Latest Odisha News

ଦେଶବାସୀଙ୍କୁ ଏକାଠି କରି ରଖିଛି ଭାଷା ଓ ସଂସ୍କୃତି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏଭଳି ସମ୍ଭୋଧିତ କରିଛନ୍ତି। ସେ କହିଛନ୍ତି, ଆମେ ଯେତେବେଳେ ଗଣତନ୍ତ୍ର ଦିବସ ପାଳନ କରୁ ସେତେବେଳେ ଆମେ ଏକ ରାଷ୍ଟ୍ର ହିସାବରେ ଯାହା ହାସଲ କରିଛୁ ତାହାକୁ ପାଳନ କରୁଛୁ। ସ୍ୱାଧୀନତାର ଆଦିକାଳରେ ଆମେ ଅସଂଖ୍ୟ ଆହ୍ୱାନ ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲୁ । ଦୀର୍ଘକାଳର ବିଦେଶୀ ଶାସନର ଅନେକ କୁପ୍ରଭାବ ମଧ୍ୟରୁ ସବୁଠୁ ଚିନ୍ତାଜନକ ଥିଲା ପ୍ରଚଣ୍ଡ ଦାରିଦ୍ର‌୍ୟ ଓ ନିରକ୍ଷରତା, ତଥାପି ଭାରତର ଉତ୍ସାହ ଓ ମନୋବଳ ଅପରିବର୍ତ୍ତିତ ରହିଥିଲା । ଆଶା ଓ ବିଶ୍ୱାସର ସହିତ ଆମେ ମାନବଜାତିର ଇତିହାସରେ ଏକ ଅଦ୍ୱିତୀୟ ପରୀକ୍ଷାନିରୀକ୍ଷା ଆରମ୍ଭ କଲୁ । ଏଡ଼େ ବିରାଟ ଓ ବିବିଧତାପୂର୍ଣ୍ଣ ଜନତା ଏକତ୍ର ହୋଇ ଏକ ରାଷ୍ଟ୍ର ହିସାବରେ ମୁଣ୍ଡ ଟେକିବା ଅଦ୍ଭୁତପୂର୍ବ ଥିଲା । ଆମେ ସମସ୍ତେ ଏକ ଓ ଭାରତୀୟ ଏହି ବିଶ୍ୱାସରେ ଆମେ ଏହା କରିପାରିଲୁ। ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଆମେ ସଫଳ ହେବାର କାରଣ ହେଳା ଏତେ ସବୁ ଭାଷା, ଜାତି, ସମୁଦାୟ ଥିବା ସତ୍ତ୍ୱେ ସେ ସବୁ ଆମକୁ ଭାଗ ଭାଗ କରିପାରିନଥିଲା । ଏହି ସବୁ ବିବିଧତା ବରଂ ଆମକୁ ଏକତ୍ର କରିଛି । ତାହା ହିଁ ଭାରତର ସାରତତ୍ତ୍ୱ।

ଯେଉଁମାନେ ଆଧୁନିକ ଭାରତୀୟ ମନକୁ ଆକାର ଦେଇଥିଲେ ସେମାନେ ମଧ୍ୟ ବୈଦିକ ମନ୍ତ୍ର “ଆ ନୋ ଭଦ୍ରାଃ କ୍ରତବୋ ୟନ୍ତୁ ବିଶ୍ୱତଃ” ଅର୍ଥାତ ବିଶ୍ୱର ସବୁ ଦିଗରୁ ଆମ ପାଇଁ ମହାନ ବିଚାର ସବୁ ଆସୁ ଭାବନାରେ ଅନୁପ୍ରାଣିତ ହୋଇ ବିଦେଶର ପ୍ରଗତିଶୀଳ ବିଚାର ସବୁକୁ ସ୍ୱାଗତ କରିଥିଲେ । ଆମ ସମ୍ବିଧାନରେ ଏକ ଦୀର୍ଘ ଏବଂ ଅନ୍ତିର୍ନିହିତ ବିଚାର ପ୍ରକ୍ରିୟାର ପରିପ୍ରକାଶ ଘଟିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ଆମର ସମ୍ବିଧାନ ବିଶ୍ୱର ପ୍ରାଚୀନତମ ଜୀବନ୍ତ ସଭ୍ୟତାର ମାନବବାଦୀ ଦର୍ଶନ ଏବଂ ସାମ୍ପ୍ରତିକ ଇତିହାସରୁ ଲବ୍ଧ ନୂଆ ବିଚାରଦ୍ୱାରା ଅନୁପ୍ରାଣିତ । ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ ଡକ୍ଟର ବି.ଆର୍‍.ଆମ୍ବେଦକରଙ୍କ ନିକଟରେ ଆମ ଦେଶ ସର୍ବଦା କୃତଜ୍ଞ ରହିବ । ସେ ଏହି ଜାତୀୟ ନଥିକୁ ଚୂଡ଼ାନ୍ତରୂପ ଦେବା ପୂର୍ବରୁ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ଯୋଡ଼ିଥିଲେ । ଏହି ଦିବସରେ ଆମେ ମଧ୍ୟ ବିଶିଷ୍ଟ ଆଇନଜ୍ଞ ବି.ଏନ୍‍.ରାଓଙ୍କ ଅବଦାନ ସ୍ମରଣ କରିବା; କାରଣ ସେ ହିଁ ସମ୍ବିଧାନର ପ୍ରାରମ୍ଭିକ ଚିଠା ପ୍ରସ୍ତୁତ କରିଥିଲେ । ତା’ଛଡ଼ା ସମ୍ବିଧାନ ପ୍ରସ୍ତୁତିରେ ଆଉ ଯେଉଁ ବିଶେଷଜ୍ଞମାନେ ସାହାଯ୍ୟ ସହଯୋଗ କରିଥିଲେ ସେମାନେ ମଧ୍ୟ ଆଜି ସ୍ମରଣର ହକ୍‍ଦାର । ସମ୍ବିଧାନ ପ୍ରଣୟନ ସଭାରେ ଭାରତର ସବୁ ଅଞ୍ଚଳ, ସମ୍ପ୍ରଦାୟର ପ୍ରତିନିଧିଙ୍କ ସହିତ ୧୫ ଜଣ ମହିଳା ସ୍ଥାନ ପାଇଥିଲେ । ଏହା ଆମ ପାଇଁ ଗର୍ବ ଓ ଗୌରବ ବିଷୟ  ବୋଲି ସେ କହିଛନ୍ତି।

ସମ୍ବିଧାନରେ ସେମାନଙ୍କର ଯେଉଁ ଲକ୍ଷ୍ୟ ସ୍ଥାନିତ ହୋଇଛି ତାହା ନିରନ୍ତର ଭାବେ ଆମ ସାଧାରଣତନ୍ତ୍ରକୁ ଦିଗ୍‍ଦର୍ଶନ ଦେଇ ଆଗେଇ ନେଉଛି । ଏହି ସମୟ ମଧ୍ୟରେ ଭାରତ ଏକ ପ୍ରଚଣ୍ଡ ଦରିଦ୍ର ଓ ନିରକ୍ଷର ଦେଶରୁ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ରରେ ପରିଣତ ହୋଇ ବିଶ୍ୱ ଦରବାରେ ଆଗେଇ ଚାଲିଛି । ସମ୍ବିଧାନ ନିର୍ମାତାମାନଙ୍କର ଲକ୍ଷ୍ୟ ଓ ଦୂରଦୃଷ୍ଟି ବିନା ଏହା ଆଜି ସମ୍ଭବ ହୋଇନଥାନ୍ତା ବୋଲି ସେ କହିଛନ୍ତି।

ବାବା ସାହେବ ଆମ୍ବେଦକର ଓ ଅନ୍ୟମାନେ ଆମକୁ ଏକ ମାନଚିତ୍ର ଓ ନୈତିକ ଢାଞ୍ଚା ଦେଇଥିବାବେଳେ ସେହି ପଥରେ ଆଗକୁ ଯିବାର ଦାୟିତ୍ୱ ଥିଲା ଆମର । ଆମେ ସେ ଦାୟିତ୍ୱ ନିର୍ବାହ କରି ଆମ ସମ୍ବିଧାନ ନିର୍ମାତାମାନଙ୍କ ଆଶା ଆକାଂକ୍ଷା ପୂରଣ କରିଛୁ । ଆମେ ଆହୁରି ମଧ୍ୟ ଏବେ ଅନୁଭବ କରୁଛୁ ଯେ ଗାନ୍ଧିଜୀଙ୍କ ସର୍ବୋଦୟ ବିଚାର ଯାହା ସମସ୍ତଙ୍କ ଉତ୍‍ଥାନ କଥା କହେ ତାହାକୁ ହାସଲ କରିବାରେ ଆହୁରି ଅନେକ କିଛି କରିବାର ଅଛି । ଏହା ସତ୍ତ୍ୱେ ଆମେ ବିିଭିନ୍ନ କ୍ଷେତ୍ରରେ ଯେଉଁସବୁ ପ୍ରଗତି କରିଛୁ ତାହା ନିଶ୍ଚିତ ଉତ୍ସାହଜନକ କହିବା ସହିତ ଦେଶ ଏବେ କେଉଁସବୁ ଉପଲବ୍ଧି ହାସଲ କରିଛନ୍ତି ସେ ବାବଦରେ ଉଲ୍ଲେଖ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

 

Leave A Reply

Your email address will not be published.