Ammunition Recovered in Manipur:ସୁରକ୍ଷା ବାହିନୀକୁ ବଡ଼ ସଫଳତା: ୯ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED ଜବତ
ନୂଆଦିଲ୍ଲୀ:ମଣିପୁରରେ ଆଇନଶୃଙ୍ଖଳା ରକ୍ଷା କରିବା ଏବଂ ସାମାଜିକ ବିରୋଧୀ ତତ୍ତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଲିଥିବା ଅଭିଯାନରେ ସୁରକ୍ଷା ବାହିନୀ ଓ ମଣିପୁର ପୋଲିସ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଦୁଇଟି ଭିନ୍ନ ଭିନ୍ନ ଜିଲ୍ଲାରେ କରାଯାଇଥିବା ତଲାସୀ ଅଭିଯାନ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଯୋଗାଯୋଗ ଉପକରଣ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ପୋଲିସ୍ ସୂଚନାନୁଯାୟୀ, ରବିବାର ଦିନ ଥୌବାଲ୍ ଥାନା ଅଧୀନସ୍ଥ ଆରୋଙ୍ଗ ନଦୀ ନିକଟସ୍ଥ ‘ଏକୋକ୍ ପାଟ୍’ (Ekok Pat) ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚଳାଯାଇଥିଲା। ଏହି ଅଭିଯାନ ସମୟରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଦୁଇଟି INSAS ରାଇଫଲ୍, ଗୋଟିଏ MP-5 ସବ୍-ମେସିନ୍ ଗନ୍, ଗୋଟିଏ SLR ରାଇଫଲ୍, ଦୁଇଟି .303 ରାଇଫଲ୍, ଆଠଟି ମାଗାଜିନ୍, ଗୋଟିଏ ସ୍ମୋକ୍ ବମ୍ବ ଏବଂ ବିଭିନ୍ନ କାଲିବରର ୩୭୯ଟି ଜୀବନ୍ତ ଗୁଳି ଅନ୍ତର୍ଭୁକ୍ତ ଥିଲା।
ସୂଚନାଥାଉକି, ଶନିବାର ଅର୍ଥାତ୍ ଅଗଷ୍ଟ ୧ ତାରିଖ ଦିନ ତେଙ୍ଗନୋପାଲ ଜିଲ୍ଲାର ମୋରେହ ଥାନା ଅଞ୍ଚଳ ଅନ୍ତର୍ଗତ ଭାରତ-ମିଆଁମାର ସୀମା ନିକଟସ୍ଥ ବର୍ଡର ପିଲର ୭୨ ଓ ୭୩ ମଧ୍ୟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଏକ ବ୍ୟାପକ ସର୍ଚ୍ଚ ଅପରେସନ୍ ଚଳାଯାଇଥିଲା। ଏହି ଅଭିଯାନ ସମୟରେ ଗୋଟିଏ ୯ ଏମ୍ଏମ୍ (9mm) ପିସ୍ତଲ, ଗୋଟିଏ ଡବଲ୍-ବ୍ୟାରେଲ୍ ବନ୍ଧୁକ, ଛଅଟି ରେଡିଓ ଯୋଗାଯୋଗ ସେଟ୍, ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଏବଂ ଛଅଟି ଆଇଇଡି (IED – ଉଦ୍ଭାବିତ ବିସ୍ଫୋରକ ଉପକରଣ) ଜବତ କରାଯାଇଥିଲା।
ସୁରକ୍ଷା ବାହିନୀ ଜଣାଇଛି ଯେ, ଉଦ୍ଧାର କରାଯାଇଥିବା ସମସ୍ତ ଛଅଟି IED କୁ ସୁରକ୍ଷା ନିୟମାବଳୀ ଅନୁଯାୟୀ ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ ଓ ନଷ୍ଟ କରାଯାଇଥିଲା, ଯାହା ଫଳରେ ସମ୍ଭାବ୍ୟ ବିପଦକୁ ଏଡ଼ାଇ ଦିଆଯାଇପାରିଲା।
ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଶାନ୍ତି ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନିକଟସ୍ଥ ସମ୍ବେଦନଶୀଳ ଅଞ୍ଚଳରେ ସନ୍ଧାନ ଅଭିଯାନ ଜାରି ରହିଛି। ଏହି ସମୟରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ଉଦ୍ଧାର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକର ଉତ୍ସ ଏବଂ ସେମାନଙ୍କ ସହିତ ଜଡିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି।
ଏହା ପୂର୍ବରୁ ଗୁପ୍ତ ସୂଚନା ଆଧାରରେ ଗତ ୨୪ ଘଣ୍ଟା ମଧ୍ୟରେ ମଣିପୁରରେ ସୁରକ୍ଷା ବାହିନୀ ପୃଥକ ଅଭିଯାନ ଚଳାଇ ନିଷିଦ୍ଧ ବିଦ୍ରୋହୀ ଗୋଷ୍ଠୀ ସହ ଜଡ଼ିତ ନଅ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଛି। ତଲାସୀ ସମୟରେ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ରବିବାର ଦିନ ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି।
ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ, ମଣିପୁର ପୋଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକର ଏକ ମିଳିତ ଅଭିଯାନ ସମୟରେ ଥୌବାଲ, ତାମେଙ୍ଗଲୋଙ୍ଗ, କାକଚିଂ, ଚାନ୍ଦେଲ, ଇମ୍ଫାଲ୍ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବ ଜିଲ୍ଲାରୁ ଏହି ନଅ ଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି ।