ଭୁବନେଶ୍ବର: ୭ ଦିନ ଭିତରେ ବିଦ୍ୟାଳୟର ବିଦ୍ୟୁତ ବକେୟା ପୈଠ କର, ନଚେତ୍ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ।
ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକର ବକେୟା ବିଦ୍ୟୁତ ବିଲ୍ ପୈଠ ସମ୍ପର୍କରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜୁନ୍ ୧୧ରେ ଏନେଇ ନିର୍ଦ୍ଦେଶ ପୂର୍ବରୁ ଜାରି ହୋଇଛି । ସେହିଭଳି ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବଙ୍କ ଜୁନ୍ ୩୦ ତାରିଖର ନିର୍ଦ୍ଦେଶକୁ ଆଧାର କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ବିଦ୍ୟୁତ ବକେୟା ପୈଠ ପାଇଁ ବ୍ଲକଭିତ୍ତିକ ଟଙ୍କା ପୂର୍ବରୁ ଆବଣ୍ଟିତ ହୋଇଛି । ଏଣୁ ୭ ଦିନ ମଧ୍ୟରେ ଉକ୍ତ ଟଙ୍କାକୁ ଉଠାଣ ଓ ବଣ୍ଟନ କରି ବିଲ୍ ଦାଖଲ ସୁନିଶ୍ଚିତ କରିବାକୁ ହେବ । ନଚେତ୍ ସଂପୃକ୍ତ ଖିଲାପକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି ।
ତେବେ ବିଭିନ୍ନ ସ୍କୁଲରେ ଦୀର୍ଘଦିନ ଧରି ବିଦ୍ୟୁତ ବିଲ୍ ବକେୟା ରହିଥିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ଏହା ଯେପରି ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଡିଜିଟାଲ ଶିକ୍ଷା ଓ ବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ନ କରେ, ସେଥିପାଇଁ ସରକାର ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ତୁରନ୍ତ ପୈଠକ ପ୍ରକ୍ରିୟା ଶେଷ କରିବାକୁ ତାଗିଦ କରିଛନ୍ତି ।