Latest Odisha News

ସେଲଫି ନେଲା ଜୀବନ; ୨ ଦିନ ପରେ ନଦୀରୁ ଉଦ୍ଧାର ହେଲା କଲେଜ ଛାତ୍ରୀଙ୍କ ମୃତଦେହ !

ଯାଜପୁର: ସେଲଫି ଯୋଗୁଁ ପୂର୍ବରୁ ଅନେକ ଜୀବନ ହାନି ଘଟିଥିଲେ ମଧ୍ୟ ଚେତୁ ନାହାନ୍ତି ଯୁବ ବର୍ଗ । ଏହି ସେଲଫିକୁ ନେଇ ଯାଜପୁରରେ ଖେଳି ଯାଇଛି ଚାଞ୍ଚଲ୍ୟ । ନଈ କୂଳରେ ସେଲଫି ଉଠାଇବା ହେଲା କାଳ । ନଈ ପାଣିରେ ବୁଡି ୧୭ ବର୍ଷୀୟା କଲେଜ ପଢୁଆ ଯୁବତୀ ମୃତ ।

ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ତନ୍ତୀଘାଇ ଗ୍ରାମରେ। ମୃତ ଯୁବତୀ ଜଣଙ୍କ ତନ୍ତୀଘାଇ ଗ୍ରାମର ସାଇତା ବେଗମ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ସାଇତା(୧୭) ନିଜ ଦାଦା ଝିଅ ନଜରିନ(୧୯) ସହ ଖାରସ୍ରୋତା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।

ନଦୀରେ ପାଣିରେ ପଶି ମୋବାଇଲ ଫୋନରେ ଫୋଟୋ ଉଠାଉଥିବା ବେଳେ ନଈରେ ଆସିଥିବା ଏକ ଶକ୍ତ ଜୁଆରରେ ଦୁହେଁ ପାଣିରେ ବୁଡି ଯାଇଥିଲେ ।

ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତତକ୍ଷଣାତ ପାଣିକୁ ଡେଇଁ ନଜରିନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ସାଇତାଙ୍କ ପତ୍ତା ମିଳିନଥିଲା ।

ଖବରପାଇ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସାଇତାଙ୍କ ସନ୍ଧାନ ମିଳିନଥିଲା ।

ତେବେ ମଙ୍ଗଳବାର ସକାଳୁ ସ୍ଥାନୀୟ ଡରଡା ଅଞ୍ଚଳର କିଛି ଲୋକ ନିଜ ଗାଁ ନଈ ପୋଲ ତଳେ ଏକ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଓଡ୍ରାଫ ଟିମ ସହ ପୋଲିସ ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ମୃତକଙ୍କ ପରିବାରକୁ ଶବ ଚିହ୍ନଟ କରିବା ନିମନ୍ତେ ଡକାଇଥିଲେ ।

ତେବେ ମୃତଦେହକୁ ପରିବାର ଲୋକେ ନିଜ ଝିଅ ସାଇତା ବୋଲି ଚିହ୍ନଟ କରିଛନ୍ତି । ଏହାପରେ ପୋଲିସ ଏହାକୁ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.