Latest Odisha News

BREAKING NEWS

ପରଲୋକରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ

ଭୁବନେଶ୍ବର: ପରଲୋକରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ଆଜି ସକାଳ ୫ଟା ୨୩ ମିନିଟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦାମୋଦର ରାଉତଙ୍କ ଦେହାନ୍ତ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଦାମୋଦରଙ୍କୁ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ହେଲେ ଆଜି ତାଙ୍କର ଦେହାନ୍ତ ହୋଇଛି । ଦାମଙ୍କ ବିୟୋଗରେ ରାଜନୀତିରେ ମହଲରେ ଶୋକର ଛାୟା ଖେଳିଯାଇଛି ।

ଆଜି ପ୍ରଥମେ ଦାମଙ୍କ ମରଶରୀରକୁ ତାଙ୍କ ସରକାରୀ ବାସଭବନକୁ ନିଆଯିବ । ଏହାପରେ ତାଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ପାର୍ଟି କାର୍ଯ୍ୟକର୍ତ୍ତା ଦାମଙ୍କ ଶେଷ ଦର୍ଶନ କରିବାପରେ ମରଶରୀରକୁ ବିଧାନସଭାକୁ ନିଆଯିବ । ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେଠାରୁ ଦାମଙ୍କ ମରଶରୀରକୁ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯିବ । ଏହାପରେ ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

ଓଡିଶା ରାଜନୀତିର ଜଣେ ଦକ୍ଷ ଓ ଟାଣୁଆ ନେତା ଭାବେ ବେଶ ଜଣାଶୁଣା ଥିଲେ ଡାକ୍ତର ଦାମୋଦର ରାଉତ । ବାଲିକୁଦା-ଏରସମା ଏବଂ ପାରାଦ୍ୱୀପ ବିଧାନସଭା ଆସନରୁ ସେ ସମୁଦାୟ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜୁ ଓ ନବୀନ ସରକାରରେ ୭ରୁ ଅଧିକ ବିଭାଗର ମନ୍ତ୍ରୀ ପଦ ସମ୍ଭାଳି ଥିଲେ ଦାମ ।

ଦାମୋଦର ରାଉତ ୧୯୪୨ ମସିହାର ଜୁଲାଇ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୭ ମସିହାରେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦାମୋଦର ରାଉତ । ଜନତା ପାର୍ଟି ଟିକେଟରେ ଏରସମା ଆସନରୁ ୧୯୭୭ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ । ପରେ ୧୯୮୦ ମସିହାରେ ଜନତା ଦଳ ସେକ୍ୟୁଲାରରୁ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୫ ମସିହାରେ ପରାଜିତ ହୋଇଥିବା ଦାମ ୨୦୦୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ ।

ଏକ ବିବାଦୀୟ ପରିସ୍ଥିତିରେ ୨୦୧୮ ମସିହାରେ ସେ ମନ୍ତ୍ରୀ ପଦ ହରାଇଥିଲେ । ଏହାପରେ ତାଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିଲା । ଦାମ ଏହାପରେ ବିଜେପରେ ଯୋଗଦେଇଥିଲେ । ୨୦୧୯ ମସିହାରେ ବାଲିକୁଦାରୁ ବିଜେପି ଟିକେଟରୁ ଲଢ଼ି ସେ ପରାଜିତ ହୋଇଥିଲେ । ସେହିବର୍ଷ ଅକ୍ଟୋବର ୧୬ ରେ ବିଜେପିରୁ ଇସ୍ତଫା ଦେଇଥିଲେ । ଗତ ଜାନୁଆରୀରେ ବିଜେଡି ପକ୍ଷରୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା ।

ଦାମଦୋର ରାଉତଙ୍କ ବିୟୋଗରେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଏକ ଶୋକବାର୍ତ୍ତାରେ ଦାମବାବୁଙ୍କ ସ୍ମୃତିଚାରଣ କରି ତାଙ୍କ ବିୟୋଗ ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି ଲେଖିବା ସହ ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ଓଡ଼ିଶା ରୈଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

Leave A Reply

Your email address will not be published.