କୋରାପୁଟ: ମାସେ ନୁହେଁ କି ବର୍ଷେ ନୁହେଁ। ବିନା ଦୋଷରେ ଜେଲରେ କଟିଗଲା ୨୨ ବର୍ଷ। ଅଧା ଜୀବନ ସେଇ କାଳକୋଠରୀରେ ବିତିଗଲା। ନ୍ୟାୟ ଦାବିରେ ବାରମ୍ୱାର ଏ କୋର୍ଟରୁ ସେ କୋର୍ଟ ଦଉଡ଼ି ନିରାଶ ହୋଇଥିଲେ। ହେଲେ ସେହି ସମୟରେ ମିଳିନଥିଲା ନ୍ୟାୟ। ବାରମ୍ବାର ନିଜକୁ ଠିକ୍ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ, ହେଲେ ନ୍ୟାୟିକ ବ୍ୟବସ୍ଥା ସତେ ଯେପରି ନଥିଲା। ଶେଷରେ ଦୀର୍ଘ ୨୨ ବର୍ଷ ପରେ ସୁପ୍ରିମକୋର୍ଟରୁ ଦୋଷମୁକ୍ତ ହୋଇ ମୁକୁଳିଲେ। ଇଏ କୌଣସି ସିନେମା କାହାଣୀ ନୁହେଁ। ଏହା ଆମ ରାଜ୍ୟର, କୋରାପୁଟର ଏକ ମାମଲା।
ସୁପ୍ରିମକୋର୍ଟ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାର ଏହି ସାମୂହିକ ବିଫଳତା ଉପରେ ପ୍ରଶ୍ନ ଉଠାଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଟ୍ରାଏଲ୍ କୋର୍ଟ ପ୍ରମାଣର ସଠିକ୍ ମୂଲ୍ୟାଙ୍କନ କରିବାରେ ବିଫଳ ହୋଇଛି ଏବଂ ହାଇକୋର୍ଟ ନୀରବ ଦର୍ଶକ ହୋଇଛି। ଫଳସ୍ୱରୂପ, ଦୋଷୀ ୨୨ ବର୍ଷ ଜେଲରେ ବିତାଇଛନ୍ତି ଏବଂ କେବଳ ସନ୍ଦେହ ଉପରେ ଏକ ସ୍ୱୀକାରୋକ୍ତି ଆଣିବା ପାଇଁ ହାଜତରେ ଥାର୍ଡ-ଡିଗ୍ରୀ ନିର୍ଯାତନା ଭୋଗ କରିଛନ୍ତି।
ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇ କହିଛନ୍ତି ଯେ ଏହି ମାମଲା ଅନେକ ସାଂସ୍ଥାଗତ ବିଫଳତାକୁ ପ୍ରତିଫଳିତ କରେ। ଜଷ୍ଟିସ୍ ଜେ.ବି. ପାରଦିୱାଲା ଏବଂ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟର ଆଦେଶକୁ ଖାରଜ କରି ଏହି ମତାମତ ଦେଇଛନ୍ତି। ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟର ନିଷ୍ପତ୍ତି ଉପରେ ଦୁଃଖ ପ୍ରକାଶ କରି ତାଙ୍କର ରାୟ ଆରମ୍ଭ କରିଥିଲେ, ଯାହା ଜେଲ ଆବେଦନ ଦାଖଲ କରିବାରେ ୩,୧୫୭ ଦିନ ବିଳମ୍ବକୁ କ୍ଷମା କରିବାକୁ ମନା କରିଥିଲା, ଯଦିଓ ଦୋଷୀ ପୂର୍ବରୁ ତାଙ୍କ ୧୨ ବର୍ଷ ଦଣ୍ଡ ଭୋଗି ସାରିଥିଲେ।
କୋର୍ଟ କହିଛନ୍ତି, “୩୧୫୭ ଦିନର ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରୁଥିବା ଆବେଦନକୁ ଖାରଜ କରିବା ଏବଂ ଫଳସ୍ୱରୂପ ଧାରା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡର ଆଦେଶ ବିରୁଦ୍ଧରେ ଜେଲ୍ ଆପିଲ୍ ସ୍ମାରକପତ୍ରକୁ ଖାରଜ କରିବା ଦ୍ୱାରା ଆମେ ଅତ୍ୟନ୍ତ ନିରାଶ ଏବଂ ବିଚଳିତ। ଇଏ ଆମ ନ୍ୟାୟିକ ବ୍ୟବସ୍ଥାର ନଗ୍ନ ଚିତ୍ର। ଯାହାକୁ କଡ଼ା ଭାଷାରେ ଭର୍ତ୍ସନା କରିବା ସହ, କୋରାପୁଟର ୪୫ ବର୍ଷୀୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମକୋର୍ଟ। ୨୦୦୪ରେ କୋରାପୁଟରେ ଘଟିଥିଲା ଟ୍ରିପଲ୍ ମର୍ଡର୍। ହତ୍ୟାର ଶିକାର ହୋଇଥିଲେ ୩ ମହିଳା କମଳା, ସୋନବାରୀ ଓ ରତନାଇ। ଏହି ମାମଲାରେ ଗିରଫ ହୋଇଥିଲେ ଅଭିଯୁକ୍ତ- ଅର୍ଜୁନ ଜାନି ଓରଫ୍ ଟୁନ୍ଟୁନ୍। ଦୁଇ ବର୍ଷ ମାମଲା ଚାଲିବା ପରେ ୨୦୦୬ରେ ଅର୍ଜୁନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁଣାଇଥିଲେ ତଳକୋର୍ଟ ।
ହେଲେ ସୁପ୍ରିମକୋର୍ଟ ଅର୍ଜୁନଙ୍କୁ ଦୋଷମୁକ୍ତ କରି କହିଛନ୍ତି, ତାଙ୍କ ବିରୋଧରେ ଥିବା ପ୍ରମାଣଗୁଡ଼ିକ ଦୁର୍ବଳ ଏବଂ ଭରସାଯୋଗ୍ୟ ନୁହେଁ । କୌଣସି ବିଶ୍ୱସନୀୟ ପ୍ରମାଣ ନଥାଇ ଜଣେ ବ୍ୟକ୍ତିଙ୍କ ଜୀବନର ୨୨ ବର୍ଷ ଛଡ଼ାଇନିଆଗଲା । ଜଣଙ୍କୁ କେବଳ ସନ୍ଦେହ କରି ଗିରଫ କରିବା, ଥାର୍ଡ-ଡିଗ୍ରି ନିର୍ଯାତନା ଦେଇ ଦୋଷ ସ୍ୱୀକାର କରାଇବା ଏବଂ ତା ଆଧାରରେ ଦୋଷୀ ସାବ୍ୟସ୍ତ କରିବା ନ୍ୟାୟ ନୀତିର ପରିପନ୍ଥୀ । କଡ଼ା ଭାଷାରେ ଏହା ଉଲ୍ଲେଖ କରିଛନ୍ତି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ।
ଅର୍ଜୁନ ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୬ରେ ହାଇକୋର୍ଟକୁ ଯାଇଥିଲେ ଅର୍ଜୁନ। ହେଲେ ୩ ହଜାର ୧୫୭ ଦିନର ବିଳମ୍ୱ ଦର୍ଶାଇ ତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ସେତେବେଳକୁ ୧୨ ବର୍ଷ ଜେଲ୍ କାଟିସାରିଥିଲେ ଅର୍ଜୁନ ଜାନି। ଏହାପରେ ୩ ହଜାର ୭୦୩ ଦିନର ବିଳମ୍ୱରେ ସୁପ୍ରିମକୋର୍ଟକୁ ଯାଇଥିଲେ ବି, ତାଙ୍କ ମାମଲାକୁ ଗ୍ରହଣ କରିଥିଲେ ସର୍ବୋଚ୍ଚ ଅଦାଲତ। ସେଠାରୁ ସେ ମୁକ୍ତି ପାଇବାରେ ସଫଳ ହେଲେ। ଜଣେ ଜେଲ୍ରେ ଥାଇ ଆବେଦନରେ ବିଳମ୍ୱ ହେଲେ ବି, ହାଇକୋର୍ଟ ତାଙ୍କ ଆବେଦନ ପ୍ରତି ଦୃଷ୍ଟି ଦେବା ଉଚିତ ଥିଲା ବୋଲି କହିଛନ୍ତି ଖଣ୍ଡପୀଠ। ଏଥିସହ କୋରାପୁଟ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ଜିଲ୍ଲା ପ୍ରଶାସନ ସହାୟତାରେ ଅର୍ଜୁନଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ଏବଂ ତାଙ୍କୁ ପୁଣି ସମାଜରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।