Latest Odisha News

ଦ୍ୱିତୀୟ ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ପ୍ରତିମା ଫାଉଣ୍ଡେସନ୍ ତରଫରୁ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଦ୍ୱିତୀୟ “ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା-୨୦୨୪ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସମାଜସେବୀ, ଶିକ୍ଷାକର୍ମୀ ଓ ଶିକ୍ଷାସନ୍ଧାନର ସଦସ୍ୟ ସମ୍ପାଦକ ଶ୍ରୀଯୁକ୍ତ ଅନୀଲ ପ୍ରଧାନଙ୍କୁ ଆଦିବାସୀ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ଦ୍ୱିତୀୟ “ପ୍ରତିମା ଶିକ୍ଷା ସମ୍ମାନ ୨୦୨୪’ ଓ ବିଶିଷ୍ଟ ପଟଚିତ୍ର ଶିଳ୍ପୀ ଶିଳ୍ପୀଗୁରୁ ବିଜୟ କୁମାର ପରିଡ଼ାଙ୍କୁ ପାରମ୍ପରିକ କଳା କ୍ଷେତ୍ରକୁ ଅବଦାନ ପାଇଁ ଦ୍ୱିତୀୟ “ପ୍ରତିମା ଶିଳ୍ପୀ ସମ୍ମାନ ୨୦୨୪’ ଦେଇ ସମ୍ମାନୀତ କରାଯାଇଛି । ପୁରସ୍କାର ବାବଦରେ ପ୍ରତିଭାମାନଙ୍କୁ ଫଳକ, ମାନପତ୍ର, ଉତ୍ତରୀୟ ଏବଂ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।

ବିଶିଷ୍ଟ କବି ତଥା ସାମ୍ବାଦିକ କେଦାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “କଥା’ ପତ୍ରିକାର ସମ୍ପାଦକ ତଥା ପ୍ରଖ୍ୟାତ ଲେଖକ ଗୌରହରି ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାଜରେ ଶିକ୍ଷା ଓ ପ୍ରତିମା ଦେବୀଙ୍କ ପରି ଶିକ୍ଷକର ଭୂମିକା ଏବଂ ପାରମ୍ପରିକ କଳାକୁ ବଞ୍ଚାଇ ରଖିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କହିଥିଲେ । ଯୁବ ଲେଖକ ତଥା ଗେବେଷକ ଶୈଲେନ ରାଉତରାୟ ମୁଖ୍ୟବକତା ଭାବରେ ଯୋଗଦେଇ ‘କାହାକୁ ପୁଚ୍ଛିବା କୁହ? ଜୀବନ ବିଦ୍ୟାଳୟ ଓ ଓଡିଶାରେ ଶିକ୍ଷାର ସମ୍ଭାବନା’ ଶୀର୍ଷକରେ ରାଉତରାୟ ଦ୍ୱିତୀୟ ପ୍ରତିମା ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ।

ମଧୁମିତା ମହାନ୍ତିଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ର ମ୍ୟାନେଜିଂ ଟ୍ରଷ୍ଟି ସୁମିତ୍ରା ପାଢ଼ୀ ସଂଗଠନର ଉଦ୍ଦେଶ୍ୟ ଓ ପ୍ରତିମା ଦେବୀଙ୍କ ଜୀବନ ସମ୍ପର୍କରେ ସୂଚନା ଦେବା ସହ ପ୍ରତି ବର୍ଷ ପ୍ରତିମା ଦେବୀଙ୍କ ଜନ୍ମ ଦିବସରେ ଏହି ପୁରସ୍କାର ଉତ୍ସବ ଜାରି ରହିବ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ପରିଶେଷରେ ବିଶିଷ୍ଟ କବି ଓ ସ୍ତମ୍ଭକାର ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.