Latest Odisha News

BREAKING NEWS

ସାତକୋଶିଆକୁ ଫେରିବେ ହଳେ ମହାବଳ, ଅଭୟାରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ

ଅନୁଗୁଳ: ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଅନୁଗୁଳ ଜିଲ୍ଲାର ସାତକୋଶିଆରେ ପୁଣି ଫେରିବ ମହାବଳ। ଅଭାୟରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ। ପ୍ରୋଜେକ୍ଟ ଟାଇଗରର ବିଫଳତା ପରେ ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ଉପଯୁକ୍ତ କ୍ଷତିପୂରଣ ସହିବାକୁ ପଡିଥିଲା। ଏହା ପରେ ସାତକୋଶିଆରେ ଆରମ୍ଭ ହୋଇଥିଲା ରୂପାନ୍ତରୀକରଣ। ୨୦୨୪ରେ ସାତକୋଶିଆରେ ଗୋଟିଏ ମହାବଳ ବାଘ ଓ ଗୋଟିଏ ବାଘୁଣୀ ଆସିବା ନେଇ ଏନ୍‌ଟିସିଏ ରାଜି ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ, ବାଘ କ୍ରୟ ପାଇଁ ସରକାରଙ୍କ ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଅନୁମୋଦନ କରିଛି। ଏନଟିସିଏର ଅନୁମୋଦନ କ୍ରମେ ସତକୋଶିଆ ଡିଏଫ ସରୋଜ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ବନ୍ୟ ଅତିଥିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି। ସାତକୋଶିଆରେ ପ୍ରୋଜେକ୍ଟ ଟାଇଗର ବିଫଳ ହେବା ପରେ ଏନଟିସିଏର ନିର୍ଦ୍ଦେଶ ଅନୁଯାୟୀ ବାଘଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

ଡିଏଫ୍‌ଓ କହିଛନ୍ତି ଯେ ଅଭୟାରଣ୍ୟ କର୍ତ୍ତୃପକ୍ଷ ସତକୋଶିଆ ଜଙ୍ଗଲ ଭିତରେ ଥିବା ରାଇଗୁଡ଼ା, କଟରଙ୍ଗ, ଅସନବାହାଳ ଓ ଟୁଲୁକା ଗାଁକୁ ଇତିମଧ୍ୟରେ ସ୍ଥାନାନ୍ତର କରାଯାଇଛି। ସେହି ଗାଁଗୁଡ଼ିକ ଥିବା ସ୍ଥାନରେ ଏବେ ତୃଣଜୀବୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଚାରଣଭୂଇଁ ପ୍ରସ୍ତୁତ ହୋଇ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ଅଭୟାରଣ୍ୟ ଭିତରେ ବ୍ୟବସ୍ଥା କରାଯାଇଛି। ସାତକୋଶିଆ ମଧ୍ୟରେ ଥିବା ଲୋକଙ୍କୁ ପ୍ରାଥମିକତା ଦେଇ ସେମାନଙ୍କ ଜୀବନଜୀବିକା ଓ ସୁରକ୍ଷାକୁ ଗୁରୁତ୍ବ ଦିଆଯିବ। ଲୋକଙ୍କ ସହ ସମନ୍ବୟ ରକ୍ଷା କରି ୨୦୨୪ ମସିହା ଶେଷ ସୁଦ୍ଧା ସାତକୋଶିଆକୁ ଦୁଇଟି ମହାବଳ ଅଣାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।

ସୂଚନା ଥାଉକି ଯେ, ଜଳବାୟୁ ପରିବର୍ତ୍ତନ ଓ ଶିକାରୀଙ୍କ ଉପଦ୍ରବରେ ମହାବଳଶୂନ୍ୟ ହୋଇଯାଇଥିଲା ସାତକୋଶିଆ। ଏହାସତ୍ତ୍ବେ ୨୦୧୮ରେ ମଧ୍ୟପ୍ରଦେଶର ‘କାହ୍ନା’ ଓ ବାନ୍ଧବଗଡ଼ରୁ ‘ସୁନ୍ଦରୀ’କୁ ଅଣାଯାଇଥିଲା। ହେଲେ ଜଙ୍ଗଲ ଭିତରେ ଥିବା ଗାଁରେ ପଶି ‘ସୁନ୍ଦରୀ’ ମଣିଷ ମାରିଥିବା ବେଳେ ଶିକାରୀ ହାତରେ ‘ମହାବୀର’ର ପ୍ରାଣ ଯାଇଥିଲା। ଅଭୟାରଣ୍ୟ ଭିତରେ ଜନବସତି ପାଇଁ ‘ପ୍ରୋଜେକ୍ଟ୍‌-ଟାଇଗର୍‌’ ବିଫଳ ହୋଇଥିବାରୁ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ସେଠାରୁ ବିସ୍ଥାପନ କରିବା ସହିତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଏନ୍‌ଟିସିଏ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସାତକୋଶିଆରେ ଆରମ୍ଭ ହୋଇଥିଲା ରୂପାନ୍ତରୀକରଣ।

Leave A Reply

Your email address will not be published.