Latest Odisha News

BREAKING NEWS

ପୋଲିସ ଜଳକା: ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ବିଦେଶୀ

ପୁରୀ: ସିଂହଦ୍ୱାର ସାମ୍ନାରେ ଛିଡା ହୋଇଛି ପୋଲିସ। ହେଲେ ଏହାରି ଭିତରେ ଜଣେ ବିଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଜଣାପଡ଼ିଛି। ପୋଲିସ ଆଖି ଆଗରେ ବିଦେଶୀ ଜଣଙ୍କ ପ୍ରବେଶ କରିବା ପ୍ରଶାସନର ହୁଗୁଳା ବ୍ୟବସ୍ଥାକୁ ପଦାରେ ପକାଇଛି। ତେବେ ବିଦେଶୀ ଜଣଙ୍କ ବାଇଶି ପାହାଚ ଚଢୁଥିବା ବେଳେ କେହି ଜଣେ ସେବାୟତ ତାଙ୍କୁ ଚିହ୍ନଟ କରିଥିଲେ। ଏହାପରେ ବିଦେଶୀ ଜଣଙ୍କ ସେଠାରୁ ବାହାରକୁ ବାହାରି ଆସିଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସେ ଏକ ଝୁଲା ବ୍ୟାଗ କାନ୍ଧରେ ପକାଇଥିଲେ। ଏହି ଘଟଣା ମଙ୍ଗଳବାର ଅପରାହ୍ନ ୪ଟା ବେଳର ବୋଲି ଜଣାପଡିଛି। ଆଉ ବିଦେଶୀ ଜଣଙ୍କ ମନ୍ଦିର ଭିତରୁ ବାହାରକୁ ଆସିବା ବେଳର ଭିଡିଓ ମଧ୍ୟ ରେକର୍ଡିଂ ହୋଇଥିବା ଜଣାପଡିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଥିଲେ ମଧ୍ୟ ପୁଲିସ କି ପ୍ରଶାସନର ନିଦ ଭାଙ୍ଗିନଥିଲା।

କିନ୍ତୁ ରାତି ୯ଟାରେ ଯେତେବେଳେ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା। ବିଦେଶୀ ଜଣଙ୍କ ଏକ ବ୍ୟାଗ ଧରି ଭିତରୁ ବାହାରିଥିବାର ଫଟୋ ସାମ୍ନାକୁ ଆସିଥିଲା ସେତେବେଳେ ପୋଲିସ ଅତ୍ୟନ୍ତ ସକ୍ରିୟତା ଦେଖାଇଛି। ଆଉ ସେହି ବ୍ୟକ୍ତି ଜଣଙ୍କୁ ଖୋଜିବା ଆରମ୍ଭ କରିଛି। ଶ୍ରୀମନ୍ଦିର ଭିତରୁ ବିଦେଶୀ ଜଣଙ୍କ ବାହାରିବା ଓ ପୋଲିସ ଖୋଜିବା ଭିତରେ ପାଖାପାଖି ୪ ଧଣ୍ଟାର ପାର୍ଥକ୍ୟ ରହିଛି। ହେଲେ ଖବର ଲେଖା ହେବା ସୁଦ୍ଧା ପୋଲିସ ସଂପୃକ୍ତ ବ୍ୟକ୍ତିକୁ ଖୋଜିବାରେ ବିଫଳ ରହିଛି। ଏବେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଗାଏବ ରହିଛନ୍ତି।

ସିଂହଦ୍ୱାର ପୋଲିସ କହିଛି, ସଂପୃକ୍ତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। ବିଦେଶୀ ମନ୍ଦିର ଭିତରେ ପ୍ରବେଶ କଲେ ମଧ୍ୟ ସେମାନଙ୍କ ବିରୋଧରେ ଅପରାଧିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। କେବଳ ଶ୍ରୀମନ୍ଦିର ଆଇନର ଉଲ୍ଲଂଘନ କହି ଥାନାରେ ମାମଲା ରୁଜୁ କରାଯାଇପାରିବ ବୋଲି ଆଇଆଇସି ଗୋକୁଳ ରଞ୍ଜନ ଦାଶ କହିଛନ୍ତି। ତେବେ କିଛି ଅପରାଧିକ କାର୍ୟ୍ୟରେ ସଂପୃକ୍ତି ଥିବାର ପ୍ରମାଣ ମିଳିଲେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ସେ କହିଛନ୍ତି।

 

 

Leave A Reply

Your email address will not be published.