଗିଚାରେ ରଖିବିନି । ଭାବୁଛି ପୁରା ବଗିଚାରେ ଆଗକୁ ସଦାବିହାରି ଫୁଲ ଗଛ ଲଗେଇଦେବି । ଆଉ ବାଉଁଶ ଥିବ ଯେ ବଇଁଶି ବାଜିବ । ସକାଳୁ ଉଠିଲେ ବଗିଚାଟା ଖାଲି ଫୁଲମୟ ଲାଗୁଥିବ । ଦେଖା ଶୁଣା ଝିନଝଟ ନଥିବ । ମୋ ବାରି ସଦାବିହାରୀ ସବୁବେଳେ ହସୁଥିବ । ମୋ ଘରେ ପଛେ ଠାକୁର ବିନା ଫୁଲରେ ଅପୂଜା ରୁହନ୍ତୁ କିନ୍ତୁ ମୋ ବଗିଚାରୁ ଫୁଲ ଚୋରିକରି ଆଉ କାହାଘରେ ଯେମିତି ପୂଜା ନହେଉ ।

ନା ଖୁଦ ଖାଉଙ୍ଗା ନା କିସିକୋ ଖାନେ ଦୁଙ୍ଗା ।

ବନମାଳୀ ଭବନ , ଖାନ୍ ନଗର , କଟକ