Latest Odisha News

BREAKING NEWS

ବଦଳିବ ସରକାରୀ ସ୍କୁଲର ନକ୍ସା: ପ୍ରଥମରୁ ପଞ୍ଚମ ଯାଏଁ ପ୍ରତି ଶ୍ରେଣୀରେ ରହିବେ ୫୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ସ୍କୁଲର ହେବ ନକ୍ସା ପରିବର୍ତ୍ତନ । ଏଥିପାଇଁ ଆକ୍ସନମୋଡ଼କୁ ଆସିଯାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ଶ୍ରେଣୀରେ ପିଲାଙ୍କ ଲାଗି ଗୁଣାତ୍ମକ ଶିକ୍ଷାଦାନ ଏବଂ ଉନ୍ନତ ଭିତ୍ତିଭୂମି ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ସମଗ୍ର ଶିକ୍ଷା ଯୋଜନାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ଅନେକ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ୍ ।

ତେବେ ଆସନ୍ତାଶିକ୍ଷାବର୍ଷ ଠାରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସରକାରୀ ସ୍କୁଲଗୁଡିକରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ଶିକ୍ଷାଦାନ ବ୍ୟବସ୍ଥାରେ ସ୍ୱତନ୍ତ୍ର ଭାବେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି । ଯେଉଁଥିରେ ପ୍ରତ୍ୟେକ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀରେ ସର୍ବାଧିକ ୫୦ଜଣ ଲେଖାଏଁ ଛାତ୍ରଛାତ୍ରୀ ରହିବେ ।

ସେହିପରି ଯେଉଁ ସବୁ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୫ ତଳକୁ ରହିବ ସମ୍ପୃକ୍ତ ସ୍କୁଲକୁ ସେହି ଅଞ୍ଚଳର ୫କିମି ପରିସର ମଧ୍ୟରେ ମର୍ଜ କରାଯିବ ବୋଲି ଜଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଯେଉଁ ସବୁ ସ୍କୁଲରେ ମୋଟ୍ ଉପରେ ୧୦ରୁ କମ୍‌, ୨୦ରୁ କମ୍ ଏବଂ ୨୫ରୁ କମ୍ ପିଲା ଅଛନ୍ତି ସଂମ୍ପୃକ୍ତ ସ୍କୁଲଗୁଡିକୁ ମର୍ଜ କରାଯାଇଛି । ତେବେ ଯେଉଁ ସବୁ ସ୍କୁକ୍ରେ ପିଲାଙ୍କ ସଂଖ୍ୟା ଅଧିକ ରହିଛି ସେହି ସବୁ ସ୍କୁଲରେ ୫୦ ପିଲାଙ୍କ ଲାଗି ଗୋଟିଏ ଶ୍ରେଣୀ କରାଯିବ ।

ରାଜ୍ୟର ୧୭ଶହ ସ୍କୁଲରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀରେ ସର୍ବାଧିକ ୭୫ରୁ ଅଧିକ ପିଲା ପଢ଼ିଥିବା ଦେଖିବାକୁ ମିଳିଛି । ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଏପରି ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡ଼ିଛି ।

ରାଜ୍ୟରେ ୩୬ହଜାର ୭୦ଟି ସରକାରୀ ପ୍ରାଥମିକ ସ୍କୁଲ ରହିଛି । ଏହି ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସଂଖ୍ୟା ୨୨ଲକ୍ଷ ୬୨ହଜାର ୭୪୯ଜଣ । ସେଥିରୁ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୧୧ଲକ୍ଷ ୬୪ହଜାର ୯୧୫ ଏବଂ ଛାତ୍ରୀଙ୍କ ସଂଖ୍ୟା ୧୦ଲକ୍ଷ ୯୭ହଜାର ୮୩୩ ରହିଛି ।

ସେହିପରି ରାଜ୍ୟରେ ପ୍ରାଥମିକ ସ୍କୁଲ ଲାଗି ଶିକ୍ଷକଙ୍କ ସଂଖ୍ୟା ୧ଲକ୍ଷ ୩୦ହଜାର ୫୧୬ଜଣ । ତେବେ ପ୍ରାଥମିକ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ଥିବାରୁ ପ୍ରଥମ ପର୍ଯ୍ୟାୟରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଅନୁପାତକୁ ଗୁରୁତ୍ୱ ଦିଆଯାଉଛି ।

ତେବେ କିଛି ସ୍କୁଲରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଅଧିକ ପିଲା ଥିବା ବେଳେ କିଛି ସ୍କୁଲରେ ପିଲାଙ୍କ ସଂଖ୍ୟା ଶ୍ରେଣୀ ପ୍ରତି ୩୫ରୁ ମଧ୍ୟ କମ୍ ରହିଛି । ସେହିପରି ଶିକ୍ଷକଙ୍କ ସଂଖ୍ୟା ମଧ୍ୟ କିଛି ସ୍କୁଲରେ ଆବଶ୍ୟକ ଠାରୁ ଅଧିକ ଥିବା ବେଳେ କିଛି ସ୍କୁଲରେ ଆବଶ୍ୟକ ଠାରୁ କମ୍ ରହିଛି । ତେଣୁ ଏପରି ସମସ୍ୟାର ସମାଧାନ ଲାଗି ପ୍ରଥମ ପର୍ଯ୍ୟାୟରେ କେବଳ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ଯୋଜନା କରିଛନ୍ତି ।

Leave A Reply

Your email address will not be published.