Self-Respect Marriage: ନା ସିନ୍ଦୂର, ନା ପଣ୍ଡିତ, ନା ସାତଫେରା…’ଆତ୍ମସମ୍ମାନ’ ବିବାହରେ ପରସ୍ପରର ହାତ ଧରିଲେ କାବ୍ୟା-ଅନିରୁଦ୍ଧ, ଜାଣନ୍ତୁ ସାଧାରଣ ବିବାହ ଠାରୁ କେତେ ଅଲଗା?
ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ସହ ମାଲିକାଣୀ କାବ୍ୟା ମାରନ୍ ଏବଂ ଅନିରୁଦ୍ଧ ରବିଚନ୍ଦରଙ୍କ ବାହାଘରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତେବେ ସେମାନେ ଯେଉଁ ଢଙ୍ଗରେ ବିବାହ କରିଛନ୍ତି, ତାହା ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ନା ସିନ୍ଦୂର, ନା ପଣ୍ଡିତ, ନା ପାରମ୍ପରିକ ଧାର୍ମିକ ରୀତିନୀତି; ବରଂ ପରସ୍ପରକୁ ମାଳା ଓ ଚେନ୍ ପିନ୍ଧାଇ ଜୀବନସାଥୀ ହୋଇଛନ୍ତି ଏହି ଯୋଡ଼ି। ଏହି ବିବାହକୁ କୁହାଯାଉଛି ‘ଆତ୍ମସମ୍ମାନ ବିବାହ’ ବା ‘ସେଲ୍ଫ ରେସପେକ୍ଟ ମ୍ୟାରେଜ୍’। ତେବେ କ’ଣ ଏହି ବିବାହର ଅର୍ଥ? ସାଧାରଣ ହିନ୍ଦୁ ରୀତିନୀତି ବିବାହ ଠାରୁ ଏହା କେତେ ଅଲଗା?
ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଓ ବ୍ୟବସାୟୀ କାବ୍ୟା ମାରନ୍ ନଭେମ୍ବର ୧୧ ତାରିଖରେ ଗ୍ରୀସ୍ରେ ବିବାହ କରିଥିଲେ। ନଭେମ୍ବର ୧୦ରେ ସେମାନଙ୍କ ନିର୍ବନ୍ଧ ଉତ୍ସବ ହୋଇଥିଲା। ଏହି ବିବାହରେ ରଜନୀକାନ୍ତ, ତାଙ୍କ ପରିବାର ସଦସ୍ୟ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଏବଂ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଡିଏମ୍କେ ଆଇଟି ଓ୍ୱିଙ୍ଗ୍ ସଚିବ ଡ. ଟି.ଆର୍.ବି. ରାଜା ସୋସିଆଲ ମିଡିଆରେ ଏହାକୁ ଆତ୍ମସମ୍ମାନ ବିବାହ ବୋଲି ସ୍ପଷ୍ଟ କରିଥିଲେ। ତାଙ୍କ ସୂଚନା ଅନୁସାରେ, ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ପରସ୍ପରକୁ ମାଳା ଓ ଚେନ୍ ପିନ୍ଧାଇଥିଲେ।
କ’ଣ ଏହି ଆତ୍ମସମ୍ମାନ ବିବାହ?
ତାମିଲ୍ ଭାଷାରେ ଏହାକୁ ‘ସୁୟମରିୟାଥାଇ ତିରୁମାନମ୍’ କୁହାଯାଏ। ଏହି ବିବାହ ପରମ୍ପରାର ମୂଳ ତାମିଲନାଡୁର ସାମାଜିକ ସଂସ୍କାର ଆନ୍ଦୋଳନରେ ରହିଛି। ସମାଜ ସଂସ୍କାରକ ପେରିୟାର ଇ.ଭି. ରାମାସ୍ୱାମୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘ଆତ୍ମସମ୍ମାନ ଆନ୍ଦୋଳନ’ ଜାତିଗତ ଭେଦଭାବ, ସାମାଜିକ ଉଚ୍ଚନୀଚ ଭେଦ ଏବଂ ପୁରୁଷପ୍ରଧାନ ପରମ୍ପରାକୁ ବିରୋଧ କରୁଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ସମାନତା, ବ୍ୟକ୍ତିଗତ ସ୍ୱାଧୀନତା ଓ ମର୍ଯ୍ୟାଦାକୁ ଗୁରୁତ୍ୱ ଦେବା।
ପାରମ୍ପରିକ ହିନ୍ଦୁ ବିବାହ ପରି ଏଥିରେ ପୁରୋହିତ, ମନ୍ତ୍ରପାଠ କିମ୍ବା ଜଟିଳ ଧାର୍ମିକ ରୀତିନୀତିର ଆବଶ୍ୟକତା ନାହିଁ। ବର ଓ କନ୍ୟା ପରିବାର, ବନ୍ଧୁ କିମ୍ବା ସାକ୍ଷୀଙ୍କ ଉପସ୍ଥିତିରେ ପରସ୍ପରକୁ ମାଳା, ମୁଦି କିମ୍ବା ଅନ୍ୟ ପ୍ରତୀକାତ୍ମକ ଉପହାର ଦେଇ ବିବାହ ସମ୍ପନ୍ନ କରିପାରନ୍ତି। ଏଠାରେ ଧାର୍ମିକ କର୍ମକାଣ୍ଡ ଅପେକ୍ଷା ଦୁଇଜଣଙ୍କ ସହମତି, ସମାନ ଅଧିକାର ଓ ପରସ୍ପର ପ୍ରତି ସମ୍ମାନକୁ ଅଧିକ ଗୁରୁତ୍ୱ ଦିଆଯାଏ।
୧୯୬୭ ମସିହାରେ ତାମିଲନାଡୁରେ ଏହି ବିବାହ ପଦ୍ଧତିକୁ ଆଇନଗତ ସ୍ୱୀକୃତି ମିଳିଥିଲା। ହିନ୍ଦୁ ବିବାହ ଆଇନରେ ସଂଶୋଧନ କରାଯାଇ ଧାରା ୭-ଏ ଯୋଡ଼ାଯାଇଥିଲା। ଏହି ଧାରା ଅନୁଯାୟୀ, ପରସ୍ପରକୁ ମାଳା କିମ୍ବା ମୁଦି ପିନ୍ଧାଇବା ଅଥବା ବିବାହ ପ୍ରତି ନିଜର ସମ୍ମତି ଘୋଷଣା କରିବା ମାଧ୍ୟମରେ, ସମ୍ପର୍କୀୟ, ବନ୍ଧୁ କିମ୍ବା ସାକ୍ଷୀଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ କରାଯାଇପାରିବ।
ବିବାହ ପରେ ଅନିରୁଦ୍ଧ ନିଜ ଇନଷ୍ଟାଗ୍ରାମରେ ପତ୍ନୀ କାବ୍ୟାଙ୍କ ସହ ପ୍ରଥମ ଫଟୋ ସେୟାର କରି ‘11.11 ମାଇଁ ଓ୍ୱାନ୍ସ ଇନ୍ ଏ ଲାଇଫ୍ଟାଇମ୍, ଫର୍ ଏ ଲାଇଫ୍ଟାଇମ୍’ ବୋଲି ଲେଖିଥିଲେ। ନଭେମ୍ବର ୨୧ରେ ଚେନ୍ନାଇରେ ଏହି ଦମ୍ପତିଙ୍କ ବିବାହ ରିସେପ୍ସନ୍ ଅନୁଷ୍ଠିତ ହେବ। ଅନିରୁଦ୍ଧ ‘ଜେଲର’, ‘ବିକ୍ରମ’, ‘ଲିଓ’ ଓ ‘ଜୱାନ୍’ ଭଳି ଫିଲ୍ମର ସଙ୍ଗୀତ ପାଇଁ ପରିଚିତ। ଅନ୍ୟପଟେ କାବ୍ୟା ସନ୍ ଗ୍ରୁପ୍ ମୁଖ୍ୟ କଳାନିଧି ମାରନ୍ଙ୍କ ଝିଅ ଏବଂ ଆଇପିଏଲ୍ ଟିମ୍ ସନ୍ରାଇଜର୍ସ ହାଇଦ୍ରାବାଦ୍ର ସହ-ମାଲିକାଣୀ। ଦୁହିଁଙ୍କ ବିବହାର ଏହି ଭିନ୍ନ ଅନ୍ଦାଜ୍ ଏବେ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଛି ।
