Latest Odisha News

BREAKING NEWS

Court Videos Barred: “24×7 ମନୋରଞ୍ଜନ ଚ୍ୟାନେଲ୍ ନୁହେଁ କୋର୍ଟ”, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ?, ଭିଡିଓ ସେୟାର ଉପରେ ଲଗାଇଲେ କଟକଣା

ନୂଆଦିଲ୍ଲୀ: କୋର୍ଟ କାର୍ଯ୍ୟବିଧିର ଅଡିଓ ଓ ଭିଡିଓ ରେକର୍ଡିଂକୁ ସୋସିଆଲ ମିଡିଆରେ ମନଇଚ୍ଛା ପୋଷ୍ଟ, ଏଡିଟ୍, ପୁନଃଅପଲୋଡ୍ କିମ୍ବା ବ୍ୟବସାୟିକ ଭାବେ ବ୍ୟବହାର କରିବା ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୁକ୍ରବାର ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଏକ ଅନ୍ତରୀଣ ଆଦେଶ ଜାରି କରି କହିଛନ୍ତି ଯେ, ସମ୍ପୃକ୍ତ କୋର୍ଟର ପୂର୍ବ ଅନୁମତି ବିନା କୌଣସି ବ୍ୟକ୍ତି କିମ୍ବା ସଂସ୍ଥା କୋର୍ଟ କାର୍ଯ୍ୟବିଧିର ଅଡିଓ କିମ୍ବା ଭିଡିଓକୁ ବାହାର କରିବା, ସମ୍ପାଦନା କରିବା, ସୋସିଆଲ ମିଡିଆରେ ପୋଷ୍ଟ କରିବା, ପୁନଃ ପୋଷ୍ଟ କରିବା, ଅପଲୋଡ୍ କରିବା କିମ୍ବା ତାହା ମଧ୍ୟରୁ ଆର୍ଥିକ ଲାଭ କରିପାରିବେ ନାହିଁ।

ତେବେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଏହି ଆଦେଶ କୋର୍ଟ କାର୍ଯ୍ୟବିଧିର ସମ୍ବାଦ ପ୍ରକାଶନ କିମ୍ବା ସାମ୍ବାଦିକ ରିପୋର୍ଟିଂ ଉପରେ ଲାଗୁ ହେବ ନାହିଁ। ସାମ୍ବାଦିକମାନେ କୋର୍ଟ କାର୍ଯ୍ୟବିଧି ସମ୍ପର୍କିତ ଖବର ପ୍ରକାଶ କରିପାରିବେ।

ଏହି ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ କହିଥିଲେ ଯେ, ଡିଜିଟାଲ୍ ଯୁଗରେ ଡାଟାକୁ ନିୟନ୍ତ୍ରଣ କରିବା ସବୁଠାରୁ ବଡ଼ ଆହ୍ୱାନ ହୋଇପଡ଼ିଛି। କୋର୍ଟର ଲାଇଭ୍-ଷ୍ଟ୍ରିମିଂ ବ୍ୟତିକ୍ରମ ହେବା ଉଚିତ, ନିୟମ ନୁହେଁ। କୋର୍ଟ କୌଣସି 24×7 ମନୋରଞ୍ଜନ ଚ୍ୟାନେଲ୍ ନୁହେଁ। ସେ କହିଥିଲେ, ଅନଲାଇନ୍ ଶୁଣାଣିର ଲିଙ୍କ ମଧ୍ୟ ଅନେକ ସମୟରେ ଅନିୟନ୍ତ୍ରିତ ଭାବେ ସେୟାର ହେଉଛି, ଯାହାକୁ ମଧ୍ୟ ନିୟନ୍ତ୍ରଣ କରିବା ଆବଶ୍ୟକ।

ଶୁଣାଣି ବେଳେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ମଧ୍ୟ କୋର୍ଟକୁ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (AI) ସହାୟତାରେ କୋର୍ଟର ଭିଡିଓକୁ ଏଭଳି ଭାବେ ବଦଳାଯାଇପାରିବ ଯେ, ବିଚାରପତି କିମ୍ବା ଆଇନଜୀବୀଙ୍କ ଓଠର ଗତି ସମାନ ରହିବ, କିନ୍ତୁ କଥାବାର୍ତ୍ତାକୁ ସମ୍ପୂର୍ଣ୍ଣ ବଦଳାଇ ଦିଆଯିବ। ଏହା ଦ୍ୱାରା ନ୍ୟାୟପାଳିକା ସମ୍ପର୍କରେ ଭ୍ରାନ୍ତ ଧାରଣା ସୃଷ୍ଟି ହେବାର ଆଶଙ୍କା ରହିଛି।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ମଧ୍ୟ କହିଥିଲେ ଯେ, ତାଙ୍କ କେତେକ ମନ୍ତବ୍ୟକୁ ମଧ୍ୟ ଅତୀତରେ ଗଣମାଧ୍ୟମରେ ପ୍ରସଙ୍ଗ ବାହାରେ ଉପସ୍ଥାପନ କରାଯାଇଥିଲା। ଏହା ଭୁଲ ସୂଚନା ପ୍ରସାରର ଏକ ବଡ଼ କାରଣ ବୋଲି ସେ ମତ ରଖିଥିଲେ।

ଏହି ଜନସ୍ୱାର୍ଥ ମାମଲା ସାମ୍ବାଦିକା ହର୍ଷିତା ଗ୍ରୋଭର ଦାଖଲ କରିଥିଲେ। ଆବେଦନରେ କୁହାଯାଇଛି ଯେ, କୋର୍ଟ କାର୍ଯ୍ୟବିଧିର ଛୋଟ ଛୋଟ ଅଂଶକୁ କାଟି, ସମ୍ପାଦନା କରି ସୋସିଆଲ ମିଡିଆରେ ଭାଇରାଲ୍ କରାଯାଉଛି। ଏଥିରେ ବିଚାରପତି, ଆଇନଜୀବୀ ଓ ମକଦ୍ଦମାକାରୀଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହେବା ସହ ନ୍ୟାୟ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ପ୍ରଭାବିତ ହେଉଛି।

ସୁପ୍ରିମକୋର୍ଟ ଏହି ମାମଲାରେ ସମସ୍ତ ହାଇକୋର୍ଟ, କେନ୍ଦ୍ର ସରକାର ଏବଂ ମେଟା ଓ ଏକ୍ସ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି। ଏହା ସହିତ ହାଇକୋର୍ଟଗୁଡ଼ିକୁ ଲାଇଭ୍-ଷ୍ଟ୍ରିମିଂ ନିୟମାବଳୀର କାର୍ଯ୍ୟକାରିତା ଓ ତାହାର ପ୍ରଭାବ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.